ଆଜିର ଖାସ ଖବର
Fri. Jun 19th, 2026

ସୋଲାର ପ୍ୟାନେଲ ସ୍ଥାପନା କ୍ଷେତ୍ରରେ ଅଗ୍ରଣୀ ବାଲେଶ୍ଵର,ଜିଲ୍ଲାରେ ସ୍ଥାପନ ହୋଇଛି ୧୦ହଜାରରୁ ଅଧିକ ରୁଫଟପ୍ ସୋଲାର୍

By Admin_Dainkasha Jun18,2026 #TATAPOWER

ସୌର ଶକ୍ତିର ବିନିଯୋଗ ତଥା ସୌର ପ୍ୟାନେଲ ସ୍ଥାପନା କ୍ଷେତ୍ରରେ ଏକ ଅଗ୍ରଣୀ ଜିଲ୍ଲା ଭାବେ ବାଲେଶ୍ଵର ରାଜ୍ୟ ସ୍ତରରେ ଗୌରବ ହାସଲ କରିଛି। “ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା” ଅଧୀନରେ ବାଲେଶ୍ଵର ଜିଲ୍ଲାରେ ୧୦ହଜାରରୁ ଅଧିକ ରୁଫଟପ୍ ସୋଲାର୍(ଆରଟିଏସ) ସ୍ଥାପନା ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲା ପରେ ବାଲେଶ୍ଵର ରାଜ୍ୟରେ ଏହି ମାଇଲଖୁଣ୍ଟ ହାସଲ କରିଛି। ବାଲେଶ୍ଵର ଜିଲ୍ଲାରେ ପ୍ରାୟ ୨୨ ମେଗାୱାଟ କ୍ଷମତା ସହ ୧୦,୦୫୨ଟି ଆରଟିଏସ ସ୍ଥାପନା ହୋଇଥିବା ସୂଚନା ମିଳିଛି।
ବାଲେଶ୍ଵର ବୈଦ୍ୟୁତିକ ମଣ୍ଡଳ ଅନ୍ତର୍ଗତ ସୋର ଡିଭିଜନରେ ୩,୦୮୯ଟି ଆରଟିଏସ ସ୍ଥାପନା ହୋଇଥିବାବେଳେ ସିଇଡିରେ ୨୧୭୫, ଜଳେଶ୍ଵରରେ ୧୮୪୦, ବସ୍ତାରେ ୧୬୦୧ ଓ ବିଇଡିରେ ୧୩୪୭ଟି ସୋଲାର ବ୍ୟବସ୍ଥା ପିଏମ୍ ସୂର୍ଯ୍ୟ ଘର ଓ ୟୁଏଲଏ ମଡେଲ ଅଧୀନରେ ସ୍ଥାପନା କରାଯାଇଛି । ବାଲେଶ୍ଵର ବ୍ଯତୀତ ବାରିପଦା ମଣ୍ଡଳରେ ୫୮୩୯, ଯାଜପୁରରେ ୪୮୪୩, କେନ୍ଦୁଝରରେ ୩୪୧୦ ଓ ଭଦ୍ରକରେ ୩୪୦୪ ଜଣ ଉପଭୋକ୍ତା ପିଏମ ସୂର୍ଯ୍ୟ ଘର ଯୋଜନା ଅଧୀନରେ ସୌର ପ୍ୟାନେଲ ସ୍ଥାପନା କରିଛନ୍ତି । ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା ଅଧୀନରେ, ରାଜ୍ୟରେ ୧କିଲୋୱାଟ ୟୁଏଲଏ ଓ ୧କିଲୋୱାଟରୁ ଅଧିକ ଅଣ-ୟୁଏଲଏ ସୋଲାର ବ୍ୟବସ୍ଥା ସ୍ଥାପନା ଉପରେ ଉପଭୋକ୍ତାଙ୍କ ପାଇଁ ସରକାରଙ୍କ ତରଫରୁ ଆକର୍ଷଣୀୟ ସବସିଡି ସୁବିଧା ରହିଛି। ଯୋଗ୍ୟ ଉପଭୋକ୍ତାମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୧,୩୮,୦୦୦ଟଙ୍କା ପର୍ଯ୍ୟନ୍ତ ସବସିଡିର ଲାଭ ଉଠାଉଛନ୍ତି। ଯାହାକି ଉପଭୋକ୍ତାଙ୍କ ପାଇଁ ଲାଭଦାୟକ ହେବା ସହ ସ୍ଥାପନା ଖର୍ଚ୍ଚକୁ ବେଶ୍ କମାଇବାରେ ସହାୟକ ହେଉଛି।
