ଆଜିର ଖାସ ଖବର
Sun. May 31st, 2026

ଟେଲିଭିଜନ ଅଭିବୃଦ୍ଧିରେ ଇଣ୍ଟରନେଟର ଯୋଗଦାନ

By Dainikasha Jul11,2024

ବିଶ୍ୱବ୍ୟାପୀ ବିକଶିତ ରାଷ୍ଟ୍ରଗୁଡ଼ିକରେ ଇଣ୍ଟରନେଟ ପାରମ୍ପରିକ ଟେଲିଭିଜନ ଶିଳ୍ପର ଅଗ୍ରଗତିରେ ବାଧକ ସାଜୁଥିବା ସ୍ଥଳେ ୨୦୧୮ ସୁଦ୍ଧା ଭାରତୀୟ ଟେଲିଭିଜନ ବ୍ୟବସାୟରେ ଅଭିବୃଦ୍ଧି ଅବ୍ୟାହତ ରହୁଥିବା ଗଣମାଧ୍ୟମ ତତ୍ତ୍ୱବିତମାନଙ୍କୁବିସ୍ମିତ କରିଥାଏ ।

‘ବ୍ରଡ଼କାଷ୍ଟଅଡ଼ିଏନ୍ସରିସର୍ଚ୍ଚ କାଉନସିଲ’ପକ୍ଷରୁ ପ୍ରକାଶିତ ‘ହ୍ୱାଟ ଇଣ୍ଡିଆ ୱାଚ଼ ୨୦୧୮’ ରିପୋର୍ଟରେ ପ୍ରଦତ୍ତ ତଥ୍ୟ ଅନୁଯାୟୀ ଭାରତରେ ୪୮ କୋଟି ଲୋକସଂଖ୍ୟାଙ୍କ ମଧ୍ୟରେ ବ୍ରଡ଼ବ୍ୟାଣ୍ଡ ଯୋଗେ ଇଣ୍ଟରନେଟର ବ୍ୟାପ୍ତି ଟେଲିଭିଜନ କାର୍ଯ୍ୟକ୍ରମ ପ୍ରସାରଣ ନିମନ୍ତେ ପରୋକ୍ଷରେ ଅତିରିକ୍ତ ‘ଓଭର-ଦି-ଟପ’ଷ୍ଟ୍ରୀମିଂ ମଞ୍ଚ ସୃଷ୍ଟି କରିବାରେ ସହାୟକ ହୋଇଥିବା ଲକ୍ଷ୍ୟ କରାଯାଉଛି ଏବଂ ନିକଟ ଭବିଷ୍ୟତରେ ସେହି ଧାରା ଦୃଢ଼ୀଭୂତ ରହିବା ଆଶା କରାଯାଏ ।

ଭାରତରେ ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପରେ ଟେଲିଭିଜନ ଓ ଇଣ୍ଟରନେଟ ସହାବସ୍ଥାନର କେତେଗୋଟି କାରଣ ଚ଼ିହ୍ନଟ କରାଯାଇପାରେ । ପ୍ରଥମତଃ ଭାରତୀୟ ଦର୍ଶକ ଟେଲିଭିଜନ ପର୍ଦ୍ଦାରେ ସମ୍ୱାଦ ବଦଳରେ ମନୋରଞ୍ଜନକୁ ପ୍ରାଧାନ୍ୟ ଦେଇଥାଏ । ସମ୍ୱାଦଭିତ୍ତିକ କାର୍ଯ୍ୟକ୍ରମ ମାତ୍ର ୭.୨ ପ୍ରତିଶତ ଦର୍ଶକ ଦେଖୁଥିବା ସ୍ଥଳେ ମନୋରଞ୍ଜନଭିତ୍ତିକ କାର୍ଯ୍ୟକ୍ରମ ୫୩ ପ୍ରତିଶତ ଓ ଚଳଚ଼ିତ୍ର ୨୪ ପ୍ରତିଶତ ଦର୍ଶକ ଉପଭୋଗ କରିଥାନ୍ତି । ମନୋରଞ୍ଜନଭିତ୍ତିକ କାର୍ଯ୍ୟକ୍ରମ ଓ ଚଳଚ଼ିତ୍ରପ୍ରଦର୍ଶନ ନିମନ୍ତେ ଟେଲିଭିଜନ ସଙ୍ଗେ ଇଣ୍ଟରନେଟ ସମକକ୍ଷ ହେବା ଅନ୍ତତଃପକ୍ଷେ ନିକଟ ଭବିଷ୍ୟତରେ ସମ୍ଭବପର ନୁହେଁ । ତେଣୁ ଭାରତୀୟ ଦର୍ଶକୀୟରୁଚ଼ି ଟେଲିଭିଜନର ଲୋକପ୍ରିୟତା ଦୀର୍ଘକାଳଲାଗି ବଜାୟ ରଖିବା ସ୍ୱାଭାବିକ ।

