ଆଜିର ଖାସ ଖବର
Mon. Jul 27th, 2026

ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟି ପକ୍ଷରୁ ବାଣିଜ୍ୟ ଓ ଅର୍ଥନୀତି ପାଠ୍ୟକ୍ରମର ନୂତନ ଶିକ୍ଷାବର୍ଷ ୨୦୨୬ ଆରମ୍ଭ

By Admin_Dainkasha Jul27,2026

ପୂର୍ବ ଭାରତର ଅଗ୍ରଣୀ ଉଚ୍ଚଶିକ୍ଷା ଅନୁଷ୍ଠାନ ‘ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟି’ (ବିଜିୟୁ) ପକ୍ଷରୁ ବି.କମ୍ (୨୦୨୬-୩୦), ଏମ୍‌.କମ୍ (୨୦୨୬-୨୮), ଏମ୍‌.ବି.ଏ (ଫିନ୍‌-ଟେକ୍‌) (୨୦୨୬-୨୮), ବି.ଏସ୍‌.ସି ଅର୍ଥନୀତି (୨୦୨୬-୩୦) ଏବଂ ଏମ୍‌.ଏସ୍‌.ସି ଅର୍ଥନୀତି (୨୦୨୬-୨୮) ପାଠ୍ୟକ୍ରମର ନୂତନ ଛାତ୍ରଛାତ୍ରୀମାନଙ୍କୁ ନେଇ ଶିକ୍ଷାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିର୍ଲା ସ୍କୁଲ୍ ଅଫ୍ କମର୍ସ ଏବଂ ବିର୍ଲା ସ୍କୁଲ୍ ଅଫ୍ ଇକୋନୋମିକ୍ସର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ‘ଏ.ଏମ୍‌.ଏଲ୍ ରାଇଟ୍ ସୋର୍ସ’ର ଡାଇରେକ୍ଟର – ଟ୍ୟାଲେଣ୍ଟ ଏକ୍ୱିଜିସନ୍‌, ଏପାକ୍ ର ଶ୍ରୀମତୀ ରୀତିକା ସୁଦ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ‘ଏ.ୟୁ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ’ର ଆଞ୍ଚଳିକ ମୁଖ୍ୟ ଶ୍ରୀ ଅମିତ ଜଗାମ୍ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହାସହ ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟିର କୁଳପତି ପ୍ରଫେସର କୁଲଭୂଷଣ ବଲୁନି, ବିର୍ଲା ସ୍କୁଲ୍ ଅଫ୍ କମର୍ସର ଡିନ୍ ପ୍ରଫେସର ପ୍ରଦୀପ୍ତ କୁମାର ସାନ୍ୟାଲ, ବିର୍ଲା ସ୍କୁଲ୍ ଅଫ୍ ଇକୋନୋମିକ୍ସର ଡିନ୍ ଡ଼ଃ ଅଜିତ କୁମାର ଦାଶ ଏବଂ କୁଳସଚିବ ଶ୍ରୀ ତନ୍ମୟ କୁମାର ପଟ୍ଟନାୟକଙ୍କ ସମେତ ଅଧ୍ୟାପକ, ଅଧ୍ୟାପିକା, ପ୍ରାକ୍ତନ ଛାତ୍ରଛାତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମ ଅଭିଭାଷଣରେ ମୁଖ୍ୟ ଅତିଥି ଶ୍ରୀମତୀ ରୀତିକା ସୁଦ୍ କହିଥିଲେ, “ଶିକ୍ଷା ଆରୋହଣର କୌଣସି ଶେଷ ନାହିଁ। ଏହି କ୍ରମାଗତ ପରିବର୍ତ୍ତନଶୀଳ ଯୁଗରେ ନିଜର ଜିଜ୍ଞାସା ବଜାୟ ରଖନ୍ତୁ, ଲକ୍ଷ୍ୟପ୍ରତି ଏକାଗ୍ର ରୁହନ୍ତୁ ଏବଂ ସଦାସର୍ବଦା ନୂତନତ୍ୱକୁ ଆପଣେଇବା ପାଇଁ ତତ୍ପର ରୁହନ୍ତୁ।”
