ଆଜିର ଖାସ ଖବର
Sun. Sep 13th, 2026

ସାମାଜିକ ଗଣମାଧ୍ୟମରେ ନୂତନ ଅଧ୍ୟାୟ

By Dainikasha Jul11,2024

ପ୍ରମୁଖ ସାମାଜିକ ଗଣମାଧ୍ୟମ ମଞ୍ଚ ଫେସବୁକ ଆୟୋଜକ ମେଟା ଓ ଟୁଇଟର ପକ୍ଷରୁ ବ୍ୟାବସାୟିକ ଆୟହାନୀ ଘୋଷଣା ଏବଂ ଖର୍ଚ୍ଚକାଟ ଉଦ୍ଦେଶ୍ୟରେ କର୍ମଚାରୀ ଛଟେଇ ୨୦୨୨ ନଭେମ୍ୱର ପ୍ରଥମାର୍ଦ୍ଧରେ ବିରୋଧାଭାସ ସୃଷ୍ଟି କରିଥିଲା । ଫେସବୁକ ୨୦୦୪ ଏବଂ ଟୁଇଟର ୨୦୦୬ରେ ଜନ୍ମ ନେବା ପରଠୁ ଆନ୍ତର୍ଜାତିକସ୍ତରରେ ଗଣଯୋଗାଯୋଗ କ୍ଷେତ୍ରରେ ପ୍ରଭୁତ୍ୱ ବିସ୍ତାର କରିଚାଲିଥିବା ସ୍ଥଳେ ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକ ସମ୍ମୁଖୀନ ହୋଇଥିବା ଦୁର୍ଦ୍ଦଶା ଯେ କ୍ରମବିକଶିତ ଡ଼ିଜିଟାଲ ମଞ୍ଚରେ ମଧ୍ୟ ପ୍ରତିଫଳିତ ହେବ, ଏକଥା ସମୀକ୍ଷକମାନେ ସହଜରେ ଗ୍ରହଣ କରିପାରି ନଥିଲେ ।

ମୁଦ୍ରିତ ସମ୍ୱାଦ ମଞ୍ଚ ବିଜ୍ଞାପନ ରାଜସ୍ୱ ଆୟକୁ ନିଜ ବ୍ୟବସାୟର ମୁଖ୍ୟ ସାଧନ ଭାବେ ଗ୍ରହଣ କରିଆସିଥିଲା । ପ୍ରଥମ ବିଶ୍ୱଯୁଦ୍ଧପରେ ରେଡ଼ିଓ, ଦ୍ୱିତୀୟ ବିଶ୍ୱଯୁଦ୍ଧପରେ ଟେଲିଭିଜନ ଏବଂ ବିଂଶ ଶତାଦ୍ଦୀ ଶେଷ ଦଶକରେ ଡ଼ିଜିଟାଲ ମଞ୍ଚର ପ୍ରସାର ମଧ୍ୟ ଅନୁରୂପ ଧାରାରେ ଅଭ୍ୟସ୍ତ ହୋଇପଡ଼ିଥିଲେ । ଏକବିଂଶ ଶତାଦ୍ଦୀ ଆରମ୍ଭରୁ ମୁଦ୍ରଣ, ରେଡ଼ିଓ ଓ ଟେଲିଭିଜନ ମଞ୍ଚଗୁଡ଼ିକରୁ ବିଜ୍ଞାପନ ରାଜସ୍ୱ କ୍ରମଶଃ ଡ଼ିଜିଟାଲ ମଞ୍ଚକୁ ସ୍ଥାନାନ୍ତରିତ ହୋଇଥିଲା । ସେଥିମଧ୍ୟରୁ ଫେସବୁକ ସିଂହଭାଗ ଦାବୀ କରୁଥିଲା । କିନ୍ତୁ ମହାମାରୀ-ପର ପରିବର୍ତ୍ତିତ ପରିବେଶ ‘ନ୍ୟୂ-ନରମାଲ’ ବେଳକୁ ଫେସବୁକ ବିଜ୍ଞାପନ ଆୟ ହରାଇବା ଗଣମାଧ୍ୟମ ପରିବେଶରେ ନୂତନ ସମୀକରଣର ଆଭାସ ଦେଇଥିଲା ।

