ଆଜିର ଖାସ ଖବର
Sun. May 31st, 2026

ଜୀ’ ନିବେଶରୁ ପୁଞ୍ଜି ପ୍ରତ୍ୟାହାର

By Dainikasha Jul11,2024

‘ଜୀ ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜର୍ସ’ ଭାରତର ସର୍ବବୃହତ୍ତ ଗଣମାଧ୍ୟମ ମଞ୍ଚର ମାନ୍ୟତା ପାଇଥାଏ । ଜୀ ଟେଲିଭିଜନର ସତ୍ତ୍ୱାଧିକାରୀ ଜୀ ମିଡ଼ିଆ ସହ ଡ଼ିସଟିଭି, ସିଟିକେବଲ ଇତ୍ୟାଦି ବ୍ୟବସାୟ ଏହି ମଞ୍ଚର କର୍ତ୍ତୃତ୍ୱାଧୀନ । ସୁଭାଷ ଚ଼ନ୍ଦ୍ର ଓ ତାଙ୍କରି ପରିବାର ଜୀ ଗୃପର ମୁଖ୍ୟ ନିବେଶକ । ସେମାନଙ୍କ ଅଂଶଧନର ପରିମାଣ ପ୍ରାୟ ୪୧.୬ ପ୍ରତିଶତ । ୨୦୧୮ ନଭେମ୍ବର ପ୍ରଥମ ସପ୍ତାହରେ ସୁଭାଷ ଚ଼ନ୍ଦ୍ର ନିଜର ଅର୍ଦ୍ଧେକ ଅଂଶଧନ ୨୦.୮ ପ୍ରତିଶତ କେହି ସହଯୋଗୀ ନିବେଶକଙ୍କୁ ବିକ୍ରୀ କରିଦେବା ନିମନ୍ତେ ପ୍ରସ୍ତୁତ ହେଉଥିବା ପ୍ରକାଶ ପାଇଛି ।ଏହି ଘଟଣାକ୍ରମ ଭାରତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି ।

ବିଗତ କିଛି ବର୍ଷ ଧରି ଆଧୁନିକ ପ୍ରଯୁକ୍ତି କୌଶଳ ଉପଯୋଗ ଯୋଗୁଁ ବିଶ୍ୱବ୍ୟାପୀ ଗଣମାଧ୍ୟମ ପରିବେଶ ଦୃତ ବେଗରେ ପରିବର୍ତ୍ତିତ ହେବାରେ ଲାଗିଛି । ତେବେ ଭାରତ ଭଳି ଏସୀୟ ରାଷ୍ଟ୍ରଗୁଡ଼ିକରେ ପରିବର୍ତ୍ତନର ସ୍ରୋତ ପ୍ରଖର ନଥିବା ତଥା ପାରମ୍ପରିକ ଢ଼ାଞ୍ଚା ବଳବତ୍ତର ରହିଥିବା ବିଶ୍ୱାସ କରାଯାଉଥିଲା । କିନ୍ତୁ ଦେଶର ସର୍ବବୃହତ୍ତ ଗଣମାଧ୍ୟମ ମଞ୍ଚରେ ନିବେଶ ପ୍ରତ୍ୟାହାର ନିଷ୍ପତ୍ତି ତତ୍ତ୍ୱବିତମାନଙ୍କୁ ସମ୍ଭାବ୍ୟ ପରିବର୍ତ୍ତନ ପୁନଃନିର୍ଦ୍ଧାରଣ ଲାଗି ବାଧ୍ୟ କରିଛି ।