ଏହି ଅବସରରେ ସମ୍ମାନିତ ଅତିଥି ଶ୍ରୀ ଅମିତ ଜଗାମ୍ ନିଜ ବକ୍ତବ୍ୟରେ କହିଥିଲେ, “ଭାରତ ଆଜି ବିଶ୍ୱର ଅନ୍ୟତମ ଦ୍ରୁତ ବିକାଶଶୀଳ ଅର୍ଥବ୍ୟବସ୍ଥା ଭାବେ ଉଭା ହେଉଥିବା ବେଳେ, ଏହାର ଭବିଷ୍ୟତକୁ ନୂଆ ରୂପ ଦେବାର ସୁଯୋଗ ଆପଣମାନଙ୍କ ପାଖରେ ରହିଛି। ନିଜର ଦକ୍ଷତା ଓ ମୂଲ୍ୟବୋଧ ବୃଦ୍ଧି କରନ୍ତୁ ଏବଂ ପ୍ରତ୍ୟେକ ସୁଯୋଗର ସଦୁପଯୋଗ କରନ୍ତୁ।”
ନୂତନ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି କୁଳପତି ପ୍ରଫେସର କୁଲଭୂଷଣ ବଲୁନି କହିଥିଲେ, “ସଫଳତା କେବଳ ସଂଯୋଗରୁ ମିଳେନାହିଁ—ଏହା ସଠିକ୍ ମାନସିକତା ଏବଂ ନିରନ୍ତର ପରିଶ୍ରମ ଦ୍ୱାରା ପ୍ରାପ୍ତ ହୋଇଥାଏ। ଆମର ବାଣିଜ୍ୟ ଓ ଅର୍ଥନୀତିର ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱସ୍ତରରେ ଆଗଭର କରିବା ପାଇଁ ବିଜୁୟୁ ପକ୍ଷରୁ ପାଠ୍ୟକ୍ରମ ସହ ଫ୍ରେଞ୍ଚ (ଫରାସୀ) ଭାଷା ଶିକ୍ଷାକୁ ସାମିଲ୍ କରାଯାଇଛି।”
ନୂତନ ବ୍ୟାଚ୍‌‌କୁ ସ୍ୱାଗତ କରି ବିର୍ଲା ସ୍କୁଲ୍ ଅଫ୍ କମର୍ସର ଡିନ୍ ପ୍ରଫେସର ପ୍ରଦୀପ୍ତ କୁମାର ସାନ୍ୟାଲ କହିଥିଲେ, “ପାଠ୍ୟପୁସ୍ତକ ଧାରଣା ବୁଝିବାରେ ସାହାଯ୍ୟ କରେ, କିନ୍ତୁ ପ୍ରକୃତ ଶିକ୍ଷା ଅନୁଭୂତିରୁ ଆସିଥାଏ। ବ୍ୟାବହାରିକ ଜ୍ଞାନକୁ ଆପଣାନ୍ତୁ ଏବଂ କୃତ୍ରିମ ବୁଦ୍ଧିମତ୍ତା ଓ ନୂତନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରି ଶିକ୍ଷାଲାଭର ମାଧ୍ୟମକୁ ବିସ୍ତୃତ କରନ୍ତୁ।”
ନିଜର ବିଚାର ପ୍ରକାଶ କରି ବିର୍ଲା ସ୍କୁଲ୍ ଅଫ୍ ଇକୋନୋମିକ୍ସର ଡିନ୍ ଡକ୍ଟର ଅଜିତ କୁମାର ଦାଶ କହିଥିଲେ, “ଆଜି ଆପଣଙ୍କ ସ୍ୱପ୍ନ ଏବଂ ଆକାଂକ୍ଷା ପୂରଣ ଦିଗରେ ଏକ ନୂତନ ଯାତ୍ରାର ଆରମ୍ଭ। ଆମେ ଏକ ଦ୍ରୁତ ପରିବର୍ତ୍ତନଶୀଳ ଦୁନିଆରେ ଜୀବନଯାପନ କରୁଛେ—ପରିବର୍ତ୍ତନକୁ ଆପଣାନ୍ତୁ ଏବଂ ପରବର୍ତ୍ତି ସମୟରେ ନିଜେ ଏହି ପରିବର୍ତ୍ତନର ବାହକ ହୁଅନ୍ତୁ।”
ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇ କୁଳସଚିବ ଶ୍ରୀ ତନ୍ମୟ କୁମାର ପଟ୍ଟନାୟକ କହିଥିଲେ, “ଆପଣମାନେ ଏହି ନୂତନ ଯାତ୍ରା ଆରମ୍ଭ କରି ବିଶ୍ୱସ୍ତରରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ମନେରଖନ୍ତୁ ଯେ, ସଫଳତା ପାଇଁ କୌଣସି ସର୍ଟକଟ୍ ନାହିଁ। ପ୍ରକ୍ରିୟା ଉପରେ ବିଶ୍ୱାସ ରଖନ୍ତୁ, ନିଷ୍ଠାର ସହ କାର୍ଯ୍ୟ କରନ୍ତୁ, ସଫଳତା ଆପଣଙ୍କୁ ନିଶ୍ଚୟ ମିଳିବ।”
କାର୍ଯ୍ୟକ୍ରମ ଶେଷରେ ବିର୍ଲା ସ୍କୁଲ୍ ଅଫ୍ କମର୍ସର ସହକାରୀ ପ୍ରଫେସର ଶ୍ରୀମତୀ ଲୋପାମୁଦ୍ରା ନାୟକ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ।

Related Post