ଆଜିର ଖାସ ଖବର
Tue. Apr 21st, 2026

ଆସିକାରେ ବିଦ୍ୟୁତ ଭିତ୍ତିଭୂମି ସୁଦୃଢ଼ କରୁଛି ଟିପିଏସ୍ଓଡିଏଲ୍

By Admin_Dainkasha Jan16,2025
A Boost to Aska's Power Network: TPSODL Prioritizes Safety and Reliable Power Supply
A Boost to Aska's Power Network: TPSODL Prioritizes Safety and Reliable Power Supply

ସୁରକ୍ଷା ଏବଂ ଭରସାଯୋଗ୍ୟ ବିଜୁଳି ସେବା ଉପରେ ପ୍ରାଥମିକତା

ବ୍ରହ୍ମପୁର, ଜାନୁଆରୀ: ଆସିକା ଅଞ୍ଚଳରେ ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଣ ଉଦ୍ଦେଶ୍ୟ ନେଇ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ନିକଟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି। ଆସିକାରେ ଭରସାଯୋଗ୍ୟ ବିଜୁଳି ସେବା ଯୋଗାଇବା ପାଇଁ ଟିପିଏସ୍ଓଡିଏଲ୍ ଆସିକା ଅଞ୍ଚଳର ଉପଭୋକ୍ତାଙ୍କ ପାଇଁ ଏକ ସ୍ଥିର ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ସହ ଏହାର ଭିତ୍ତିଭୂମିକୁ ସୁଦୃଢ଼ କରିଛି। କମ୍ପାନୀ ପକ୍ଷରୁ ଆସିକାର ବଡ଼ନଦୀଠାରେ ଏକ ନୂତନ ୟୁଆର+୬ ଟାୱାର ସ୍ଥାପନ କରାଯାଇଛି । ବନ୍ୟା ଭଳି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଭରସାଯୋଗ୍ୟ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ଏବଂ ବନ୍ୟା ସମୟରେ ସମ୍ଭାବ୍ୟ ବିଦ୍ୟୁତଜନିତ ଦୁର୍ଘଟଣାରୁ ସ୍ଥାନୀୟ ବାସିନ୍ଦାଙ୍କୁ ସୁରକ୍ଷିତ ରଖିବା ପାଇଁ ଏହି ଭିତ୍ତିଭୂମି ସ୍ଥାପନ କରାଯାଇଛି।

ପୂର୍ବରୁ ବଡ଼ନଦୀ ଉପରେ ପରିବାହୀର ଗ୍ରାଉଣ୍ଡ କ୍ଲିୟରାନ୍ସ କମ୍ ଥିଲା ଏବଂ ବନ୍ୟା ସମୟରେ ୩୩ କେଭି ବିଦ୍ୟୁତ ଲାଇନ୍ ଜଳସ୍ତର ସଂସ୍ପର୍ଶରେ ଆସି ଦୁର୍ଘଟଣା ଘଟିବାର ଆଶଙ୍କା ରହିଥିଲା। ମତ୍ସ୍ୟଜୀବୀ ଏବଂ ଜନସାଧାରଣଙ୍କ ପ୍ରତି ଥିବା ବିପଦକୁ ଏଡ଼ାଇବା ପାଇଁ ବିଦ୍ୟୁତ୍ କାଟ ହିଁ ଏକମାତ୍ର ସମାଧାନ ଥିଲା। କିନ୍ତୁ ବର୍ତ୍ତମାନ ବଡ଼ ନଦୀଠାରେ ନୂତନ ୟୁଆର+୬ ଟାୱାର ସ୍ଥାପନ ହେବା ପରେ ଗ୍ରାଉଣ୍ଡ କ୍ଲିୟରାନ୍ସ ୨୪ ମିଟରକୁ ବୃଦ୍ଧି ପାଇଛି, ଯାହା ଦ୍ୱାରା ୩୩ କେଭି ଲାଇନ କଣ୍ଡକ୍ଟର ଜଳସ୍ତର ଛୁଇଁବା ଆଶଙ୍କା ଯଥେଷ୍ଟ ମାତ୍ରାରେ ହ୍ରାସ ପାଇଛି ଏବଂ ଆଖପାଖ ବାସିନ୍ଦାଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିଛି । ଏହାବ୍ୟତୀତ ୟୁଆର+୬ ଟାୱାରର ଦୃଢ଼ତା ଯୋଗୁଁ ଯେକୌଣସି ଘୂର୍ଣ୍ଣିବଳୟ କିମ୍ବା ଝଡ଼ବର୍ଷା ସମୟରେ ବିଜୁଳି ଯୋଗାଣ ହୋଇପାରିବ।

