ଉପଭୋକ୍ତାମାନଙ୍କୁ ଅଧିକ ସୁବିଧାଜନକ ଏବଂ ଗୁଣାତ୍ମକ ସେବା ପ୍ରଦାନ କରିବା ଲକ୍ଷ୍ୟରେ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନଓଡିଏଲ୍) ଆଜି ରାଇରଙ୍ଗପୁରରେ ନିଜର ଚତୁର୍ଥ ମିଟରିଂ ଷ୍ଟୋରର ଉଦ୍ଘାଟନ କରିଛି। ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଦୁଷ୍ୟନ୍ତ କୁମାର ତ୍ୟାଗୀ ଶୁକ୍ରବାର ଦିନ ଟିପିଏନଓଡିଏଲ୍ ଅପରେସନ ମୁଖ୍ୟ ନିଲେଶ ପୋଟଫଡେ, ପ୍ରକଳ୍ପ ମୁଖ୍ୟ ପ୍ରଦୀପ କୁମାର ମହାନ୍ତି, ବାରିପଦା ଅଧିକ୍ଷଣ ଯନ୍ତ୍ରୀ ଦେବଦତ୍ତ ପଣ୍ଡା ଓ ଅନ୍ୟ ଅଧିକାରୀମାନଙ୍କ ଉପସ୍ଥିତିରେ ଏହି ଷ୍ଟୋରକୁ ଉଦ୍ଘାଟନ କରିଛନ୍ତି।
ଉତ୍ତର ଓଡ଼ିଶାରେ ମୋଟ ୧୩ଟି ମିଟରିଂ ଷ୍ଟୋର ସ୍ଥାପନ କରିବା ନେଇ ଟିପିଏନଓଡିଏଲ୍ ଯୋଜନା ରଖିଥିବାବେଳେ ରାଇରଙ୍ଗପୁରରେ ଚତୁର୍ଥ ଷ୍ଟୋର ଲୋକାର୍ପିତ ହୋଇଛି। ପ୍ରଥମ ମିଟରିଂ ଷ୍ଟୋର ୨୦୨୫ ଅଗଷ୍ଟରେ ବାଲେଶ୍ୱରର ବାଲିଆରେ ଉଦ୍ଘାଟିତ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ କେନ୍ଦୁଝର ଜିଲ୍ଲାର ଯୋଡ଼ା ଓ ଆନନ୍ଦପୁରରେ ଦୁଇଟି ଷ୍ଟୋର ଲୋକାର୍ପିତ ହୋଇଥିଲା। ଖୁବଶୀଘ୍ର ଆଉ ୯ଟି ମିଟରିଂ ଷ୍ଟୋର କାର୍ଯ୍ୟକ୍ଷମ କରିବା ନେଇ ଟିପିଏନଓଡିଏଲ୍ ଯୋଜନା ରଖିଛି।
ଏହା ଦ୍ବାରା ଉପଭୋକ୍ତାମାନେ ନିଜ ଅଞ୍ଚଳରେ ସହଜରେ ମିଟର ସମ୍ବନ୍ଧୀୟ ସେବା ଓ ସହାୟତା ପାଇପାରିବେ।
ଏହି ଅବସରରେ ସିଇଓ ଶ୍ରୀ ତ୍ୟାଗୀ କହିଥିଲେ, “ଆମର ମିଟରିଂ ଷ୍ଟୋରଗୁଡ଼ିକ ଉପଭକ୍ତାଙ୍କୁ ଉତ୍ତମ, ସଠିକ୍ ଏବଂ ସୁବିଧାଜନକ ସେବା ପ୍ରଦାନ କରିବା ଲକ୍ଷ୍ୟରେ ସ୍ଥାପିତ ହୋଇଛି। ଏହି ପଦକ୍ଷେପ ଆମର ସେବା ପ୍ରଦାନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ ଏବଂ ପ୍ରତ୍ୟେକ ଗ୍ରାହକଙ୍କୁ ସହଜରେ ମିଟରିଂ ସମସ୍ୟା ନେଇ ସମାଧାନ ଉପଲବ୍ଧ କରିବ।”
ଏହି ମିଟରିଂ ଷ୍ଟୋରଗୁଡ଼ିକୁ ସ୍ଥାନୀୟ ଅଞ୍ଚଳରେ ସେବା କେନ୍ଦ୍ର ଭାବେ ବିକଶିତ କରାଯାଇଛି, ଯେଉଁଠାରେ ଗ୍ରାହକମାନେ ମିଟର ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ପାଇପାରିବେ। ଏହା ଦ୍ୱାରା ମିଟର ସମ୍ବନ୍ଧୀୟ ସହାୟତା ପାଇଁ ଗ୍ରାହକଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ।
ପ୍ରତ୍ୟେକ ଷ୍ଟୋରରେ ‘ଅବଲୋକନ’ ନାମରେ ଏକ ଟେଷ୍ଟିଂ ବେଞ୍ଚ ବ୍ୟବସ୍ଥା ରହିଛି, ଯାହା ମାଧ୍ୟମରେ ମିଟରର ସଠିକତା ପରୀକ୍ଷା କରାଯାଇପାରିବ। ଏହା ଗ୍ରାହକଙ୍କ ମଧ୍ୟରେ ବିଲିଂ ପ୍ରକ୍ରିୟା ପ୍ରତି ବିଶ୍ୱାସ ବୃଦ୍ଧି କରିବା ସହ ବିବାଦ ହ୍ରାସ କରିବ। ଏଥିସହିତ ମିଟର ସ୍ଥାପନ, ମିଟର ପରିବର୍ତ୍ତନ ଏବଂ ବିଲିଂ ସହାୟତା ଭଳି ସେବା ମଧ୍ୟ ଏହି ଷ୍ଟୋରରେ ଏକ ସ୍ଥାନରେ ଉପଲବ୍ଧ ହେବ।

