ଆଜିର ଖାସ ଖବର
Sat. May 30th, 2026

ସାମ୍ୱାଦିକତାର ସ୍ୱରୂପ

By Dainikasha Jul12,2024

ମନୁଷ୍ୟ ଦୈନନ୍ଦିନ ଜୀବନରେ ନିରନ୍ତର ଅନ୍ୟମାନଙ୍କ ସହ ଯୋଗାଯୋଗ ପ୍ରକ୍ରିୟାରେ ସଂପୃକ୍ତ । ଅର୍ଥାତ ପରସ୍ପର ମଧ୍ୟରେ ଅନବରତ ଭାବ ବିନିମୟ ହୋଇଥାଏ । ଆଳାପ ଆଲୋଚ଼ନାରେ ଯେଉଁ ବିଷୟବସ୍ତୁ ପରିବର୍ତ୍ତନର ସୂଚନା ଦିଏ, ତାହା ସମ୍ୱାଦ ପର୍ଯ୍ୟାୟଭୁକ୍ତ । 

ବିଭିନ୍ନ ଘଟଣା, ସମସ୍ୟା କିମ୍ୱା ଚରିତ୍ରଙ୍କ କ୍ଷେତ୍ରରେ ପରିବର୍ତ୍ତନ ଆମେ ଆଗ୍ରହ ସହକାରେ ଅନୁଧ୍ୟାନ କରି ଅନ୍ୟମାନଙ୍କ ସମ୍ମୁଖରେ ପ୍ରକାଶ କରିଥାଉ ଏବଂ ଶ୍ରୋତାମାନଙ୍କ ମଧ୍ୟରେ ଅଧିକରୁ ଅଧିକ ଜାଣିବାକୁ ଅଭିଳାଷ ଜାଗ୍ରତ ହୋଇଥାଏ । 

ମାନବ ସଭ୍ୟତାରେ ସମ୍ୱାଦ ସରବରାହ ଅନ୍ୟତମ ଆଦିମ ପ୍ରବୃତ୍ତି ଏବଂ ଅତ୍ୟାଧୁନିକ ପରିବେଶରେ ମଧ୍ୟ ଏହାର ଗୁରୁତ୍ୱ ବଳବତ୍ତର ରହିଛି । ସମ୍ୱାଦ ସଂଗ୍ରହ ଓ ପରିବେଷଣର ଧାରା କାଳକ୍ରମେ ସଂଗଠିତ ହୋଇ ସାମ୍ୱାଦିକତାରେ ପରିପ୍ରକାଶ ହୋଇଛି । ବୈଷୟିକ ପ୍ରଗତିରେ ବିଭିନ୍ନ ସାଜସରଞ୍ଜାମ ଉପଯୋଗ ଗଣମାଧ୍ୟମ ପରିବେଶକୁ ରୁଦ୍ଧିମନ୍ତ କରିଛି । 

ସମ୍ୱାଦ ସ୍ଥଳବିଶେଷରେ କୌତୁହଳଦ୍ଦୀପକ ତଥା ମନୋରଞ୍ଜନଧର୍ମୀ ହେଲେହେଁ, ମୂଳତଃ ଏହା ମନୁଷ୍ୟକୁ ବିଭିନ୍ନ ବିଷୟରେ ଅବଗତ କରାଇ ଅର୍ଥପୂର୍ଣ୍ଣ ଜୀବନଯାତ୍ରାରେ ସହାୟକ ହୋଇଥାଏ । ଶିକ୍ଷା, ସ୍ୱାସ୍ଥ୍ୟରକ୍ଷା, ବାଣିଜ୍ୟବ୍ୟବସାୟଠାରୁ ଆରମ୍ଭ କରି ପ୍ରଶାସନ, ଗଣତନ୍ତ୍ର ଯାଏଁ ପ୍ରତ୍ୟେକଟି ସାମାଜିକ କ୍ଷେତ୍ରରେ ଯୋଗଦାନ ଲାଗି ପ୍ରଶସ୍ତ କ୍ଷେତ୍ର ପ୍ରସ୍ତୁତ କରିଥାଏ । 

