ଆଜିର ଖାସ ଖବର
Thu. Apr 16th, 2026

ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ବିଶ୍ଵ ମାନବିକତା ଦିବସ ପାଳିତ

By Admin_Dainkasha Aug20,2025
Tata Steel Foundation Observes World Humanitarian Day at Sukinda Chromite Mine
Tata Steel Foundation Observes World Humanitarian Day at Sukinda Chromite Mine

ସୁକିନ୍ଦା (ଯାଜପୁର), ୧୯/୦୮: ମାନବ ସେବାରେ ଜୀବନ ଉତ୍ସର୍ଗ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଆଜି ଟାଟା ଷ୍ଟିଲର ସୁକିନ୍ଦା କ୍ରୋମାଇଟ ଖଣି ପରିସରରେ ବିଶ୍ଵ ମାନବିକତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମାନବିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଥିବା ବ୍ୟକ୍ତିଙ୍କୁ କମ୍ପାନୀ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଜଗତସିଂହପୁର ଜିଲ୍ଲାର ଚିତ୍ତରଞ୍ଜନ ଜେନା ଓ ଗୌରାଙ୍ଗ ଦାସ, ଯାଜପୁର ଜିଲ୍ଲାର ରାଜେନ୍ଦ୍ର ବିଶ୍ଵାଳଙ୍କୁ ଉପଢୌକନ ଓ ଉତ୍ତରୀୟ ଦେଇ କମ୍ପାନୀର ବରିଷ୍ଠ ଅଧିକାରୀମାନେ ସମ୍ମାନିତ କରିଥିଲେ। ଏହି ଅବସରରେ ସେମାନେ ସେମାନଙ୍କ ବିଭିନ୍ନ ଅଭିଜ୍ଞତା ବଖାଣିବା ସହ କିପରି ମାନବତାବାଦର ସୁରକ୍ଷା ହୋଇ ପାରିବ ସେ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।

ସୂଚନା ଥାଉକି, ଦେବୀ ନଦୀରେ ବନ୍ୟାରେ ଭାସି ଯାଉଥିବା ଜଣେ ଷାଠିଏ ବର୍ଷୀୟ ବୃଦ୍ଧଙ୍କୁ ଚିତ୍ତରଞ୍ଜନ ଜେନା ଉଦ୍ଧାର କରିଥିଲେ। ଏହାସହ ଅନ୍ୟ ଏକ ପୃଥକ ଘଟଣାରେ ସେ ନିଜ ଜୀବନକୁ ବାଜି ଲଗାଇ ନିଆଁରେ ଜଳି ଯାଉଥିବା ଏକ ଚାଳଘରୁ ଜଣେ ସତୁରୀ ବର୍ଷୀୟ ବୃଦ୍ଧଙ୍କୁ ମଧ୍ୟ ଉଦ୍ଧାର କରିଥିଲେ।

ଗୌରାଙ୍ଗ ଦାସ ତାଙ୍କ ଅଞ୍ଚଳରେ ବିଭିନ୍ନ ସ୍ୱେଚ୍ଛାସେବୀ ମାନଙ୍କୁ ଏକତ୍ରିତ କରି ସଫେଇ ଅଭିଯାନ ଅୟୋଜନ କରିବାସହ ସ୍କୁଲ ଯାଇପାରୁନଥିବା ଗରିବ ପିଲାମାନଙ୍କୁ ନିଃଶୁଳ୍କ ଶିକ୍ଷାଦାନ ଦେବା ଆଦି କାର୍ଯ୍ୟ ଜାରି ରଖିଛନ୍ତି।

ସେହିପରି, ରାଜେନ୍ଦ୍ର ବିଶ୍ଵାଳ ନିଜ ପ୍ରଚେଷ୍ଟାରେ ଅନେକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରିବା ସହ ଅସହାୟ ନିରାଶ୍ରୟମାନଙ୍କୁ ସହାୟତା ପ୍ରଦାନ କରିଆସୁଛନ୍ତି। ଏହାସହ ସେ ମୃତ ଅଚିହ୍ନା ଲୋକଙ୍କ ଶବଦାହରେ ମଧ୍ୟ ନିଜକୁ ନିୟୋଜିତ କରିଛନ୍ତି।

ଟାଟା ଷ୍ଟିଲ ଫେରୋ ଆଲଏଜ୍ ଓ ମିନେରାଲ୍ସ ଡିଭିଜନର (ଏଫ୍ଏଏମଡି) ଏକ୍ଜିକ୍ୟୁଟିଭ ଇନଚାର୍ଜ ପଙ୍କଜ ସତିଜା ଏପରି ମାନବତାବାଦୀ ଚିନ୍ତାଧାରା ଓ କାର୍ଯ୍ୟର ଉଚ୍ଚ ପ୍ରଶଂସା କରିବା ସହ କହିଛନ୍ତି ଯେ, “ପ୍ରକୃତ ହିରୋ ହେଉଛନ୍ତି ସେମାନେ ଯିଏ ସାଧାରଣ ଦେଖାଯାଆନ୍ତି କିନ୍ତୁ ସେମାନଙ୍କ ଠାରେ ଅସାଧାରଣ ସହାନୁଭୂତି ରହିଥାଏ। ଏପରି ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରି ଆମେ ମାନବିକ ମୂଲ୍ୟବୋଧର ସମ୍ମାନ କରିବା ସହ ଅନୁକମ୍ପାର ମନ୍ତ୍ରରେ ଲୋକଙ୍କ ଉନ୍ନତିରେ ବିଶ୍ଵାସକୁ ଦୃଢ଼ କରୁଛୁ।ସେମାନଙ୍କ କାହାଣୀ ଆମକୁ ବସୁଦୈବ କୁଟୁମ୍ବକମ ନୀତି ପାଳନ କରି ଏକ ଯତ୍ନବାନ ସମାଜ ଗଠନ ପାଇଁ ପ୍ରେରଣା ଦେଉଛି।”

ଏହି କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ ଫାଉଣ୍ଡେସନର ସୁକିନ୍ଦା ଓ ବ୍ରାହ୍ମଣୀପାଳ ୟୁନିଟ୍ ମୁଖ୍ୟ ଜୟନ୍ତ କୁମାର ତ୍ରିପାଠୀ, ସହ ପ୍ରବନ୍ଧକ ଗ୍ରେସି ଭାଙ୍ଗରା, ଟାଟା ଷ୍ଟିଲ ଏଫ୍ଏଏମଡିର ପ୍ରଶାସନିକ ମୁଖ୍ୟ ପ୍ରମୋଦ କୁମାର, ସୁକିନ୍ଦା କ୍ରୋମାଇଟ ଖଣି ମୁଖ୍ୟ ନବୀନ ଶ୍ରୀବାସ୍ତବ, ଏଫ୍ଏଏମଡିର ମାନବ ସମ୍ବଳ ମୁଖ୍ୟ ସାଇଦର୍ଶନ ପାଣିଗ୍ରାହୀ, ବରିଷ୍ଠ ଆଞ୍ଚଳିକ ପ୍ରବନ୍ଧକ (ବୈଦ୍ୟୁତିକ) ରାଜେଶ ଏକ୍କା, ବରିଷ୍ଠ ଆଞ୍ଚଳିକ ପ୍ରବନ୍ଧକ (ଭୂବିଜ୍ଞାନ) ବିରାଜ ଭରଲେକର, ପ୍ରଶାସନିକ ସହ ପ୍ରବନ୍ଧକ ନିଶାନ ମହାନ୍ତି ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

Related Post