ଆଜିର ଖାସ ଖବର
Sun. May 31st, 2026

ଟେଲିଭିଜନ ବନାମ ଭିଡ଼ିଓ

By Dainikasha Jul11,2024

୨୦୧୭ ସୁଦ୍ଧା ଭାରତୀୟ ଗଣମାଧ୍ୟମ ମଞ୍ଚରେ ଟେଲିଭିଜନ ପ୍ରସାରଣର ଗୁରୁତ୍ୱ ବଳବତ୍ତର ରହିଛି । ଗଣମାଧ୍ୟମ ସମୀକ୍ଷକ ବନିତା କୋହଲି-ଖାଣ୍ଡେକରଙ୍କ ହିସାବ ଅନୁଯାୟୀ ଦେଶର ଟେଲିଭିଜନ ଶିଳ୍ପରେ ବାର୍ଷିକ ୫୪,୮୩୦ କୋଟି ଟଙ୍କାର କାରବାର ହୋଇଥାଏ । ଏଠାରେ ୮୭ କୋଟି ୫୦ ଲକ୍ଷ ଜନସାଧାରଣ ଦୈନିକ ତିନି ଘଣ୍ଟା ଟେଲିଭିଜନ କାର୍ଯ୍ୟକ୍ରମ ଦେଖିଥାନ୍ତି ।

ଅବଶ୍ୟ ୨୦୧୫ ତୁଳନାରେ ୨୦୧୬ରେ ଟେଲିଭିଜନ ଶିଳ୍ପରେ ଅଭିବୃଦ୍ଧି ଓ ରାଜସ୍ୱ ଅପେକ୍ଷାକୃତ ଭାବେ କମିଥିଲା ।‘ଫେଡ଼େରସନ ଅଫ ଇଣ୍ଡିଆନ ଚ଼େମ୍ୱରର୍ସ ଅଫ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରୀ’ ଆନୁକୂଲ୍ୟରେ ପ୍ରକାଶିତ ‘ମିଡ଼ିଆ ଏଣ୍ଡ ଏଣ୍ଟରଟେନମେଣ୍ଟ ରିପୋର୍ଟ ୨୦୧୭’ ଅନୁଯାୟୀ ଟେଲିଭିଜନ ଶିଳ୍ପରେ ବାର୍ଷିକ ଅଭିବୃଦ୍ଧି ହାର ୨୦୧୫ ରେ ୧୪.୨ ପ୍ରତିଶତ ଥିବାବେଳେ ୨୦୧୬ରେ ୮.୫ ପ୍ରତିଶତକୁ ହ୍ରାସ ପାଇଥିଲା । ସେହିପରି ଟେଲିଭିଜନ ବିଜ୍ଞାପନ ଆୟ ପୂର୍ବବର୍ଷ ୧୭ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ତାହା ୨୦୧୬ରେ ୧୧ ପ୍ରତିଶତରେ ସୀମିତ ରହିଥିଲା ।

୨୦୧୬ରେ ଟେଲିଭିଜନ ଶିଳ୍ପରେ ରାଜସ୍ୱ ହାନୀ ଓ ତଦ୍ଜନିତ ଅଭିବୃଦ୍ଧିହାରରେ ଶୀଥିଳତା ଲାଗି ବ୍ୟବସାୟିକ କ୍ଷେତ୍ରରେ ମାନ୍ଦାବସ୍ଥାକୁ ଦାୟୀ କରାଯାଇଥାଏ । ଦେଶରେ ଆର୍ଥିକ ସଂସ୍କାର, ଯଥା: ବିମୁଦ୍ରାୟନ ଓ ଜିଏସଟି ପ୍ରବର୍ତ୍ତନ କାରଣରୁ ବ୍ୟବସାୟିକ କାରବାର ପ୍ରଭାବିତ ହୋଇଥିଲା । ଭାରତୀୟ ଟେଲିଭିଜନ ‘ବିଜ୍ଞାପନ ରାଜସ୍ୱ ମଡ଼େଲ’ ଉପରେ ନିର୍ଭରଶୀଳ ଥିବା ହେତୁ ଜାତୀୟ ବ୍ୟବସାୟିକ ଗତିବିଧି ତାହାର ଅଭିବୃଦ୍ଧିକୁ ନିୟନ୍ତ୍ରଣ କରିଥାଏ ।

