ଆଜିର ଖାସ ଖବର
Fri. Sep 11th, 2026

ବିଜିୟୁ ପକ୍ଷରୁ ଗଣମାଧ୍ୟମ ବିଭାଗର ନୂତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ

• ବାର୍ଷିକ ପତ୍ରିକା ‘କ୍ୟାନଭାସ’ ର ୩ୟ ସଂସ୍କରଣ ଉନ୍ମୋଚିତ।

ଭୁବନେଶ୍ୱର: ପୂର୍ବ ଭାରତର ଅଗ୍ରଣୀ ଉଚ୍ଚଶିକ୍ଷା ଅନୁଷ୍ଠାନ ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ର ବିର୍ଲା ସ୍କୁଲ ଅଫ୍ କମ୍ୟୁନିକେସନ୍ ପକ୍ଷରୁ ଶିକ୍ଷାରମ୍ଭ ଦିବସ ୨୦୨୬ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଏଜେଏମସି (୨୦୨୬–୩୦) ଏବଂ ଏମଏଏମସି (୨୦୨୬–୨୮) ପାଠ୍ୟକ୍ରମର ନୂତନ ଛାତ୍ରଛାତ୍ରୀଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯିବା ସହ ସେମାନଙ୍କର ଶିକ୍ଷାଗତ ଓ ବୃତ୍ତିଗତ ଯାତ୍ରାର ଶୁଭାରମ୍ଭ କରାଯାଇଛି।

ଏହି ସମାରୋହରେ ପୁଣେସ୍ଥିତ ଏସଆରଭି ମିଡିଆର ଏଚଆର ଭାଇସ୍ ପ୍ରେସିଡେଣ୍ଟ ଅଭିଷେକ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଓଡ଼ିଶା ଟେଲିଭିଜନ ନେଟୱାର୍କ, ଭୁବନେଶ୍ୱରର କ୍ରିଏଟିଭ ହେଡ୍ ରଞ୍ଜନ ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏଥିସହ ବିର୍ଲା ଗ୍ଲୋବାଲ ୟୁନିଭରସିଟିର କୁଳପତି ପ୍ରଫେସର କୁଳଭୂଷଣ ବଲୁନୀ, ବିର୍ଲା ସ୍କୁଲ ଅଫ୍ କମ୍ୟୁନିକେସନର ଡିନ୍ ପ୍ରଫେସର ଡ. ଶିବ ଶଙ୍କର ଦାସ ଏବଂ କୁଳସଚିବ ତନ୍ମୟ କୁମାର ପଟ୍ଟନାୟକଙ୍କ ସମେତ ଅଧ୍ୟାପକ, ଅଧ୍ୟାପିକା, ପ୍ରାକ୍ତନ ଛାତ୍ରଛାତ୍ରୀ, କର୍ମଚାରୀ ଓ ବିଦ୍ୟାର୍ଥୀମାନେ ଉପସ୍ଥିତ ଥିଲେ।

