ଆଜିର ଖାସ ଖବର
Sun. May 31st, 2026

ଟେଲିଭିଜନର ଆଧିପତ୍ୟ ଜାରୀ

By Dainikasha Jul11,2024

ଭାରତୀୟ ଗଣମାଧ୍ୟମ ପରିଧିରେ ଟେଲିଭିଜନର ଆଧିପତ୍ୟ ନିକଟ ଭବଷ୍ୟତରେ ଜାରୀ ରହିବା ପୁର୍ବାନୁମାନ କରାଯାଉଛି । ଦେଶର ଗ୍ରାମାଞ୍ଚଳରେ ବସବାସ କରୁଥିବା ପରିବାରଗୁଡ଼ିକୁ ବିଦ୍ୟୁତ ଯୋଗାଣ ଏବଂ ତତ୍ ପରବର୍ତ୍ତୀ ଅବସ୍ଥାରେ ସେହି ପରିବାରଗୁଡ଼ିକ ଟେଲିଭିଜନ ସେଟ କିଣି ସମଗ୍ର ପରିବାର ଦର୍ଶକ ସାଜିବା କାରଣରୁ କ୍ରମାଗତଭାବେ ଟେଲିଭିଜନ ଦର୍ଶକଙ୍କ ସଂଖ୍ୟା ବୃଦ୍ଧି ଅବ୍ୟାହତ ରହିଛି । ୨୦୧୮ ଶେଷ ସୁଦ୍ଧା ୧୦ କୋଟି ପରିବାରଙ୍କ ଘରେ ଟେଲିଭିଜନ ସେଟ ନଥିବା ହେତୁ ସେମାନଙ୍କୁ ଟେଲିଭିଜନ ଦର୍ଶକ ଶ୍ରେଣୀରେ ଅନ୍ତର୍ଭୁକ୍ତ ପ୍ରକ୍ରିୟା ଆଗାମୀ କିଛି ବର୍ଷ ଧରି ଚ଼ାଲୁ ରହିବା ଆଶା କରାଯାଉଛି । ଏହି ପରିବେଶ ଟେଲିଭିଜନ ଶିଳ୍ପର ଅଭିବୃଦ୍ଧିରେ ସହାୟକ ହେବ ।

‘ବ୍ରଡ଼କାଷ୍ଟ ଅଡ଼ିଏନ୍ସ ରିସର୍ଚ୍ଚ କାଉନସିଲ’ ପକ୍ଷରୁ ପ୍ରକାଶିତ ‘ବ୍ରଡ଼କାଷ୍ଟ ଇଣ୍ଡିଆ ୨୦୧୮’ ସର୍ବେକ୍ଷଣ ବିବରଣୀରେ ଉଲ୍ଲେଖ କରାଯାଇଛି ଯେ ୨୦୧୬ ରୁ ୨୦୧୮ ଦୁଇବର୍ଷ ମଧ୍ୟରେ ଟେଲିଭିଜନ ସେଟ ଥିବା ପରିବାରଙ୍କ ସଂଖ୍ୟା ୧୮ କୋଟି ୩୦ ଲକ୍ଷରୁ ୧୯ କୋଟି ୭୦ ଲକ୍ଷକୁ ବୃଦ୍ଧି ପାଇଥିବା ସ୍ଥଳେ ଟେଲିଭିଜନ ଦର୍ଶକଙ୍କ ସଂଖ୍ୟା ୭୮ କୋଟି ରୁ ୮୩ କୋଟି ୬୦ ଲକ୍ଷକୁ ବୃଦ୍ଧି ପାଇଛି । ସମଗ୍ର ଦେଶରେ ଟେଲିଭିଜନ ସେଟ ଥିବା ପରିବାରର ସଂଖ୍ୟା ୬୬ ପ୍ରତିଶତ ହିସାବ କରାଯାଉଥିବା ସ୍ଥଳେ ଦକ୍ଷିଣ ଭାରତର ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା, ତାମିଲନାଡୁ, କର୍ଣ୍ଣାଟକ ଓ କେରଳ ପାଞ୍ଚଗୋଟି ରାଜ୍ୟରେ ୯୫ ପ୍ରତିଶତ ପରିବାରଙ୍କ ଘରେ ଟେଲିଭିଜନ ସେଟ ଉପଲବ୍ଧ ।