୨୦୧୫ରୁ କ୍ରମାଗତଭାବେ ଆମ ଦେଶରେ ଭିଡ଼ିଓ ଉପଭୋକ୍ତାଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବା ଧାରା ପାରମ୍ପରିକ ଟେଲିଭିଜନର ପରିପନ୍ଥୀ ବୋଲି କୁହାଯାଇଥାଏ । ତେବେ ୨୦୧୭ ସୁଦ୍ଧା ଭିଡ଼ିଓ ଶିଳ୍ପର ବ୍ୟବସାୟ ମାତ୍ର ଦୁଇ ହଜାର କୋଟି ଟଙ୍କାରେ ସୀମିତ । ଅର୍ଥାତ ଟେଲିଭିଜନ ବ୍ୟବସାୟର ତିରିଶିଭାଗରୁ ଭାଗେ । ଦେଶରେ ପ୍ରାୟ ୪୩ କୋଟି ୧୦ ଲକ୍ଷ ଇଣ୍ଟରନେଟ ସଂଯୁକ୍ତି ଓ ୩୦ କୋଟି ଭିଡ଼ିଓ ଉପଭୋକ୍ତା ହିସାବ କରାଯାଉଥିବାସ୍ଥଳେ ଅଧିକାଂଶ ମୋବାଇଲ ଫୋନ ଯୋଗେ ଟେଲିଭିଜନ କାର୍ଯ୍ୟକ୍ରମଗୁଡ଼ିକୁ ପ୍ରସାରଣ ପରବର୍ତ୍ତୀ ବା ‘କେଚ-ଅପ’ ମୋଡ଼ରେ ଭିଡ଼ିଓ ଆକାରରେ ଦେଖୁଥିବା ଲକ୍ଷ୍ୟ କରାଯାଇପାରେ ।ଏଣୁ ଭିଡ଼ିଓ ଟେଲିଭିଜନ ଆଶ୍ରିତ ବୋଲି କୁହାଯାଇପାରେ ।

ଭାରତରେ ଇଣ୍ଟରନେଟ ସଂଯୁକ୍ତି ବଢୁଥିବା ତଥା ଜନସାଧାରଣ ମୋବାଇଲ ଫୋନ ଯୋଗେ ଟେଲିଭିଜନ ଓ ଭିଡ଼ିଓ ଉପଭୋକ୍ତା ସାଜୁଥିବା ଅବସରରେ ନିକଟ ଭବିଷ୍ୟତରେ ଏକ ନୂତନ ସମୀକରଣର ପୂର୍ବାନୁମାନ କରାଯାଇପାରେ । ତେବେ ୨୦୧୭ ସୁଦ୍ଧା ସ୍ୱାଧୀନ ଭିଡ଼ିଓର ପ୍ରସାର ଗୁରୁତ୍ୱ ହାସଲ କରିପାରି ନାହିଁ ।