ସାମ୍ୱାଦିକତାର ମୂଳ ଉଦ୍ଦେଶ୍ୟ ଉପଭୋକ୍ତାଙ୍କ ଆବଶ୍ୟକତା ଅନୁଯାୟୀ ସମ୍ୱାଦ ପରିବେଷଣର ସୁଯୋଗ ସୃଷ୍ଟିରେ ଅଭିପ୍ରେତ । ଏତଦ୍ୱାରା ସେମାନେ ନିଜ ବସତି, ଜନପଦ ଓ ସମାଜର ସ୍ଥିତାବସ୍ଥା ସଂପର୍କରେ ଅବଗତ ହୋଇ ଦାୟିତ୍ୱ ନିର୍ବାହ କରିଥାନ୍ତି । 

ସ୍ଥୁଳ ଅର୍ଥରେ ସମ୍ୱାଦ କୌଣସି ଏକ ପରିବର୍ତ୍ତନର ସୂଚନା । ଏହାର ପରିଧି ଘଟଣାଠାରୁ ଆରମ୍ଭ କରି ଚିନ୍ତାଧାରା ଯାଏଁ ବ୍ୟାପ୍ତ । ସମ୍ୱାଦର ବିଧିବଦ୍ଧ ପ୍ରକାଶନକୁ ସାମ୍ୱାଦିକତା କୁହାଯାଏ । ଏହା ସମ୍ୱାଦ ଚୟନ, ସଂଗ୍ରହ, ରଚନା, ଉପସ୍ଥାପନ ଓ ସମୀକ୍ଷା ପାଞ୍ଚଗୋଟି ପର୍ଯ୍ୟାୟ ମଧ୍ୟ ଦେଇ ଗତି କରିଥାଏ ।

ପ୍ରଥମତଃ, ପ୍ରତ୍ୟେକଟି ଘଟଣା କିମ୍ୱା ପରିବର୍ତ୍ତନ ସମ୍ୱାଦ ପର୍ଯ୍ୟାୟଭୁକ୍ତ ହୋଇନପାରେ । ଉଦାହରଣରେ ଜଣେ ସାଧାରଣ ନାଗରିକଙ୍କ ଦୈନନ୍ଦିନ ଜୀବନର ବିବରଣୀକୁ ଆମେ ସମ୍ୱାଦ ରୂପେ ଗ୍ରହଣ କରିନପାରୁ । କିନ୍ତୁ ଜଣେ ଜନନାୟକ କିମ୍ୱା ଚର୍ଚ୍ଚିତ ଚରିତ୍ରଙ୍କ ଦୈନନ୍ଦିନ ଜୀବନ ସ୍ଥଳବିଶେଷରେ ସମ୍ୱାଦ ପଦବାଚ୍ୟ ହୋଇପାରେ । ମନୋରଞ୍ଜନ ସାମ୍ୱାଦିକତାରେ ଚଳଚ଼ିତ୍ର ନାୟକ, ନାୟିକାମାନଙ୍କ ଦୈନନ୍ଦିନ ଜୀବନର ବିଶଦ ବିବରଣୀ ପାଠକ, ପାଠିକାମାନଙ୍କ ମଧ୍ୟରେ ଆଦୃତ ହୋଇଥାଏ । ସେହିପରି ଜଣେ ଦୁର୍ଦ୍ଧାନ୍ତ  ଡ଼କାୟତ କିମ୍ୱା ଉଚ୍ଚ ପଦଧିକାରୀ ରାଜନୀତିକ ନେତାଙ୍କ ଦୈନନ୍ଦିନ ଜୀବନ ମଧ୍ୟ ପାଠକୀୟ ଆଗ୍ରହ ଉଦ୍ରେକ କରିପାରେ ।

