ଆଜିର ଖାସ ଖବର
Sat. May 30th, 2026

ମିଂଟ୍ ସ୍ଥାୟିତ୍ୱ ସମ୍ମିଳନୀ: ଦେଶବ୍ୟାପୀ ସ୍ୱଚ୍ଛ ଶକ୍ତି ଫାଇନାନ୍ସିଂ ପ୍ରତି ପ୍ରତିବଦ୍ଧତା ଦୋହରାଇଲେ ଇରେଡା ସିଏମ୍‌ଡି

By Admin_Dainkasha Sep5,2025

ଭୁବନେଶ୍ୱର: ନୂଆଦିଲ୍ଲୀର ତାଜ ପ୍ୟାଲେସ୍ ହୋଟେଲ୍‌ରେ ଅନୁଷ୍ଠିତ ମିଂଟ୍ ସ୍ଥାୟିତ୍ୱ ସମ୍ମିଳନୀରେ “ଏକ ଜଳବାୟୁ ପ୍ରସ୍ତୁତ ଭାରତ ପାଇଁ ସ୍ୱଚ୍ଛ ଶକ୍ତିକୁ ବ୍ୟାପକ କରିବା: ନୀତି, ଫାଇନାନ୍ସିଂ ଓ ସିଷ୍ଟମ ଡେଲିଭରିରେ ଅଭାବ ଦୂର କରିବା” ଶୀର୍ଷକ ପ୍ୟାନେଲ୍ ଆଲୋଚନାରେ ଭାରତୀୟ ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି ଲିମିଟେଡ୍ (ଇରେଡା)ର ସିଏମ୍‌ଡି ଶ୍ରୀ ପ୍ରଦୀପ କୁମାର ଦାସ ଅଂଶଗ୍ରହଣ କରିଥିଲେ।
ଅକ୍ଷୟ ଶକ୍ତି କ୍ଷେତ୍ରରେ ଭାରତର ହୋଇଥିବା ଉଲ୍ଲେଖନୀୟ ଅଗ୍ରଗତି ଉପରେ ଶ୍ରୀ ଦାସ ଆଲୋକପାତ କରି କହିଛନ୍ତି ଯେ, “୨୦୨୫ ଜୁଲାଇ ସୁଦ୍ଧା ଭାରତର ସ୍ଥାପିତ ଅକ୍ଷୟ ଶକ୍ତି କ୍ଷମତା ୨୩୭ ଗିଗାୱାଟ୍‌ରେ ପହଂଚିଛି ଏବଂ ସ୍ଥାପିତ ବିଦ୍ୟୁତ କ୍ଷମତାର ୫୦ ପ୍ରତିଶତ ଅଣ ଜୀବାଶ୍ମ ଉତ୍ସରୁ ଆସୁଛି। ଏହି ସଫଳତା ନିର୍ଧାରିତ ସମୟ ପାଂଚ ବର୍ଷ ପୂର୍ବରୁ ହାସଲ ହୋଇଛି। ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ୍‌ର ଲକ୍ଷ୍ୟ ହାସଲ କରିବା ପାଇଁ ବର୍ଷକୁ ୫୦ ଗିଗାୱାଟ୍ ଅକ୍ଷୟ ଶକ୍ତି କ୍ଷମତା ଯୋଡ଼ିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।”
ବିନିର୍ମାଣ ଉପରେ ଶ୍ରୀ ଦାସ ଆଲୋକପାତ କରି କହିଥିଲେ ଯେ “ସୋଲାର ମଡ୍ୟୁଲ୍ କ୍ଷମତା ୨୦୨୩-୨୪ ଆର୍ଥିକ ବର୍ଷର ୩୮ ଗିଗାୱାଟ୍‌ରୁ ବୃଦ୍ଧି ପାଇ ୨୦୨୫ରେ ୧୦୦ ଗିଗାୱାଟ୍ ହୋଇଛି। ଫଳରେ ପାଖାପାଖି ସମ୍ପୂର୍ଣ୍ଣ ଆମଦାନୀ ନିର୍ଭରଶୀଳତାଠାରୁ ସମଗ୍ର ମୂଲ୍ୟ ଶୃଙ୍ଖଳାରେ ଆତ୍ମନିର୍ଭରଶୀଳତା ଆଡ଼କୁ ଭାରତ ଅଗ୍ରସର ହୋଇଛି। ପଲିସିଲିକନ୍ ଓ ୱାଫର୍‌ରେ କେତେକ ଆହ୍ୱାନ ରହିଥିବା ବେଳେ ଘରୋଇ ଚାହିଦା ପୂରଣ କରିବା ଏବଂ ଅନ୍ୟ ବିକାଶଶୀଳ ଦେଶଗୁଡ଼ିକୁ ସହାୟତା କରିବାକୁ ଭାରତ ପ୍ରସ୍ତୁତ ରହିଛି।”
କର୍ଣ୍ଣାଟକରେ ମଂଜୁରୀ ପାଇଁ ଗ୍ରହଣ କରାଯାଇଥିବା ସଂଗଠିତ ପ୍ରକ୍ର୍ରିୟାର ଉଦାହରଣ ଦେଇ ସେ ସବୁଜ ଶକ୍ତି କରିଡର୍ ଓ ଜମିର ଦ୍ରୁତ କିସମ ପରିବର୍ତନ ଉପରେ ଆଲୋକପାତ କରିଥିଲେ। ବ୍ୟବସ୍ଥାରେ ଥିବା ସମସ୍ୟାକୁ ନେଇ ଡିସ୍‌କମ୍‌, ସ୍ମାର୍ଟ ମିଟରିଂ, ପେମେଂଟ୍ ସୁରକ୍ଷାରେ ସଂସ୍କାର ଆଣିବା ଏବଂ ଅକ୍ଷୟ ଶକ୍ତି କ୍ରୟ ଆବଶ୍ୟକତା (ଆର୍‌ପିଓ) ଲାଗୁ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ।
ଫାଇନାନ୍ସିଂ ଉପରେ ଶ୍ରୀ ଦାସ ଆଲୋକପାତ କରି କହିଥିଲେ ଯେ “ବଣ୍ଡ୍ ବଜାରକୁ ଦୃଢ଼ କରି ଏବଂ ଏନ୍‌ବିଏଫ୍‌ସିଗୁଡ଼ିକୁ ସୁଦୃଢ଼ କରି ୨୦୩୦ ସୁଦ୍ଧା ୩୦ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବାର ଆବଶ୍ୟକତା ରହିଛି। ୩୦ ଗିଗାୱାଟ୍‌ରୁ ଅଧିକ ପାଇଁ ଫାଇନାନ୍ସିଂ କରିବା ଓ ଦେଶବ୍ୟାପୀ ସ୍ୱଚ୍ଛ ଶକ୍ତି ଫାଇନାନ୍ସରେ ପରିବର୍ତନ ଆଣିବାରେ ଇରେଡାର ନେତୃତ୍ୱକୁ ସେ ଦୋହରାଇଥିଲେ।”

Related Post