ଆଜିର ଖାସ ଖବର
Mon. Jul 27th, 2026

ଚଳଚ଼ିତ୍ର ‘ପ୍ରତୀକ୍ଷା’ ଓ କ୍ଷଦ୍ରଗଳ୍ପ ‘ବାପା’

By Dainikasha Jul11,2024

ନଭେମ୍ୱର ୨୦ ରୁ ୨୮ ତାରିଖ ମଧ୍ୟରେ ଗୋଆଠାରେ ଅନୁଷ୍ଠିତ ୫୩ତମ ଭାରତୀୟ ଆନ୍ତର୍ଜାତିକ ଚଳଚ଼ିତ୍ର ଉତ୍ସବର ପାନୋରମା ଶୃଙ୍ଖଳରେ ଓଡ଼ିଶା ଚଳଚ଼ିତ୍ର ‘ପ୍ରତୀକ୍ଷା’ ପ୍ରଦର୍ଶନ ଓଲିଉଡ଼ର ୨୦୨୨ ବାର୍ଷିକ ପଞ୍ଜିକାରେ ଏକ ଉଲ୍ଲେଖନୀୟ ସାଫଲ୍ୟ । ନଭେମ୍ୱର ୨୨ ତାରିଖ ରାତି ଘ ୮.୪୫ ମି.ରେ ପାଞ୍ଜିମର ଆଇନକ୍ସ ପ୍ରେକ୍ଷାଳୟରେ ଚଳଚ଼ିତ୍ରଟି ପ୍ରଦର୍ଶିତ ହୋଇଥିଲା । ତା’ ପରଦିନ ଚଳଚ଼ିତ୍ର ଉତ୍ସବ ଆୟୋଜକଙ୍କ ପକ୍ଷରୁ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀ ‘ଟେବଲ-ଟକ’ରେ ‘ପ୍ରତୀକ୍ଷା’ ଚଳଚ଼ିତ୍ରର ପ୍ରଯୋଜକ ଓ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ଓ ମୁଖ୍ୟ ଅଭିନେତା ଦୀପନ୍ୱିତ ଦାସମହାପାତ୍ର ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଚଳଚ଼ିତ୍ର ନିର୍ମାଣ ପୃଷ୍ଠଭୂମି ସଂପର୍କରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ନଭେମ୍ୱର ୨୨ରେ ପାନୋରମାରେ ପ୍ରଦର୍ଶିତ ଅନ୍ୟ ଦୁଇ ହିନ୍ଦି ଚଳଚ଼ିତ୍ର ‘ସିଆ’ର ନିର୍ଦ୍ଦେଶକ ମନୀଷ ମୁନ୍ଦ୍ରା ଓ ‘ଦି କାଶ୍ମୀର ଫାଇଲ୍ସ’ର ମୁଖ୍ୟ ଅଭିନେତା ଅନୁପମ ଖେର ଓ ପ୍ରଯୋଜକ ଅଭିଷେକ ଅଗ୍ରୱାଲ ମଧ୍ୟ ଏହି ଟେବଲ-ଟକର ସହଭାଗୀ ଥିଲେ । କାର୍ଯ୍ୟକ୍ରମର ଏକ ଘଣ୍ଟାରୁ ଉର୍ଦ୍ଧ୍ୱ ଅବଧିର ଧାରାବିବରଣୀ ଭିଡ଼ିଓ ପ୍ରେସ ବ୍ୟୁରୋ ଅଫ ଇଣ୍ଡିଆର ୟୁ-ଟ୍ୟୁବ ଚ୍ୟାନେଲରେ ଉପଲବ୍ଧ ।