ସମ୍ୱାଦ ପରିବେଷଣ ମଞ୍ଚ ଅର୍ଥାତ ସମ୍ୱାଦପତ୍ର, ରେଡ଼ିଓ, ଟେଲିଭିଜନ, ୱେବ ପୋର୍ଟାଲ ବା ସୋସିଆଲ ମିଡ଼ିଆ ନିଜସ୍ୱ ସ୍ୱାତନ୍ତ୍ର୍ୟକୁଭିତ୍ତିକରି ସମ୍ୱାଦ ଚୟନ କରିଥାନ୍ତି । ଉଦାହରଣରେ ଏକ ରାଜନୀତିକ ଘଟଣାକ୍ରମ ସାଧାରଣ ବର୍ଗର ଦୈନିକ ସମ୍ୱାଦପତ୍ରର ପ୍ରଥମ ପୃଷ୍ଠା ଓ ଅର୍ଥନୀତିକ ଘଟଣାକ୍ରମ ଭିତରପୃଷ୍ଠା ମଣ୍ଡନ କରୁଥିବା ସ୍ଥଳେ ଅର୍ଥନୀତିକ ଦୈନିକ ସମ୍ୱାଦପତ୍ରରେ ଅର୍ଥନୀତିକ ଘଟଣାକ୍ରମ ପ୍ରଥମପୃଷ୍ଠା ଓ ରାଜନୀତିକ ଘଟଣାକ୍ରମ ଭିତରପୃଷ୍ଠାରେ ସ୍ଥାନିତ ହୋଇଥାଏ । 

ସେହିପରି ସମ୍ୱାଦପତ୍ରଗୁଡ଼ିକର ଆଞ୍ଚଳିକ ସଂସ୍କରଣଗୁଡ଼ିକରେ ସ୍ଥାନୀୟ ସମ୍ୱାଦକୁ ଗୁରୁତ୍ୱ ଦିଆଯାଉଥିବା ସ୍ଥଳେ ଅନୁରୂପ ଢ଼ଙ୍ଗରେ ଅନ୍ୟ ସଂସ୍କରଣଗୁଡ଼ିକରେ ସେଠାକାର ସ୍ଥାନୀୟ ସମ୍ୱାଦ ପ୍ରକାଶନ କରିଥାନ୍ତି । କୌଣସି ବନ୍ଧୁଙ୍କ ଜନ୍ମଦିନ ଅବସରରେ ସୋସିଆଲ ମିଡ଼ିଆରେ ଏକାଧିକ ପୋଷ୍ଟ କରାଯିବା ଯୁକ୍ତିଯୁକ୍ତ ଥିବାସ୍ଥଳେ ତାହା ପାରମ୍ପରିକ ଗଣମାଧ୍ୟମରେ ସ୍ଥାନ ପାଇପାରେନା ।

ଦ୍ୱିତୀୟତଃ, ସମ୍ୱାଦର ବିଷୟବସ୍ତୁ ଚ଼ିହ୍ନଟ ପରେ ତଥ୍ୟ ସଂଗ୍ରହ, ରଚନା ଓ ଉପସ୍ଥାପନା ସାଧାରଣରୁ ଅସାଧାରଣ ଦକ୍ଷତା ଆବଶ୍ୟକ କରିଥାଏ । ସୋସିଆଲ ମିଡ଼ିଆରେ ସମ୍ୱାଦ ପୋଷ୍ଟ କରିବା ନିମନ୍ତେ ଯେକୌଣସି ଶିକ୍ଷିତ ସମର୍ଥ ଥିବା ସ୍ଥଳେ ଜଣେ ରାଜନୀତିକ କିମ୍ୱା ବ୍ୟାବସାୟିକ ନେତାଙ୍କ ପୋଷ୍ଟିଂ ପାଇଁ ଉଚ୍ଚ ପ୍ରତିଭାଧରଙ୍କୁ ଖୋଜା ପଡ଼ିଥାଏ । ଏତଦ୍ୱାରା ପୋଷ୍ଟର ଗୁଣବତ୍ତା ବୃଦ୍ଧି ପାଇଥାଏ ।

