ଆଜିର ଖାସ ଖବର
Sun. May 31st, 2026

ଗ୍ରାମାଞ୍ଚଳ ଟେଲିଭିଜନ ଦର୍ଶକ

By Dainikasha Jul11,2024

ଭାରତରେ ପ୍ରାୟ ୩୦ କୋଟି ପରିବାର ବସବାସ କରୁଥିବା ସ୍ଥଳେ ୧୯ କୋଟି ୭୦ ଲକ୍ଷ ପରିବାରଙ୍କ ଗୃହରେ ଟେଲିଭିଜନ ସେଟ ଉପଲବ୍ଧ । ଅର୍ଥାତ ଦଶ କୋଟି ସରିକି ପରିବାର ନିଜ ବାସଗୃହରେ ଟେଲିଭିଜନ ପ୍ରସାରଣ ସେବା ଗ୍ରହଣରୁ ବଞ୍ଚିତ । ସେମାନଙ୍କ ମଧ୍ୟରେ ଗ୍ରାମାଞ୍ଚଳରେ ବସବାସ କରୁଥିବା ପରିବାର ସଂଖ୍ୟା ଅଧିକ । ପରିସଂଖ୍ୟାନ ଅନୁଯାୟୀ ୨୦୨୫ରୁ ୨୦୨୭ ମଧ୍ୟରେ ସାତରୁ ଆଠ କୋଟି ଅଧିକ ପରିବାରଙ୍କ ବାସଗୃହରେ ଟେଲିଭିଜନ ସେଟ ପହଞ୍ଚିବ । ଗ୍ରାମାଞ୍ଚଳରେ ଶତ ପ୍ରତିଶତ ବାସଗୃହକୁ ବିଦ୍ୟୁତ ସଂଯୋଗ ଓ ପାରିବାରିକ ଆର୍ଥିକ ଅଭିବୃଦ୍ଧି ହେତୁ ଟେଲିଭିଜନ ସେଟ କ୍ରୟ ସମ୍ଭବପର ହେବା ଫଳରେ ଗ୍ରାମାଞ୍ଚଳରେ ଟେଲିଭିଜନ ଦର୍ଶକ ସଂଖ୍ୟା ବୃଦ୍ଧି ପାଇବା ଆଶା କରାଯାଏ ।

ବିକଶିତ ରାଷ୍ଟ୍ରଗୁଡ଼ିକରେ ପରିବାର ପିଛା ଏକରୁ ଅଧିକ ଟେଲିଭିଜନ ସେଟ ଉପଲବ୍ଧ ଏବଂ ଦର୍ଶକମାନେ ଟେଲିଭିଜନ ସେଟ ସାଙ୍ଗକୁ ସ୍ମାର୍ଟଫୋନ ପରଦାରେ ଟେଲିଭିଜନ କାର୍ଯ୍ୟକ୍ରମ ଆହରଣ କରିଥାନ୍ତି । ଭାରତରେ ଦଶ କୋଟି ପରିବାର ନିଜ ଘରେ ଟେଲିଭିଜନ ସେଟ ଅପେକ୍ଷାରେ ଥିବା ସ୍ଥଳେ ସ୍ମାର୍ଟ ଫୋନ ପରଦା ମଧ୍ୟ ଟେଲିଭିଜନ କାର୍ଯ୍ୟକ୍ରମ ଆହରଣର ବିକଳ୍ପ ଧାରା ରୂପେ ଲୋକପ୍ରିୟ ହେବାରେ ଲାଗିଛି । ଉଭୟ କାରଣରୁ ଟେଲିଭିଜନ ଦର୍ଶକଙ୍କ ସଂଖ୍ୟା ବଢ଼ିଚାଲିଛି ଏବଂ ଏକବିଂଶ ଶତାଦ୍ଦୀର ତୃତୀୟ ଦଶକ ଶେଷ ଯାଏଁ ବଳବତ୍ତର ରହିବା ଆଶା କରାଯାଏ ।