ଏହି ଅବସରରେ ଅନୁପମ ଖେର ‘ପ୍ରତୀକ୍ଷା’ର ଭୂୟସୀ ପ୍ରଶଂସା କରିଥିଲେ । ଚଳଚ଼ିତ୍ରଟିର କାହାଣୀ ତାଙ୍କୁ ପ୍ରଭାବିତ କରିଥିବା ପ୍ରକାଶ କରିଥିଲେ । ଘୋଷଣା କରିଥିଲେ ଯେ ‘ପ୍ରତୀକ୍ଷା’ର ହିନ୍ଦି ରୂପାନ୍ତର ସେ ନିଜେ ପ୍ରଯୋଜନା କରିବେ ଏବଂ ବାପା ଭୂମିକାରେ ଅଭିନୟ କରିବା ନିମନ୍ତେ ଆଗ୍ରହୀ । ଏହି ବାବଦରେ ଚୁକ୍ତି ଅର୍ଥ ଆକାରରେ ମଞ୍ଚରେ ନିଜ ମନିପର୍ସରୁ ଏଗାର ଶହ ଟଙ୍କା ଖୋଜି ବାହାର କରି ନିର୍ମାତା-ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କୁ ପ୍ରଦାନ କରିଥିଲେ । ଏହି ଘଟଣାଟି ଓଡ଼ିଆ ଚଳଚ଼ିତ୍ରପ୍ରେମୀଙ୍କ ପାଇଁ ଭାବାବେଗର ଦୃଶ୍ୟ । ଓଡ଼ିଆ ଗଣମାଧ୍ୟମ ଓ ସୋସିଆଲ ମିଡ଼ିଆରେ ଏହାର ବ୍ୟାପକ ଚର୍ଚ୍ଚା ହୋଇଥିଲା ।

ଅନୁପମ ଖେର ବଲଉଡ଼ର ପ୍ରତିଷ୍ଠିତ କଳାକାର । ସେ ୫୩୨ଗୋଟି ଚଳଚ଼ିତ୍ରରେ ଅଭିନୟ କରିଛନ୍ତି । ନ୍ୟାସନାଲ ସ୍କୁଲ ଅଫ ଡ୍ରାମାର ସ୍ୱର୍ଣ୍ଣ ପଦକପ୍ରାପ୍ତ ବିଦାର୍ଥୀ ଏବଂ ପୁଣେର ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଟିଉଟ ଅଫ ଇଣ୍ଡିଆର ପ୍ରାକ୍ତନ ଅଧ୍ୟକ୍ଷ । ସେ ଜଣେ ଜାତୀୟବାଦୀ କଳାକାରଭାବେ ପରିଚ଼ିତ ଏବଂ ‘ଦି କାଶ୍ମୀର ଫାଇଲ୍ସ’ରେ ନିପୂଣ ଅଭିନୟ ପାଇଁ ଖ୍ୟାତ । ଅନୁପମ ଖେର ‘ପ୍ରତୀକ୍ଷା’ରେ ବାପା ଓ ପୁଅ ମଧ୍ୟରେ ଅବ୍ୟକ୍ତ ସ୍ନେହର ବାର୍ତ୍ତା ପ୍ରତିଫଳନର ପ୍ରଶଂସା କରିଥିଲେ । ଅନୁପମ ପଟ୍ଟନାୟକ ସୂଚାଇଥିଲେ ଯେ ଓଡ଼ିଆ କ୍ଷୁଦ୍ରଗଳ୍ପ ଲେଖକ ଗୌରହରି ଦାସଙ୍କ ଦୁଇ ତିନି ପୃଷ୍ଠା ଅବୟବର କାହାଣୀ ଆଧାରିତ ‘ପ୍ରତୀକ୍ଷା’ର ଚ଼ିତ୍ରନାଟ୍ୟ ଓ ସଂଳାପ ରୋଷନ ବିଷୋୟୀ ପ୍ରସ୍ତୁତ କରିଛନ୍ତି ।