ଦକ୍ଷିଣ ଭାରତ ପ୍ରତି ପରିବାରକୁ ବିଦ୍ୟୁତ ଯୋଗାଣ କ୍ଷେତ୍ରରେ ଅଗ୍ରଣୀ ରହିଆସିଛି । ୨୦୧୭ରେ ଆରମ୍ଭ ହୋଇଥିବା ‘ପ୍ରଧାନମନ୍ତ୍ରୀ ସହଜ ବିଜଲି ହର ଘର ଯୋଜନା’ ବା ‘ସୌଭାଗ୍ୟ’ ସ୍କିମ ଜରିଆରେ ଅନ୍ୟାନ୍ୟ ରାଜ୍ୟଗୁଡ଼ିକରେ ୨ କୋଟି ୪୮ ଲକ୍ଷ ପରିବାରକୁ ୨୦୧୯ ମାର୍ଚ୍ଚ ସୁଦ୍ଧା ବିଦ୍ୟୁତ ଯୋଗାଣ ଲକ୍ଷ୍ୟ ନିର୍ଦ୍ଧାରିତ ହୋଇଥିଲା ।୨୦୧୮ ଆରମ୍ଭ ସୁଦ୍ଧା ଦକ୍ଷିଣ ଭାରତର ପ୍ରାୟ ପ୍ରତ୍ୟେକ ପରିବାରଙ୍କୁ ବିଦ୍ୟୁତ ଯୋଗାଣ ସରିଥିଲା ।ଘରକୁ ବିଦ୍ୟୁତ ସଂଯୋଗ ଆସିବାପରେ ସାଧାରଣତଃ ସଂପୃକ୍ତ ପରିବାରପକ୍ଷରୁ ଗ୍ରାଇଣ୍ଡର, ଫେନ, ଟେଲିଭିଜନ ସେଟ ଇତ୍ୟାଦି ଘରକରଣା ଜିନିସ କିଣାଯାଇଥାଏ ।ଏହି କ୍ରମରେ କିଛି ବର୍ଷ ମଧ୍ୟରେ ଅଧିକ ପରିବାରଙ୍କ ନିକଟରେ ଟେଲିଭିଜନ ସେଟ ଓ ପ୍ରସାରଣ ପହଞ୍ଚିବା ଆଶା କରାଯାଏ ।

‘ବ୍ରଡ଼କାଷ୍ଟ ଇଣ୍ଡିଆ ୨୦୧୮’ ସର୍ବେକ୍ଷଣ ନିମନ୍ତେ ଦେଶର ଚ଼ାରି ହଜାର ତିନି ଶହ ସହର ଓ ଗ୍ରାମରେ ତିନି ଲକ୍ଷ ପରିବାରଙ୍କୁ ନମୂନାଭାବେ ଗ୍ରହଣ କରାଯାଇ ତଥ୍ୟ ସଂଗୃହୀତ ହୋଇଥିଲା । ଓଡ଼ିଶାରେ ପ୍ରାୟ ୪୫ ରୁ ୬୦ ପ୍ରତିଶତ ପରିବାରଙ୍କ ଘରେ ଟେଲିଭିଜନ ସେଟ ଉପଲବ୍ଧ ଥିବା ହିସାବ କରାଯାଏ । ଇତି ମଧ୍ୟରେ ପ୍ରତି ପରିବାରକୁ ବିଦ୍ୟୁତ ଯୋଗାଣ ଧାର୍ଯ୍ୟଲକ୍ଷ୍ୟ ପୂରଣ ହେଉଥିବା ଅବସରରେ ରାଜ୍ୟରେ କ୍ରମଶଃ ଅଧିକ ପରିବାର ଟେଲିଭିଜନ ସେଟ ଘରକୁ ଆଣି ଦର୍ଶକ ଶ୍ରେଣୀଭୁକ୍ତ ହେବେ । ଏହାର ଅର୍ଥ ଓଡ଼ିଶାରେ ଟେଲିଭିଜନ ସେଟ ଓ ଦର୍ଶକ କ୍ରମଶଃ ଦୀର୍ଘକାଳ ଧରି ବୃଦ୍ଧି ପାଇବାରେ ଲାଗିବ । ସର୍ବଭାରତୀୟସ୍ତରରେ ପ୍ରତି ଦର୍ଶକ ଦୈନିକ ୪ ଘଣ୍ଟା ୧୦ ମିନଟ ଟେଲିଭିଜନ କାର୍ଯ୍ୟକ୍ରମ ଉପଭୋଗ କରିଥାନ୍ତି । ଦକ୍ଷିଣ ଭାରତରେ ଏହି ସମୟ ସୀମା ବାର୍ଷିକଭିତ୍ତିରେ ବଢୁଥିବା ଜଣାଯାଏ ।

