କୋଇଡ଼ା, ୨୩/୭: ନୀଳାଚଳ ଇସ୍ପାତ ନିଗମ ଲିମିଟେଡ (ଏନ୍ଆଇଏନ୍ଏଲ୍) ଖଣି ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ ଅନ୍ତର୍ଗତ ପାଟୁଳି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ୭୭ତମ ବନ ମହୋତ୍ସବ-୨୦୨୬ ଆୟୋଜିତ ହୋଇଯାଇଛି। ପରିବେଶ ସୁରକ୍ଷା ନେଇ ସଚେତନତା ସୃଷ୍ଟି କରିବା ସହ ସ୍ଥାନୀୟ ଅଞ୍ଚଳରେ ସବୁଜ ବଳୟ ବୃଦ୍ଧି କରିବା ଉଦ୍ଦେଶ୍ୟରେ କମ୍ପାନୀ ପକ୍ଷରୁ ଏହି ମହୋତ୍ସବ ଆୟୋଜନ କରାଯାଇଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବଣାଇ ବନଖଣ୍ଡ ଅଧିକାରୀ ଶ୍ରୀ ଯଶବନ୍ତ ସେଠି ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିବା ସହ ଉପସ୍ଥିତ ସମସ୍ତଙ୍କୁ ପରିବେଶ ସୁରକ୍ଷା ପାଇଁ ସ୍ୱଇଛାରେ ଆଗେଇ ଆସିବା ପାଇଁ କହିଥିଲେ। କେବଳ ବୃକ୍ଷରୋପଣ ନୁହେଁ, ବରଂ ପ୍ରତିଟି ଚାରା ଯେପରି ଏକ ସୁସ୍ଥ ବୃକ୍ଷରେ ପରିଣତ ହେବ, ସେଥିପାଇଁ ନିୟମିତ ପାଣି ଦେବା ଏବଂ ଏହାର ଯତ୍ନ ନେବାକୁ ସେ ପରାମର୍ଶ ଦେଇଥିଲେ।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବଣାଇ ଡିଭିଜନର ସହକାରୀ ବନ ସଂରକ୍ଷକ ଶ୍ରୀ ଦୁର୍ଯ୍ୟୋଧନ ଜେରାଇ ଜୈବ ବିବିଧତା ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିଲେ।
ଏହି ଅବସରରେ ଛାତ୍ରଛାତ୍ରୀ ମାନେ ଏକ ସଚେତନତା ରାଲି କରିବା ସହ ପରିବେଶ ସଂରକ୍ଷଣ ନେଇ ସ୍ଲୋଗାନ ଦେଇଥିଲେ। ଏଥିସହ “ସବୁଜ ପୃଥିବୀ, ସୁରକ୍ଷିତ ପୃଥିବୀ” ବିଷୟବସ୍ତୁ ନେଇ ବିଦ୍ୟାଳୟରେ ପୂର୍ବରୁ ଆୟୋଜିତ ହୋଇଥିବା ପୋଷ୍ଟର ଡିଜାଇନିଂ ଓ ଚିତ୍ରାଙ୍କନ ପ୍ରତିଯୋଗିତାର ବିଜେତା ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସ୍ଥାନୀୟ ଅଞ୍ଚଳର ବ୍ୟକ୍ତି ବିଶେଷଙ୍କୁ ପରିବେଶ ସୁରକ୍ଷା କ୍ଷେତ୍ରରେ ସେମାନଙ୍କର ଉଦ୍ୟମ ପାଇଁ ମଧ୍ଯ ସମ୍ବର୍ଦ୍ଧିତ କରାଯାଇଥିଲା।
କାର୍ଯ୍ୟକ୍ରମ ଶେଷରେ ଆଗାମୀ ପିଢ଼ି ପାଇଁ ଏକ ସବୁଜ, ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଠନ କରିବା ସହ ଚାରାଗୁଡ଼ିକର ଯତ୍ନ ନେବାକୁ ସାମୂହିକ ସଂକଳ୍ପ ପାଠ କରାଯାଇଥିଲା।
କାର୍ଯ୍ୟକ୍ରମରେ ପାଟମୁଣ୍ଡା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀ ଅବିନାଶ ସୁମନ ବାଗେ, ଏନ୍ଆଇଏନ୍ଏଲ୍ ଖଣି ମୁଖ୍ୟ ପଙ୍କଜ କୁମାର, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବୁଦ୍ଧଦେବ ପାତ୍ର, କୋଇଡା ରେଞ୍ଜ୍ ଅଫିସର୍ ଶ୍ରୀ ଅସିତ କୁମାର ସାହୁ ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସହ ଅନେକ ବୁଦ୍ଧିଜୀବି ଓ ପରିବେଶପ୍ରେମୀ ଯୋଗଦେଇଥିଲେ।