ମୁଖ୍ୟ ଅତିଥି ଅଭିଷେକ ମିଶ୍ର ନିଜ ବକ୍ତବ୍ୟରେ କହିଥିଲେ, “ମିଡିଆ ଶିଳ୍ପ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ କେବଳ ଗୋଟିଏ ଡିଗ୍ରୀ ସଫଳତାର ଗ୍ୟାରେଣ୍ଟି ଦେଇପାରିବ ନାହିଁ; ଆପଣଙ୍କୁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ହେବ। ଭାରତରେ ଦଶଜଣରୁ ନଅଜଣ ବୃତ୍ତିଗତ ନିଜର କାର୍ଯ୍ୟସମ୍ପାଦନା ପାଇଁ ଏଆଇ ବ୍ୟବହାର କରୁଥିବା ବେଳେ, ଆପଣମାନେ ମାଧ୍ୟ ମେସିନ୍ ସହିତ ପ୍ରତିଯୋଗିତା କରିବା ନୁହେଁ, ବରଂ ତାହାକୁ ପରିଚାଳନର ଦକ୍ଷତା ଲାଭ କରିବା ଲକ୍ଷ୍ୟ ହେବା ଆବଶ୍ୟକ। ତଥ୍ୟ, ସୂଚନା ଓ କମ୍ପ୍ୟୁଟିଂକୁ ଏକତ୍ରିତ କରି ଏକ ପ୍ରଭାବଶାଳୀ ତଥା ଏକ ପରିପୂର୍ଣ୍ଣ ବ୍ୟାଖ୍ୟାନରେ କିପରି ରୂପାନ୍ତରଣ କରିପାରିବେ ତାହା ଶିକ୍ଷିବାର ଆବଶ୍ୟକତା ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସ୍ପଷ୍ଟତା ଓ ସତ୍ୟତା ବଜାୟ ରଖିବା: କାରଣ ଯେତେବେଳେ ଆପଣ କାର୍ଯ୍ୟର ସଫଳ ରୂପାୟନ କରିପାରିବେ ସେତେବେଳେ ହିଁ ହଁ କୁହନ୍ତୁ, ଏବଂ ଯଦି ନା’ କହୁଛନ୍ତି, ତେବେ ସମାଧାନର ବିକଳ୍ପ ପଥ ଖୋଜିବା ଦିଗରେ ଚେଷ୍ଟିତ ରୁହନ୍ତୁ।”

ନୂତନ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି କୁଳପତି ପ୍ରଫେସର କୁଳଭୂଷଣ ବଲୁନୀ କହିଥିଲେ, “ଶିଳ୍ପର ବିକାଶ ସୁଯୋଗ ଆଣିଥାଏ, କିନ୍ତୁ ଏହି ପ୍ରତିଯୋଗିତାମୂଳକ ବଜାରରେ କେବଳ ଏକ ପାଠ୍ୟକ୍ରମ ଡିଗ୍ରୀ ଆପଣଙ୍କ ଦକ୍ଷତା ନିରୂପଣ କରିପାରିବ ନାହିଁ। ଆପଣଙ୍କୁ ପାଠପଢ଼ା ବାହାରକୁ ଯାଇ ଚିନ୍ତା କରିବାକୁ ହେବ ଏବଂ ସାଧାରଣ ଠାରୁ କିଛି ଭିନ୍ନ ପଦକ୍ଷେପ ଆପଣେଇ ନିଜର ସିଭି କୁ ସମୃଦ୍ଧ କରିବାକୁ ହେବ।”

ଏହି ଅବସରରେ ବିର୍ଲା ସ୍କୁଲ ଅଫ୍ କମ୍ୟୁନିକେସନର ବାର୍ଷିକ ପତ୍ରିକା ‘କ୍ୟାନଭାସ’ ର ୩ୟ ସଂସ୍କରଣ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି। ସମ୍ପାଦନା ମଣ୍ଡଳୀର ସଦସ୍ୟ—ସହକାରୀ ପ୍ରଫେସର ଅନନ୍ୱେଷା ପାଢ଼ୀ, ସହକାରୀ ପ୍ରଫେସର ଡ. ମେହୁଲ ଅଗ୍ରୱାଲ, ଛାତ୍ରୀ ଅର୍ଚ୍ଚିତା ଭଞ୍ଜ, ଛାତ୍ର ସୌରଭ ରଥ ଏବଂ ଅନ୍ୟାନ୍ୟ ସଦସ୍ୟମାନଙ୍କୁ ସେମାନଙ୍କର ନେତୃତ୍ୱ ଓ ପ୍ରଚେଷ୍ଟା ପାଇଁ ପ୍ରଶଂସା କରାଯାଇଥିଲା।

କାର୍ଯ୍ୟକ୍ରମ ଶେଷରେ ବିର୍ଲା ସ୍କୁଲ ଅଫ୍ କମ୍ୟୁନିକେସନର ସହକାରୀ ପ୍ରଫେସର ଡ. ମେହୁଲ ଅଗ୍ରୱାଲ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

Related Post