ଜୀ ଗୃପର ଅଧ୍ୟକ୍ଷ ସୁଭାଷ ଚ଼ନ୍ଦ୍ର ପ୍ରସ୍ତାବିତ ଅଂଶଧନ ଅପସାରଣକୁ ଏକ ସାଧାରଣ ବ୍ୟାବସାୟିକ ପ୍ରକ୍ରିୟା ଅଭିହିତ କରିଛନ୍ତି । ସେ କହୁଛନ୍ତି ଯେ ଟେଲିଭିଜନ, ପର୍ସନାଲ କମ୍ପୁଟର ଓ ମୋବାଇଲ ସମ୍ମିଳିତ ଭାବେ କ୍ରମଶଃ ଏକକ ମଞ୍ଚରେ ପରିଣତ ହେବାରେ ଲାଗିଛି । ଉପଭୋକ୍ତାମାନେ ମୂଲ୍ୟଯୁକ୍ତ ସେବା ‘ଓଭର-ଦି-ଟପ’ (ଓଟିପି) ସୁବିଧା ସୁଯୋଗ ଉପଭୋଗ ଲାଗି ଗ୍ରାହକ ଚ଼ାନ୍ଦା ନିମନ୍ତେ ପ୍ରସ୍ତୁତ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ନୂତନ କାରିଗରୀ କୌଶଳ ଉପଯୋଗ କରି ଟେଲିଭିଜନ ପ୍ରସାରଣ ଭଳି ପାରମ୍ପରିକ ମାଧ୍ୟମ ତୁଳନାରେ ‘ଓଟିପି’ ମାଧ୍ୟମରେ ଗ୍ରାହକ ପିଛା ଅଧିକ ରାଜସ୍ୱ ଆଦାୟ କରିବା ସୁଯୋଗ ଗ୍ରହଣ କରିବାକୁ ହେଲେ ଜୀ ଗୃପର ପୁନଃବିନ୍ୟାସ ନିତାନ୍ତ ଆବଶ୍ୟକ ।

ସୁଭାଷ ଚ଼ନ୍ଦ୍ରଙ୍କ ଦୃଷ୍ଟିରେ ଜୀ ଗୃପ ଭାରତ ସୀମାପାର କରି ଆନ୍ତର୍ଜାତିକ ବଜାରରେ ପ୍ରବେଶ କରିବା ସମୟ ଆସିଯାଇଛି । ନେଟଫ୍ଳିକ୍ସ, ଆମେଜନ ଭଳି ମଞ୍ଚ ଭାରତରେ ଆସ୍ଥାନ ଜମାଇବା ଆରମ୍ଭ କରିସାରିଥିବା ସ୍ଥଳେ ସ୍ଥାନୀୟ ମଞ୍ଚଗୁଡ଼ିକ ସେମାନଙ୍କ ସହ ମୁକାବିଲା କରିବା ନିମନ୍ତେ ନିଜର ଉପସ୍ଥିତି ବିସ୍ତୃତ କରିବା ଅପରିହାର୍ଯ୍ୟ । ନଚ଼େତ ପ୍ରତିଯୋଗିତାରେ ପଛରେ ପଡ଼ିଯିବା ସଂଭାବନାକୁ ଏଡ଼ାଇ ଦେଇ ହେବ ନାହିଁ । ଆନ୍ତର୍ଜାତିକସ୍ତରରେ ବ୍ୟବସାୟ ବିସ୍ତୃତି ନିମନ୍ତେ ନୂତନ ପ୍ରଯୁକ୍ତି କୌଶଳ ଉପଯୋଗ ଆବଶ୍ୟକ ଏବଂ ଏଥିନିମନ୍ତେ ନିବେଶ ସୁବିଧା ସୁଯୋଗ ସୃଷ୍ଟି କରିବାକୁ ପଡ଼ିବ ।

ଗଣମାଧ୍ୟମ ସମୀକ୍ଷକମାନେ ରିଲାଏନ୍ସର ପ୍ରସ୍ତାବିତ ଜିଓ-ଫାଇବର-ଟୁ-ଦି-ହୋମ ପ୍ରକଳ୍ପର ସମକକ୍ଷ ହେବା ନିମନ୍ତେ ଜୀ ଗୃପକୁ ବ୍ୟବସାୟ ନବୀକରଣ ନିମନ୍ତେ ବାଧ୍ୟ କରୁଛି ବୋଲି କହୁଛନ୍ତି । ଜିଓର ବିପୁଳ ନିବେଶର ସାମ୍ନା କରିବା ନିମନ୍ତେ ଜୀର ସମ୍ୱଳ ଅଭାବଥିବା ହେତୁ ଏକ ଅନ୍ତଃରାଷ୍ଟ୍ରୀୟ ସହଯୋଗୀ ଖୋଜୁଥିବା କାରଣ ଦର୍ଶାଯାଉଛି ।

