ଭାରତରେ ନିକଟ ଅତୀତର ଦୁଇ ସାଧାରଣ ନିର୍ବାଚ଼ନ ୨୦୧୪ ଓ ୨୦୧୯ରେ ନିର୍ବାଚ଼ନ ପ୍ରଚାରରେ ସୋସିଆଲ ମିଡ଼ିଆ ସାମିଲ ହୋଇଥିଲା ସତ, କିନ୍ତୁ ଜନସାଧାରଣରେ ସୋସିଆଲ ମିଡ଼ିଆ ଉପଭୋକ୍ତାଙ୍କ ସଂଖ୍ୟା ସୀମିତ ରହିଥିଲା । ତେବେ ୨୦୨୩ ସୁଦ୍ଧା ୭୫ କୋଟି ଜନସାଧାରଣ ସକ୍ରିୟ ଉପଭୋକ୍ତା, ଅର୍ଥାତ ମାସକୁ ଅନ୍ତତଃ ଥରେ ଇଣ୍ଟରନେଟ ମଞ୍ଚରେ ଅବତୀର୍ଣ୍ଣ ହେଉଥିବା ‘ଗୁଗୁଲ-କାନ୍ତାର’ ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଜଣାଯାଏ । ଇଣ୍ଟରନେଟ ମଞ୍ଚରେ ଉପଭୋକ୍ତା ବୃଦ୍ଧି ସାଧାରଣ ନିର୍ବାଚ଼ନ ୨୦୨୪ରେ ଅନଲାଇନ ପ୍ରଚାରକୁ ତ୍ୱରାନ୍ୱିତ କରିବା ସ୍ୱାଭାବିକ । ଜୁନ ୨୦୨୩ ଶେଷ ସପ୍ତାହରେ ରାଜସ୍ଥାନ ସରକାରଙ୍କ ଉନ୍ନୟନ କାର୍ଯ୍ୟକ୍ରମ ବିଜ୍ଞପିତ କରିବା ନିମନ୍ତେ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକୁ ଆମନ୍ତ୍ରଣ ଏହି କ୍ଷେତ୍ରରେ ସଂଭାବ୍ୟ ଭବିଷ୍ୟତର ଚ଼ିତ୍ରାଙ୍କନ କରିଥିଲା ।
ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ‘ରଏଟର ଇନଷ୍ଟିଟିଉଟ ଅଫ ଷ୍ଟଡ଼ି ଅଫ ଜର୍ଣ୍ଣାଲିଜମ’ ପକ୍ଷରୁ ୨୦୨୩ ଜାନୁୟାରୀ ଓ ଫେବୃୟାରୀ ମାସରେ ଆୟୋଜିତ ସର୍ବେକ୍ଷଣ ତଥ୍ୟ ଅନୁଯାୟୀ ୫୩ ପ୍ରତିଶତ ଭାରତୀୟ ୟୁଟ୍ୟୁବ ମଞ୍ଚରୁ ସମ୍ୱାଦ ଆହରଣ କରୁଥିବା ସ୍ଥଳେ ହ୍ୱାଟସଅପରେ ୫୧ ପ୍ରତିଶତ, ଫେସବୁକରେ ୩୯ ପ୍ରତିଶତ, ଇନଷ୍ଟାଗ୍ରାମରେ ୩୨ ପ୍ରତିଶତ, ଟେଲିଗ୍ରାମ ଓ ଟୁଇଟରରେ ପ୍ରତ୍ୟେକ ୨୦ ପ୍ରତିଶତ ଅନଲାଇନ ସମ୍ୱାଦ ଉପଭୋକ୍ତା ହିସାବ କରାଯାଏ । ସୋସିଆଲ ମିଡ଼ିଆରେ ବିପୁଳ ସଂଖ୍ୟକ ଭୋଟରଙ୍କ ଉପସ୍ଥିତି ନିର୍ବାଚ଼ନ ପ୍ରଚାର ନିମନ୍ତେ ପ୍ରଶସ୍ତ କ୍ଷେତ୍ର ପ୍ରସ୍ତୁତ କରିପାରିଥିବା ସୁସ୍ପଷ୍ଟ ।