ତୃତୀୟତଃ, ସମ୍ୱାଦ ଉପସ୍ଥାପନା ପ୍ରକ୍ରିୟାରେ ସମୀକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହୋଇଥିଲେହେଁ ପାରମ୍ପରିକସ୍ତରରେ ଅବହେଳିତ ହୋଇ ପଡ଼ି ରହୁଥିଲା । ଇଣ୍ଟରନେଟ ସମ୍ୱାଦିକତାର ପ୍ରଚଳନପରେ ପ୍ରତ୍ୟେକ ସମ୍ୱାଦ ସମୀକ୍ଷାର ପରିବେଶ ସୃଷ୍ଟି ସଂଭବ ହୋଇପାରିଛି । ସମ୍ୱାଦ ସହ ସାର୍ବଜନୀନ ଅଭିମତ ସଂଯୋଗ ସୂଚନାର ବିଶ୍ୱସନୀୟତା ବୃଦ୍ଧିରେ ସହାୟତା କରୁଛି । ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକ କ୍ରମଶଃ ମୋବାଇଲଫାଷ୍ଟ ଆଙ୍ଗିକ ଆୟତ୍ତ କରୁଥିବା ହେତୁ ଏହି ସୁବିଧାସୁଯୋଗ ପରିବ୍ୟାପ୍ତ ହେବାରେ ଲାଗିଛି । 

କେବଳ ସମ୍ୱାଦ ରଚନାକୁ ସାମ୍ୱାଦିକତା ଆଖ୍ୟା ଦେବା ଦୋଷାବହ । ସାମ୍ୱାଦିକତାର ମୂଳଭିତ୍ତି ପ୍ରକାଶିତ ତଥ୍ୟାବଳୀର ଯାଞ୍ଚ ଉପରେ ନିର୍ଭରଶୀଳ । ଯେକୌଣସି ବ୍ୟକ୍ତି ସମ୍ୱାଦ ରଚନା କରିପାରନ୍ତି । ତେବେ ବୃତ୍ତିଧାରୀ ସାମ୍ୱାଦିକମାନେ ପ୍ରକାଶିତ ସମ୍ୱାଦର ସତ୍ୟତା ଯାଞ୍ଚ ଲାଗି ଉତ୍ତରଦାୟୀ ରହିଥାନ୍ତି । ଅନେକ ରାଷ୍ଟ୍ରରେ ସାମ୍ୱାଦିକମାନଙ୍କୁ ଚ଼ିହ୍ନଟ କରି ସରକାରୀସ୍ତରରେ ଅଧିସ୍ୱୀକୃତି ପ୍ରଦାନ କରାଯାଇଥାଏ । ଜନସାଧରଣଙ୍କ ସ୍ୱାର୍ଥର ସୁରକ୍ଷା ସାମ୍ୱାଦିକର ପରମ ଧର୍ମ । ଏଥି ନିମନ୍ତେ ସତ୍ୟନିଷ୍ଠ ସମ୍ୱାଦ ପରିବେଷଣ ହିଁ ସାମ୍ୱାଦିକତାରେ ପର୍ଯ୍ୟବସିତ । 

ସାମ୍ୱାଦିକ ସମାଜର ପର୍ଯ୍ୟବେକ୍ଷକ ‘ଅବଜରଭର’ ଭୂମିକା ନିର୍ବାହ କରିଥାଏ । ଯେକୌଣସି ସମସ୍ୟାର ଗଭୀର ଅଧ୍ୟୟନ କରି ତାହାର ପୃଷ୍ଠଭୂମି, ବିଶ୍ୱାସଯୋଗ୍ୟ ତଥ୍ୟାବଳୀ ସମେତ ସମାଜର ବିଭିନ୍ନ ବର୍ଗର ବିଚାରଧାରା ଏକତ୍ର ପରିବେଷଣ ନିମନ୍ତେ ଉଦ୍ୟମ କରିଥାଏ । ଏତଦ୍ୱାରା ସାଧାରଣ ନାଗରିକ ସମସ୍ୟା ସଂପର୍କରେ ଅବଗତ ହୋଇ ବ୍ୟକ୍ତିଗତ ଓ ସାମୂହିକ ଦୃଷ୍ଟିକୋଣ ଗଢିତୋଳିଥାନ୍ତି । 

