ଭୁବନେଶ୍ୱର, ୧୫ ମେ ୨୦୨୬: ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜିଲି ଯୋଜନା ଅଧୀନରେ ତାଲିକାଭୁକ୍ତ ଭେଣ୍ଡରମାନଙ୍କ ସହ ସମନ୍ୱୟକୁ ସୁଦୃଢ଼ କରିବା ଏବଂ ନିଜର ସେବାଯୋଗାଣ ଅଞ୍ଚଳରେ ରୁଫ୍ଟପ୍ ସୌର ଶକ୍ତି ବ୍ୟବହାରକୁ ବୃଦ୍ଧି କରିବା ପାଇଁ ଟିପିସିଓଡିଏଲ୍ ପକ୍ଷରୁ ଏକ ଭେଣ୍ଡର ସମ୍ମିଳନୀର ଆୟୋଜନ କରାଯାଇଥିଲା।
ଭାରତ ସରକାରଙ୍କ ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ (ଏମଏନଆରଇ) ଦ୍ୱାରା ୨୦୨୬ ମେ ମାସକୁ “ମନ୍ଥ ଅଫ୍ ସୋଲାର” ଭାବେ ପାଳନ କରାଯାଉଥିବା ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଯାହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ରୁଫ୍ଟପ୍ ସୌର ଶକ୍ତି ପ୍ରକଳ୍ପର କାର୍ଯ୍ୟକାରିତାକୁ ଶୀଘ୍ର ଶେଷ କରିବା ଏବଂ ଅକ୍ଷୟ ଶକ୍ତି ଆପଣାଇବା ସମ୍ପର୍କରେ ସଚେତନତା ସୃଷ୍ଟି କରିବା। ଏହି “ମନ୍ଥ ଅଫ୍ ସୋଲାର” ଅଭିଯାନର ଏକ ଅଂଶ ସ୍ୱରୂପ, ଟିପିସିଓଡିଏଲ୍ ରୁଫ୍ଟପ୍ ସୋଲାର ସିଷ୍ଟମ ଏବଂ ସ୍ୱଚ୍ଛ ଶକ୍ତି ସମାଧାନର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ନିଜର ସେବାଯୋଗାଣ ଅଞ୍ଚଳ ମଧ୍ୟରେ ବିଭିନ୍ନ ଉପଭୋକ୍ତା ସଚେତନତା ଏବଂ ଜନସମ୍ପର୍କ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେଉଛି।
ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜିଲି ଯୋଜନା ଅଧୀନରେ କାର୍ଯ୍ୟକାରିତା ରଣନୀତି, ପରିଚାଳନାକ୍ଷେତ୍ରରେ ସୁଧାର ଏବଂ ଚାଲିଥିବା କାର୍ଯ୍ୟର ଅଗ୍ରଗତି ସମ୍ପର୍କ ରେ ସମୀକ୍ଷା କରିବା ପାଇଁ ଏହି ବୈଠକରେ ସମଗ୍ର ଅଞ୍ଚଳରୁ ତାଲିକାଭୁକ୍ତ ଭେଣ୍ଡରମାନେ ଏକତ୍ରିତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୫୦ ଜଣ ଭେଣ୍ଡର ଅଂଶଗ୍ରହଣ କରିଥିଲେ।
ଏହି ଆଲୋଚନା ଚକ୍ର ସମୟରେ, ରୁଫ୍ଟପ୍ ସୋଲାର ଆପଣାଉଥିବା ଉପଭୋକ୍ତା ମାନଙ୍କୁ ଏକ ସହଜ ଓ ବାଧାମୁକ୍ତ ଅନୁଭୂତି ପ୍ରଦାନ କରିବା ପାଇଁ ସେବା ଗୁଣବତ୍ତାର ଉଚ୍ଚ ମାନ ବଜାୟ ରଖିବା ଏବଂ ସଠିକ୍ ସମୟରେ ସୋଲାର ସ୍ଥାପନ କାର୍ଯ୍ୟ ଶେଷ କରିବାକୁ ଭେଣ୍ଡରମାନଙ୍କୁ ଉତ୍ସାହିତ କରାଯାଇଥିଲା। ଏହି ଯୋଜନା ଅଧୀନରେ କାର୍ଯ୍ୟକାରିତାକୁ ସରଳ କରିବା ଏବଂ ପରିଚାଳନାଗତ ଦକ୍ଷତା ବୃଦ୍ଧି କରିବା ପାଇଁ ଟିପିସିଓଡିଏଲ୍ ପକ୍ଷରୁ କରାଯାଇଥିବା ନୂତନ ପରିବର୍ତ୍ତନଗୁଡିକ ସମ୍ପର୍କରେ ମଧ୍ୟ ଭେଣ୍ଡରମାନଙ୍କୁ ଅବଗତ କରାଯାଇଥିଲା।
ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜିଲି ଯୋଜନା ଅଧୀନରେ ଟିପିସିଓଡିଏଲ୍ର ସେବାଯୋଗାଣ ଅଞ୍ଚଳରେ ୩୦,୦୦୦ ରୁ ଅଧିକ ଉପଭୋକ୍ତା ଏହି ଯୋଜନାର ଲାଭ ଉଠାଇ ସାରିଛନ୍ତି। ଏହି ପଦକ୍ଷେପ ଉପଭୋକ୍ତାମାନଙ୍କୁ ରୁଫ୍ଟପ୍ ସୋଲାର (ଆରଟିଏସ) ସିଷ୍ଟମ ମାଧ୍ୟମରେ ସ୍ୱଚ୍ଛ ଏବଂ ସ୍ୱଳ୍ପ ମୂଲ୍ୟର ଶକ୍ତି ସମାଧାନ ଆପଣାଇବାରେ ସକ୍ଷମ କରୁଛି, ଯାହାଦ୍ୱାରା ପରିବାରଗୁଡ଼ିକର ବିଦ୍ୟୁତ୍ ଖର୍ଚ୍ଚ ଯଥେଷ୍ଟ ପରିମାଣରେ ହ୍ରାସ ପାଉଛି ଏବଂ ଅନେକ ଉପଭୋକ୍ତା ବହୁତ କମ୍ କିମ୍ବା ଶୂନ୍ୟ ବିଦ୍ୟୁତ୍ ବିଲ୍ର ଲାଭ ପାଉଛନ୍ତି।
ଏହି ଅବସରରେ ଟିପିସିଓଡିଏଲ୍ର ସିଇଓ ଅରଭିନ୍ଦ ସିଂ କହିଛନ୍ତି ଯେ, “ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜିଲି ଯୋଜନା ମାଧ୍ୟମରେ ଅକ୍ଷୟ ଶକ୍ତିର ବ୍ୟବହାରକୁ ବିସ୍ତାର କରିବା ପାଇଁ ସରକାରଙ୍କ ଦୂରଦୃଷ୍ଟିକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଟିପିସିଓଡିଏଲ୍ ପ୍ରତିବଦ୍ଧ। ରୁଫ୍ଟପ୍ ସୋଲାର ପ୍ରକଳ୍ପଗୁଡ଼ିକର ସଠିକ୍ ସମୟରେ ଏବଂ ପ୍ରଭାବଶାଳୀ କାର୍ଯ୍ୟକାରିତା ନିଶ୍ଚିତ କରିବାରେ ଆମର ଭେଣ୍ଡର ସହଭାଗୀମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ଆମେ ସମସ୍ତ ତାଲିକାଭୁକ୍ତ ଭେଣ୍ଡରମାନଙ୍କୁ ‘ମନ୍ଥ ଅଫ୍ ସୋଲାର’ ଅଭିଯାନ ସମୟରେ ସୋଲାର ସ୍ଥାପନର ଗତିକୁ ଆହୁରି ବୃଦ୍ଧି କରିବାକୁ ଏବଂ ସେଣ୍ଟ୍ରାଲ ଓଡ଼ିଶାର ଉପଭୋକ୍ତାମାନଙ୍କ ପାଇଁ ଏକ ଦୀର୍ଘସ୍ଥାୟୀ ଶକ୍ତି ଭବିଷ୍ୟତ ଗଠନ ଦିଗରେ ଅବଦାନ ଦେବାକୁ ଅନୁରୋଧ କରୁଛୁ। ଏହା ସହିତ ଆମେ ଉପଭୋକ୍ତାମାନଙ୍କୁ ମଧ୍ୟ ଏହି ପଦକ୍ଷେପରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ଏବଂ ନିଜର ବିଦ୍ୟୁତ୍ ଖର୍ଚ୍ଚକୁ ଯଥେଷ୍ଟ ହ୍ରାସ କରିବା ସହିତ ଶସ୍ତା, ଦୀର୍ଘସ୍ଥାୟୀ ଏବଂ ପରିବେଶ ଅନୁକୂଳ ଶକ୍ତି ସମାଧାନର ଲାଭ ଉଠାଇବା ପାଇଁ ରୁଫ୍ଟପ୍ ସୋଲାର ସିଷ୍ଟମ ଆପଣାଇବାକୁ ନିବେଦନ କରୁଛୁ।”
ଅକ୍ଷୟ ଶକ୍ତିର ପ୍ରସାର ପାଇଁ ଟିପିସିଓଡିଏଲ୍ ନିରନ୍ତର ଭାବେ ଲକ୍ଷ୍ୟଭିତ୍ତିକ ପଦକ୍ଷେପମାନ ଗ୍ରହଣ କରିଆସୁଛି ଏବଂ ଏହାର ସେବାଯୋଗାଣ ଅଞ୍ଚଳରେ ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜିଲି ଯୋଜନାର ସଠିକ କାର୍ଯ୍ୟକାରିତା ପାଇଁ ସର୍ବଦା ପ୍ରତିବଦ୍ଧ ରହିଛି।