ମହାମାରୀ-ପର ପରିବର୍ତ୍ତିତ ପରିବେଶ ‘ନ୍ୟୂ-ନରମାଲ’ରେ ଓଡ଼ିଆ ଚଳଚ଼ିତ୍ର ଶିଳ୍ପ ନିର୍ମାଣ, ପ୍ରଦର୍ଶନ, ବ୍ୟବସାୟ, ଶ୍ରମ ସଂସ୍ଥାନ ଓ ସାମାଜିକ ପ୍ରଭାବ ସମସ୍ତ ଦିଗରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ସମୟରେ ନଭେମ୍ୱର ଓ ଡ଼ିସେମ୍ୱର ୨୦୨୨ରେ ଦୁଇଗୋଟି ଓଡ଼ିଆ ଚଳଚ଼ିତ୍ର ‘ଦମନ’ ଓ ‘ପ୍ରତୀକ୍ଷା’ର ଶୁଭମୁକ୍ତି ଏବଂ ଅନ୍ତତଃପକ୍ଷେ କଳାତ୍ମକ ସଫଳତା ଓଲିଉଡ଼ରେ ଆଶା ସଂଚାର କରଛି । ‘ଦମନ’ ଉପାନ୍ତ ଓଡ଼ିଶାରେ ଏକ ସତ୍ୟଘଟଣାକୁ ନେଇ ଗଢ଼ିଉଠିଥିବା ସ୍ଥଳେ ‘ପ୍ରତୀକ୍ଷା’ର ମୂଳ ଉତ୍ସ ଏକ କ୍ଷୁଦ୍ରଗଳ୍ପ । ପ୍ରତିବେଶୀ ଚଳଚ଼ିତ୍ରର ଅନ୍ଧ ଅନୁବାଦ ଅପବାଦରେ ନିନ୍ଦିତ ଓଲିଉଡ଼ ସିନେମା ମୌଳିକ ରଚ଼ନା ଆଶ୍ରିତ ହୋଇଥିବାରୁ ଦର୍ଶକୀୟ ସ୍ୱୀକୃତି ଲାଭ କରିଥିବା ସୁସ୍ପଷ୍ଟ । ଦୁଇ ଚଳଚ଼ିତ୍ରର ଚ଼ିତ୍ରନାଟ୍ୟ ଲେଖକଙ୍କୁ ଏଥିପାଇଁ ଶ୍ରେୟ ଦେବା କଥା ।

‘ପ୍ରତୀକ୍ଷା’ର ପ୍ରଯୋଜନା ସଂସ୍ଥା ଅମୀୟ ପଟ୍ଟନାୟକ ପ୍ରୋଡ଼କସନ୍ସର ଉତ୍ସ ଅମୀୟ ପଟ୍ଟନାୟକ ଓଡ଼ିଆ ଚଳଚ଼ିତ୍ର ପ୍ରଯୋଜନା କ୍ଷେତ୍ରରେ ତିନି ଦଶନ୍ଧିରୁ ଉର୍ଦ୍ଧ୍ୱ କାଳଧରି ସଂପୃକ୍ତ ଥିଲେ । ଏହି ସମୟସୀମାରେ ଓଡ଼ିଆ ଚଳଚ଼ିତ୍ରର ଉନ୍ନତି ଓ ଅବନତି ଉଭୟ ଅନ୍ତର୍ଭୁକ୍ତ । ଓଲିଉଡ଼ରୁ ଦ୍ୱି-ଭାଷୀ, ତ୍ରି-ଭାଷୀ ଚଳଚ଼ିତ୍ର ବ୍ୟବସାୟ ପାଇଁ ସେ ସାହାସ କରିଥିଲେ । ତାଙ୍କରି ପ୍ରଥମ ଚଳଚ଼ିତ୍ର ‘ହାକିମ ବାବୁ’ (୧୯୮୫) କଥାକାର ବିଭୂତି ପଟ୍ଟନାୟକଙ୍କ ଲେଖାକୁ ନେଇ ଗଢ଼ି ଉଠିଥିବା ସ୍ଥଳେ ଶେଷ ଚଳଚ଼ିତ୍ର ‘ତୁଳସୀ ଅପା’(୧୯୧୭) ଖ୍ୟତନାମା ଜୀବତ ଜନଜାତି ସମାଜସେବୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଜୀବନୀ ଆଧାରିତ ଥିଲା । ତୁଳସୀ ଅପା ଭୂମିକାରେ ସେ ହାଇଦରାବାଦରେ ଆଇଟି ପ୍ରଫେସନାଲ ଭାବେ ଅବସ୍ଥାପିତ ଇଞ୍ଜିନିୟର ବର୍ଷା ନାୟକଙ୍କୁ ଅଭିନୟ ନିମନ୍ତେ ସୁଯୋଗ ଦେଇଥିଲେ । ପାଞ୍ଚ ବର୍ଷ ପରେ ‘ପ୍ରତୀକ୍ଷା’ରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ବର୍ଷା ଅବତୀର୍ଣ୍ଣ ହୋଇଛନ୍ତି । ଅମୀୟ ପଟ୍ଟନାୟକଙ୍କ ୨୦୧୮ରେ ଦେହାନ୍ତ ହୋଇଥିଲା । ସେତେବେଳକୁ ‘ପ୍ରତୀକ୍ଷା’ର ଚ଼ିତ୍ରନାଟ୍ୟ ରଚ଼ନା ସ୍ତରରେ ଥିଲା ।