ଗଣତାନ୍ତ୍ରିକ ଶାସନ ପଦ୍ଧତିରେ ଗ୍ରାମପଞ୍ଚାୟତଠାରୁ ଆରମ୍ଭକରି ରାଷ୍ଟ୍ରୀୟ ଶାସନ ବ୍ୟବସ୍ଥା ପରିଚାଳନାରେ ପ୍ରତ୍ୟେକ ନାଗରିକ ସକ୍ରିୟଭାବେ ଅଂଶ ଗ୍ରହଣ କରୁଥିବା ହେତୁ ସମାଜର ବିଭିନ୍ନ ସମସ୍ୟା ସଂପର୍କରେ ଜାଣିବା ଗୁରୁତ୍ୱ ବହନ କରେ । ଏଥିସହ ସମସ୍ୟାଗୁଡ଼ିକର ବିଚାରବିମର୍ଷ ନିମନ୍ତେ ନିରପେକ୍ଷ ମଞ୍ଚ ମଧ୍ୟ ଆବଶ୍ୟକ ପଡ଼େ । ବିଭିନ୍ନ ସମ୍ୱାଦଭିତ୍ତିକ ଗଣମାଧ୍ୟମ ମଞ୍ଚ ଏହି ଦାୟିତ୍ୱ ନିର୍ବାହ କରିଥାନ୍ତି ।

ସାମ୍ୱାଦିକତାରେ ନୂତନତ୍ୱ ପ୍ରବର୍ତ୍ତନ ‘ଇନୋଭେସେନ’ ନିମନ୍ତେ ସମ୍ୱାଦ ରଚନାରେ ଦୀର୍ଘ ଅଭିଜ୍ଞତା, ଅନୁକରଣ, ଅଧ୍ୟୟନ ଓ ଗବେଷଣା ଆବଶ୍ୟକ ପଡ଼ିଥାଏ । ଏହା ବ୍ୟକ୍ତିଗତସ୍ତରରେ ପୂର୍ଣ୍ଣକାଳୀନ ବୃତ୍ତି କିମ୍ୱା ପ୍ରବୃତ୍ତି । ସାମ୍ୱାଦିକତା ଦକ୍ଷତା ହାସଲ ନିମନ୍ତେ ରୁଚି, ଧୈର୍ଯ୍ୟ ଓ ନିଷ୍ଠା ଅପରିହାର୍ଯ୍ୟ । ଖେଳକୁଦ, ଅଭିନୟ କିମ୍ୱା ଗାୟନ ଭଳି ସାମ୍ୱାଦିକତା ଏକ ନିଶା । ଏଠାରେ ଟାଣିଓଟାରି କାହାରିକି ସାମିଲ କରାଯାଇ ପାରେନା । 

ସାମ୍ୱାଦିକତାର ବାହ୍ୟ ଔଜଲ୍ୟ ‘ଗ୍ଳାମର’ରେ ପ୍ରଭାବିତ ହୋଇ ଯେଉଁମାନେ ଏଥିରେ ଅନୁପ୍ରବେଶ କରିଥାନ୍ତି ସେମାନେ ସାମ୍ୱାଦିକତାକୁ ବନ୍ଧକ ରଖି କିଛିକାଳ କ୍ଷମତାଶାଳୀ ବା ବିତ୍ତଶାଳୀ ହୋଇପାରନ୍ତି ସତ, କିନ୍ତୁ ସର୍ଜନଶୀଳ ସାମ୍ୱାଦିକଟିଏ ପାଞ୍ଚ ଶହ ଶବ୍ଦର ରଚନା ପରେ ଯେଉଁ ନୈସର୍ଗିକ ଆନନ୍ଦ ଉପଭୋଗ କରେ ସେଥିରୁ ବଞ୍ଚିତ ରହନ୍ତି । ଆତ୍ମତୃପ୍ତି ବିନା ସାମ୍ୱାଦିକତା କାହିଁକି ଯେକୌଣସି ସୃଜନ ନିରର୍ଥକ ।

Related Post