ଗଣମାଧ୍ୟମ ମଞ୍ଚଗୁଡ଼ିକରେ ଦର୍ଶକ ସଂଖ୍ୟା ଓ ଉପସ୍ଥିତିର ଅବଧି ଉପରେ ବିଜ୍ଞାପନ ବ୍ୟୟ ନିର୍ଭରଶୀଳ । ଦେଶର ଗ୍ରାମାଞ୍ଚଳରେ ଟେଲିଭିଜନ ଦର୍ଶକ ବୃଦ୍ଧି ପାଉଥିବା ତଥା ଗ୍ରାମାଞ୍ଚଳ ପରିବାରଗୁଡ଼ିକର ଆର୍ଥିକ ମାନଦଣ୍ଡ ବଢ଼ି ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ କ୍ରୟଶକ୍ତି ବୃଦ୍ଧି ପାଉଥିବା ହେତୁ ଟେଲିଭିଜନ ମଞ୍ଚରେ ବ୍ୟାବସାୟିକ ବିଜ୍ଞାପନ ପ୍ରଦର୍ଶନ ଉତ୍ସାହଜନକ ସ୍ଥିତିରେ ରହିଛି ଏବଂ ନିକଟ ଭବିଷ୍ୟତରେ ସ୍ଥିତାବସ୍ଥା ବଜାୟ ରହିବା ନିଶ୍ଚିତ । ଅବଶ୍ୟ ଗ୍ରାମାଞ୍ଚଳ ଟେଲିଭିଜନ ଦର୍ଶକଙ୍କ ନିମନ୍ତେ ବିଜ୍ଞାପନ ପ୍ରଦର୍ଶନ କ୍ଷେତ୍ରରେ ସାମୟିକ ଆନୁସଙ୍ଗିକ ପରିବେଶ ପ୍ରଭାବିତ କରିଥାଏ । ଅର୍ଥାତ ବିଭିନ୍ନ କାରଣରୁ ଟେଲିଭିଜନ ଚ୍ୟାନେଲଗୁଡ଼ିକର ଲୋକପ୍ରିୟତା ବଢ଼ିବାଛିଡ଼ିବା ଅବସରରେ ବିଜ୍ଞାପନ ବ୍ୟୟ ସର୍ବୋତ୍ତମ ଚ୍ୟାନେଲ ଆଡ଼କୁ ମୁହାଁଇଥାଏ ।

ଟେଲିକମ ରେଗୁଲେଟରୀ ଅଥରିଟି ଅଫ ଇଣ୍ଡିଆ ‘ଟ୍ରାଇ’ ପକ୍ଷରୁ ୨୦୧୯ ଫେବୃୟାରୀରେକେବଲ ଟେଲିଭିଜନ ଗ୍ରାହକ ଚାନ୍ଦା ସଂଗ୍ରହ କ୍ଷେତ୍ରରେ ସଂସ୍କାର ଉଦ୍ଦେଶ୍ୟରେ ନିଉ ଟାରିଫଅର୍ଡର‘ଏନଟିଓ’ ଘୋଷିତ ହୋଇଥିଲା । ପୂର୍ବରୁ କେବଲ ଅପରେଟରମାନେ ନିଜ ମନମୁତାବକ ଟେଲିଭିଜନ ଚ୍ୟାନେଲ ପ୍ୟାକେଜମାନ ନିର୍ଦ୍ଧାରଣ କରି ଗ୍ରାହକ ଚାନ୍ଦା ସଂଗ୍ରହ କରୁଥିଲେ । ଏତଦ୍ୱାରା ଦେଶରେ କେବଲକନେକସନରେ ସଂଯୁକ୍ତ ଥିବା ଦଶ କୋଟି ଏବଂ ଡ଼ାଇରେକଟ-ଟୁ-ହୋମ ‘ଡ଼ିଟିଏଚ’ ସୁବିଧା ଉପଭୋଗ କରୁଥିବା ସାତ କୋଟି ଗ୍ରାହକ ପ୍ରଭାବିତ ହେଉଥିଲେ । ନିଜ ରୁଚି ଅନୁଯାଇ ଚ୍ୟାନେଲ ବଦଳରେ ପ୍ୟାକେଜନିର୍ବାଚନ କରିବାକୁ ବାଧ୍ୟ କରାଯାଉଥିଲା । ଅପରପକ୍ଷେ ସ୍ୱଚ୍ଛତା ଅଭାବରୁ ଟେଲିଭିଜନ ଚ୍ୟାନେଲଗୁଡ଼ିକ ନିଜ ଗ୍ରାହକ ସଂଖ୍ୟା ପରଖି ପାରୁନଥିଲେ ତଥା ସ୍ଥଳବିଶେଷରେ ନିର୍ଦ୍ଧାରିତ ଗ୍ରାହକ ଦେୟ ପାଇପାରୁ ନଥିଲେ ।