କେବଲ ଟେଲିଭିଜନ ବିତରଣ କ୍ଷେତ୍ରରେ ଜିଓ ଡ଼େନ ନେଟୱାର୍କସ ଓ ହାଥ-ୱେ କେବଲ ଏଣ୍ଡ ଡ଼ାଟା ଅଧିଗ୍ରହଣପରେ ପ୍ରାୟ ଦୁଇ କୋଟି ଗ୍ରାହକ ସଂଗ୍ରହ କରିପାରିଛି । ଅପର ପକ୍ଷରେ ଜୀ ସିଟି କେବଲନିକଟରେ ମାତ୍ର କୋଟିଏ ୧୭ ଲକ୍ଷ ଗ୍ରାହକ ଉପଲବ୍ଧ । ଦେଶରେ ଇଣ୍ଟରନେଟ ମାଧ୍ୟମରେ ମୂଲ୍ୟଯୁକ୍ତ ସେବା ‘ଓଟିଟି’ମଞ୍ଚଗୁଡ଼ିକରେ ପ୍ରାୟ ୨୫ କୋଟି ଉପଭୋକ୍ତା ସାମିଲ ହୋଇସାରିଥିବା ତଥା ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ସେମାନଙ୍କ ସଂଖ୍ୟା ଦ୍ୱିଗୁଣିତ ହେବା ଆଶା କରାଯାଉଥିବା ସ୍ଥଳେ ରାଜସ୍ୱ ସଂଗ୍ରହ ନିମନ୍ତେ ଏହା ଏକ ବଳିଷ୍ଠ ମଞ୍ଚ ରୂପେ ଅବତୀର୍ଣ୍ଣ ହେବା ଆଶା କରାଯାଉଛି । ଜୀର ‘ଓଟିଟି’ ଜୀ୫ରେ ପ୍ରାୟ ଚ଼ାରି କୋଟି ୧୦ ଲକ୍ଷ ମାସିକ ଗ୍ରାହକ ହିସାବ କରାଯାଉଥିବେ ସ୍ଥଳେ ଜିଓ ଟିଭି ଲାଇଭରେ ମଧ୍ୟ ସମସଂଖ୍ୟକ ଗ୍ରାହକ ଅନ୍ତର୍ଭୁକ୍ତ । ଏହି ଭଳି ପ୍ରତିଯୋଗିତାପୂର୍ଣ୍ଣ ପରିବେଶରେ ଉଭୟେ ସଜାଗ ରହିବା ସ୍ୱାଭାବିକ ।

‘ନେଟଫ୍ଳିକ୍ସ’ର ସଫଳତା ଗଣମାଧ୍ୟମ ସମୀକ୍ଷକମାନଙ୍କୁ ବିସ୍ମିତ କରିଛି । ଚଳଚ଼ିତ୍ର ନିର୍ମାଣ କ୍ଷେତ୍ରରେ ପାରମ୍ପରିକଭାବେ ଧରାବନ୍ଧା ନିୟମକାନୁନ ଚଳି ଆସିଥିଲା । ତେବେ ତା’ ବଦଳରେ ସର୍ଜନଶୀଳତାକୁ ପ୍ରାଧାନ୍ୟ ଦେଇ ଚଳଚ଼ିତ୍ର ନିର୍ମାଣପରେ ଦର୍ଶକ ମହଲରେ ତାହା ଲୋକପ୍ରିୟତା ହାସଲ କରିବା ଦ୍ୱାରା ଚଳଚ଼ିତ୍ର ନିର୍ମାଣରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି । ୨୦୧୭ରେ ‘ନେଟଫ୍ଳିକ୍ସ’ ପକ୍ଷରୁ ୮୨ ଗୋଟି ଚଳଚ଼ିତ୍ର ଓ ୭୦୦ ଅଧ୍ୟାୟ ନୂତନ ପ୍ରଦର୍ଶନ ନିର୍ମାଣ କରାଯାଇଥିଲା । ଏହି ଚ୍ୟାନେଲ ୧୯୦ ଗୋଟି ରାଷ୍ଟ୍ରରେ ୧୩ କୋଟି ୭୦ ଲକ୍ଷ ଗ୍ରାହକ ସୃଷ୍ଟି କରିପାରିଛି । ଟେଲିଭିଜନ ପ୍ରସାରଣ କ୍ଷେତ୍ରରେ ‘ନେଟଫ୍ଳିକ୍ସ’ ଯେଉଁ ଉଦାହରଣ ସୃଷ୍ଟି କରିଛି ବିଶ୍ୱବ୍ୟାପୀ ଟେଲିଭିଜନ ଶିଳ୍ପ ଊଣାଅଧିକେ ପ୍ରଭାବିତ ହୋଇଛନ୍ତି ।