‘ବ୍ରଡ଼କାଷ୍ଟ ଅଡ଼ିଏନ୍ସ ଇଣ୍ଡିଆ ୨୦୧୮’ ବିବରଣୀରେ ନିକଟ ଅତୀତରେ ଭାରତୀୟ ଟେଲିଭିଜନ ପ୍ରଭାବରେ ସୃଷ୍ଟ କେତେକ ସାମାଜିକ ପରିବର୍ତ୍ତନ ସଂପର୍କରେ ଉଲ୍ଲେଖ କରାଯାଇଛି । ଟେଲିଭିଜନ କାର୍ଯ୍ୟକ୍ରମ ଜରିଆରେ ବହୁଳ ପ୍ରଚ଼ାରିତ ‘ସ୍ୱଚ୍ଛ ଭାରତ ଅଭିଯାନ’ ପାଇଖାନା ନିର୍ମାଣରେ ସହାୟକ ହୋଇଥିବାବେଳେ ଟେଲିଭିଜନ ଧାରାବାହିକଗୁଡ଼ିକରେ କର୍ମଜୀବୀ ମହିଳାଙ୍କୁପ୍ରୋତ୍ସାହନ କମ ସମୟ ମଧ୍ୟରେ ଅଧିକ ବିବାହିତ ମହିଳାଙ୍କୁ କର୍ମନିଯୁକ୍ତି ନିମନ୍ତେ ପ୍ରଭାବିତ କରିଥିବା ଉଦାହରଣ ଦର୍ଶାଯାଇଛି ।

କୁହାଯାଇଛି ଯେ ୨୦୧୬ ରୁ ୨୦୧୮ ଦୁଇବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଟେଲିଭିଜନ ଚ଼୍ୟାନେଲରେ ‘ସ୍ୱଚ୍ଛ ଭାରତ ଅଭିଯାନ’ର ୪ ଲକ୍ଷ ୮୦ ହଜାର ବିଜ୍ଞାପନ ‘ସ୍ପଟ’ ପ୍ରଦର୍ଶନ କରିଥିଲେ । ଏହା ସାଙ୍ଗକୁ ସ୍ୱଚ୍ଛତା ସଂପର୍କରେ ଆଲୋଚ଼ନାମାନ ସମ୍ୱାଦ ଓ ଚଳନ୍ତି ପ୍ରବାହ କାର୍ଯ୍ୟକ୍ରମ ଗୁଡ଼ିକର ପରିସରଭୁକ୍ତ ହୋଇଥିଲା । ଏଭଳି ପ୍ରସାରଣ ପାଇଖାନା ନିର୍ମାଣ ଯୋଜନା କାର୍ଯ୍ୟକାରୀ କରିବା ନିମନ୍ତେ ଜନସାଧାରଣଙ୍କୁ ଅବଶ୍ୟ ପ୍ରଭାବିତ କରିଥିଲା । ୨୦୧୬ରେ ୫୮ ପ୍ରତିଶତ ପରିବାରଙ୍କ ପାଇଖାନା ଥିବାସ୍ଥଳେ ୨୦୧୮ରେ ତାହା ୭୧ ପ୍ରତିଶତକୁ ବୃଦ୍ଧି ପାଇପାରିଲା । ଗ୍ରାମାଞ୍ଚଳରେ ନୂଆ ପାଇଖାନା ନିର୍ମାଣ ହାର ୪୫ ପ୍ରତିଶତରୁ ୬୩ ପ୍ରତିଶତକୁ ତଥା ସହରାଞ୍ଚଳରେ ୮୩ ପ୍ରତିଶତରୁ ୮୬ ପ୍ରତିଶତକୁ ବୃଦ୍ଧି ପାଇଥିବା ହିସାବ କରାଯାଏ ।

