ମହାମାରୀ-ପର ଭାରତୀୟ ଗଣମାଧ୍ୟମ ପରିବେଶରେ ଲୋକପ୍ରିୟ ଟେଲିଭିଜନ ପ୍ରସାରକ ‘ଜୀ’ର ‘ସୋନୀ’ ସହ ମିଶ୍ରଣ ମାହାମାରୀ ପ୍ରଭାବିତ ବ୍ୟାବସାୟିକ ପୁନଃଗଠନର ପ୍ରଥମ ଦୃଷ୍ଟାନ୍ତ ଭାବେ ଗ୍ରହଣ କରାଯାଇପାରେ । ‘ଜୀ ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜର୍ସ ଲିମିଟେଡ଼’ର ପରିଚାଳନା ସମିତି ୨୦୨୧ ସେପ୍ଟେମ୍ୱର ଶେଷାର୍ଦ୍ଧରେ ‘ସୋନୀ ପିକଚ଼ର୍ସ ନେଟୱାର୍କ ଇଣ୍ଡିଆ’ ସହ ମିଶ୍ରଣ ନିମନ୍ତେ ନୀତିଗତ ନିଷ୍ପତ୍ତି ଗ୍ରହଣ କରିଥିଲେ ।
ଦେଶର ପ୍ରଥମ ଘରୋଇ ଟେଲିଭିଜନ ପ୍ରସାରକ ‘ଜୀ’ ୧୯୯୨ ମସିହାରେ ଗଣମାଧ୍ୟମ ଉଦ୍ୟୋଗୀ ସୁଭାଷ ଚନ୍ଦ୍ରାଙ୍କ ତତ୍ତ୍ୱାବଧାନରେ ଆତ୍ମପ୍ରକାଶ କରିଥିଲା । ବ୍ୟାବସାୟିକ ଋଣ ୧୩ ହଜାର କୋଟି ଟଙ୍କା ପରିଶୋଧ କରିବା ନିମନ୍ତେ ୨୦୧୯ରେ ନିଜ ଅଂଶଧନ ବିକ୍ରୀ କରି ପ୍ରତିଷ୍ଠାତା ଓହରିଯିବା ପରେ ‘ଜୀ’ ପକ୍ଷରେ ନିଜ ପ୍ରତିଯୋଗୀ ଟେଲିଭିଜନ ଚ୍ୟାନେଲ ସହ ମିଶ୍ରଣ ଏହାର ଇତିହାସରେ ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ।
ଟେଲିଭିଜନ ବ୍ୟବସାୟରେ ୨୦୨୧ ସୁଦ୍ଧା ବାର୍ଷିକ ୭,୭୩୦ କୋଟି ଟଙ୍କା ଆୟ କରୁଥିବା ‘ଜୀ’ ଭାରତର ଦ୍ୱିତୀୟ ବୃହତ ପ୍ରସାରକ ମାନ୍ୟତା ପାଉଥିବା ସ୍ଥଳେ ତୃତୀୟ ବୃହତ ‘ସୋନୀ’ର ବାର୍ଷିକ ଆୟ ପ୍ରାୟ ୫,୯୦୦ କୋଟି । ଦୁଇ ପ୍ରସାରକଙ୍କ ପ୍ରସ୍ତାବିତ ମିଶ୍ରଣ ପରେ ସୋନୀ-ଜୀର ବାର୍ଷିକ ଆୟ ୧୩,୬୩୦ କୋଟିରେ ପହଞ୍ଚିବ । ପ୍ରଥମ ସ୍ଥାନ ଅଧିକାର କରୁଥିବା ଡ଼ିସନୀ-ଷ୍ଟାରର ବାର୍ଷିକ ଆୟ ୧୪,୩୫୦ କୋଟି ।