‘ପ୍ରତୀକ୍ଷା’ ଚଳଚ଼ିତ୍ରଟି ‘ବାପା’ କ୍ଷୁଦ୍ରଗଳ୍ପ ଦ୍ୱାରା ପ୍ରଭାବିତ ‘ଇନସ୍ପାୟାଡ଼’ ବୋଲି ଘୋଷିତ । ଫଳରେ ମୂଳ କ୍ଷୁଦ୍ରଗଳ୍ପଟିର ବର୍ଣ୍ଣନାରେ ବ୍ୟାପକ ପରିବର୍ତ୍ତନ ନିମନ୍ତେ ଦ୍ୱାର ଉନ୍ମୁକ୍ତ ରହିଥିଲା । ପ୍ରଥମତଃ, ‘ବାପା’ ନାମ ‘ପ୍ରତୀକ୍ଷା’ରେ ରୂପାନ୍ତରିତ ହୋଇଛି । ଦ୍ୱିତୀୟତଃ, ‘ବାପା’ର କାହାଣୀ ଓଡ଼ିଶାର ଯେକୌଣସି ଏକ ସହରରେ, ବିଶେଷକରି ଶିଳ୍ପାଞ୍ଚଳରେ ଗଢ଼ି ଉଠିଥିବା ସ୍ଥଳେ ‘ପ୍ରତୀକ୍ଷା’ ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହୋଇଛି । ତୃତୀୟତଃ, କ୍ଷୁଦ୍ରଗଳ୍ପରେ ନାୟକଙ୍କ ବାପା ଏକ କମ୍ପାନୀ ଚାକିରୀରେ ଅବସ୍ଥାପିତ ଥିବା ବେଳେ ଚଳଚ଼ିତ୍ରରେ ସରକାରୀ କର୍ମଚାରୀ । ଚ଼ତୁର୍ଥତଃ, କ୍ଷୁଦ୍ରଗଳ୍ପରେ ଆଦର୍ଶଗତ କାରଣରୁ ବାପା ଓ ପୁଅ ସଂପର୍କରେ ବ୍ୟାପକ ଅନ୍ତର ଦୈନନ୍ଦିନ ଜୀବନରେ ପ୍ରତିଫଳିତ ହେଉଥିବା ସ୍ଥଳେ ଚ଼ଳଚ଼ିତ୍ରରେ ସହଜରେ ବାରି ହୁଏ ନାହିଁ । ପଞ୍ଚମରେ କ୍ଷୁଦ୍ରଗଳ୍ପ ଶେଷରେ ନାୟକଙ୍କ ବାପା ମୃତ୍ୟୁ ମୁଖରେ ପଡ଼ିଥିବା, ତାହାର ପ୍ରେମିକା ଅନ୍ୟତ୍ର ବିବାହ କରି ଚାଲିଯାଇଥିବା ଏବଂ ନିଜେ ସରକାରୀ ଚାକିରୀ ଅନ୍ୱେଷଣରେ ହିଁ ଅଟକି ଯାଇଥିବା ସ୍ଥଳେ ଚଳଚ଼ିତ୍ରରେ ଭିନ୍ନ ରୂପାଙ୍କନ ହୋଇଛି ।

