– ସମସ୍ତ ଡିଭିଜନ, ସବ-ଡିଭିଜନ ଏବଂ ସେକ୍ସନ କାର୍ଯ୍ୟାଳୟରେ ଶିବିର ଅନୁଷ୍ଠିତ ହେବ ।
– ବିଦ୍ୟୁତ ଚୋରି ମାମଲାଗୁଡ଼ିକର ସହଜ ସମାଧାନ ପାଇଁ ଏକକ ପ୍ଲାଟଫର୍ମ ।
– ଗତ ଲୋକ ଅଦାଲତରେ ପ୍ରାୟ ୪,୬୦୦ରୁ ଅଧିକ ମାମଲାର ସମାଧାନ ହୋଇ ପାରିଛି ।
ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ତରଫରୁ ଆସନ୍ତା ମାର୍ଚ୍ଚ ୩୦ ଓ ୩୧ ତାରିଖରେ ଏହାର ସମଗ୍ର ବିତରଣ କ୍ଷେତ୍ରରେ ସ୍ୱତନ୍ତ୍ର ପ୍ରବର୍ତ୍ତନ ସମାଧାନ ଶିବିରର ଆୟୋଜନ କରାଯାଉଅଛି। ଏହି ଶିବିର ସକାଳ ୯ଟାରୁ ଟିପିଏସ୍ଓଡିଏଲର ସମସ୍ତ ଡିଭିଜନ୍, ସବ୍-ଡିଭିଜନ୍ ଓ ସେକ୍ସନ୍ କାର୍ଯ୍ୟାଳୟରେ ଆୟୋଜିତ ହେବ ।
ଏହି ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ ହେଉଛି ଅନଧିକୃତ ବିଦ୍ୟୁତ ବ୍ୟବହାର ଏବଂ ବିଦ୍ୟୁତ ଚୋରି ସମ୍ବନ୍ଧୀୟ ମାମଲାଗୁଡ଼ିକର ସମାଧାନ ପାଇଁ ଗ୍ରାହକମାନଙ୍କୁ ଏକ ସୁବିଧାଜନକ ଏବଂ ଏକକ ପ୍ଲାଟଫର୍ମ ପ୍ରଦାନ କରିବା ।
ଉଲ୍ଲେଖଯୋଗ୍ୟ ଯେ, ଗତ ମାର୍ଚ୍ଚ ୧୪ ତାରିଖରେ ଅନୁଷ୍ଠିତ ଜାତୀୟ ଲୋକ ଅଦାଲତରେ ଟିପିଏସ୍ଓଡିଏଲ୍ ତରଫରୁ ପ୍ରାୟ ୪,୬୦୦ରୁ ଅଧିକ ମାମଲା ଘଟଣାସ୍ଥଳରେ ହିଁ ସମାଧାନ କରାଯାଇଥିଲା । ଏହି ପଦକ୍ଷେପ ଗ୍ରାହକମାନଙ୍କୁ ଏକ ସରଳ ଏବଂ ବାଧାମୁକ୍ତ ପ୍ରକ୍ରିୟା ମାଧ୍ୟମରେ ବିଦ୍ୟୁତ ସମ୍ବନ୍ଧୀୟ ମାମଲାର ସମାଧାନ କରିବାରେ ସାହାଯ୍ୟ କରିଥିଲା ।
ଏହାକୁ ଆଧାର କରି ଟିପିଏସ୍ଓଡିଏଲ୍ ତରଫରୁ ବିଦ୍ୟୁତ ସମ୍ବନ୍ଧୀୟ ମାମଲାଗୁଡିକର ସମାଧାନ ପାଇଁ ଉପଭୋକ୍ତାମାନଙ୍କୁ ଏହି ସ୍ୱତନ୍ତ୍ର ଶିବିରରେ ଯୋଗଦେବା ପାଇଁ ଆହ୍ୱାନ କରାଯାଉଅଛି । ଯାହା ମାଧ୍ୟମରେ ସେମାନେ ଘଟଣାସ୍ଥଳରେ ଏହାର ସମାଧାନ କରି ବିଦ୍ୟୁତ ବ୍ୟବହାରକୁ ବୈଧ କରିପାରିବେ ଓ ଆଇନଗତ ପ୍ରକ୍ରିୟାରେ ସାମିଲ ହୋଇପାରିବେ । ଏହି ସ୍ୱତନ୍ତ୍ର ଶିବିରରେ ଏନଫୋର୍ସମେଣ୍ଟ ଅଧିକାରୀ, ଆଇନ ପରାମର୍ଶଦାତା ଓ ସହାୟକ କର୍ମଚାରୀମାନେ ଉପସ୍ଥିତ ରହି ଉପଭୋକ୍ତାଙ୍କୁ ସହଯୋଗ କରିବେ ।
ଉପଭୋକ୍ତାମାନେ ନିକଟସ୍ଥ ଟିପିଏସ୍ଓଡିଏଲ୍ କାର୍ଯ୍ୟାଳୟରେ ଯୋଗ୍ୟତା, ଆବଶ୍ୟକୀୟ ଡକ୍ୟୁମେଣ୍ଟ ଓ ସମାଧାନ ପ୍ରକ୍ରିୟା ସମ୍ପର୍କରେ ସବିଶେଷ ତଥ୍ୟ ପାଇପାରିବେ । ଟିପିଏସ୍ଓଡିଏଲ୍ ତରଫରୁ ସମସ୍ତ ଯୋଗ୍ୟ ଉପଭୋକ୍ତାଙ୍କୁ ଏହି ସୀମିତ ସମୟର ସୁଯୋଗକୁ ଉପଯୋଗ କରି ତାଙ୍କର ମାମଲାଗୁଡ଼ିକୁ ଶୀଘ୍ର ସମାଧାନ କରିବାକୁ ଅନୁରୋଧ କରାଯାଉଅଛି ।
ଟିପିଏସ୍ଓଡିଏଲ୍ ତରଫରୁ ଆସନ୍ତା ୩୦ ଓ ୩୧ ତାରିଖରେ ବିଦ୍ୟୁତ ଚୋରି ମାମଲାର ସହଜ ସମାଧାନ ନିମନ୍ତେ ସ୍ୱତନ୍ତ୍ର ଶିବିର