ଅନ୍ୟ ଏକ ଉଦାହରଣରେ ଦର୍ଶାଯାଇଛି ଯେ ୨୦୧୬ରୁ ୨୦୧୮ ଦୁଇବର୍ଷ ମଧ୍ୟରେ ଦେଶରେ କର୍ମନିଯୁକ୍ତିରେ ମହିଳାଙ୍କ ସଂଖ୍ୟା ୨୫ ପ୍ରତିଶତ ବୃଦ୍ଧିପାଇଛି । ୨୦୧୬ରେ କର୍ମନିଯୁକ୍ତ ମହିଳାଙ୍କ ସଂଖ୍ୟା ୮ କୋଟି ୧୦ ଲକ୍ଷ ଥିବାସ୍ଥଳେ ୨୦୧୮ରେ ତାହା ୧୦ କୋଟି ୧୦ ଲକ୍ଷକୁ ବଢ଼ିଛି । ଟେଲିଭିଜନରେ ପ୍ରସାରିତ କାର୍ଯ୍ୟକ୍ରମଗୁଡ଼ିକରେ ମହିଳା ସଶକ୍ତିକରଣର ବାର୍ତ୍ତା ଜନସାଧାରଣଙ୍କୁ ପରୋକ୍ଷରେ ପ୍ରଭାବିତ କରାଉଥିବା ସୁସ୍ପଷ୍ଟ । ସମ୍ୱାଦ ଓ ମନୋରଞ୍ଜନ ସହ ସାମାଜିକ ପରିବର୍ତ୍ତନରେ ଟେଲିଭିଜନର ଯୋଗଦାନ ଜାତୀୟ ପ୍ରଗତିରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରୁଥିବା ପ୍ରମାଣିତ ହୋଇଛି।

ଆନ୍ତର୍ଜାତିକସ୍ତରରେ ଏକବିଂଶ ଶତାଦ୍ଦୀର ଦ୍ୱିତୀୟ ଦଶକ ଶେଷସୁଦ୍ଧା ଅନଲାଇନ ଗଣମାଧ୍ୟମର ଲୋକପ୍ରିୟତା ବଢୁଥିବା ସ୍ଥଳେ କ୍ରମଶଃ ଟେଲିଭିଜନ ଓ ମୁଦ୍ରଣ ଗଣମାଧ୍ୟମ ଶିଳ୍ପ ଅବହେଳିତ ଅବସ୍ଥାରେ ଆସି ପହଞ୍ଚିଥିବା ଲକ୍ଷ୍ୟ କରାଯାଏ । କିନ୍ତୁ ଭାରତରେ ଅନଲାଇନ ଗଣମାଧ୍ୟମର ଅଗ୍ରଗତି ଘଟୁଥିଲେ ହେଁ ଟେଲିଭିଜନ ଓ ମୁଦ୍ରଣ ଗଣମାଧ୍ୟମ ନିଜର ଆଧିପତ୍ୟ ଜାରୀ ରଖିପାରିଛନ୍ତି । ଭାରତର ବିସ୍ତୃତ ଭୌଗଳିକ ପରିସୀମା, ବର୍ଦ୍ଧିଷ୍ଣୁ ଅର୍ଥନୀତି ତଥା ଉନ୍ନୟନର ସ୍ରୋତରେ ପ୍ରତ୍ୟେକଟି ମଞ୍ଚ ନିଜର ସ୍ୱତନ୍ତ୍ରତା ବଜାୟ ରଖିବାକୁ ସମର୍ଥ ହୋଇଥିବା ହେତୁ ପାଶ୍ଚାତ୍ୟ ଭୂଖଣ୍ଡ ତୁଳନାରେ ଏକ ଭିନ୍ନ ଗଣମାଧ୍ୟମ ପରିବେଶ ସୃଷ୍ଟି ହୋଇଛି ।