ଦ୍ୱିତୀୟତଃ ଭାରତୀୟ ଦର୍ଶକ ୨୯ ଗୋଟି ପ୍ରଦେଶରେ ବସବାସ କରିଥାନ୍ତି ଏବଂ ୨୨ ଗୋଟି ମୁଖ୍ୟ ଭାଷାଭାଷୀ। ଏଠାରେ ବ୍ୟାବସାୟିକ ଟେଲିଭିଜନ ଚ଼୍ୟାନେଲ ୨୦୧୯ ସୁଦ୍ଧା ୨୮ ବର୍ଷ ଧରି ଯେଉଁ ପରିମାଣରେ କାର୍ଯ୍ୟକ୍ରମ ବା ‘କଣ୍ଟେଣ୍ଟ’ ପ୍ରସ୍ତୁତ କରିଛି ତାହା ଅନ୍ୟ ମଞ୍ଚଉପଯୋଗୀ କାର୍ଯ୍ୟକ୍ରମ ପ୍ରସ୍ତୁତି ଲାଗି ସମୟସାପେକ୍ଷ । ସେହିପରି ଭାରତୀୟ ଟେଲିଭିଜନର ଅନ୍ୟତମ ଉପାଦାନ ଶତାଧିକ ବର୍ଷରୁ ସମୃଦ୍ଧ ଚଳଚ଼ିତ୍ର ଶିଳ୍ପର ସୃଜନ ଓ ନିବେଶ ଅନ୍ୟତ୍ର ସମ୍ଭବପର ନ ହୋଇପାରେ ।

ତୃତୀୟତଃ ଇଣ୍ଟରନେଟ ବ୍ୟାପ୍ତି ଫଳରେ ସାଧାରଣ ଉପଭୋକ୍ତା ଦୈନିକ ୫୦ ମିନଟ ଭିଡ଼ିଓ ଉପଭୋଗ କରୁଥିବା ହିସାବ କରାଯାଉଥିବା ସ୍ଥଳେ ସେଥି ମଧ୍ୟରେ ପ୍ରମୁଖ ଭାଗ ସମୟ ଟେଲିଭିଜନଭିତ୍ତିକକାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ଥିବା ଆଶା କରାଯାଇପାରେ । ୨୦୧୭ରୁ ଡ଼ାଟା ଦର ହ୍ରାସ, ଅଳ୍ପ ମୂଲ୍ୟ ବିନିମୟରେ ସ୍ମାର୍ଟଫୋନ ଉପଲବ୍ଧ ତଥା ୪ଜି ଟେଲିଯୋଗାଯୋଗର ପ୍ରସାର ଫଳରେ ଇଣ୍ଟରନେଟର ବେଗ ବୃଦ୍ଧି ଭାରତୀୟ ଦର୍ଶକଙ୍କ ମଧ୍ୟରେ ଭିଡ଼ିଓ ଉପଭୋଗ ସମୟସୀମାକ୍ରମାଗତଭାବେ ବୃଦ୍ଧି ପାଇବା ଲକ୍ଷ୍ୟ କରାଯାଉଥିବା ସ୍ଥଳେ ଇଣ୍ଟରନେଟ ଟେଲିଭିଜନ କାର୍ଯ୍ୟକ୍ରମ ପ୍ରସାରଣ ନିମନ୍ତେ ଏକ ଅତିରିକ୍ତ ମଞ୍ଚ ପ୍ରସ୍ତୁତ କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।

ଚ଼ତୁର୍ଥତଃ ସମ୍ୱାଦ ଶିଳ୍ପରେ ଗୁଜବ, ଅସତ୍ୟ ସମ୍ୱାଦ ପ୍ରସାର, କୁତ୍ସାରଟନା ଓ ରାଜନୀତିକ ପକ୍ଷପାକ୍ଷିକତାସମ୍ୱାଦର ଗଭୀର ଅନୁଧ୍ୟାନରେ ମୁଖ୍ୟତଃ ଯୁବବର୍ଗଙ୍କ ମଧ୍ୟରେ ବିରୋଧଭାସରଅନ୍ୟତମ କାରଣରୂପେ ଚ଼ିହ୍ନଟ କରାଯାଇପାରେ । ସମ୍ୱାଦକୁ ରାଜନୀତିକ ଓ ବ୍ୟାବସାୟିକ ସାଧନଭାବେ ବ୍ୟବହାର କରାଯାଉଥିବା ତଥା ସମକାଳରେ ନିରପେକ୍ଷ, ସ୍ୱାଧୀନ ସମ୍ୱାଦ ସଂଗ୍ରହ ଓ ପ୍ରସାର ପ୍ରକ୍ରିୟା ସହଜସାଧ୍ୟ ନଥିବା ହେତୁ ମନୋରଞ୍ଜନ ଓ କ୍ରୀଡ଼ା ଦର୍ଶକୀୟସ୍ୱୀକୃତି ଅବ୍ୟାହତ ରହିବ । ଏହି ପରିପ୍ରେକ୍ଷୀ ପାରମ୍ପରିକ ଟେଲିଭିଜନ କାର୍ଯ୍ୟକ୍ରମର ଲୋକପ୍ରିୟତାରେ ସହାୟକ ହେବା ତଥା ଟେଲିଭିଜନ କାର୍ଯ୍ୟକ୍ରମ ଇଣ୍ଟରନେଟଭିତ୍ତିକସ୍ମାର୍ଟଫୋନ ପର୍ଦ୍ଦାରେ ଉପଭୋଗ ଧାରା ପରିବ୍ୟାପ୍ତ କରିବା ଆଶା କରାଯାଇପାରେ ।