କ୍ଷୁଦ୍ରଗଳ୍ପ ଓ ଚ଼ିତ୍ରନାଟ୍ୟ ଉଭୟ କଳ୍ପନା ପ୍ରସୂତ, ତେଣୁ ବର୍ଣ୍ଣନାରେ ତାରତମ୍ୟକୁ ଦୋଷ ଦେଇ ହେବ ନାହିଁ । ତେବେ ସୃଜନରେ ଲେଖକର ଦୃଷ୍ଟିକୋଣ ଓ ଆବେଗ ପରିବର୍ତ୍ତନ ସ୍ରୋତରେ ଚଳଚ଼ିତ୍ରରେ ନିଷ୍ପ୍ରଭ ହୋଇଯିବାର ସଂଭାବନ ଅବଶ୍ୟ ରହିଥାଏ । ଲେଖକ ନାୟକ ସଂଜୟ ଜୀବନରେ ସମାଜର ସବୁତକ ଆବିଳତା ଠୁଳ କରିଦେଇଥିଲେ । କ୍ଷୁଦ୍ରଗଳ୍ପର ପ୍ରଥମ ଧାଡ଼ି, “ନିଜ ଘର ଭିତରକୁ ପଶି ଆସିଲେ ସଂଜୟର ବାନ୍ତି ଉଠେଇ ଆସେ ।” ପରବର୍ତ୍ତୀ ଧାଡ଼ିଗୁଡ଼ିକରେ “ସଂଜୟର ନିଜ ଘରେ ରହିବା ପାଇଁ ଆଦୌ ଆତ୍ମା ଡ଼ାକେ ନାହିଁ । ସେ ଘରର ଚାରି ପଟେ ଅଭାବ, ଅପମାନ ଓ ଅସହାୟତା । ଅଥଚ ଘରକୁ ଛାଡ଼ି କୁଆଡ଼େ ଯାଇପାରେ ନାହିଁ ।” ତା କଲେଜପଢ଼ା ଦିନର ପ୍ରେମିକା ଅନ୍ୟତ୍ର ବିବାହ କରିଚାଲିଯାଇଥାଏ । ତେବେ ସେହି ଘଟଣାଟିକୁ ସେ ଉଦାର ଚ଼ିତ୍ତରେ ଗ୍ରହଣ କରିନିଏ, “ସେଥିପାଇଁ ସେ କଲ୍ୟାଣୀକୁ ଦୋଷ ଦିଏ ନାହିଁ । ସେ ପ୍ରାକ୍ଟିକାଲ ଝିଅ । ସ୍ୱପ୍ନକୁ ନେଇ ବଞ୍ଚିବା ତା’ ପାଇଁ ଅର୍ଥହୀନ ।”

