ନିଜର ୧୦୭ ବର୍ଷର ଗୌରବମୟ ଯାତ୍ରା ଅବସରରେ ଏହି ଅନୁଷ୍ଠାନ ମୁମ୍ବାଇ, ଚେନ୍ନାଇ, ଜୟପୁର ଏବଂ ଭୁବନେଶ୍ୱର ସମେତ ଦେଶର ବିଭିନ୍ନ ସହରରେ ଶହ ଶହ କାର୍ଯ୍ୟକ୍ରମ ଆୟୋଜନ କରି ଲକ୍ଷ ଲକ୍ଷ ଅଂଶଗ୍ରହଣକାରୀଙ୍କୁ ଯୋଗ ସହ ଯୋଡ଼ିଛି।
ଏହି ଉତ୍ସବ ଅନ୍ତର୍ଗତ ୧୯-୨୧ ଜୁନ୍ ପର୍ଯ୍ୟନ୍ତ ଏକ ୩-ଦିନିଆ ଅନଲାଇନ୍ ଯୋଗ ମହୋତ୍ସବ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଗୌରାଙ୍ଗ ଦାସ ଜୀ, ରିଆନ୍ ଫର୍ଣ୍ଣାଣ୍ଡୋ ଏବଂ ମିକି ମେହେଟ୍ଟାଙ୍କ ଭଳି ପ୍ରତିଷ୍ଠିତ ବିଶେଷଜ୍ଞମାନେ ଯୋଗ ଦେଇ ସୁସ୍ଥ ବାର୍ଦ୍ଧକ୍ୟର ବ୍ୟବହାରିକ ଉପାୟ ସମ୍ପର୍କରେ ଆଲୋଚନା କରିଥିଲେ।
ଏହା ସହିତ ବାନ୍ଦ୍ରା ରେକ୍ଲମେସନ୍ ଏବଂ ମେରାଇନ୍ ଡ୍ରାଇଭ୍ (ଯୋଗ ବାଏ ଦି ବେ) ଠାରେ ଆୟୋଜିତ ବିଶାଳ ସାମୁଦାୟିକ ଯୋଗ ଅଧିବେଶନରେ ହଜାର ହଜାର ଜନସାଧାରଣଙ୍କ ସହ କେନ୍ଦ୍ର ମନ୍ତ୍ରୀ ଅନୁପ୍ରିୟା ପଟେଲ, ଜିତିନ ପ୍ରସାଦ, ଜୟନ୍ତ ଚୌଧୁରୀ ଏବଂ ମହାରାଷ୍ଟ୍ରର କ୍ୟାବିନେଟ୍ ମନ୍ତ୍ରୀ ଆଶିଷ ଶେଲାର ପ୍ରମୁଖ ଉପସ୍ଥିତ ରହି ଜନସ୍ୱାସ୍ଥ୍ୟ ପ୍ରତି ପ୍ରତିବଦ୍ଧତା ପ୍ରଦର୍ଶନ କରିଥିଲେ।
ଏହି ଅବସରରେ ସଂସ୍ଥାର ନିର୍ଦ୍ଦେଶିକା ଡକ୍ଟର ହଂସାଜୀ ଯୋଗେନ୍ଦ୍ର ଯୋଗ ମାଧ୍ୟମରେ ଶରୀରରେ ସ୍ଫୁର୍ତ୍ତି, ମନରେ ସ୍ପଷ୍ଟତା ଏବଂ ଜୀବନରେ ଆତ୍ମନିର୍ଭରଶୀଳତା ବଜାୟ ରଖିବା ଉପରେ ଗୁରୁତ୍ୱ ଦେଇଥିଲେ।
ଏହି ବ୍ୟାପକ ଅଭିଯାନ ମାଧ୍ୟମରେ ଇନଷ୍ଟିଚ୍ୟୁଟ୍ ବିଭିନ୍ନ ସରକାରୀ ମନ୍ତ୍ରାଳୟ, ପ୍ରତିରକ୍ଷା ବାହିନୀ (ସେନା, ବାୟୁସେନା ଓ ସିଆଇଏସଏଫ), ବିମାନବନ୍ଦର, ଡାକଘର, ପ୍ରମୁଖ ଶିକ୍ଷାନୁଷ୍ଠାନ (ଏନଏମଆଇଏମଏସ୍, ମିଥିବାଇ) ଏବଂ ଓଏନଜିସି, ଏସବିଆଇ ଓ ମ୍ୟାକଲଏଡସ୍ ଫାର୍ମାସ୍ୟୁଟିକାଲ୍ସ ଭଳି କର୍ପୋରେଟ୍ ସଂସ୍ଥାଗୁଡ଼ିକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରି ସମାଜର ପ୍ରତ୍ୟେକ ବର୍ଗ ପାଖରେ ସଚେତନତାର ବାର୍ତ୍ତା ପହଞ୍ଚାଇଛି।
ବିଗତ ବର୍ଷଗୁଡ଼ିକରେ ୧୦ କୋଟିରୁ ଅଧିକ ଜୀବନକୁ ସ୍ପର୍ଶ କରିଥିବା ଏବଂ ୧ ଲକ୍ଷରୁ ଅଧିକ ପ୍ରମାଣିତ ଶିକ୍ଷକ ପ୍ରସ୍ତୁତ କରିଥିବା ଏହି ଅନୁଷ୍ଠାନକୁ ଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପ୍ରତିଷ୍ଠିତ ‘ପ୍ରଧାନମନ୍ତ୍ରୀ ପୁରସ୍କାର’ରେ ମଧ୍ୟ ସମ୍ମାନିତ କରାଯାଇଛି।