‘ଟ୍ରାଏ’ ଦ୍ୱାରା ‘ଏନଟିଓ’ ଘୋଷିତ ହେବାପରେ କେବଲ ଓ ଡ଼ିଟିଏଚଉପଭୋକ୍ତାଙ୍କ ନିମନ୍ତେ ମାସିକ ସର୍ବନିମ୍ନ ୧୩୦ ଟଙ୍କା ଗ୍ରାହକ ଚାନ୍ଦା ନିର୍ଦ୍ଧାରିତ କରାଗଲା । ଏହି ପ୍ୟାକେଜରେ ସେମାନେ ୧୦୦ ଗୋଟି ବିନାମୂଲ୍ୟରେ ପ୍ରସାରିତ ‘ଫ୍ରି-ଟୁ-ଏୟର’ ଚ୍ୟାନେଲ ଉପଭୋଗ କରିବା ସୁବିଧା ପାଇପାରିଲେ । ସେଥି ମଧ୍ୟରେ ୨୫ ଗୋଟି ଦୂରଦର୍ଶନ ଚ୍ୟାନେଲ ଅନ୍ତର୍ଭୁକ୍ତ କରାଯିବା ବାଧ୍ୟତାମୂଳକ ରଖାଗଲା । ତେଣିକି ଉପଭୋକ୍ତାମାନେ ଯେଉଁସବୁ ଚ୍ୟାନେଲର ଗ୍ରାହକ ଶ୍ରେଣୀଭୁକ୍ତ ହେବାକୁ ଚାହିଁବେ ସେହିକ୍ରମରେ ସଂପୃକ୍ତ ଚ୍ୟାନେଲର ମାସିକ ଗ୍ରାହକ ଚାନ୍ଦା ପଇଠ କରିବେ ।

‘ଏନଟିଓ’ର ପ୍ରଭାବରେ ହିନ୍ଦିଭାଷାଭାଷୀ ଗ୍ରାମାଞ୍ଚଳରେ ଜୀ ଅନମୋଲ, ସୋନୀ ପଲ, ଷ୍ଟାର ଭାରତ ଓ କଲର୍ସରିସ୍ତେ ଭଳି କେତେକ ଦେୟଯୁକ୍ତ ଚ୍ୟାନେଲ ଦର୍ଶକ ସଂଖ୍ୟା ହରାଇଥିବା ଜଣାଯାଏ । ବ୍ରଡ଼କାଷ୍ଟଅଡ଼ିଏନ୍ସରିସର୍ଚ୍ଚ କାଉନସିଲ ‘ବିଏଆରସି’ ପକ୍ଷରୁ ୨୦୧୯ ନଭେମ୍ୱରରେ ପ୍ରକାଶିତ ତଥ୍ୟ ଅନୁଯାୟୀ ‘ଦଙ୍ଗଲ ଟିଭି’ ଭଳି ଏକ ଅଳ୍ପ ପରିଚିତ ‘ଫ୍ରି-ଟୁ-ଏୟର’ ଚ୍ୟାନେଲ ହିନ୍ଦିଭାଷାଭାଷୀ ଗ୍ରାମାଞ୍ଚଳରେ ୩୩ ପ୍ରତିଶତ ଦର୍ଶକ ଦାବୀ କରିଛି । ‘ଦଙ୍ଗଲ ଟିଭି’ରେ ପାରମ୍ପରିକ ଭାବେ ପୌରାଣିକ ଓ ସାମାଜିକ ଧାରାବାହିକ ପ୍ରଦର୍ଶିତ ହୋଇଥାଏ । ଏହି ଚ୍ୟାନେଲରେ ସେଭଳି କିଛି ଉଲ୍ଲେଖନୀୟ କାର୍ଯ୍ୟକ୍ରମ ସଂଲଗ୍ନ ହୋଇନଥିଲେ ସୁଦ୍ଧା ଅନ୍ୟ ଲୋକପ୍ରିୟ ଚ୍ୟାନେଲଗୁଡ଼ିକଦେୟଯୁକ୍ତହୋଇପଡ଼ିବା ଅବସରରେ ଅନେକ ଦର୍ଶକ ଦେୟମୁକ୍ତ‘ଦଙ୍ଗଲ ଟିଭି’ରେ ପ୍ରଦର୍ଶିତ ଧାରାବାହିକଗୁଡ଼ିକ ପ୍ରତି ଆକୃଷ୍ଟ ହୋଇଛନ୍ତି ।