ବ୍ୟାବସାୟିକ ଗବେଷଣା ତଥା ସୂଚ଼କାଙ୍କ ନିର୍ଦ୍ଧାରଣ ସଂସ୍ଥା ‘କ୍ରିସଲ’ର ପୁର୍ବାନୁମାନ ଅନୁଯାୟୀ ଆଗାମୀ ୨୦୧୯-୨୦୨୦ ଆର୍ଥିକ ବର୍ଷରେ ମୁଦ୍ରଣ ଗଣମାଧ୍ୟମ ଶିଳ୍ପରେ ଲାଭାଂଶ ବୃଦ୍ଧି ପାଇବ । ସମ୍ୱାଦପତ୍ର ଛପା କାଗଜ ଦରରେ ସ୍ଥିରତା, ନିର୍ବାଚ଼ନ ପ୍ରଚ଼ାର ଯୋଗୁଁ ବିଜ୍ଞାପନ ରାଜସ୍ୱ ବୃଦ୍ଧି ତଥା କେନ୍ଦ୍ର ସରକାରଙ୍କ ‘ବ୍ୟୁରୋ ଅଫ ଆଉଟରିଚ଼ ଏଣ୍ଡ କମ୍ୟୁନିକେସନ’ ପକ୍ଷରୁ ସରକାରୀ ମୁଦ୍ରଣ ବିଜ୍ଞାପନରେ ଦେୟରେ ୨୫ ପ୍ରତିଶତ ବୃଦ୍ଧି ସମ୍ୱାଦପତ୍ର ଓ ପତ୍ରପତ୍ରିକାଗୁଡ଼ିକର ଆୟବୃଦ୍ଧିରେ ସହାୟକ ହେବ ବୋଲି ଦର୍ଶାଯାଇଛି । ୨୦୧୮-୧୯ ତୁଳନାରେ ୨୦୧୯-୨୦ରେ ୫୦୦ ବେସିସ ପଏଣ୍ଟ ବ୍ୟାବସାୟିକ ଅଭିବୃଦ୍ଧି ଆଶା କରାଯାଉଛି ।

ଅନ୍ୟତମ ଅନଲାଇନ ବୃତ୍ତିଭିତ୍ତିକ ସଂସ୍ଥା ‘ଲିଙ୍କଡ଼-ଇନ’ର ୨୦୧୯ ବର୍ଷ ପାଇଁ ପୁର୍ବାନୁମାନ ଅନୁଯାୟୀ ସମଗ୍ର ବିଶ୍ୱରେ ଉପଭୋକ୍ତଙ୍କ ଅନଲାଇନ ଉପସ୍ଥିତିର ସମୟସୀମା ବୃଦ୍ଧି ପାଇବ । ଅର୍ଥାତ ଟେଲିଭିଜନ ତୁଳନାରେ ଅଧିକ ସମୟ ଇଣ୍ଟରନେଟ ବ୍ୟବହାରରେ ସଂପୃକ୍ତ ରହିବେ । ଭାରତରେ ମଧ୍ୟ ଅନଲାଇନ ଭିଡ଼ିଓ ମୁଖ୍ୟତଃ ମୋବାଇଲ ପରଦାରେ ଉପଭୋଗର ସମୟସୀମା ବଢ଼ିଚାଲିଛି ଏବଂ ତାହା ଅବ୍ୟାହତ ରହିବା ନିଶ୍ଚିତ ।

ଭାରତର ମୌଳିକ ଗଣମାଧ୍ୟମ ‘ଲିଗାସି ମିଡ଼ିଆ’ ଅଭିବୃଦ୍ଧି ସ୍ଥାନୀୟ ସାମାଜିକ, ରାଜନୀତିକ, ଅର୍ଥନୀତିକ ପରିବେଶ ସାଙ୍ଗକୁ ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିସ୍ତୃତ ପରିବର୍ତ୍ତନର ସମ୍ଭାବନା ସୃଷ୍ଟି କରିଥାଏ ।

Related Post