ସାମାଜିକ ଗଣମାଧ୍ୟମର ଦୁଇ ବୃହତ ମଞ୍ଚ ଫେସବୁକ ଓ ଟୁଇଟରରେ ବିଜ୍ଞାପନ ରାଜସ୍ୱ ହ୍ରାସର କେତେଗୋଟି ମୁଖ୍ୟ କାରଣ ମଧ୍ୟରେ ‘ନ୍ୟୂ-ନରମାଲ’ଜନିତ ଆର୍ଥିକ ମାନ୍ଦାବସ୍ଥା ପ୍ରଧାନ । ୨୦୨୨ ସୁଦ୍ଧା ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଉଥିବା ସ୍ଥଳେ ୨୦୨୩ରେ ୟୁରୋପ ଓ ବ୍ରିଟେନରେ ମାନ୍ଦାବସ୍ଥା ଘନେଇବା ଅର୍ଥନୀତିଜ୍ଞମାନେ ଆକଳନ କରିଛନ୍ତି । ଅର୍ଥାତ, ବିଶ୍ୱବ୍ୟାପୀ ବିଜ୍ଞାପନ ବ୍ୟୟ ହ୍ରାସ ସୁନିଶ୍ଚିତ । ଦ୍ୱିତୀୟତଃ, ଫେସବୁକ ଓ ଟୁଇଟର ଭଳି ମଞ୍ଚରୁ ଶିଶୁ, କିଶୋର ଓ ଯୁବବର୍ଗ ଉପଭୋକ୍ତାଙ୍କ ସଂଖ୍ୟା ଅପସାରଣ ମହାମାରୀ-ପୂର୍ବାବସ୍ଥାରୁ ଲାଗି ରହିଥିଲା । ସେମାନେ ପାଠ୍ୟ-ପ୍ରଧାନ ‘ଟେକ୍ସଟ-ବେସଡ଼’ ମଞ୍ଚ ଗୁଡ଼ିକରୁ ଦୃଶ୍ୟ-ପ୍ରଧାନ ‘ଭିଡ଼ିଓ-ବେସଡ଼’ ମଞ୍ଚଗୁଡ଼ିକ ପ୍ରତି ଆକର୍ଷିତ ହେବାରେ ଲାଗିଥିଲେ । ଉଦାହରଣରେ ଯୁକ୍ତରାଷ୍ଟ୍ରରେ ଇନଷ୍ଟାଗ୍ରାମ ଓ ଟିକଟକର ଯୁବ ଉପଭୋକ୍ତାଙ୍କ ସଂଖ୍ୟା ଅଧିକ ।

ତୃତୀୟରେ ସାଧାରଣ ଉପଭୋକ୍ତାଙ୍କ ମଧ୍ୟରେ ସମ୍ୱାଦ-ବିମୁଖ ମନୋଭାବ, ବିଶ୍ୱସନୀୟତା ହାନୀ, ପକ୍ଷପାତିତା, ସୂଚ଼ନା ପ୍ରାବଲ୍ୟ ଓ ସୂଚ଼ନା-ପ୍ରଦୂଷଣ ଭଳି ସମ୍ପାଦକୀୟ ସମସ୍ୟାମାନ ସାମାଜିକ ଗଣମାଧ୍ୟମର ଗୁଣାତ୍ମକ ଅବକ୍ଷୟର କାରଣ ପାଲଟିଛି । ଏକପକ୍ଷରେ ଅସୁସ୍ଥ ପରମ୍ପରା ଉପଭୋକ୍ତାଙ୍କୁ ନିର୍ଦ୍ଦିଷ୍ଟ ମଞ୍ଚରେ ଦୀର୍ଘକାଳ ଧରି ବାନ୍ଧି ରଖିବାରେ ଅସମର୍ଥ ହେବା ନିଶ୍ଚିତ ଥିବା ସ୍ଥଳେ ଉପଭୋକ୍ତାଙ୍କ ରୁଚ଼ି, ଆଚ଼ରଣ ଓ ସାମର୍ଥ୍ୟକୁ ଭିତ୍ତିକରି ଗଢ଼ିଉଠୁଥିବା ସାମାଜିକ ଗଣମାଧ୍ୟମର ଦ୍ୱିତୀୟ ପିଢ଼ିର ମଞ୍ଚଗୁଡ଼ିକ ଉପଭୋକ୍ତାଙ୍କୁ ଆକର୍ଷିତ କରିବାରେ ଲାଗିଛି । ଫଳରେ ସାମାଜିକ ଗଣମାଧ୍ୟମରେ ଏକ ରକମ ରୂପାନ୍ତର ପ୍ରକ୍ରିୟା ୨୦୨୨ରେ ଚ଼ିହ୍ନଟ କରାଯାଇଛି ।

