ଆଜିର ଖାସ ଖବର
Fri. Jun 19th, 2026

ଟାଟା ଷ୍ଟିଲ୍‌ କଳିଙ୍ଗନଗର ପକ୍ଷରୁ ମେଗା ରକ୍ତଦାନ ଶିବିରରେ ୨୮୦ ୟୁନିଟ୍‌ ରକ୍ତ ସଂଗୃହୀତ

By Admin_Dainkasha Jun19,2026

କଳିଙ୍ଗନଗର, ଜୁନ୍ ୧୮,୨୦୨୬: ଆଞ୍ଚଳିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସହଯୋଗର ହାତ ବଢ଼ାଇବା ଲକ୍ଷ୍ୟରେ, ଟାଟା ଷ୍ଟିଲ୍‌ କଳିଙ୍ଗନଗର (ଟିଏସ୍‌କେ) ପକ୍ଷରୁ ଗୁରୁବାର ପ୍ଲଟ୍‌-୨ ଅଡିଟୋରିୟମ୍‌ଠାରେ ଏକ ମେଗା ରକ୍ତଦାନ ଶିବିର ସଫଳତାର ସହ ଆୟୋଜିତ ହୋଇଯାଇଛି।

ଏହି ଶିବିରରେ କାରଖାନାର ଶ୍ରମିକ ଓ କର୍ମଚାରୀଙ୍କ ଭିତରେ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଥିଲା, ଯାହାଫଳରେ ସଫଳତାର ସହ ୨୮୦ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇପାରିଛି । ଟାଟା ଷ୍ଟିଲ୍‌ କଳିଙ୍ଗନଗରର କର୍ମଚାରୀ, ସେମାନଙ୍କ ପରିବାର ବର୍ଗ ଏବଂ ଚୁକ୍ତିଭିତ୍ତିକ ଶ୍ରମିକମାନେ ସ୍ୱେଚ୍ଛାକୃତ ଭାବେ ଏଥିରେ ଅଂଶଗ୍ରହଣ କରିଥିଲେ । ଏହା କମ୍ପାନୀର ସ୍ୱେଚ୍ଛାକୃତ ରକ୍ତଦାନ ଏବଂ ନାଗରିକ ଦାୟିତ୍ୱବୋଧ ପ୍ରତି ଥିବା ଉତ୍ସର୍ଗୀକୃତ ମନୋଭାବକୁ ପ୍ରଦର୍ଶିତ କରୁଛି ।

ଏହି ମେଗା ରକ୍ତଦାନ ଶିବିରରେ ପ୍ରବଳ ଘୋଷ, ଟାଟା ଷ୍ଟିଲ୍‌ର ଆସେଟ୍‌ ଆଣ୍ଡ ଏନର୍ଜି ମ୍ୟାନେଜମେଣ୍ଟ ବିଭାଗର ଭାଇସ ପ୍ରେସିଡେଣ୍ଟ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଟାଟା ଷ୍ଟିଲ୍‌ କଳିଙ୍ଗନଗରର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

ଟିଏସ୍‌କେର ‘ଅକ୍ୟୁପେସନାଲ୍ ହେଲ୍‌ଥ ସେଣ୍ଟର’ ଏବଂ ‘ୱେଲ୍‌ନେସ୍ କର୍ଣ୍ଣର’ ପକ୍ଷରୁ ଆୟୋଜିତ ଏହି ଜନହିତକର କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାର, ସେଣ୍ଟ୍ରାଲ ରେଡକ୍ରସ ରକ୍ତଭଣ୍ଡାର, କଟକ, ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରକ୍ତଭଣ୍ଡାର, ଯାଜପୁର ରୋଡ ସକ୍ରିୟ ସହଯୋଗ କରିଥିଲେ ।

ରକ୍ତଦାତାମାନଙ୍କ ପ୍ରତି କୃତଜ୍ଞତା ଜଣାଇ ମୁଖ୍ୟ ଅତିଥି ଶ୍ରୀ ଘୋଷ, ସମସ୍ତ ଅଂଶଗ୍ରହଣକାରୀ ଏବଂ ଏଥିରେ ନିୟୋଜିତ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ସାମୂହିକ ସେବା ମନୋଭାବକୁ ଉଚ୍ଚ ପ୍ରଶଂସା କରିଥିଲେ । ସ୍ଥାନୀୟ ରକ୍ତଭଣ୍ଡାରଗୁଡ଼ିକରେ ଜୀବନ ରକ୍ଷାକାରୀ ରକ୍ତର ଜରୁରୀ ଆବଶ୍ୟକତାକୁ ପୂରଣ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।

Related Post