ସେହିପରି ଟିପିଏନଓଡ଼ିଏଲ ପକ୍ଷରୁ ଉପଭୋକ୍ତାଙ୍କୁ ସୁବିଧାରେ ସେବା ଯୋଗାଇବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ନେଟ୍ ମିଟର୍ ଉପଲବ୍ଧତା, ସମୟୋପଯୋଗୀ ନିରୀକ୍ଷଣ ଓ ସ୍ଥାପନା, ଭେଣ୍ଡର୍ ପଞ୍ଜିକରଣକୁ ସହଜ ଓ ସୁବିଧାଜନକ କରାଯାଇଛି। ‘ମୋ ଛାତ, ମୋ ସଞ୍ଚୟ’ ଅଭିଯାନ ଭଳି ଟିପିଏନଓଡ଼ିଏଲର ଅଭିନବ ପଦକ୍ଷେପ ବାଲେଶ୍ୱର ତଥା ଅନ୍ୟ ଜିଲ୍ଲାଗୁଡିକ ଲାଗି ଏହି ସଫଳତା ହାସଲ କରିବାରେ ବେଶ୍ ସହାୟକ ହୋଇଛି। ଗ୍ରାମାଞ୍ଚଳରେ ଗ୍ରାମ ସଭା ଆୟୋଜନ କରି ସୋଲାର୍ ପ୍ରଯୁକ୍ତି, ସବସିଡି, ସ୍ଥାପନା ପ୍ରକ୍ରିୟା, ଓ ଦୀର୍ଘମିଆଦୀ ସଞ୍ଚୟ ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା, ଡାକବାଜି ପ୍ରଚାର ସହିତ ବିଭିନ୍ନ ଜନ ସଚେତନତା କାର୍ଯ୍ୟକ୍ରମ ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନାକୁ ଜନାଦୃତ କରିବାରେ ସହାୟତା ପ୍ରଦାନ କରିଛି।
ଏହି ଅବସରରେ ଟିପିଏନଓଡ଼ିଏଲ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ) ଦୁଷ୍ୟନ୍ତ କୁମାର ତ୍ୟାଗୀ କହିଛନ୍ତି ଯେ, ଉତ୍ତର ଓଡିଶାରେ ଉପଭୋକ୍ତାମାନେ ଅକ୍ଷୟ ଓ ସବୁଜ ଶକ୍ତିର ବ୍ୟବହାର ପାଇଁ ବେଶ୍ ଆଗ୍ରହୀ ଓ ଏହାର ଆବଶ୍ୟକତା ନେଇ ସଚେତନ ଅଛନ୍ତି। ରାଜ୍ୟ ସ୍ତରରେ ବାଲେଶ୍ଵର ହାସଲ କରିଥିବା ମାଇଲଖୁଣ୍ଟ ଉପଭୋକ୍ତାଙ୍କ ବିଶ୍ୱାସ, ପ୍ରଶାସନର ସହଯୋଗ ଓ କର୍ମଚାରୀଙ୍କ କର୍ତ୍ତବ୍ୟନିଷ୍ଠାର ପ୍ରତିଫଳନ ବୋଲି ସେ ଦର୍ଶାଇଛନ୍ତି ।
ସୂଚନାଥାଉକି, ବିଗତ ଦୁଇ ବର୍ଷରେ ଓଡ଼ିଶାରେ ୧.୦୮ ଲକ୍ଷ ରୁଫଟପ୍ ସୋଲାର୍ ସ୍ଥାପନା ସହ ଜାତୀୟ ସ୍ତରରେ ୯ମ ସ୍ଥାନରେ ରହିଛି। ୨୦୨୬ ମେ’ ମାସରେ କେନ୍ଦ୍ର ଅକ୍ଷୟ ଶକ୍ତି ମନ୍ତ୍ରାଳୟର ସୌର ମାସ ପାଳନ ଅବସରରେ ଓଡ଼ିଶା ରାଜ୍ୟମାନଙ୍କ ମଧ୍ୟରେ ମଧ୍ୟମ ବର୍ଗରେ ସର୍ବାଧିକ ଉପଭୋକ୍ତା ଆବେଦନ, ସର୍ବାଧିକ ରୁଫଟପ୍ ସୋଲାର୍ ସ୍ଥାପନା ଓ ସର୍ବାଧିକ ଡିସକମ୍ ପରୀକ୍ଷଣ ଆଦି ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିବା ସହ କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ପକ୍ଷରୁ ପୁରସ୍କୃତ ହୋଇଛି ।

Related Post