ଆଧୁନିକ ପ୍ରଯୁକ୍ତି କୌଶଳ ଉଦ୍ଭାବନ ଯୋଗାଯୋଗ କ୍ଷେତ୍ରରେ କାନ୍ତିକାରୀ ପରିବର୍ତ୍ତନ ସମ୍ଭବ କରିଛି । ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଏହି ସୁବିଧା ସୁଯୋଗ ବିଶ୍ୱବ୍ୟାପୀ ବୃହତ୍ତର ଜନସଂଖ୍ୟାଙ୍କ ହାତପାଆନ୍ତାରେ ଉପଲବ୍ଧ । ଯୋଗାଯୋଗ ବିପ୍ଳବରେ ଶିକ୍ଷିତ ଅଶିକ୍ଷିତ, ଧନୀ ଦରିଦ୍ର ସଭିଏଁ ସାମିଲ ହେବାର ସୁଯୋଗ ସୃଷ୍ଟି ହୋଇପାରିଛି । କୁହାଯାଉଛି ଯେ, ସୂଚନା, ତଥ୍ୟ ଓ ଅନୁଭୂତି ବିନିମୟରେ ଉପଭୋକ୍ତା ସର୍ବଦା ଅପେକ୍ଷାକୃତ କ୍ଷୀପ୍ର ‘ଫାଷ୍ଟର’ ଓ ସହଜ-ସରଳ ‘ଇଜିୟର’ ପଦ୍ଧତି ପ୍ରତି ଆଗ୍ରହ ପ୍ରକାଶ କରିଥାଏ । ଏହି କାରଣରୁ ସାମାଜିକ ଗଣମାଧ୍ୟମରେ ‘ଭିଡ଼ିଓ’ ସମ୍ୱଳିତ ମଞ୍ଚର ଚାହିଦା ବଢ଼ିଛି ଏବଂ ଉପଭୋକ୍ତାମାନେ କ୍ରମଶଃ ସ୍ଥାନାନ୍ତରିତ ହେଉଛନ୍ତି । ଅପରପକ୍ଷେ ପାଠ୍ୟ ‘ଟେକ୍ସଟ’ କିମ୍ୱା ଶ୍ରାବ୍ୟ ‘ଅଡ଼ିଓ’ ତୁଳନାରେ ଦୃଶ୍ୟ ‘ଭିଡ଼ିଓ’ ଅଧିକ ସୂଚନା ବିନିମୟରେ ସକ୍ଷମ । କେତେକଙ୍କ ମତରେ ଆଧୁନିକ ଭିଡ଼ିଓ ପ୍ରଧାନ ମଞ୍ଚଗୁଡ଼ିକ ପାରମ୍ପରିକ ଗଣମାଧ୍ୟମ ମଞ୍ଚର ଭୂମିକାକୁ ଗୌଣ କରିପକାଉଛି ।

