ଆଜିର ଖାସ ଖବର
Wed. May 27th, 2026

ଆଠଗଡ଼ରେ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

By Admin_Dainkasha Mar8,2026

ଆଠଗଡ଼, ୦୮/୦୩: ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଧୁରୁଷିଆ ଗ୍ରାମ ପଞ୍ଚାୟତ ହାଇସ୍କୁଲ୍ ପଡ଼ିଆଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ ଫେରୋ ଆଲଏଜ୍ ଓ ପାୱାର ପ୍ଲାଣ୍ଟ ପାରିପାର୍ଶ୍ବ ଗ୍ରାମଗୁଡ଼ିକରୁ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ମହିଳା ଯୋଗଦେଇ ମହିଳା ସଶକ୍ତିକରଣର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।

ସ୍ଥାନୀୟ ମହିଳାଙ୍କୁ ନେଇ ପୂର୍ବରୁ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତା ଯେପରିକି ସ୍ଵାଦିଷ୍ଟ ପିଠା ପ୍ରସ୍ତୁତି, ବିଜିନେସ ଆଇଡିଆ ଓ ରଙ୍ଗୋଲି ପ୍ରତିଯୋଗିତା ଆଦିର ବିଜେତା ମାନଙ୍କୁ ଏହି ଅବସରରେ ପୁରସ୍କାର ଦେଇ ସମ୍ମାନୀତ କରାଯାଇଥିଲା।

କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆଠଗଡ଼ ଡେପୁଟି କଲେକ୍ଟର ସୁଶ୍ରୀ ଦିପମ ରାଉତ ଯୋଗଦେଇ ମହିଳା ମାନେ କିପରି ସ୍ବାବଲମ୍ବୀ ହୋଇ ପାରିବେ, ସେ ନେଇ ନିଜର ମତ ରଖିଥିଲେ।

ଆଠଗଡ଼ ସ୍ଥିତ ଟାଟା ଷ୍ଟିଲ ଫେରୋ ଆଲଏଜ୍ ପ୍ଲାଣ୍ଟର ମୁଖ୍ୟ ନତାଶା ଝା ଅତିଥି ଭାବେ ଯୋଗଦେଇ ସାମାଜିକ ସ୍ତରରେ ମହିଳା ମାନେ ନେଉଥିବା ନେତୃତ୍ୱର ପ୍ରଶଂସା କରିବା ସହ ସେମାନେ କିପରି ଆହୁରି ଆଗକୁ ଯିବେ ସେ ନେଇ ପ୍ରେରଣା ଦେଇଥିଲେ।

ଅନ୍ୟତମ ଅତିଥି ଭାବେ ଦତ୍ତୋପନ୍ତ ଥେଂଗଡି ନ୍ୟାସନାଲ ବୋର୍ଡ ଫର ୱାର୍କରସ ଏଜୁକେଶନ ଆଣ୍ଡ ଡେଭେଲପମେଣ୍ଟ, ଜାମସେଦପୁର ଆଞ୍ଚଳିକ ନିର୍ଦ୍ଦେଶାଳୟର ଶିକ୍ଷା ଅଧିକାରୀ ଡ. ରାଜେନ୍ଦ୍ର ପ୍ରସାଦ ପାଢ଼ୀ ଯୋଗଦେଇ କାର୍ଯ୍ୟକ୍ରମର ଅଂଶଗ୍ରହଣକାରୀଙ୍କୁ ସଫଳତାର ମନ୍ତ୍ର ଦେଇଥିଲେ। ମହିଳା ମାନେ ଧୈର୍ଯ୍ୟର ସହ ଆଗକୁ ବଢ଼ି କିପରି ସଫଳ ଉଦ୍ୟୋଗୀ ହୋଇ ପାରିବେ ସେ ନେଇ ସେ ବିଭିନ୍ନ ଉଦାହରଣ ମାଧ୍ୟମରେ ବୁଝାଇଥିଲେ।

କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶା ଜୀବିକା ମିଶନର ଆଠଗଡ଼ ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର ଅକ୍ଷୟ ଭଟ୍ଟ ମହିଳା ମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସରକାରୀ ସୁବିଧା ଉପରେ ଆଲୋକପାତ କରିଥଲେ ।

କାର୍ଯ୍ୟକ୍ରମରେ ଯୋଗଦେଇଥିବା ଗ୍ରାମୀଣ ମହିଳାମାନଙ୍କୁ ଉତ୍ସାହିତ କରିବା ପାଇଁ ଦୁଇ ସଫଳ ମହିଳା ଉଦ୍ୟୋଗୀ – କଟକର ମା’ ତାରିଣୀ ଶିଳ୍ପ ସମବାୟ ସମିତିର ସେକ୍ରେଟାରୀ କବିତା ସାହୁ ଓ ଭୁବନେଶ୍ବର ଧରିତ୍ରୀ ଉଦ୍ୟାନ ପ୍ରାଇଭେଟ୍ ଲିମିଟେଡର ନିର୍ଲିପ୍ତା ଓଝା – ଏହି ଅବସରରେ ସେମାନଙ୍କର ଉଦ୍ୟୋଗୀ ଯାତ୍ରା ଉପରେ କହିବା ସହ ସମସ୍ତଙ୍କୁ ଏକଜୁଟ ହୋଇ ଆଗକୁ ବଢିବା ପାଇଁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମକୁ ଟାଟା ଷ୍ଟିଲ ଫାଉଣ୍ଡେସନର ଆଠଗଡ଼ ୟୁନିଟ ମୁଖ୍ୟ ଆଶୁତୋଷ କୁମାର ଦାସ ପରିଚାଳନା କରିଥିଲେ।

Related Post