ଏହାଦ୍ୱାରା ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ୭ଟି ପଞ୍ଚାୟତର ପ୍ରାୟ ୧୩ ହଜାରରୁ ଅଧିକ ଉପଭୋକ୍ତା ଉପକୃତ ହେବେ ଏବଂ ବିଜୁଳି ସେବାର ଗୁଣବତ୍ତା ଓ ବିଶ୍ୱସନୀୟତାରେ ଯଥେଷ୍ଟ ଉନ୍ନତି ଘଟିବ। ନିରବଚ୍ଛିନ୍ନ ବିଜୁଳି ଯୋଗାଣ ଦିଗରେ ଦୃଢ଼ ପ୍ରତିବଦ୍ଧତାର ସହ ଟିପିଏସ୍ଓଡିଏଲ୍ ଆସିକା ଉପଖଣ୍ଡ ଡାକ୍ତରଖାନା(ଏସଡିଏଚ୍)ରେ ୧୧ କେଭି ରିଙ୍ଗ ମେନ୍ ୟୁନିଟ୍ (ଆରଏମୟୁ) ସ୍ଥାପନ କରିଛି। ଏହି ୟୁନିଟ୍ ଦୁଇଟି ଫିଡର- ବସ୍ ଷ୍ଟାଣ୍ଡ ଫିଡର ଏବଂ ମେଡିକାଲ ଫିଡରରୁ ବିଜୁଳି ଗ୍ରହଣ କରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ୨୪ ଘଣ୍ଟିଆ ବିଜୁଳି ଉପଲବ୍ଧ କରାଇଥାଏ । ଆରଏମୟୁ ସ୍ଥାପନ କରିବାର ମୁଖ୍ୟ ଫାଇଦା ହେଉଛି ଯଦି କୌଣସି ଗୋଟିଏ ଫିଡରରେ କିଛି ବିଭ୍ରାଟ ହୁଏ, ତଥାପି ଅନ୍ୟ ଫିଡର ସାହାଯ୍ୟରେ ବିଜୁଳି ଯୋଗାଣ କରାଯାଇପାରିବ, ଯାହା ଫଳରେ ଆସିକା ମେଡିକାଲକୁ ୨୪×୭ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ ହେବ। ଏହି ପଦକ୍ଷେପ ଡାକ୍ତରଖାନାରେ ଉତ୍ତମ ସ୍ବାସ୍ଥ୍ୟ ସେବ ପ୍ରଦାନରେ ସହାୟକ ହେବା ସହ ଯେକୌଣସି ବିପର୍ଯ୍ୟୟ ସମୟରେ ମଧ୍ୟ ଚିକିତ୍ସାଳୟ ଭଳି ଜରୁରୀ ସେବାକୁ ବିଜୁଳି ଯୋଗାଣ ସୁନିଶ୍ଚିତ କରେ।

ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “ଟିପିଏସ୍ଓଡିଏଲ୍ ଦକ୍ଷିଣ ଓଡ଼ିଶାର ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଉପଭୋକ୍ତାଙ୍କୁ ନିରବଚ୍ଛିନ୍ନ ବିଜୁଳି ଯୋଗାଣ କରିବା ଦିଗରେ ପ୍ରତିବଦ୍ଧ ରହିଆସିଛି। ଆସିକାଠାରେ ନୂତନ ଭାବେ ସ୍ଥାପିତ ହୋଇଥିବା ୟୁଆର+୬ ଟାୱାର ସ୍ଥାନୀୟ ଅଞ୍ଚଳରେ ବିଶ୍ୱସନୀୟ ବିଜୁଳି ସେବା ସୁନିଶ୍ଚିତ କରିବା ଦିଗରେ ଆଉ ଏକ ଉଲ୍ଲେଖନୀୟ ପଦକ୍ଷେପ। ପ୍ରାଥମିକତା ଭିତ୍ତିରେ ଡାକ୍ତରଖାନା ଭଳି ଗୁରୁତ୍ୱପୂର୍ଣ୍ଣ ସେବା କେନ୍ଦ୍ରକୁ ଗୁଣାତ୍ମକ ବିଦ୍ୟୁତ ଯୋଗାଣ ପାଇଁ ଆରଏମୟୁ ଭଳି ଅଭିନବ ଉପାୟ ମାଧ୍ୟମରେ ଭିତ୍ତିଭୂମି ସୁଦୃଢ଼ କରିବା ଦିଗରେ ଆମ ଟିମ୍ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି।”

Related Post