ଜୀ ନିକଟରେ ଅଧିକ ସଂଖ୍ୟକ ଚଳଚ଼ିତ୍ର ଡ଼ିଜିଟାଲ ପ୍ରଦର୍ଶନ ସତ୍ତ୍ୱ ଗଚ୍ଛିତ ରହିଛି । ଜୁନ ୨୦୧୮ରୁ ଜୁନ ୨୦୧୯ ମଧ୍ୟରେ ଜୀ ଛଅ ଗୋଟି ହିଟ ଚଳଚ଼ିତ୍ର କିଣିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରିଛି । ତେବେ ଜିଓ ଚଳଚ଼ିତ୍ର କିଣିବାରେ ଆଗ୍ରହ ପ୍ରକାଶ କରୁନାହିଁ । ଅପରପକ୍ଷେ ଜିଓ ‘ଏରୋସ ଇଣ୍ଟରନ୍ୟାସନାଲ’ରେ ୫ ପ୍ରତିଶତ ଓ ‘ବାଲାଜୀ ଟେଲିଫିଲ୍ମ’ରେ ୨୫ ପ୍ରତିଶତ ଅଂଶଧନ କ୍ରୟ କରିଛି । ଜିଓ ପକ୍ଷରୁ ‘ଜିଓ ମୁଭି’ ମାଧ୍ୟମରେ ନିଜେ ଚଳଚ଼ିତ୍ର ନିର୍ମାଣରେ ପ୍ରବେଶ କରିବା ଯୋଜନା ରଖିଛି । ଜୀ ମଧ୍ୟ ଚଳଚ଼ିତ୍ର ନିର୍ମାଣରେ ଅଭିଜ୍ଞ । ନିଜ ପ୍ରସାରଣ ମଞ୍ଚର ଗୁରୁତ୍ୱ ବୃଦ୍ଧି ନିମନ୍ତେ ଏମାନେ ଯଦି ‘ନେଟଫ୍ଳିକ୍ସ’ର ଉଦାହରଣ ଗ୍ରହଣ କରନ୍ତି ତେବେ ଭାରତୀୟ ଚଳଚ଼ିତ୍ରରେ ଗୁଣବତ୍ତା ବିକାଶ ନିମନ୍ତେ ପ୍ରଶସ୍ତ ସୁଯୋଗ ସୃଷ୍ଟି ହୋଇପାରିବ । ବିଶେଷ କରି ଆଞ୍ଚଳିକସ୍ତରରେ ବ୍ୟବସାୟ ପ୍ରସାର ଅବସରରେ ଭାରତୀୟ ଭାଷାଗୁଡ଼ିକରେ ଚଳଚ଼ିତ୍ର ନିର୍ମାଣ କ୍ଷେତ୍ରରେ ସୃଜନ ବିକାଶ ଲାଗି ପ୍ରୋତ୍ସୋହନ ମିଳିବ ।

