ଟାଟା ଗ୍ରୁପ୍ର ନୈତିକତା, ସଚ୍ଚୋଟତା ଓ ରାଷ୍ଟ୍ର ଗଠନର ସମୃଦ୍ଧ ପରମ୍ପରାକୁ ଆଗେଇ ନେବା ଉଦ୍ଦେଶ୍ୟରେ ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ଭାରତ ରତ୍ନ ଜେହାଙ୍ଗୀର ରତନଜୀ ଦାଦାଭୋୟ (ଜେଆରଡି) ଟାଟା ଙ୍କ ୧୨୨ତମ ଜନ୍ମ ଜୟନ୍ତୀ ଅବସରରେ ବୁର୍ଲା ସ୍ଥିତ ଏହାର କର୍ପୋରେଟ୍ କାର୍ଯ୍ୟାଳୟରେ ‘ନୈତିକତା ଦିବସ’ ପାଳନ କରାଯାଇଅଛି । ଏହି ଅବସରରେ ସଂସ୍ଥାର କାର୍ଯ୍ୟଧାରା ଓ ଗ୍ରାହକ ସେବାର ପ୍ରତ୍ୟେକ କ୍ଷେତ୍ରରେ ନୈତିକ ମୂଲ୍ୟବୋଧକୁ ଅଧିକ ସୁଦୃଢ଼ କରିବା ପାଇଁ ସମସ୍ତେ ପୁନଃ ସଂକଳ୍ପବଦ୍ଧ ହୋଇଥିଲେ ।
ଏହି ଅବସରରେ ଟିପିଡବ୍ଲୁଓଡିଏଲ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା, ମୁଖ୍ୟ ନୈତିକତା ପରାମର୍ଶଦାତା ତଥା ମୁଖ୍ୟ ବାଣିଜ୍ୟିକ ଅଧିକାରୀ ଶ୍ରୀ ପି. ପି. ତେନ୍ଦୁଲକର, ମୁଖ୍ୟ ଅପରେସନ୍ ଆଣ୍ଡ ସର୍ଭିସେସ୍ ଅଧିକାରୀ ଶ୍ରୀ ପ୍ରଶାନ୍ତ ସିଂ, କଣ୍ଟ୍ରାକ୍ଟ ଏବଂ ଷ୍ଟୋର୍ସ ବିଭାର ମୁଖ୍ୟ ଶ୍ରୀ ଅନୀଲ ଓଝାଙ୍କ ସମେତ କମ୍ପାନୀର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଜେଆରଡି ଟାଟା ଓ ଟାଟା ଗ୍ରୁପ୍ର ଅନ୍ୟତମ ପ୍ରତିଷ୍ଠାତାମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।
ଅତିଥିମାନଙ୍କୁ ସ୍ୱାଗତ ଜଣାଇ ଶ୍ରୀ ପିପି. ତେନ୍ଦୁଲକର ଜେଆରଡି ଟାଟାଙ୍କ ଭାରତୀୟ ଶିଳ୍ପ କ୍ଷେତ୍ର ପ୍ରତି ଅତୁଳନୀୟ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ନୈତିକତା କେବଳ ଏକ ନୀତି ନୁହେଁ, ବରଂ ଏହା ଜୀବନ ଜିଇଁବାର ଏକ ପଦ୍ଧତି । ପ୍ରତ୍ୟେକ ବୃତ୍ତିଗତ ନିଷ୍ପତ୍ତି ଓ କାର୍ଯ୍ୟରେ ସଚ୍ଚୋଟତା, ନ୍ୟାୟପରାୟଣତା ଏବଂ ଉତ୍ତରଦାୟିତ୍ୱ ବଜାୟ ରଖିବାକୁ ସେ କର୍ମଚାରୀମାନଙ୍କୁ ଆହ୍ୱାନ କରିଥିଲେ।
୧୯୦୪ ମସିହା ଜୁଲାଇ ୨୯ ତାରିଖରେ ଫ୍ରାନ୍ସର ପ୍ୟାରିସରେ ଜନ୍ମଗ୍ରହଣ କରିଥିବା ଶ୍ରୀ ଜେଆରଡି ଟାଟା ଭାରତର ଅନ୍ୟତମ ବିଶିଷ୍ଟ ଶିଳ୍ପପତି, ବିମାନ ଚଳାଚଳ କ୍ଷେତ୍ରର ଅଗ୍ରଦୂତ ଏବଂ ଦୂରଦର୍ଶୀ ରାଷ୍ଟ୍ର ନିର୍ମାତା ଥିଲେ । ତାଙ୍କ ନେତୃତ୍ୱରେ ଟାଟା ଗ୍ରୁପ୍ ଟାଟା କନସଲଟାନ୍ସି ସର୍ଭିସେସ୍, ଟାଟା