ଭାରତରେ ଟେଲିଭିଜନ ସେଟ ୧୯ କୋଟି ୭୦ ଲକ୍ଷ ପରିବାରଙ୍କ ଘରେ ଉପଲବ୍ଧ । ଟେଲିଭିଜନ ଦର୍ଶକଙ୍କ ସଂଖ୍ୟା ୮୩ କୋଟି ୬୦ ଲକ୍ଷ ହିସାବ କରାଯାଉଛି । ୨୦୧୭ ତୁଳନାରେ ୨୦୧୮ରେ ଟେଲିଭିଜନ ଦର୍ଶକଙ୍କ ସଂଖ୍ୟା ୧୩ ପ୍ରତିଶତ ବୃଦ୍ଧି ଘଟିଛି । ଭାରତୀୟ ଟେଲିଭିଜନ ଉପଭୋକ୍ତାମାନେ ହାରାହାରି ଭାବେ ଦୈନିକ ତିନି ଘଣ୍ଟା ୪୫ ମିନିଟ ଯାଏଁ ଟେଲିଭିଜନ କାର୍ଯ୍ୟକ୍ରମ ଦେଖିଥାନ୍ତି । ଏହି ପରିସଂଖ୍ୟାନ ଆମ ଦେଶରେ ଗଣମାଧ୍ୟମ ଉପତ୍ୟକାରେ ଟେଲିଭିଜନ ପ୍ରସାରଣର ଗୁରୁତ୍ୱ ସୂଚ଼ିତ କରିଥାଏ । ମୁଦ୍ରଣ, ରେଡ଼ିଓ ଓ ଇଣ୍ଟରନେଟମଞ୍ଚ ଟେଲିଭିଜନ ଲୋକପ୍ରିୟତାର ସମକକ୍ଷ ହେବା ଅନ୍ତତଃ ସମକାଳରେ ଅସଂଭବ ମନେ କରାଯାଏ । ଟେଲିଭିଜନର ବ୍ୟାପ୍ତିରେ ଉଭୟ ଚଳଚ଼ିତ୍ର ଶିଳ୍ପ ଓ ଇଣ୍ଟରନେଟ ଅନୁପୂରକ ଉପସ୍ଥିତି ସୃଷ୍ଟିକରି ତାହାକୁ ଅଧିକ ଶକ୍ତିଶାଳୀ ଗଢ଼ି ତୋଳୁଛି ।

ଦେଶରେ ଟେଲିଭିଜନ ଶିଳ୍ପର ଅଭିବୃଦ୍ଧିର ଅନ୍ୟତମ କାରଣ ଭାବେ ଏଠାକାର ସୃଜନ ପ୍ରତିଭାର ଅବଦାନ ଗୁରୁତ୍ୱପୂର୍ଣ୍ଣ । ଅର୍ଦ୍ଧଶତାଦ୍ଦୀ ଧରି ସମୃଦ୍ଧ ଚଳଚ଼ିତ୍ର ଶିଳ୍ପ ଟେଲିଭିଜନ କାର୍ଯ୍ୟକ୍ରମ ପ୍ରଯୋଜନାରେ ସହାୟତାର ହାତ ପ୍ରସାର କରିଥିଲା । ୨୦୧୮ ସୁଦ୍ଧା ଟେଲିଭିଜନ ଶିଳ୍ପରେ ପ୍ରାୟ ୪୫ ଲକ୍ଷ ପ୍ରତ୍ୟକ୍ଷ ଓ ପରୋକ୍ଷଭାବେ କର୍ମନିଯୁକ୍ତି ଥିବା ହିସାବ କରାଯାଏ । ଏତେ ସଂଖ୍ୟକ ପ୍ରତିଭାଧରଙ୍କ ସୃଜନ ଟେଲିଭିଜନ ଶିଳ୍ପକୁ ପରିପୁଷ୍ଟ କରିପାରୁଛି ଏବଂ ଏଠାକାର କାର୍ଯ୍ୟକ୍ରମ ଆନ୍ତର୍ଜାତିକସ୍ତରରେ ସ୍ୱୀକୃତ ।