ସାମାଜିକ ଗଣମାଧ୍ୟମ ବା ‘ସୋସିଆଲ ମିଡ଼ିଆ’ ପ୍ରଥମତଃ ‘ସୋସିଆଲ ନେଟୱାର୍କ’ ଭାବେ ବିକଶିତ ହୋଇଥିଲା । ‘ସୋସିଆଲ ନେଟୱାର୍କ’ରେ ଜଣେ ଉପଭୋକ୍ତା ମୁଖ୍ୟତଃ ନିଜ ପୂର୍ବ ପରିଚ଼ିତଙ୍କ ସହ ଯୋଗାଯୋଗରେ ସଂପୃକ୍ତ ରହୁଥିଲା । ‘ଫେସବୁକ’ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଯୋଗାଯୋଗ ସ୍ଥାପନ ନିମନ୍ତେ ଅଭିପ୍ରେତ ଥିଲା । ‘ଲିଙ୍କଡ଼ଇନ’ ନିଯୁକ୍ତି ଆକାଂକ୍ଷୀଙ୍କ ସହାୟତାରେ ଆସୁଥିଲା । କିନ୍ତୁ ‘ଟୁଇଟର’ର ଉନ୍ମୋଚନ ପରେ ପରିଚ଼ିତି ବର୍ଗଙ୍କ ସହ ଯୋଗାଯୋଗର ପରିସୀମା ବୃଦ୍ଧିପାଇ ସର୍ବସାଧାରଣକୁ ସଂପ୍ରସାରିତ ହୋଇଥିଲା । କ୍ରମଶଃ ବ୍ୟବସାୟୀ, ରାଜନୀତିକ ନେତୃବର୍ଗ ଓ ପ୍ରଚାର ଅନ୍ୱେଷୀଙ୍କ ପ୍ରୟାସରେ ବହୁ ସଂଖ୍ୟାରେ ଜନସାଧାରଣଙ୍କୁ ନିଜସ୍ୱ ମଞ୍ଚରେ ସାମିଲ କରିବା ନିମନ୍ତେ ଅନବରତ ଉଦ୍ୟମ ଜାରୀ ରହିଥିଲା । ଫଳ ସ୍ୱରୂପ ୨୦୦୯ ବେଳକୁ ‘ସୋସିଆଲ ନେଟୱାର୍କ’ କ୍ରମଶଃ ‘ସୋସିଆଲ ମିଡ଼ିଆ’ରେ ପରିଣତ ହେଲା ।

ଏକବିଂଶ ଶତାଦ୍ଦୀର ଦ୍ୱିତୀୟ ଦଶକରେ ସୋସିଆଲ ମିଡ଼ିଆର ପ୍ରସାର ମହାମାରୀ ଯାଏଁ ବଳବତ୍ତର ରହିଥିଲା । ସାମଗ୍ରୀକଭାବେ ସୋସିଆଲ ମିଡ଼ିଆ ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକର ପ୍ରତିଯୋଗୀଭାବେ ଉପସ୍ଥାପିତ ହୋଇ ପୂର୍ବଜଙ୍କ ବିଜ୍ଞାପନ ଆୟ ନିଜ ଅକ୍ତିଆରକୁ ଆଣିବାରେ ସଫଳ ହୋଇପାରିଥିଲା । ସୋସିଆଲ ମିଡ଼ିଆ ପ୍ରସାରକ ‘ବ୍ରଡ଼କାଷ୍ଟର’ ଭୂମିକାରେ ଅବତୀର୍ଣ୍ଣ ହେବା ଏବଂ ଉପଭୋକ୍ତାଙ୍କ ସଂଖ୍ୟା ବୃଦ୍ଧି ତଥା ବିଜ୍ଞାପନ ପ୍ରଦର୍ଶନରେ ଅତ୍ୟାଧୁନିକ ବୈଷୟିକ କୌଶଳ ପ୍ରୟୋଗଜନିତ ଅଭିଷ୍ଠ ଗୋଷ୍ଠୀଙ୍କ ନିକଟରେ ବର୍ଣ୍ଣାଢ୍ୟ ଆଙ୍ଗିକରେ ପହଞ୍ଚିବାର ସୁଯୋଗ ବିଜ୍ଞାପନ ଆୟବୃଦ୍ଧିରେ ପର୍ଯ୍ୟବସିତ ହୋଇଥିଲା । ତେବେ ଉପଭୋକ୍ତାଙ୍କ ବିକଳ୍ପ ସୋସିଆଲ ମିଡ଼ିଆ ମଞ୍ଚକୁ ଅପସାରଣ ପ୍ରକ୍ରିୟା ଏବଂ ପାରିପାର୍ଶ୍ୱିକ ପରିସ୍ଥିତି ‘ନ୍ୟୂ-ନରମାଲ’ରେ ପ୍ରଥମ ପର୍ଯ୍ୟାୟରେ ବିକଶିତ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକ ପାରମ୍ପରିକ ଗଣମାଧ୍ୟମ ସମ୍ମୁଖୀନ ହୋଇଥିବା ବିଜ୍ଞାପନ ଆୟ ଅଭାବ ପରିସ୍ଥିତିରେ ପହଞ୍ଚିବାକୁ ବାଧ୍ୟ ହେଲା ।