ଦେଶରେ ପ୍ରାୟ ୩୦ ଗୋଟି ଭିଡ଼ିଓ ମୋବାଇଲ ଆପ୍ଳିକେସନ ବ୍ୟବହୃତ ହେଉଛି । ସେଥି ମଧ୍ୟରେ ୟୁ-ଟ୍ୟୁବ ଓ ଷ୍ଟାର ଇଣ୍ଡିଆର ହଟଷ୍ଟାର ପଛକୁ ଆଲଟ ବାଲାଜୀ, ଭୁତ, ଭିଉ ଇତ୍ୟାଦିର ସ୍ଥାନ। ବୈଦେଶିକ ଆମେଜନ ପ୍ରାଇମ ଓ ନେଟଫ୍ଳେକ୍ସ ମଧ୍ୟ ପ୍ରସାରଣ ଆରମ୍ଭ କରିଛନ୍ତି । ୟୁ-ଟ୍ୟୁବରେ ସ୍ୱାଧୀନ ଭିଡ଼ିଓ ପର୍ଯ୍ୟାୟରେ ହାସ୍ୟ, ରନ୍ଧଣା, ଇଲକ୍ଟ୍ରୋନିକ୍ସ ଗେଜେଟସ ଓ ପ୍ରେରଣାଦାୟୀ ଅଭିଭାଷଣ ଲୋକପ୍ରିୟ ହୋଇଥାଏ । ହାସ୍ୟ ଭିଡ଼ିଓ ପରିବେଷଣକାରୀ ବିବିକୀ-ଭାଇନସ ମଞ୍ଚରେ ୫୦ ଲକ୍ଷ ଗ୍ରାହକ ତାଲିକାଭୁକ୍ତ ହୋଇଥିବା ସ୍ଥଳେ ଇଲକ୍ଟ୍ରୋନିକ୍ସ ଗେଜେଟ ସମୀକ୍ଷକ ପ୍ରବାଳ ଶର୍ମାଙ୍କ ମଞ୍ଚରେ ୩୦ ଲକ୍ଷ ୯୦ ହଜାର ଗ୍ରାହକ ତାଲିକାଭୁକ୍ତ ହୋଇଥିବା ଜଣାଯାଏ । ୟୁ-ଟ୍ୟୁବରେ ଭାରତରେ ଏହି ଦୁଇଗୋଟି ମଞ୍ଚ ଗ୍ରାହକ ଦୃଷ୍ଟିରୁ ଶୀର୍ଷସ୍ଥାନ ଅଧିକାର କରିଥାଏ ।

ଆନ୍ତର୍ଜାତିକସ୍ତରରେ ସମକାଳରେ ଭିଡ଼ିଓ ପ୍ରଦର୍ଶନ ମୋବାଇଲ ଫୋନ ପର୍ଦ୍ଦାକୁ ସ୍ଥାନାନ୍ତରିତ ହେବା ପରେ ଆମ ଦେଶରେ ମଧ୍ୟ ସେହି ଧାରା ପ୍ରତିବିମ୍ୱିତ ହୋଇଛି । ୨୦୧୬ ମଧ୍ୟଭାଗରୁ ଆରମ୍ଭ ହୋଇଥିବା ରିଲାଏନ୍ସ ଜିଓର ୪ଜି ପ୍ରସାରଣ ୨୦୧୭ରେ ୧୦ କୋଟି ଗ୍ରାହକ ସୃଷ୍ଟି କରିବାରେ ସମର୍ଥ ହୋଇପାରିଥିଲା । ଦେଶରେ ଭିଡ଼ିଓ ଉପଭୋକ୍ତା ବୃଦ୍ଧିରେ ଏହା ସହାୟକ ହୋଇଥିଲା । ସମୀକ୍ଷକମାନେ ଅନୁମାନ କରୁଥିଲେ ଯେ ମାଗଣା ୪ଜି ପ୍ରସାରଣ ବନ୍ଦ ହୋଇଯିବା ପରେ ଗ୍ରାହକଙ୍କ ସଂଖ୍ୟା ବହୁ ପରିମାଣରେ ହ୍ରାସ ପାଇବ । ତେବେ ରିହାତି ଦେୟ ସହିତ ଦୈନିକ ୧ ଜିବି ଡ଼ାଟା ବ୍ୟବହାର ପ୍ରବର୍ତ୍ତନପରେ ମଧ୍ୟ ରିଲାଏନ୍ସ ଜିଓର ବ୍ୟବସାୟ ସୁଦୃଢ଼ ରହିପାରିଛି । ଏହାର ଉଦ୍ୟମରେ ଦେଶରେ ୧୦ କୋଟି ଭିଡ଼ିଓ ଗ୍ରାହକ ସୃଷ୍ଟି ସଙ୍ଗେ ସମପରିମାଣରେ ସ୍ମାର୍ଟଫୋନ ବିକ୍ରି ଓ ଭିଡ଼ିଓ ଦର୍ଶକ ସଂଖ୍ୟା ବୃଦ୍ଧିରେ ସହାୟକ ହୋଇପାରିଥିଲା । ଅପରପକ୍ଷେ ରିଲାଏନ୍ସ ଜିଓର ବ୍ୟବସାୟିକ ମଡ଼େଲର ମୁକାବିଲା କରିବା ନିମନ୍ତେ ଅନ୍ୟାନ୍ୟ ଟେଲିକମ ଅପରେଟରମାନେ ମଧ୍ୟ ରିହାତି ମୂଲ୍ୟରେ ଡ଼ାଟା ବ୍ୟବହାର ଓ ୪ଜି ପ୍ରସାରଣ ସେବା ଆରମ୍ଭ କରିବାରୁ ଦେଶରେ ଭିଡ଼ିଓ ପ୍ରଦର୍ଶନ କ୍ଷେତ୍ରରେ ବିକାଶର ପଥ ଉନ୍ମୁକ୍ତ କରିଥିଲା ।