ଦେଶରେ ଟେଲିଭିଜନ କାର୍ଯ୍ୟକ୍ରମର ଗୁଣବତ୍ତା ଅନୁଧ୍ୟାନ କରିବା ନିମନ୍ତେ ‘ବ୍ରଡ଼କାଷ୍ଟଅର୍ଡ଼ିଏନ୍ସରିସର୍ଚ୍ଚ କାଉନସିଲ’ ଗଠନ ଟେଲିଭିଜନ ଶିଳ୍ପର ଅନ୍ୟତମ ବିଭବ । ଟେଲିଭିଜନ ଚ଼୍ୟାନେଲ ମାଲିକ, ବିଜ୍ଞାପନ ଦାତା ଓ ବିଜ୍ଞାପନ ପରିଚ଼ାଳନା ପ୍ରତିଷ୍ଠାନଗୁଡ଼ିକର ମିଳିତ ଉଦ୍ୟମରେ ଗଠିତ ଏହି କାଉନସିଲ ଆନୁକୂଲ୍ୟରେ ୪୦ ହଜାର ଟେଲିଭିଜନ ସେଟ ଉପଲବ୍ଧ ଗୃହରେ ଏକ ଲକ୍ଷ ୮୦ ହଜାର ଟେଲିଭିଜନ ଦର୍ଶକଙ୍କ ଟେଲିଭିଜନ କାର୍ଯ୍ୟକ୍ରମ ଉପଭୋଗର ପୁଙ୍ଖାନୁପୁଙ୍ଖ ବିବରଣୀ ସାପ୍ତାହିକଭିତ୍ତିରେ ସଂଗ୍ରହ କରାଯାଇ ଅନୁଶୀଳନ ସହ ପ୍ରକାଶିତ କରାଯାଇଥାଏ । ଫଳରେ ଟେଲିଭିଜନ କାର୍ଯ୍ୟକ୍ରମଗୁଡ଼ିକରଲୋକପ୍ରିୟତା ସଂପର୍କରେ ବିଜ୍ଞାନସମ୍ମତ୍ତ ଧାରାରେ ତଥ୍ୟ ଉପଲବ୍ଧ ହୋଇଥାଏ । ଦେଶରେ ୫୯୫ ଗୋଟି ଟେଲିଭିଜନ ଚ଼୍ୟାନେଲ କାର୍ଯ୍ୟକ୍ଷମ ଥିବା ସ୍ଥଳେ ସେଗୁଡ଼ିକରେ ପ୍ରଦର୍ଶିତ କାର୍ଯ୍ୟକ୍ରମର ଗୁଣବତ୍ତା ଆକଳନ ଅନ୍ତତଃପକ୍ଷେ ବିଜ୍ଞାପନଦାତାଙ୍କନିମନ୍ତେ ଅପରିହାର୍ଯ୍ୟ । ଅପରପକ୍ଷେ ଭାରତୀୟ ଟେଲିଭିଜନ ଶିଳ୍ପ ଅନେକାଂଶରେ ବିଜ୍ଞାପନ ଆୟ ଉପରେ ନିର୍ଭରଶୀଳ ହୋଇଥିବା ହେତୁ ବିଜ୍ଞାପନ ପ୍ରଦର୍ଶନ ଲାଗି ଟେଲିଭିଜନ କାର୍ଯ୍ୟକ୍ରମର ଲୋକପ୍ରିୟତା ଆକଳନରେ ସ୍ୱଚ୍ଛତା ଗୁରୁତ୍ୱ ବହନ କରିଥାଏ ।

ଗଣମାଧ୍ୟମ ତତ୍ତ୍ୱରେ ବିଭିନ୍ନ ମଞ୍ଚର ସହବସ୍ଥାନ ‘ମିଡ଼ିଆ କୋ-ଏକଜିଷ୍ଟସ’ ସଂପର୍କରେ କୁହାଯାଉଥିବାସ୍ଥଳେଭାରତରେ ଟେଲିଭିଜନ,ଚଳଚ଼ିତ୍ର ଓ ଇଣ୍ଟରନେଟ କ୍ଷେତ୍ରରେ ତାହାର ସତ୍ୟତା ପ୍ରତିପାଦିତ ହୋଇଥାଏ ବୋଲି କୁହାଯାଇପାରେ । 

Related Post