‘ଟ୍ରାଇ’ ରିପୋର୍ଟ ଅନୁଯାୟୀ ହିନ୍ଦିଭାଷାଭାଷୀ ଗ୍ରାମାଞ୍ଚଳରେ ସର୍ବାଧିକ ଆଦୃତ ପାଞ୍ଚଗୋଟି ବର୍ଗର କାର୍ଯ୍ୟକ୍ରମରେ ‘ଦଙ୍ଗଲ ଟିଭି’ର କାର୍ଯ୍ୟକ୍ରମଗୁଡ଼ିକ ସ୍ଥାନିତ ହେବାପରେ ବିଜ୍ଞାପନ ପ୍ରଦର୍ଶନ ବଢ଼ିଛି । ଏହା ସହିତ ସଂପୃକ୍ତ ଚ୍ୟାନେଲର ବିଜ୍ଞାପନ ଦର ମଧ୍ୟ ବୃଦ୍ଧି ପ୍ରାପ୍ତ ହୋଇଛି । ୨୦୧୯ ବର୍ଷ ଆରମ୍ଭରେ ଦଶ ସେକେଣ୍ଡର ବିଜ୍ଞାପନ ସ୍ପଟ ପିଛା ହଜାରେ ଟଙ୍କା ନିର୍ଦ୍ଧାରିତ ହୋଇଥିବା ସ୍ଥଳେ ତାହା ଅକ୍ଟୋବର-ନଭେମ୍ୱର ମାସରେ ଦଶ ହଜାର ଟଙ୍କାରେ ପହଞ୍ଚିଛି । ପ୍ରାଇମଟାଇମରେ ବିଜ୍ଞାପନ ଦର ଆହୁରି ଅଧିକ ଥିବା ଜଣାଯାଇଛି ।

ସାଧାରଣତଃ ହିନ୍ଦିଭାଷାଭାଷୀ ଗ୍ରାମାଞ୍ଚଳରେ ଷ୍ଟାର, ସୋନୀ ଓ ଜୀ ଆଧିପତ୍ୟ ବଜାୟ ରଖି ଆସିଥିଲେ । କିନ୍ତୁ ଗ୍ରାହକ ଚାନ୍ଦାରେ ପୁର୍ନବିନ୍ୟାସ ଅବସରରେ ଫ୍ରି-ଟୁ-ଏୟାର‘ଦଙ୍ଗଲ ଟିଭି’ର ଅକସ୍ମାତ ଲୋକପ୍ରିୟତା ଅନେକଙ୍କୁ ବିସ୍ମିତ କରିଛି । ଗଣମାଧ୍ୟମ ସମୀକ୍ଷକମାନଙ୍କ ମତରେ ‘ଦଙ୍ଗଲ ଟିଭି’ ଯଦି ନିଜ କାର୍ଯ୍ୟକ୍ରମ ପ୍ରଯୋଜନା ଗୁଣବତ୍ତା ବୃଦ୍ଧିରେ ସାମାନ୍ୟ ଉଦ୍ୟମ କରେ ତେବେ ବଡ଼ବଡ଼ଚ୍ୟାନେଲଗୁଡ଼ିକୁ ଦର୍ଶକ ଫେରାଇ ଆଣିବାରେ ନାକେଦମ ହେବାକୁ ପଡ଼ିପାରେ । ଗ୍ରାମାଞ୍ଚଳ ଟେଲିଭିଜନ ଦର୍ଶକଙ୍କ ରୁଚି ମଧ୍ୟରେ ତାରତମ୍ୟ ‘ଦଙ୍ଗଲ ଟିଭି’ ଉଦାହରଣରୁ ସୁସ୍ୱଷ୍ଟ । ହୁଏତ ଏଥିରୁ ବୁଝିନେବାକୁ ହେବ ଯେ ଆଗାମୀ ଭବିଷ୍ୟତରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଦର୍ଶକଙ୍କ ପାଇଁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହିତ ଗ୍ରାମାଞ୍ଚଳର ବିଭିନ୍ନ ବର୍ଗର ଦର୍ଶକଙ୍କ ପାଇଁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ପ୍ରଯୋଜନା କରିବାକୁ ପଡ଼ିବ । ପାରମ୍ପରିକ ଟେଲିଭିଜନ ପ୍ରସାରଣ ଯେଉଁ କ୍ଷେତ୍ରରେ ହାର ମାନିବ ହୁଏତ କ୍ରମବର୍ଦ୍ଧମାନ‘ଓଭର-ଦି-ଟପ’‘ଓଟିଟି’ ମଞ୍ଚ, ୱେବସିରିଜ ଭଳି ପ୍ରଚେଷ୍ଟାରେ ସେହି ଶୂନ୍ୟତା ପୂରଣ କରିବାକୁ ଚେଷ୍ଟା କରିବ ।