ଆମ ଦେଶରେ ୨୦୧୭ ସୁଦ୍ଧା ୧୧ କୋଟି ୫୦ ଲକ୍ଷରୁ ୧୨ କୋଟି ସ୍ମାର୍ଟଫୋନ ବ୍ୟବହୃତ ହେଉଥିବା ହିସାବ କରାଯାଏ । ସ୍ମାର୍ଟଫୋନ ଉପଭୋକ୍ତା ବର୍ଗରେ ଭିଡ଼ିଓ ଷ୍ଟ୍ରୀମିଂ କ୍ରମଶଃ ଲୋକପ୍ରିୟତା ହାସଲ କରୁଥିବା ଜଣାଯାଏ । ମୂଲ୍ୟ ଦେଇ ଗ୍ରାହକ ଶ୍ରେଣୀଭୁକ୍ତ ହୋଇ ଭିଡ଼ିଓ ଦେଖିବାକୁ ଭିଡ଼ିଓ ଷ୍ଟ୍ରୀମିଂ କୁହାଯାଏ । ଏହାକୁ ଭିଡ଼ିଓ-ଅନ-ଡ଼ିମାଣ୍ଡ କିମ୍ୱା ଓଭର-ଦି-ଟପ ମଧ୍ୟ ନାମିତ କରାଯାଇଥାଏ ।

୨୦୧୬ରେ ଆରମ୍ଭ ହୋଇଥିବା ଭିଡ଼ିଓ ଷ୍ଟ୍ରୀମିଂ ବ୍ୟବସାୟ ୨୦୧୭ରେ ନିଜ ସ୍ଥିତିକୁ ସାଧ୍ୟମତେ ସୁଦୃଢ଼ କରିପାରିଛି । ଭାରତଭଳି ବଜାରରେ ମୂଲ୍ୟଯୁକ୍ତ ଭିଡ଼ିଓ ଷ୍ଟ୍ରୀମିଂ ସଫଳତା ନେଇ ସନ୍ଦେହ ଘନୀଭୂତ ହୋଇଥିବା ସ୍ଥଳେ ଟେଲିଭିଜନ ଚ଼୍ୟାନେଲ ଷ୍ଟାର, ସୋନି, ଜୀ ଓ ଭାୟକମ୧୮ ସାଙ୍ଗକୁ ଷ୍ଟାର୍ଟ-ଅପ ଭ୍ୟିୁ, ଟିଭିପ୍ଳେ ଓ ହକ, ପ୍ରଯୋଜକ ବାଲାଜୀ ଓ ଏରୋସ ତଥା ଆନ୍ତର୍ଜାତିକ ଭିଡ଼ିଓ ଷ୍ଟ୍ରୀମିଂ ସଂଗଠନ ନେଟଫ୍ଳେକ୍ସ ଓ ଆମେଜନ ପ୍ରାଇମର ଉପସ୍ଥିତି ଏହି କ୍ଷେତ୍ରରେ ବଜାର ସୃଷ୍ଟିରେ ସହାୟକ ହୋଇପାରିଛି । ଯୁବବର୍ଗଙ୍କ ସହିତ ବୟସ୍କ ଦର୍ଶକମାନେ ମଧ୍ୟ ଭିଡ଼ିଓ ଷ୍ଟ୍ରୀମିଂ ପ୍ରତି ଆକୃଷ୍ଟ ହେଉଥିବା କୁହାଯାଉଛି ।