ସେହିପରି ଦର୍ଶକ ସଂଖ୍ୟା ଦୃଷ୍ଟିରୁ ଡ଼ିସନୀ-ଷ୍ଟାର ୨୧ ପ୍ରତିଶତ, ‘ଜୀ’ ୧୯ ପ୍ରତିଶତ ଓ ‘ସୋନୀ’ ୯ ପ୍ରତିଶତ ଅକ୍ତିଆର କରିଥାନ୍ତି । ‘ଜୀ’ ଓ ‘ସୋନୀ’ ମିଶ୍ରଣ ପରେ ଏମାନଙ୍କ ଦ୍ୱାରା ପ୍ରସାରିତ କାର୍ଯ୍ୟକ୍ରମର ଦର୍ଶକ ଦେଶର ସମୁଦାୟ ଟେଲିଭିଜନ ଦର୍ଶକଙ୍କ ମଧ୍ୟରେ ୨୮ ପ୍ରତିଶତ ହିସାବ କରାଯିବ । ଅତଏବ ମୋଟ ଦର୍ଶକ ଦୃଷ୍ଟିରୁ ସୋନୀ-ଜୀ ଡ଼ିସନୀ-ଷ୍ଟାରକୁ ଅତିକ୍ରମ କରି ଶୀର୍ଷ ସ୍ଥାନରେ ପହଞ୍ଚିବେ ।
ମିଶ୍ରଣ ରାଜିନାମା ଅନୁଯାୟୀ ‘ଜୀ’ ନୂଆ ବ୍ୟବସାୟରେ ୪୭ ପ୍ରତିଶତ ଏବଂ ‘ସୋନୀ’ ୫୩ ପ୍ରତିଶତ ଅଂଶଧନ ଅଧିକାର କରିବେ । ବ୍ୟବସାୟ ପରିଚାଳନା ପରିଷଦ ‘ବୋର୍ଡ ଅଫ ଡ଼ାଇରେକ୍ଟରର୍ସ’ ଗଠନରେ ‘ସୋନୀ’ର ଆଧିପତ୍ୟ ରହିବା ସ୍ଥଳେ ‘ଜୀ’ର ପରିଚାଳନା ନିର୍ଦ୍ଦେଶକ ପୁନିତ ଗୋଏଙ୍କା ମିଶ୍ରିତ ବ୍ୟବସାୟରେ ମଧ୍ୟ ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟଭାର ତୁଲାଇବେ । ମିଶ୍ରଣ ପ୍ରକ୍ରିୟା ସହ ପ୍ରତିଯୋଗିତାରେ ଅବତୀର୍ଣ୍ଣ ନହେବା ସର୍ତ୍ତରେ ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ରାଙ୍କ ପରିବାରକୁ ‘ସୋନୀ’ ପକ୍ଷରୁ ଦୁଇ ପ୍ରତିଶତ ଅଂଶଧନ ପ୍ରତ୍ୟାର୍ପଣ କରାଯାଇ ସେମାନଙ୍କ ମୋଟ ଅଂଶଧନ ଚାରି ପ୍ରତିଶତରେ ପହୁଞ୍ଚାଇବାକୁ ଉଦ୍ୟମ କରାଯିବ । ଫଳରେ ‘ସୋନୀ’ ୫୧ ପ୍ରତିଶତ ଓ ‘ଜୀ’ ୪୯ ପ୍ରତିଶତ ଅଂଶଧନ ଭାଗୀଦାର ହେବେ । ସୁଭାଷ ଚନ୍ଦ୍ରା ପରିବାରଙ୍କ ଅଂଶଧନ ଭବିଷ୍ୟତରେ ୨୦ ପ୍ରତିଶତରୁ ଉର୍ଦ୍ଧ୍ୱ ସୀମା ଅତିକ୍ରମ କରିବ ନାହିଁ ।
ପ୍ରସ୍ତାବିତ ମିଶ୍ରଣ ନିମନ୍ତେ ‘କମ୍ପିଟେସନ କମିଶନ ଅଫ ଇଣ୍ଡିଆ’ ଓ ‘ସେବି’ର ମଞ୍ଜୁରି ଆବଶ୍ୟକ । ପ୍ରାଥମିକ ମିଶ୍ରଣ ପ୍ରକ୍ରିୟା ସାରିବା ନିମନ୍ତେ ୯୦ ଦିନର ମହଲତ ଉଭୟପକ୍ଷ ସ୍ୱୀକାର କରିଛନ୍ତି । ‘ଜୀ’ ଓ ‘ସୋନୀ’ର ମିଶ୍ରଣ ସମ୍ୱାଦ ପ୍ରଘଟ ପରେ ସେୟାର ବଜାରରେ ଅନୁକୂଳ ପ୍ରଭାବ ପରିଲକ୍ଷିତ ହୋଇଥିଲା । ‘ଜୀ’ର ସେୟାର ମୂଲ୍ୟ ୨୮୧ ଟଙ୍କାରୁ ତତ୍ କ୍ଷଣାତ ୩୫୦ ଟଙ୍କା, ପ୍ରାୟ ୩୨ ପ୍ରତିଶତ ବୃଦ୍ଧି ପାଇଥିଲା । ସେହିପରି ଅନ୍ୟାନ୍ୟ ଟେଲିଭିଜନ ଚ୍ୟାନେଲ ଏନଡ଼ିଟିଭିର ସେୟାର ମୂଲ୍ୟରେ ୧୦ ପ୍ରତିଶତ, ଟିଭି ୧୮ ଓ ବାଲାଜୀ ଟେଲିଫିଲ୍ମିସରେ ୬ ପ୍ରତିଶତରୁ ଅଧିକ ବୃଦ୍ଧି ହିସାବ କରାଯାଇଥିଲା । ଅର୍ଥାତ, ସାମଗ୍ରିକଭାବେ ଏହି ଭଳି ବ୍ୟାବସାୟିକ ପୁନଃଗଠନକୁ ନିବେଶକମାନେ ସ୍ୱାଗତ କରିଥିଲେ ।
ଗଣମାଧ୍ୟମ ସମୀକ୍ଷକମାନଙ୍କ ବିଶ୍ଳେଷଣରେ ପ୍ରଥମତଃ, ‘ଜୀ’ ଓ ‘ସୋନୀ’ର ମିଶ୍ରଣ ଉଦାହରଣ ଭାରତୀୟ ଗଣମାଧ୍ୟମ ପରିବେଶରେ ବ୍ୟାପକ ପୁନଃନିର୍ଦ୍ଧାରଣର ସଙ୍କେତ ପ୍ରଦାନ କରେ । ଗଣମାଧ୍ୟମ ଶିଳ୍ପର ବହୁ ତଥ୍ୟ ଗୋପନ ରଖାଯାଉଥିବା ହେତୁ ବ୍ୟବସାୟର ସ୍ଥିତାବସ୍ଥା ସହଜରେ ପରଖି ହୁଏନାହିଁ । କିନ୍ତୁ ପ୍ରଭାବ ଶକ୍ତ ହେବାପରେ ପ୍ରଘଟନ ହୋଇଥାଏ । ଭାରତୀୟ ଗଣମାଧ୍ୟମ ଶିଳ୍ପରେ ୨୦୦୩ରୁ ୨୦୦୮ ମଧ୍ୟରେ ବ୍ୟାପକ ନିବେଶ ଏବଂ ବହୁସଂଖ୍ୟକ ନୂତନ ମଞ୍ଚ ଆରମ୍ଭ ହୋଇଥିଲା । ଏଥିମଧ୍ୟରେ ଦୁର୍ବଳ ନିବେଶ ସଂଖ୍ୟା ଅଧିକ ।
ତେବେ ୨୦୦୮ରେ ମାର୍କିନ ଅର୍ଥନୀତିରେ ଅଚାନକ ମାନ୍ଦାବସ୍ଥାର ପ୍ରଭାବ ଆନ୍ତର୍ଜାତିକସ୍ତରରେ ଅନୁଭୂତ ହେବା ଅବସରରେ ସେଥିରୁ ଭାରତୀୟ ଗଣମାଧ୍ୟମ ବ୍ୟବସାୟର ଅର୍ଥନୀତି ମଧ୍ୟ ବାଦ ପଡ଼ିନଥିଲା । ଅବଶ୍ୟ ଅବକ୍ଷୟର ଧାରା ଅପେକ୍ଷାକୃତ ନରମ ଥିବା ଏବଂ ଭାରତୀୟ ଗଣମାଧ୍ୟମ ବ୍ୟବସାୟ ବହୁମୁଖୀ ଆୟ ଆଶ୍ରିତ ଥିବା ହେତୁ ପ୍ରକାଶ୍ୟରେ ମାନ୍ଦାବସ୍ଥା ଠଉରାଇ ଯାଇପାରୁନଥିଲା । ମହାମାରୀ-ପୂର୍ବାବସ୍ଥାରେ ଦୁର୍ବଳ ଅର୍ଥନୀତି ମହାମାରୀ କାଳରେ ତ୍ୱରାନ୍ୱିତ ହୋଇ ମହାମାରୀ-ପର ଅବସ୍ଥାରେ ଜରୁରି କାର୍ଯ୍ୟାନୁଷ୍ଠାନ ଆବଶ୍ୟକ କରୁଛି ।