ସମକାଳୀନ ଓଡ଼ିଶାରେ ସ୍ଥାୟୀ ଶ୍ରମନିଯୁକ୍ତି ଅନ୍ୱେଷଣରେ ଥିବା ଶିକ୍ଷିତ ଯୁବ ସଂପ୍ରଦାୟର ପ୍ରତିକୂଳ ପରିସ୍ଥିତି ଓ ପରିବେଶରେ ସହାବସ୍ଥାନର ବିଭତ୍ସ ଚ଼ିତ୍ରାଙ୍କନ ହୁଏତ କ୍ଷୁଦ୍ରଗଳ୍ପଟିର ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ ଦିଗ । କ୍ଷୁଦ୍ରଗଳ୍ପ ବର୍ଣ୍ଣନାରେ ସଂଜୟର ବ୍ୟବସ୍ଥା ସହ ସାଲିସ ଅମାନବୀୟ ସ୍ତରକୁ ସଂପ୍ରସାରିତ । “କିନ୍ତୁ ବାପା ଯଦି ଶୀଘ୍ର ମରିଯାଆନ୍ତେ । ମାନେ ଏହି ସପ୍ତାହେ ଦି ସପ୍ତାହ ଭିତରେ ଯଦି ସେ ଆଖି ବୁଜି ଦିଅନ୍ତେ । ତା’ହେଲେ ସଂଜୟର କମ୍ପାନୀ ଚାକିରି ପାଇବାଟା ପକ୍କା ହୋଇଯାଆନ୍ତା । ଥରେ ଚାକିରିଟା ପାଇଗଲେ ଧାର କରଜ କରି ସେ ବାପାଙ୍କ ଶୁଦ୍ଧିଘର କାମ ସାରିନିଅନ୍ତା । ତାଙ୍କର ଅସ୍ଥି ବିସର୍ଜନ କରନ୍ତା ପ୍ରୟାଗରେ । ମାଆକୁ ତୀର୍ଥ ଯାତ୍ରା ସ୍ପେଶାଲ ଟ୍ରେନରେ ପଠାନ୍ତା । ସୁଶୀଳାର ବର ନାଁରେ ମୋକଦ୍ଦମା ଦାୟର କରନ୍ତା ମହିଳା କମିସନରେ । ସାନ ଭଉଣୀକୁ ଭଲ ବର ଦେଖି ବାହା ଦିଅନ୍ତା । ବାପାଙ୍କର ବାକିଆ କାମ ସବୁ ତୁଲେଇ ସାରିବାପରେ ସେ ନିଜ ପାଇଁ ସ୍ୱପ୍ନଟେ ଦେଖନ୍ତା, ଯେଉଁ ସ୍ୱପ୍ନକୁ ସେ ବର୍ଷ ବର୍ଷ ଧରି ନିଜ ଛାତି ଭିତରେ ଲୁଚ଼େଇ ରଖିଛି ।”

କ୍ଷୁଦ୍ରଗଳ୍ପରେ ସଂଜୟ ‘ନାୟକ’ ନା ‘ଖଳ-ନାୟକ’ ବା ‘ହିରୋ’ ନା ‘ଆଣ୍ଟି-ହିରୋ’ ପାଠକର ଦୃଷ୍ଟିଭଙ୍ଗୀ ଉପରେ ନିର୍ଭରଶୀଳ । ସ୍ଥୁଳ ବିଚାରରେ କ୍ଷୁଦ୍ରଗଳ୍ପରେ ସଂଜୟ ‘ଆଣ୍ଟି-ହିରୋ’ ହେଲେ ଚଳଚ଼ିତ୍ରରେ ‘ହିରୋ’ କି ? ଅନୁପମ ପଟ୍ଟନାୟକ କହିଛନ୍ତି ଯେ ଚ଼ିତ୍ରନାଟ୍ୟ ପ୍ରସ୍ତୁତିରେ ରୋଷନ ବିଷେୟୀଙ୍କ ସହ ସେ ଦେଢ଼ ବର୍ଷ ବିନିଯୋଗ କରିଛନ୍ତି । ପନ୍ଦର ଥର ଡ୍ରାଫଟ ବଦଳା ଯାଇଛି । ଏହା ସ୍ୱାଗତଯୋଗ୍ୟ । ଏଥିସହ ‘ପ୍ରତୀକ୍ଷା’ ପୋଷ୍ଟ-ପ୍ରଡ଼କସନ କାର୍ଯ୍ୟ ଚ଼େନ୍ନାଇ ଓ ମୁମ୍ୱାଇରେ ସମାପନ ହୋଇଛି ଏବଂ ଚଳଚ଼ିତ୍ର ସୁଟିଂ ପାଇଁ ଷ୍ଟୁଡ଼ିଓକୁ ଯାଇନାହିଁ । ପ୍ରାୟ ଷାଠିଏ ପ୍ରତିଶତ ପ୍ରତିଭା ନବାଗତ- ଏହି ସବୁ ପଦକ୍ଷେପ ସମକାଳରେ ଗୁରୁତ୍ୱବହନ କରେ । ତେବେ ବ୍ୟବସାୟ ପାଇଁ ସେ ଯେ ପ୍ରେକ୍ଷାଳୟ ପ୍ରଦର୍ଶନଉପରେ ନିର୍ଭର କରୁଛନ୍ତି, ଦୀର୍ଘ ସମୟ ପାଇଁ ଡ଼ିଜିଟାଲ ମଞ୍ଚକୁ ନଛାଡ଼ିବା ଲାଗି ଘୋଷଣା କରିଛନ୍ତି – ଏହା ଚଳନ୍ତି ପ୍ରବାହର ବିରୋଧ କରୁନାହିଁ କି ?

