ବିବିଏ ଏଲ୍ଏଲ୍.ବି. (ଅନର୍ସ) ୨୦୨୬–୩୧ ଏବଂ ଏଲ୍ଏଲ୍.ଏମ୍. ୨୦୨୬–୨୭ ପାଠ୍ୟକ୍ରମର ଛାତ୍ରଛାତ୍ରୀମାନଙ୍କ ଶୈକ୍ଷିକ ଯାତ୍ରା ଆରମ୍ଭ
ଭୁବନେଶ୍ୱର: ପୂର୍ବ ଭାରତର ଅଗ୍ରଣୀ ଉଚ୍ଚଶିକ୍ଷା ଅନୁଷ୍ଠାନ ବିର୍ଲା ଗ୍ଲୋବଲ୍ ୟୁନିଭର୍ସିଟି (ବିଜିୟୁ) ପକ୍ଷରୁ ବିର୍ଲା ସ୍କୁଲ୍ ଅଫ୍ ଲ’ର ନୂତନ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାରମ୍ଭ ଉତ୍ସବ -୨୦୨୬ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିବିଏ ଏଲ୍ଏଲ୍.ବି. (ଅନର୍ସ) ୨୦୨୬–୩୧ ଏବଂ ଏଲ୍ଏଲ୍.ଏମ୍. ୨୦୨୬–୨୭ ପାଠ୍ୟକ୍ରମରେ ନାମ ଲେଖାଇଥିବା ବିଦ୍ୟାର୍ଥୀମାନେ ସେମାନଙ୍କର ଶୈକ୍ଷିକ ଯାତ୍ରାର ଶୁଭାରମ୍ଭ କରିଛନ୍ତି।
ଏହି ସମାରୋହରେ ଓଡ଼ିଶା ଉଚ୍ଚନ୍ୟାୟାଳୟର ପ୍ରାକ୍ତନ ବିଚାରପତି ମାନ୍ୟବର ଜଷ୍ଟିସ୍ ବିଜୟ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ‘ଖୈତାନ୍ ଆଣ୍ଡ୍ କମ୍ପାନୀ’ର ପ୍ରିନ୍ସିପାଲ୍ ଆସୋସିଏଟ୍ ଶ୍ରୀ ଦିବ୍ୟାଂଶ ଯୋଶୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏଥିସହ ବିର୍ଲା ଗ୍ଲୋବଲ୍ ୟୁନିଭର୍ସିଟିର କୁଳପତି ପ୍ରଫେସର କୁଲଭୂଷଣ ବଲୁନି, ବିର୍ଲା ସ୍କୁଲ୍ ଅଫ୍ ଲ’ର ଡିନ୍ ପ୍ରଫେସର ଡଃ ସୁକାନ୍ତ କୁମାର ନନ୍ଦ ଏବଂ କୁଳସଚିବ ଶ୍ରୀ ତନ୍ମୟ କୁମାର ପଟ୍ଟନାୟକଙ୍କ ସମେତ ଅଧ୍ୟାପକ, ଅଧ୍ୟାପିକା, ପୁରାତନ ଛାତ୍ରଛାତ୍ରୀ, କର୍ମଚାରୀ ଓ ବିଦ୍ୟାର୍ଥୀମାନେ ଉପସ୍ଥିତ ଥିଲେ।
ଅଭିଭାଷଣ ପ୍ରଦାନ କରି ମାନ୍ୟବର ଜଷ୍ଟିସ୍ ବିଜୟ କୁମାର ନାୟକ ଗୁରୁତ୍ୱାରୋପ କରି କହିଥିଲେ, “ଆଇନର ବିସ୍ତୃତ କ୍ଷେତ୍ର ଏକ ସୀମାହୀନ ଆକାଶ ସଦୃଶ। ଜଣେ ସଫଳ ଆଇନଜୀବୀ ହେବା ପାଇଁ କେବଳ ଆଇନ ଜାଣିବା ଯଥେଷ୍ଟ ନୁହେଁ; ଏହା ସଚ୍ଚୋଟତା, ଦୃଢ଼ ନୈତିକ ମୂଲ୍ୟବୋଧ ଏବଂ ଗଭୀର ଦକ୍ଷତା ଉପରେ ନିର୍ଭର କରେ।”
ଉପସ୍ଥିତ ବିଦ୍ୟାର୍ଥୀଙ୍କୁ ସମ୍ବୋଧିତ କରି ଶ୍ରୀ ଦିବ୍ୟାଂଶ ଯୋଶୀ କହିଥିଲେ, “ଛାତ୍ରଜୀବନ ପରେ ଆପଣ ଏପରି ପରିବେଶ ବିରଳ ଭାବେ ପାଇବେ—ଯେଉଁଠାରେ ପ୍ରଶ୍ନ ପଚାରିବାକୁ ସ୍ୱାଗତ କରାଯାଏ ଏବଂ ଭୁଲଗୁଡ଼ିକୁ ଶିଖିବାର ଗୁରୁତ୍ୱପୂର୍ଣ୍ଣ ସୁଯୋଗ ଭାବେ ଗ୍ରହଣ କରାଯାଏ। ସମୀକ୍ଷାତ୍ମକ ଦୃଷ୍ଟିକୋଣରୁ ଚିନ୍ତା କରନ୍ତୁ, ଗଭୀର ଭାବେ ନିରୀକ୍ଷଣ କରନ୍ତୁ ଏବଂ ନିଜ ସହପାଠୀ, ଗୁରୁଜନ ଓ ଆଖପାଖର ଦୁନିଆରୁ ନିରନ୍ତର ଶିଖନ୍ତୁ। ନିଜର ବ୍ୟକ୍ତିଗତ ବିକାଶ ପାଇଁ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଏବଂ ଆଧୁନିକ ଜ୍ଞାନକୌଶଳର ସାହାଯ୍ୟ ନିଅନ୍ତୁ।”
ନୂତନ ବ୍ୟାଚ୍ କୁ ଉଦବୋଧନ ଦେଇ କୁଳପତି ପ୍ରଫେସର କୁଲଭୂଷଣ ବଲୁନି କହିଥିଲେ, “ପାଠ୍ୟପୁସ୍ତକ ବାହାରେ ବ୍ୟାପକ ପଠନ କରିବା ଅତ୍ୟନ୍ତ ଆବଶ୍ୟକ। ଯଦିଓ ପ୍ରଯୁକ୍ତିବିଦ୍ୟା ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାଧାରଣ କାର୍ଯ୍ୟକୁ ସମାନ କିମ୍ବା ଅଧିକ ଦକ୍ଷତାର ସହ କରିପାରନ୍ତି, କିନ୍ତୁ ମାନବୀୟ ଚିନ୍ତନ, ସୂକ୍ଷ୍ମ ତର୍କଶକ୍ତି ଏବଂ ଗଭୀର ଅନୁଧ୍ୟାନ ଆପଣଙ୍କୁ ସଦାସର୍ବଦା ଆଗରେ ରଖିବ।”

