ଆଜିର ଖାସ ଖବର
Wed. Apr 15th, 2026

ଓଡ଼ିଆ ପକ୍ଷ ଅବସରରେ ଟିପିସିଓଡିଏଲ୍ ପକ୍ଷରୁ ‘ଆସ ବହିଟିଏ କିଣିବା ଅଭିଯାନ’ ଅନୁଷ୍ଠିତ

By Admin_Dainkasha Apr10,2026

ଭୁବନେଶ୍ୱର: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିସିଓଡିଏଲ୍‌) ପକ୍ଷରୁ ଓଡ଼ିଆ ପକ୍ଷ ପାଳନ ଅବସରରେ ଏପ୍ରିଲ ୯ ତାରିଖରେ ‘ଆସ ବହିଟିଏ କିଣିବା ଅଭିଯାନ’ ଅନୁଷ୍ଠିତ ହୋଇଯାଇଛି।
ଏହି ଅଭିଯାନର ଏକ ଅଂଶ ଭାବରେ, ଟିପିସିଓଡିଏଲ୍ ଆମ ଓଡ଼ିଶା ସହଯୋଗରେ ଭୁବନେଶ୍ୱରସ୍ଥିତ ଏହାର ଅତ୍ୟାଧୁନିକ ପାୱାର ଡିଷ୍ଟ୍ରିବ୍ୟୁସନ ଟେକ୍ନୋଲୋଜି ସେଣ୍ଟର ଠାରେ ଏକ ସ୍ୱତନ୍ତ୍ର ପୁସ୍ତକ ପ୍ରଦର୍ଶନୀର ଆୟୋଜନ କରିଥିଲା।
କର୍ମଚାରୀମାନଙ୍କୁ ଓଡ଼ିଶାର ସାହିତ୍ୟିକ ଐତିହ୍ୟ ସହ ପୁଣି ଥରେ ଯୋଡ଼ିବା ପାଇଁ ଏହି ଷ୍ଟଲରେ ବିଶିଷ୍ଟ ବ୍ୟକ୍ତିଙ୍କ ଜୀବନୀ, ଓଡ଼ିଶାର ଇତିହାସ ଏବଂ ସଂସ୍କୃତି ଉପରେ ଆଧାରିତ ବିଭିନ୍ନ ଓଡ଼ିଆ ପୁସ୍ତକ ସ୍ଥାନ ପାଇଥିଲା।
ଟିପିସିଓଡିଏଲ୍ ପକ୍ଷରୁ ଏପ୍ରିଲ ୧ ରୁ ୧୪ ତାରିଖ ପର୍ଯ୍ୟନ୍ତ କର୍ମଚାରୀ ଏବଂ ଜନସାଧାରଣଙ୍କ ମଧ୍ୟରେ ଓଡ଼ିଆ ଭାଷା, ସଂସ୍କୃତି ଓ ପରମ୍ପରାର ପ୍ରଚାର ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ସହ ‘ଓଡ଼ିଆ ପକ୍ଷ’ ପାଳନ କରାଯାଉଛି। ଏହି କାର୍ଯ୍ୟକ୍ରମ ଓଡ଼ିଶା ଦିବସରୁ ଆରମ୍ଭ ହୋଇଥିବା ବେଳେ ଏହି ଅବସରରେ ଖଡ଼ି ଛୁଆଁ ଦିବସ, ପାରମ୍ପରିକ ପୋଷାକ ପରିଧାନ ଦିବସ ଏବଂ ଓଡ଼ିଆ ନାମ ଫଳକ ଦିବସ ଭଳି ବିଷୟଭିତ୍ତିକ କାର୍ଯ୍ୟକ୍ରମ ମାନ ଅନ୍ତର୍ଭୁକ୍ତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଟିପିସିଓଡିଏଲ୍‌ର ସିଓଓ ଶ୍ରୀ ଦୁଷ୍ୟନ୍ତ ତ୍ୟାଗୀଙ୍କ ସମେତ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ। ସେମାନେ ପୁସ୍ତକ ପ୍ରଦର୍ଶନୀ ବୁଲି ଦେଖିବା ସହ ଓଡ଼ିଆ ବହି ପଢ଼ିବା ସହିତ ପରସ୍ପରକୁ ଓଡ଼ିଆ ବହି ଉପହାର ଦେଇ ଏହି କାର୍ଯ୍ୟକ୍ରମରେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।
ଏହି ଅବସରରେ ଟିପିସିଓଡିଏଲ୍‌ର ସିଇଓ ଶ୍ରୀ ଅରଭିନ୍ଦ ସିଂ କହିଛନ୍ତି ଯେ, “ଟିପିସିଓଡିଏଲ୍‌ରେ ଆମେ ଓଡ଼ିଶାର ଜୀବନ୍ତ ସଂସ୍କୃତି ଏବଂ ସାହିତ୍ୟିକ ଐତିହ୍ୟ ପାଳନ କରି ଗର୍ବିତ। ‘ଆସ ବହିଟିଏ କିଣିବା ଅଭିଯାନ’ ଭଳି କାର୍ଯ୍ୟକ୍ରମ ଆମକୁ ନିଜ ସଂସ୍କୃତି ସହିତ ଯୋଡ଼ି ରଖିବା ସହ ଆମ ଭାଷା ତଥା ପରମ୍ପରା ପ୍ରତି ଏକ ନୂତନ ଆଦର ଓ ଶିକ୍ଷାର ବାତାବରଣ ସୃଷ୍ଟି କରୁଛି।”
ଟିପିସିଓଡିଏଲ୍ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ବହୁତ ଉତ୍ସାହର ସହ ସାମିଲ ହୋଇଥିଲେ। ଏହା ଓଡ଼ିଶାର ସମୃଦ୍ଧ ଐତିହ୍ୟ ପ୍ରତି ସେମାନଙ୍କର ସମ୍ମାନ ଏବଂ ରାଜ୍ୟର ଉନ୍ନତି ପାଇଁ ସେମାନଙ୍କର ନିରନ୍ତର ନିଷ୍ଠାକୁ ଦର୍ଶାଉଛି।

Related Post