୫୩ ତମ ଭାରତୀୟ ଆନ୍ତର୍ଜାତିକ ଚଳଚ଼ିତ୍ର ଉତ୍ସବରେ ଅନୁପମ ଖେର କହିଥିଲେ ଯେ ଚଳଚ଼ିତ୍ରର ପରିଭାଷା ବଦଳିଛି । ଚଳଚ଼ିତ୍ର ପଦବାଚ୍ୟ ଚଳଚ଼ିତ୍ର ଭୌଗଳିକ ସୀମାପାର ଦର୍ଶକୀୟ ଆଦୃତି ଓ ବ୍ୟବସାୟ ସଂଭବ । ଓଡ଼ିଆ ଚଳଚ଼ିତ୍ର ଯଦି ସଙ୍କଟର ସମ୍ମୁଖୀନ ହୋଇଛି ତେବେ ବିଗତ ପଚାଶ ବର୍ଷର ଓଡ଼ିଆ ଚଳଚ଼ିତ୍ର ଶିଳ୍ପ ସହ ସଂପୃକ୍ତ ପ୍ରତିଭାଙ୍କ ମାନସିକତା ଏଥିପାଇଁ ଦାୟୀ । ପଡ଼ୋଶୀ ବଙ୍ଗଳାରେ ବିଂଶ ଶତାଦ୍ଦୀର ଶେଷ ଦୁଇ ଦଶକରେ ଅନୁରୂପ ସଂକଟ ଉପୁଜିଥିଲା, କିନ୍ତୁ ଏକବିଂଶ ଶତାଦ୍ଦୀର ପ୍ରଥମ ଦୁଇ ଦଶକରେ ତାହା ସଂଶୋଧିତ ହେଲା । ‘ପ୍ରତୀକ୍ଷା’  ଓ ‘ଦମନ’ ଓଡ଼ିଆ ଚଳଚ଼ିତ୍ର ଶିଳ୍ପରେ ପରିବର୍ତ୍ତନର ପ୍ରତିଶୃତି ବହନ କରୁଛି ବୋଲି ଏଠାକାର ଚଳଚ଼ିତ୍ର କର୍ମୀମାନେ ବିଶ୍ୱାସ କରିବାକୁ ଶୁଭଙ୍କର ସୂଚ଼ନା ରୂପେ ଧରିନିଆଯାଇପାରେ । ଏଣିକି ଓଡ଼ିଆ ଲେଖକମାନେ କ୍ଷୁଦ୍ରଗଳ୍ପ ଲେଖିବାବେଳେ ସ୍ଥିର କରି ନିଅନ୍ତୁ ଯେ ସେମାନଙ୍କ ଲେଖାଟି ମୁଦ୍ରିତ ହେବା ସଙ୍ଗେ ସର୍ଟଫିଲ୍ମ ବା ଫିଚ଼ରଫିଲ୍ମ ଭାବେ ଭିଡ଼ିଓ ସଂସ୍କରଣ ମଧ୍ୟ ପ୍ରକାଶନର ସଂଭାବନା ରହିଛି – ତେଣୁ ନିଷ୍ଠା ପ୍ରତିପାଳନ କରନ୍ତୁ । ସୃଜନରେ ଏହିଭଳି ସାମାନ୍ୟ ପରିବର୍ତ୍ତନର ଧାରା ଓଡ଼ିଆ ସଂସ୍କୃତି ପ୍ରସାରରେ ସୁଦୂରପ୍ରସାରୀ ପ୍ରଭାବ ପକାଇପାରିବ ।

Related Post