ଜୀ ଅଧ୍ୟକ୍ଷ ସୁଭାଷ ଚ଼ନ୍ଦ୍ର ଭାରତୀୟ ଟେଲିଭିଜନ ପ୍ରସାରଣକୁ ଗୁରୁତ୍ୱ ଦେଉଛନ୍ତି । ସେ କହୁଛନ୍ତି ଯେ ୨୦୧୮ ସୁଦ୍ଧା ଦେଶର ୯୫ ପ୍ରତିଶତ ଟେଲିଭିଜନ ଉପଭୋକ୍ତାଙ୍କ ପରିବାରରେ ମାତ୍ର ଗୋଟିଏ ସେଟରେ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୁଏ ।‘ଓଟିଟି’ ବ୍ୟବହାର ଲାଗି ଉପଭୋକ୍ତାମାନଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ । ଏହି ପରିପ୍ରେକ୍ଷୀରେ ଭାରତର ପାରମ୍ପରିକ ଟେଲିଭିଜନ ପ୍ରସାରଣ ବ୍ୟବସାୟର ନବୀକରଣ ସମ୍ଭବ, କିନ୍ତୁ ପ୍ରସାରଣ ବ୍ୟବସ୍ଥାରେ ଆମୂଳଚୁଳ ପରିବର୍ତ୍ତନ ଅସଂଭବ । ହିସାବ କରି କୁହାଯାଉଛି ଯେ କେବଲ ଟେଲିଭିଜନ ପ୍ରସାରଣ ନିମନ୍ତେ ସାଧାରଣ ଉପଭୋକ୍ତା ମାସିକ ୨୦୦ ରୁ ୨୫୦ ଖର୍ଚ୍ଚ କରୁଥିବା ସ୍ଥଳେ ‘ଓଟିଟି’ ବ୍ୟବହାର ଲାଗି ଫିକ୍ସଡ଼ ବ୍ରଡ଼ବ୍ୟାଣ୍ଡ ସଂଯୋଗ ମାସିକ ୮୦୦ ରୁ ୧,୦୦୦ ଗ୍ରାହକ ଚ଼ାନ୍ଦା ଆବଶ୍ୟକ । ଗ୍ରାମାଞ୍ଚଳ ଉପଭୋକ୍ତାଙ୍କ ଆର୍ଥିକ ସ୍ଥିତି ଅଧିକ ଖର୍ଚ୍ଚ ଅନୁକୂଳ ହେବନାହିଁ ।

ଜୀ ନିବେଶରୁ ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତି ଘଟଣାରୁ ସ୍ୱଷ୍ଟ  ହୋଇଛି ଯେ ଭାରତରେ ‘ଓଟିଟି’ ବଜାର ମଙ୍ଗ ଧରିଲାଣି ଏବଂ ସ୍ଥାନୀୟ ଗଣମାଧ୍ୟମ ମଞ୍ଚଗୁଡ଼ିକ ସେଦିଗରେ ଯତ୍ନବାନ ହେବା ଆରମ୍ଭ କରିଛନ୍ତି । ତେବେ ପାରମ୍ପରିକ କେବଲ ଟେଲିଭିଜନ ବ୍ୟବସାୟ ମଜଭୁତ ରହିବ ଏବଂ ସେଥିଲାଗି କାର୍ଯ୍ୟକ୍ରମ ପ୍ରଯୋଜନାରେ ଗୁଣାତ୍ମକ ବିକାଶ ସମ୍ଭବ । ଅନ୍ତଃରାଷ୍ଟ୍ରୀୟ ଟେଲିଭିଜନ ସେବା ଭାରତରେ ଲୋକପ୍ରିୟତା ହାସଲ କରୁଥିବା ଅବସରରେ ସ୍ଥାନୀୟ ପ୍ରଯୋଜକମାନେ ମଧ୍ୟ ସେମାନଙ୍କ ସହ ମୁକାବିଲା କରିବା ନିମନ୍ତେ ସୀମାପାର ବ୍ୟବସାୟରେ ମନୋନିବେଶ କରିବେ । ସର୍ବୋପରି ପରିବର୍ତ୍ତିତ ଟେଲିଭିଜନ ପ୍ରସାରଣ ଓ ସମ୍ଭାବ୍ୟ ‘ଓଟିଟି’ ପରିବେଶ ଓଡ଼ିଆ ଭଳି ଆଞ୍ଚଳିକ ଭାଷାଗୁଡ଼ିକର ସର୍ଜନଶୀଳତା ବିକାଶଲାଗି ଅନୁକୂଳ ପରିବେଶ ସୃଷ୍ଟିରେ ସହାୟକ ହେବ ।

Related Post