ମୋଟର୍ସ, ଟାଇଟନ୍, ଭୋଲଟାସ୍ ଓ ଟାଟା ଏୟାରଲାଇନ୍ସ (ବର୍ତ୍ତମାନର ଏୟାର ଇଣ୍ଡିଆ) ପରି ଅନେକ ପ୍ରତିଷ୍ଠିତ ସଂସ୍ଥାକୁ ଗଢ଼ି ତୋଳିଥିଲା । ଭାରତୀୟ ଶିଳ୍ପ ଓ ରାଷ୍ଟ୍ର ଗଠନରେ ତାଙ୍କ ଅସାଧାରଣ ଅବଦାନ ପାଇଁ ସେ ୧୯୫୫ ମସିହାରେ ପଦ୍ମ ବିଭୂଷଣ ଏବଂ ୧୯୯୨ ମସିହାରେ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ରେ ସମ୍ମାନିତ ହୋଇଥିଲେ ।
ଏହି ଅବସରରେ ଟିପିଡବ୍ଲୁଓଡିଏଲ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା କହିଥିଲେ, “ଶ୍ରୀ ଜେଆରଡି ଟାଟା ଆମକୁ ଶିଖାଇଛନ୍ତି ଯେ, ପ୍ରକୃତ ନେତୃତ୍ୱ କେବଳ ସଫଳତା ହାସଲ କରିବାରେ ନୁହେଁ, ବରଂ ସେହି ସଫଳତାକୁ କିପରି ହାସଲ କରାଯାଏ ତାହାରେ ନିହିତ । ନୈତିକତା ଓ ସଚ୍ଚୋଟତା ଆମର ପ୍ରତ୍ୟେକ ନିଷ୍ପତ୍ତିର ମୂଳ ଆଧାର ହେବା ଆବଶ୍ୟକ । ଟିପିଡବ୍ଲୁଓଡିଏଲ୍ରେ ଆମେ ସଚ୍ଚୋଟତା, ସ୍ୱଚ୍ଛତା ଓ ଦାୟିତ୍ୱବୋଧ ସହିତ ଗ୍ରାହକଙ୍କୁ ସେବା ପ୍ରଦାନ କରି ତାଙ୍କ ଆଦର୍ଶକୁ ଆଗେଇ ନେବାକୁ ପ୍ରତିବଦ୍ଧ ।”
କେବଳ କର୍ପୋରେଟ୍ କାର୍ଯ୍ୟାଳୟ ନୂହେଁ ବରଂ କମ୍ପାନୀର ସମସ୍ତ ପାଞ୍ଚଟି ମଣ୍ଡଳ କାର୍ଯ୍ୟାଳୟରେ ମଧ୍ୟ ଏହି ‘ନୈତିକତା ଦିବସ’ ପାଳନ କରାଯାଇଅଛି । ଏହି ଅବସରରେ କର୍ମଚାରୀମାନେ ଟାଟା ଆଚରଣବିଧି ପାଳନ ସହିତ ନୈତିକତା, ସମ୍ମାନ ଓ ଦାୟିତ୍ୱବୋଧ ଭିତ୍ତିକ ନେତୃତ୍ୱ ପ୍ରତି ପୁନର୍ବାର ସେମାନଙ୍କର ଦୃଢ଼ ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ ।
ପଶ୍ଚିମ ଓଡ଼ିଶାର ନଅଟି ଜିଲ୍ଲାରେ ୨୧ ଲକ୍ଷରୁ ଅଧିକ ଗ୍ରାହକଙ୍କୁ ବିଦ୍ୟୁତ୍ ସେବା ପ୍ରଦାନ କରୁଥିବା ଟିପିଡବ୍ଲୁଓଡିଏଲ୍ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ନୈତିକ ପ୍ରଶାସନକୁ ପ୍ରାଧାନ୍ୟ ଦେଇ ଏକ ଆଧୁନିକ ଏବଂ ଭବିଷ୍ୟତମୁଖୀ ବିଦ୍ୟୁତ୍ ବିତରଣ ବ୍ୟବସ୍ଥା ଗଠନ ଦିଗରେ କାର୍ଯ୍ୟ କରିଆସୁଛି । ଟାଟା ଗ୍ରୁପ୍ର ମୂଳ ଆଦର୍ଶକୁ ଅନୁସରଣ କରି ସଂସ୍ଥା ନିରନ୍ତର ନିର୍ଭରଯୋଗ୍ୟ ବିଦ୍ୟୁତ୍ ସେବା, ଗ୍ରାହକଙ୍କ ବିଶ୍ୱାସ ଅର୍ଜନ ଏବଂ ସମାଜ ପାଇଁ ସ୍ଥାୟୀ ମୂଲ୍ୟ ସୃଷ୍ଟି କରିବାକୁ ପ୍ରୟାସ ଜାରି ରଖିଛି ।

