ଆଜିର ଖାସ ଖବର
Tue. May 26th, 2026

କାଳବୈଶାଖୀ ପରେ ଭୁବନେଶ୍ୱର ଓ କଟକରେ ଟିପିସିଓଡିଏଲ୍‌ ପକ୍ଷରୁ ଦ୍ରୁତ ବିଦ୍ୟୁତ ସଂଯୋଗ ପୁନଃସ୍ଥାପିତ

By Admin_Dainkasha May2,2026

ଭୁବନେଶ୍ୱର, ମଇ ୨, ୨୦୨୬: ଆଜି ଅପରାହ୍ନ ଓ ସନ୍ଧ୍ୟା ସମୟରେ ହୋଇଥିବା କାଳବୈଶାଖୀ ବର୍ଷା ଏବଂ ପ୍ରବଳ ପବନ ଯୋଗୁଁ ଭୁବନେଶ୍ୱର ଏବଂ କଟକର କିଛି ଅଞ୍ଚଳରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଥିଲା। ତେବେ ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିସିଓଡିଏଲ୍‌) ପକ୍ଷରୁ ଅତି ଶୀଘ୍ର ପଦକ୍ଷେପ ନିଆଯାଇ ବିଦ୍ୟୁତ ସଂଯୋଗକୁ ସଫଳତାର ସହ ସ୍ୱାଭାବିକ କରାଯାଇଛି।
ଏହି କାଳବୈଶାଖୀ ସମୟରେ ପବନର ବେଗ ଘଣ୍ଟା ପ୍ରତି ପ୍ରାୟ ୪୮.୫ କିଲୋମିଟର ରହିଥିଲା। ବିଦ୍ୟୁତ ତାର ଉପରେ ଗଛର ଡାଳ, ବ୍ୟାନର, ହୋର୍ଡିଂ ଏବଂ ଅନ୍ୟାନ୍ୟ ଜିନିଷ ପଡ଼ିଯିବା କାରଣରୁ ବିଭିନ୍ନ ଅଞ୍ଚଳରେ ସାମୟିକ ଭାବେ ବିଦ୍ୟୁତ ସେବା ବନ୍ଦ ରହିଥିଲା।
ଏହାର ତୁରନ୍ତ ସମାଧାନ ପାଇଁ ଟିପିସିଓଡିଏଲ୍ ପକ୍ଷରୁ ଜରୁରୀକାଳୀନ ରେସପନ୍ସ,ଟିମ, କ୍ଷେତ୍ର କର୍ମଚାରୀ ଏବଂ ପ୍ରୋଜେକ୍ଟ ଟିମକୁ ପ୍ରଭାବିତ ଅଞ୍ଚଳରେ ନିୟୋଜିତ କରାଯାଇଥିଲା। ସମସ୍ତଙ୍କ ସମନ୍ୱିତ ପ୍ରୟାସ ଫଳରେ ସନ୍ଧ୍ୟା ୭ଟା ସୁଦ୍ଧା ସମସ୍ତ ୩୩ କେଭି ଫିଡର ଏବଂ ରାତି ୯ଟା ସୁଦ୍ଧା ସମସ୍ତ ୧୧ କେଭି ଫିଡରକୁ କାର୍ଯ୍ୟକ୍ଷମ କରାଯାଇ ବିଦ୍ୟୁତ ସେବାକୁ ସ୍ୱାଭାବିକ କରାଯାଇଥିଲା।
ସୁରକ୍ଷା ନିୟମକୁ ପାଳନ କରିବା ସହ ଟିପିସିଓଡିଏଲର ଲାଇନମ୍ୟାନ ଏବଂ ରକ୍ଷଣାବେକ୍ଷଣ କର୍ମଚାରୀମାନେ ଅତି କମ ସମୟ ମଧ୍ୟରେ ବିଭିନ୍ନ ପ୍ରତିବନ୍ଧକକୁ ହଟାଇ ବିଦ୍ୟୁତ ଯୋଗାଣ ପୁନଃସ୍ଥାପିତ କରିବା ପାଇଁ ନିରନ୍ତର ଭାବେ କାର୍ଯ୍ୟ କରିଥିଲେ।
ଏହି ସମ୍ପର୍କରେ ସୂଚନା ଦେଇ ଟିପିସିଓଡିଏଲର ସିଇଓ ଶ୍ରୀ ଅରଭିନ୍ଦ ସିଂ କହିଛନ୍ତି ଯେ, “ପ୍ରତିକୂଳ ପାଗ ସତ୍ତ୍ୱେ ଆମର ଟିମ୍ ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ସେବା ପୁନଃସ୍ଥାପିତ କରିବା ପାଇଁ ଅତି ନିଷ୍ଠାର ସହ ଦ୍ରୁତ କାର୍ଯ୍ୟ କରିଛନ୍ତି। ସର୍ବୋତ୍ତମ ସୁରକ୍ଷା ଓ ସେବା ମାନ ବଜାୟ ରଖିବା ସହ ଉପଭୋକ୍ତାମାନଙ୍କୁ ନିରବଚ୍ଛିନ୍ନ ଓ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ପାଇଁ ଟିପିସିଓଡିଏଲ୍ ସବୁବେଳେ ପ୍ରତିଶ୍ରୁତିବଦ୍ଧ।”
ବିଦ୍ୟୁତ ପୁନଃସ୍ଥାପନ ପ୍ରକ୍ରିୟା ସମୟରେ ଉପଭୋକ୍ତାମାନେ ଦେଖାଇଥିବା ଧୈର୍ଯ୍ୟ ଏବଂ ସହଯୋଗ ପାଇଁ ଟିପିସିଓଡିଏଲ୍ ଧନ୍ୟବାଦ ଜଣାଇଛି। ଚଳିତ କାଳବୈଶାଖୀ ଋତୁରେ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ କମ୍ପାନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ନିଜର ସେବା ଯୋଗାଣ ଅଞ୍ଚଳ ମଧ୍ୟରେ ଉନ୍ନତ ଗ୍ରାହକ ସେବା ଏବଂ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ କରିବା ପ୍ରତି କମ୍ପାନୀ ନିଜର ପ୍ରତିବଦ୍ଧତାକୁ ଦୋହରାଇଛି।

Related Post