ଦ୍ୱିତୀୟତଃ, ‘ଜୀ’ ଓ ‘ସୋନୀ’ର ମିଶ୍ରଣରେ ଯେଉଁ ପରମ୍ପରା ଆରମ୍ଭ ହୋଇଛି ତାହା ନିକଟ ଭବିଷ୍ୟତରେ ଜାତୀୟ ଓ ଆଞ୍ଚଳିକସ୍ତରରେ ବହୁ ଗଣମାଧ୍ୟମ ବ୍ୟବସାୟ ଏକତ୍ରୀକରଣ ‘କନସୋଲିଡ଼େସନ’ରେ ପ୍ରତିଫଳିତ ହେବ । ମହାମାରୀ ପ୍ରଭାବର ମୁକାବିଲା କରିବା ନିମନ୍ତେ ବିଭିନ୍ନ ମଞ୍ଚ କେବଳ ଖର୍ଚ୍ଚକାଟକୁ ଏକ ମାତ୍ର ଅସ୍ତ୍ରରୂପେ ବ୍ୟବହାର କରୁଥିବା ସ୍ଥଳେ ବାସ୍ତବକ୍ଷେତ୍ରରେ ବିଘ୍ନ ଅତିକ୍ରମ କରିବା ପାଇଁ ଅଧିକ ନିବେଶ ଆବଶ୍ୟକ କରିଥାଏ । ନିବେଶ ନିମନ୍ତେ ଆର୍ଥିକ ପ୍ରତିବନ୍ଧକ ଲାଗି ରହିଲେ ଏକତ୍ରୀକରଣ କିମ୍ୱା ଅଧିଗ୍ରହଣ ବିନା ଅନ୍ୟ ବିକଳ୍ପ ତତକ୍ଷଣାତ ଫଳବତୀ ହେବା ସମ୍ଭବପର ନୁହଁ । ଅପରପକ୍ଷେ ଦୁର୍ବଳ ଗଣମାଧ୍ୟମ ମଞ୍ଚ ଦୀର୍ଘଦିନ ବଞ୍ଚିରହିପାରେ ନାହିଁ ।
ଉଦାହରଣରେ, ମହାମାରୀ-ପର ଅବସ୍ଥାରେ ଭାରତୀୟ ମୁଦ୍ରଣ ଓ ଟେଲିଭିଜନ ସମ୍ୱାଦ ମଞ୍ଚରେ ବିଜ୍ଞାପନ ଆୟ ୩୫ ରୁ ୪୦ ପ୍ରତିଶତ କମି ଆସିଥିବା ଅବସରରେ ‘ଆଦାନୀ’ ଭଳି ବୃହତ ବ୍ୟାବସାୟିକ ପ୍ରତିଷ୍ଠାନ ଏନଡ଼ିଟିଭି ଟେଲିଭିଜନ ଚ୍ୟାନେଲକୁ ଅଧିଗ୍ରହଣ କରିନେଉଥିବା ଗୁଜବ ପ୍ରଚାରିତ ହୋଇଥିଲା । ଶେଷରେ ଏନଡ଼ିଟିଭିର ପ୍ରତିଷ୍ଠାତା ରାଧିକା ଓ ପ୍ରଣୟ ରାୟ ପ୍ରକାଶ୍ୟରେ ଏହା ଖଣ୍ଡନ କରିଥିଲେ ।
ଦେଶର ବୃହତ ଶିଳ୍ପ ସଂସ୍ଥା ରିଲାଏନ୍ସ, ବିରଳା ଭଳି ଆଦାନୀ ସମ୍ୱାଦମଞ୍ଚରେ ଅବତୀର୍ଣ୍ଣ ହେବା ପୂର୍ବାନୁମାନ ଜାରୀ ରହିଛି । ନିକଟରେ ସଞ୍ଜୟ ପାଗାଲିଆଙ୍କୁ ଆଦାନୀ ପ୍ରସ୍ତାବିତ ଗଣମାଧ୍ୟମ ମଞ୍ଚର ମୁଖ୍ୟ ପରିଚାଳକ ତଥା ମୁଖ୍ୟ ସଂପାଦକଭାବେ ନିଯୁକ୍ତ କରିଛି । ବହୁ ପାରମ୍ପରିକ ସମ୍ୱାଦ ମଞ୍ଚ ନିବେଶ ଅଭାବରୁ ଦୁର୍ବଳ ଅବସ୍ଥାରେ ପହଞ୍ଚିଥିବା ଏବଂ ବୈଦେଶିକ ସମ୍ୱାଦ ମଞ୍ଚଗୁଡ଼ିକ ଭାରତରେ ବ୍ୟବସାୟ ଆରମ୍ଭ ନିମନ୍ତେ ପ୍ରସ୍ତୁତ ହେଉଥିବା ଅବସରରେ ଆଦାନୀ ଏହି ସବୁ ସୁଯୋଗ ହାତଛଡ଼ା ନକରିପାରେ ବୋଲି ଆଲୋଚ଼ନା ହେଉଛି ।