ଭାରତରେ ଭିଡ଼ିଓ ପ୍ରସାରଣରେ ୟୁ-ଟ୍ୟୁବ ଶୀର୍ଷସ୍ଥାନ ଅଧିକାର କରିଥାଏ । ଓମିଡୟାର ନେଟୱାର୍କର ରିପୋର୍ଟ ଅନୁଯାୟୀ ଦେଶରେ ବ୍ୟବହୃତ ଇଣ୍ଟରନେଟ ସମୟର ୧୪ ପ୍ରତିଶତ ଦର୍ଶକମାନେ ୟୁ-ଟ୍ୟୁବ ଭିଡ଼ିଓରେ ଅତିବାହିତ କରିଥାନ୍ତି । ୟୁ-ଟ୍ୟୁବର ସତ୍ତ୍ୱାଧିକାରୀ ଗୁଗୁଲ ଇଣ୍ଡିଆର କର୍ମକର୍ତ୍ତାଙ୍କ ହିସାବ ଅନୁଯାୟୀ ଭାରତରେ ଅଶୀ ପ୍ରତିଶତ ୟୁ-ଟ୍ୟୁବ ଉପଭୋକ୍ତା ମୋବାଇଲ ଫୋନ ପର୍ଦ୍ଦାରେ ଭିଡ଼ିଓ ଦେଖିଥାନ୍ତି ।ଏହାର ଦର୍ଶକ ସଂଖ୍ୟା ଦେଶରେ ପ୍ରତିମାସରେ ଚ଼ାରିଶହ ପ୍ରତିଶତ ବୃଦ୍ଧି ପାଇବାରେ ଲାଗିଛି । ୟୁ-ଟ୍ୟୁବ ଭିଡ଼ିଓ ପ୍ରଦର୍ଶନରେ ଏକ ଦୃଷ୍ଟି ଆକର୍ଷଣକାରୀ ତଥ୍ୟ ଏହି ଯେ ଦଶଜଣ ୟୁ-ଟ୍ୟୁବ ଭିଡ଼ିଓ ଉପଭୋକ୍ତାଙ୍କ ମଧ୍ୟରେ ନଅ ଜଣ ଇଂଲିଶ ଭିନ୍ନ ଅନ୍ୟାନ୍ୟ ଭାରତୀୟ ଭାଷାରେ ଭିଡ଼ିଓ ଉପଭୋଗ କରିଥାନ୍ତି ।

ଇଣ୍ଟରନେଟ ସଂଯୋଗ, ସ୍ମାର୍ଟଫୋନ ବ୍ୟବହାର, ୟୁ-ଟ୍ୟୁବ ଭଳି ଭିଡ଼ିଓ ଚ଼୍ୟାନଲରେ ଦର୍ଶକ ସଂଖ୍ୟା ବୃଦ୍ଧି ଏବଂ ଭିଡ଼ିଓ ଉପଭୋକ୍ତାଙ୍କ ମଧ୍ୟରେ ଭାରତୀୟ ଭାଷାଭାଷୀ ଦର୍ଶକଙ୍କ ସଂଖ୍ୟା ଗରିଷ୍ଠତା ଭଳି ପରିସଂଖ୍ୟାନ ଓଡ଼ିଆ ଭିଡ଼ିଓ ପ୍ରଯୋଜନାର ଉଜ୍ଜଳ ଭବିଷ୍ୟତ ସୂଚ଼ାଇ ଥାଏ । ତେବେ ଓଡ଼ିଆ ଚଳଚ଼ିତ୍ର ଓ ଟେଲିଭିଜନ ପ୍ରଯୋଜନା କ୍ଷେତ୍ରରେ ଆମେ ପ୍ରତିବେଶୀ ଭାଷାଭାଷୀଙ୍କ ତୁଳନାରେ ପଛୁଆ ରହି ଆସିଥିବାସ୍ଥଳେ ଭିଡ଼ିଓ ମଞ୍ଚରେ କେତେଦୂର ଉତ୍କର୍ଷତା ହାସଲ କରିପାରିବା ତାହା ଏକ ପ୍ରଶ୍ନବାଚୀ । 

Related Post