ବିଜ୍ଞାପନ ଆୟ ଅଭାବରେ ବିଜ୍ଞାପନ-ଆଶ୍ରିତ ବ୍ୟାବସାୟିକ ମଡ଼େଲରେ ବିକଶିତ ମୁଦ୍ରଣ ମଞ୍ଚ ଗ୍ରାହକଚାନ୍ଦା-ଆଶ୍ରିତ ବ୍ୟାବସାୟିକ ମଡ଼େଲ ଅନୁସରଣ କରିବାକୁ ବାଧ୍ୟ ହୋଇଥିଲା । ବିଜ୍ଞାପନ ଆୟ ଅଭାବରେ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକ ମଧ୍ୟ ଗ୍ରାହକ-ଚାନ୍ଦା ପ୍ରତି ନିର୍ଭରଶୀଳ ହେବାର ସମୟ ଉପନୀତ । ଟୁଇଟର ପକ୍ଷରୁ ମାସିକ ଚାନ୍ଦା ଧାର୍ଯ୍ୟ ଏକ ଉଦାହରଣ । ସୋସିଆଲ ମିଡ଼ିଆ ପତନରେ ଆଲଗୋରିଥିମର ଭୂମିକାକୁ ଉପେକ୍ଷା କରାଯାଇନପାରେ । ଉପଭୋକ୍ତାଙ୍କ ଆଚ଼ରଣ ଓ ରୁଚ଼ି ତର୍ଜମା କରି ଯାନ୍ତ୍ରିକ ଉପାୟରେ ଆଲଗୋରିଥିମ ସଂପୃକ୍ତ ଉପଭୋକ୍ତାଙ୍କ ସୋସିଆଲ ମିଡ଼ିଆ ମଞ୍ଚରେ ପାଠ୍ୟ, ଶ୍ରାବ୍ୟ ଓ ଦୃଶ୍ୟ ‘ଟେକ୍ସଟ, ଅଡ଼ିଓ ଏଣ୍ଡ ଭିଡ଼ିଓ’ ପ୍ରଦର୍ଶନ କରାଯାଏ । ଫେସବୁକରେ ନିର୍ଦ୍ଦିଷ୍ଟ ଉପଭୋକ୍ତାଙ୍କ ବନ୍ଧୁ ପରିସରରେ ଅଯୋଗ୍ୟଙ୍କ ପ୍ରବେଶ ପରେ ସେମାନଙ୍କ ବନ୍ଧୁଙ୍କ ରୁଚ଼ି ଆଧାରରେ ସ୍ୱୟଂକ୍ରିୟ ଧାରାରେ ଅରୁଚିକର ପ୍ରଦର୍ଶନ ଆରମ୍ଭ ହୋଇଯାଏ । ଏତାଦୃଶ ଅବସ୍ଥା ସମୟକ୍ରମେ ଉପଭୋକ୍ତଙ୍କ ସଂପୃକ୍ତ ମଞ୍ଚ ପ୍ରତି ଆଗ୍ରହହାନୀରେ ପରିବର୍ତ୍ତିତ ହୁଏ । ଏହାର ପ୍ରତିରୋଧ ସଂଭବ । କିନ୍ତୁ ଅନେକ କ୍ଷେତ୍ରରେ ଉପଭୋକ୍ତା ଏହି ଦିଗରେ ସଚ଼େତନ ନଥାଏ କିମ୍ୱା ଉଦ୍ୟମ କରିବା ନିମନ୍ତେ ଯତ୍ନବାନ ହୋଇନଥାଏ ।

ଉପସଂହାରରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠେ, ସୋସିଆଲ ମିଡ଼ିଆର ଅବକ୍ଷୟ ଆରମ୍ଭ ହୋଇସାରିଲାଣି କି ? ଅନଲାଇନ ଯୋଗାଯୋଗ ଆରମ୍ଭ ପୂର୍ବରୁ ସାଧାରଣରେ ମନୁଷ୍ୟ କମ ବ୍ୟକ୍ତିଙ୍କ ସହ ଦୈନିକଭିତ୍ତିରେ କମ ସମୟ ଯୋଗାଯୋଗରେ ସଂପୃକ୍ତ ରହୁଥିଲା । ଇଣ୍ଟରନେଟ ପ୍ରସାର, ସ୍ମାର୍ଟଫୋନ ବ୍ୟବହାର ଓ ସୋସିଆଲ ମିଡ଼ିଆରେ ଉପସ୍ଥିତି ଉଭୟ କ୍ଷେତ୍ରରେ ସଂଖ୍ୟା ଓ ଅବଧି ବୃଦ୍ଧିରେ ପରିବର୍ତ୍ତିତ ହେଲା । ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ଏହି ସୁବିଧା ସୁଯୋଗ ସାର୍ବଜନୀନସ୍ତରକୁ ସଂପ୍ରସାରିତ ହୋଇପାରିଲା । ପ୍ରସାରଣ ଗଣମାଧ୍ୟମ ପ୍ରତିଷ୍ଠାନ, ସରକାର ଓ ବ୍ୟାବସାୟିକ ସଂସ୍ଥା କବଳରୁ ସାଧାରଣ ନାଗରିକଙ୍କଠାରେ ପହଞ୍ଚିଲା । ପ୍ରସାରଣ ନିମନ୍ତେ କାହାରି ଅନୁମୋଦନ ‘ଏଣ୍ଡୋରର୍ସମେଣ୍ଟ’ର ଆବଶ୍ୟକତା ପଡ଼ିଲାନି । ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ବଦଳରେ ଉପଭୋକ୍ତାଙ୍କ ସୃଜନ ‘ୟୁଜର ଜେନେରେଟଡ଼ କଣ୍ଟେଣ୍ଟ’ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକୁ ସମୃଦ୍ଧ କଲା । ଅବଶ୍ୟ ଏହି ପରିବର୍ତ୍ତିତ ଧାରା ସୁଯୋଗ ବଦଳରେ ବିପଦର ମଧ୍ୟ କାରଣ ପାଲଟିଲା । ସୋସିଆଲ ମିଡ଼ିଆ ନିୟନ୍ତ୍ରଣ ନିମନ୍ତେ ବିଶ୍ୱର ବହୁ ରାଷ୍ଟ୍ର ସରକାରୀସ୍ତରରେ ଆଇନ ପ୍ରଣୟନ ଓ ସମୀକ୍ଷା ନିମନ୍ତେ ଯତ୍ନବାନ । ଏହିସବୁ ଉପକ୍ରମ ଆଧାରରେ ୨୦୨୨ ସୁଦ୍ଧା ସୋସିଆଲ ମିଡ଼ିଆ ତୃତୀୟ ଅଧ୍ୟାୟରେ ଉପନୀତ ବୋଲି କୁହାଯାଇପାରେ ।

Related Post