ଗଣମାଧ୍ୟମ ମଞ୍ଚଗୁଡ଼ିକର ଏକତ୍ରୀକରଣ ଓ ଅଧିଗ୍ରହଣ ଫଳରେ ରୁଗଣପ୍ରାୟ ମଞ୍ଚଗୁଡ଼ିକରେ ପୁନଃନିବେଶ ତଥା ସଂସ୍କାର ଆଶା ତୃତୀୟ ମୁଖ୍ୟ ପରିବର୍ତ୍ତନ । ମୁମ୍ୱାଇସ୍ଥିତ ‘ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକନୋମି’ର ଏକ ହିସାବ ଅନୁଯାୟୀ ସେପ୍ଟେମ୍ୱର ୨୦୧୬ ରୁ ୨୦୨୧ ପାଞ୍ଚ ବର୍ଷ ମଧ୍ୟରେ ଭାରତୀୟ ଗଣମାଧ୍ୟମ ପରିସରରେ ୭୮ ପ୍ରତିଶତ ନିଯୁକ୍ତି ହାନୀ ଘଟିଛି । ସେପ୍ଟେମ୍ୱର ୨୦୧୬ ସୁଦ୍ଧା ୧୦ ଲକ୍ଷ ୩୦ ହଜାର କର୍ମଚାରୀ ଥିବା ସ୍ଥଳେ ସେପ୍ଟେମ୍ୱର ୨୦୨୧ରେ ଦୁଇ ଲକ୍ଷ ୩୦ ହଜାରକୁ କମି ଆସିଛି । ଏହା ଗଣମାଧ୍ୟମର ଗୁଣବତ୍ତା ପ୍ରତି ବିପଦ ସୃଷ୍ଟି କରିଛି ।
ଗଣମାଧ୍ୟମ, ମୁଖ୍ୟତଃ ସମ୍ୱାଦ ମଞ୍ଚ ଗଣତାନ୍ତ୍ରିକ ଶାସନ ପ୍ରକ୍ରିୟାରେ ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥାଏ । ସମ୍ୱାଦ ମଞ୍ଚ ଦୁର୍ବଳ ହେଲେ ତାହାର ସିଧାସଳଖ ପ୍ରଭାବ ପ୍ରଶାସନ ଓ ସରକାର ଉପରେ ପଡ଼ିଥାଏ । ସମାଜ ଥରେ ବିଶୃଙ୍ଖଳିତ ହୋଇପଡ଼ିଲେ ତାହାକୁ ସଜାଡ଼ିବା କାଠିକର ପାଠ । ଏଥିପ୍ରତି ନୀତିନିର୍ଦ୍ଧାରକମାନେ ସଜାଗ ରହିବା ଏକାନ୍ତ ଆବଶ୍ୟକ ।
ମହାମାରୀ ଗଣମାଧ୍ୟମ ପରିବେଶରେ ବିଘଟନ ସୃଷ୍ଟି କରିଥିଲେହେଁ ଏହାର ସକାରାତ୍ମକ ଦିଗ ବି ରହିଛି । ଉଭୟ ଜାତୀୟ ଓ ଆଞ୍ଚଳିକସ୍ତରରେ ବିଗତ ଦୁଇ ଦଶକରେ ଗଣମାଧ୍ୟମ କ୍ଷେତ୍ରରେ ଯେଉଁ ଅବାଞ୍ଛିତ ସଂପ୍ରସାରଣ ହୋଇଥିଲା ତାହା ମହାମାରୀ-ପର ଅବସ୍ଥାରେ ଏକତ୍ରୀକରଣ ଓ ଅଧିଗ୍ରହଣ ଦ୍ୱାରା ସଂକୁଚିତ କରିବା ସୁଯୋଗ ଉପନୀତ । ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକ ବୈଷୟିକ ପ୍ରଗତିର ପ୍ରତିଯୋଗିତା ମଧ୍ୟ କରିବାକୁ ପଡୁଛି । ଏହି ଅବସରରେ ଗଣମାଧ୍ୟମରେ ଉତ୍କର୍ଷହିଁ ଏକମାତ୍ର ସଞ୍ଜିବନୀ ବିଶ୍ୱାସ କରାଯାଇପାରେ ।
