ଆଜିର ଖାସ ଖବର
Sat. May 30th, 2026

ନବରଙ୍ଗପୁର ସହରରେ ଗୁଣାତ୍ମକ ବିଜୁଳି ଯୋଗାଣ ସୁନିଶ୍ଚିତ କଲା ଟିପିଏସ୍ଓଡିଏଲ୍

By Admin_Dainkasha Apr16,2025
TPSODL Boosts Power Supply in Nabarangpur with Transformer Upgrade
TPSODL Boosts Power Supply in Nabarangpur with Transformer Upgrade

ବିଜୁଳି ଚାହିଦା ମେଣ୍ଟାଇବାକୁ ଟ୍ରାନ୍ସଫର୍ମରର କ୍ଷମତା ବୃଦ୍ଧି
ଉପକୃତ ହେବେ ୧୪ ହଜାରରୁ ଅଧିକ ଉପଭୋକ୍ତା ଓ କ୍ଷୁଦ୍ର ଉଦ୍ୟୋଗ
 
ବ୍ରହ୍ମପୁର, ଏପ୍ରିଲ: ଚଳିତ ଗ୍ରୀଷ୍ମପ୍ରବାହରେ ବିଜୁଳି ଚାହିଦାକୁ ଦୃଷ୍ଟିରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍ ) ପକ୍ଷରୁ ନବରଙ୍ଗପୁର ସହରରେ ଥିବା ୫ ଏମଭିଏ କ୍ଷମତା ବିଶିଷ୍ଟ ଟ୍ରାନ୍ସଫର୍ମରକୁ ୧୦ ଏମଭିଏ ଟ୍ରାନ୍ସଫର୍ମରରେ ପରିଣତ କରାଯାଇଛି । ଏହି ଉନ୍ନତୀକରଣ ଫଳରେ ନବରଙ୍ଗପୁର ପ୍ରାଇମେରୀ ସବଷ୍ଟେସନର ସମୁଦାୟ କ୍ଷମତା ୧୩ ଏମଭିଏରୁ ବଢ଼ି ୧୮ ଏମଭିଏରେ ପହଞ୍ଚିଛି । ଯାହାଫଳରେ ସହରର ୧୪ ହଜାରରୁ ଅଧିକ  ଉପଭୋକ୍ତାଙ୍କୁ ପୂର୍ବାପେକ୍ଷା ଅଧିକ ଭରସାଯୋଗ୍ୟ ବିଜୁଳି ସେବା ମିଳିପାରୁଛି ।
 
କେବଳ ଘରୋଇ ଉପଭୋକ୍ତା ନୁହଁନ୍ତି, ବରଂ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ମଧ୍ୟ ଗୁଣାତ୍ମକ ବିଜୁଳି ଯୋଗାଣରେ ଏହି ନୂତନ ଭିତ୍ତିଭୂମି ବିଶେଷ ଭାବେ ସହାୟକ ହୋଇପାରିବ । ସହର ଓ ଆଖପାଖ ଅଞ୍ଚଳରେ ଅନେକ ରାଇସ୍ ମିଲ୍, କାଜୁ ପ୍ରକ୍ରିୟାକରଣ ୟୁନିଟ୍ ଓ ଅନ୍ୟାନ୍ୟ କ୍ଷୁଦ୍ର ଉଦ୍ୟୋଗମାନ ରହିଛି । କମ୍ପାନୀ ଏହି ବ୍ୟାବସାୟିକ କେନ୍ଦ୍ରଗୁଡ଼ିକୁ ସୁରକ୍ଷିତ ଓ ସ୍ଥାୟୀ ବିଜୁଳି ଯୋଗାଣ ସୁନିଶ୍ଚିତ କରିଛି ।
 
ନବରଙ୍ଗପୁର ସହର ବାସିନ୍ଦା ସୁଧାଂଶୁ ଶେଖର ପରିଡ଼ା କହିଛନ୍ତି ଯେ, ସହରରେ ବିଜୁଳିକୁ ନେଇ କୌଣସି ବଡ଼ ସମସ୍ୟା ନାହିଁ । ଆମକୁ ପ୍ରାୟତଃ ସବୁ ସମୟରେ ବିଜୁଳି ସେବା ମିଳୁଛି । ଟ୍ରାନ୍ସଫର୍ମରର କ୍ଷମତା ବୃଦ୍ଧି ହେବା ଫଳରେ ବିଜୁଳି ସେବା ଆହୁରି ସୁବିଧାଜନକ ହେବ ବୋଲି ଆଶା କରୁଛୁ । ଗ୍ରୀଷ୍ମ ସମୟରେ ଟିପିଏସ୍ଓଡିଏଲ୍ ବିଜୁଳି ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କରୁଥିବା ଦେଖି ସେ ଖୁସିବ୍ୟକ୍ତ କରିଛନ୍ତି ।
 
କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “ ଭରସାଯୋଗ୍ୟ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ଆମର ସର୍ବୋଚ୍ଚ ଦାୟିତ୍ୱ । ସେହିପରି ବିଜୁଳି ଚାହିଦା ଦିନକୁ ଦିନ ବଢ଼ୁଥିବା ହେତୁ ତଦନୁଯାୟୀ ଭିତ୍ତିଭୂମି ବିକାଶର ଆବଶ୍ୟକତାକୁ ଆମେ ଅଗ୍ରାଧିକାର ଦେଇଆସିଛୁ । ଚଳିତ ଗ୍ରୀଷ୍ମରେ ଭିତ୍ତିଭୂମି ଉନ୍ନତୀକରଣ କରି ଉପଭୋକ୍ତାଙ୍କୁ ଗୁଣାତ୍ମକ ତଥା ଭରସାଯୋଗ୍ୟ ବିଜୁଳି ଯୋଗାଣ ନିମନ୍ତେ ଆମେ ନିରନ୍ତର ପ୍ରୟାସ ଜାରି ରଖିଛୁ । ”

Related Post