ଗ୍ରାମାଞ୍ଚଳରେ ଟେଲିଭିଜନ ଦର୍ଶକ ସଂଖ୍ୟା ବୃଦ୍ଧି ଓଡ଼ିଶା କ୍ଷେତ୍ରରେ ଗୁରୁତ୍ୱ ବହନ କରେ । ୨୦୧୧ ଜନଗଣନା ଅନୁଯାୟୀ ଏଠାକାର ୮୪ ପ୍ରତିଶତ ପରିବାର ପାଞ୍ଚ ହଜାରରୁ କମ ଜନସଂଖ୍ୟା ବିଶିଷ୍ଟ ଗ୍ରାମାଞ୍ଚଳରେ ବସବାସ କରନ୍ତି । ରାଜ୍ୟରେ ପ୍ରତି ବାସଗୃହକୁ ବିଦ୍ୟୁତ ସଂଯୋଗ ଓ ପାରିବାରିକ ଆର୍ଥିକ ଅଭିବୃଦ୍ଧି ହେତୁ ବାସଗୃହରେ ଟେଲିଭିଜନ ତଥା ସ୍ମାର୍ଟଫୋନ ବ୍ୟବହାର ସଂଖ୍ୟା ବୃଦ୍ଧି ପାଇବ । ଏହି ଅବସରରେ ଗ୍ରାମାଞ୍ଚଳରେ ବିଭିନ୍ନ ବର୍ଗର ଦର୍ଶକ ‘ସେଗିମେଣ୍ଟେଡ଼ଅଡିଏନ୍ସ’କୁ ଆକୃଷ୍ଟ କରିବା ନିମନ୍ତେ କାର୍ଯ୍ୟକ୍ରମ ପ୍ରସ୍ତୁତି ଏକ ଆହ୍ୱାନରେ ପରିଣତ ହୋଇଛି । ନିତ୍ୟବ୍ୟବହାର୍ଯ୍ୟ ଓ ମନୋହରୀ ଦ୍ରବ୍ୟର ବିକ୍ରୀବଟା ଗ୍ରାମାଞ୍ଚଳମୁଖୀ ହେଉଥିବା ଅବସରରେ ଟେଲିଭିଜନ ବିଜ୍ଞାପନ ବ୍ୟୟ ବୃଦ୍ଧି ପାଇବା ସୁନିଶ୍ଚିତ । ତେବେ ତାହା କାହା ଭାଗରେ ପଡ଼ିବ ପ୍ରଶ୍ନବାଚୀ । ‘ଏଣ୍ଟର-ଟେନ’ ଟେଲିଭିଜନ ନେଟୱାର୍କର ‘ଦଙ୍ଗଲ ଟିଭି’ ଭଳି ଫ୍ରି-ଟୁ-ଏୟାର ଏକକ ଟେଲିଭିଜନ ସଂସ୍ଥାଗୁଡ଼ିକ ନିଜ କାର୍ଯ୍ୟକ୍ରମ ପ୍ରଯୋଜନାରେ ସର୍ଜନଶୀଳ ହୋଇପାରିଲେ ଦର୍ଶକ ସଂଖ୍ୟା ଓ ବିଜ୍ଞାପନ ଆୟ ବୃଦ୍ଧିରେ ପର୍ଯ୍ୟବସିତ ହେବା ଆଶା କରାଯାଇପାରେ ।     

Related Post