ରାଜସ୍ଥାନରେ ୨୦୨୩ ଡ଼ିସେମ୍ୱର ପ୍ରଥମ ସପ୍ତାହରେ ବିଧାନସଭା ନିର୍ବାଚ଼ନ ଆୟୋଜନ କରିବା କାର୍ଯ୍ୟକ୍ରମ ରହିଛି । ଏହାର ତିନି ସପ୍ତାହ ଆଗରୁ, ଅର୍ଥାତ ନଭେମ୍ୱରରୁ ନିର୍ବାଚ଼ନ ଆଚ଼ରଣ ବିଧି ଲାଗିପାରେ । ଏହି ସମୟ ନିର୍ଘଣ୍ଟକୁ ବିଚାରକୁ ନେଇ ଅଗଷ୍ଟରୁ ଅକ୍ଟୋବର ତିନିମାସ ଯାଏଁ ରାଜସ୍ଥାନର କଂଗ୍ରେସ ସରକାର ରାଜ୍ୟର ଊନ୍ନୟନମୂଳକ କାର୍ଯ୍ୟାବଳୀର ବିଶଦ ବିବରଣୀ ଜନସାଧାରଣଙ୍କ ନିକଟରେ ପହଞ୍ଚୁଇବା ନିମନ୍ତେ ସୋସିଆଲ ମିଡ଼ିଆରେ ବିଜ୍ଞାପନ ପ୍ରକାଶନ ନୀତି ନିର୍ଦ୍ଧାରଣ କରିଛି । ନିର୍ବାଚ଼ନ କମିଶନଙ୍କ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପରେ ସରକାରୀ ଖର୍ଚ୍ଚରେ ବିଜ୍ଞାପନ ପ୍ରସାରଣ ନିଷିଦ୍ଧ ହେବ ।
ରାଜସ୍ଥାନ ସରକାରଙ୍କ ସୋସିଆଲ ମିଡ଼ିଆ ବିଜ୍ଞାପନ ସର୍ତ୍ତାବଳୀରେ ସାମାଜିକ ଗଣମାଧ୍ୟମ ପ୍ରବକ୍ତା ‘ସୋସିଆଲ ମିଡ଼ିଆ ଇନଫ୍ଳୁଏନସର’ଙ୍କୁ ଚାରି ଭାଗରେ ବିଭକ୍ତ କରାଯାଇଛି । ୟୁଟ୍ୟୁବ, ଫେସବୁକ, ଇନଷ୍ଟାଗ୍ରାମ ଓ ଟୁଇଟର ଇତ୍ୟାଦି ସୋସିଆଲ ମିଡ଼ିଆ ମଞ୍ଚରେ ୧୦ ଲକ୍ଷ ଅନୁଗାମୀ ‘ଫଲୋଏର ବା ସବସ୍କ୍ରାଇବର’ ଥିବା ଇନଫ୍ଳୁଏନସରଙ୍କୁ ପ୍ରଥମ ପର୍ଯ୍ୟାୟ, ପାଞ୍ଚ ଲକ୍ଷ ଅନୁଗାମୀ ବିଶିଷ୍ଟଙ୍କୁ ଦ୍ୱିତୀୟ ପର୍ଯ୍ୟାୟ, ଏକ ଲକ୍ଷ ଅନୁଗାମୀ ବିଶିଷ୍ଟଙ୍କୁ ତୃତୀୟ ପର୍ଯ୍ୟାୟ ଓ ଦଶ ହଜାର ଅନୁଗାମୀ ବିଶିଷ୍ଟଙ୍କୁ ଚ଼ତୁର୍ଥ ପର୍ଯ୍ୟାୟ ରୂପେ ଚ଼ିହ୍ନିତ କରାଯିବ ।
ରାଜ୍ୟ ସରକାରଙ୍କ ବିଭିନ୍ନ ଊନ୍ନୟନ କାର୍ଯ୍ୟକ୍ରମ ସଂପର୍କରେ ପ୍ରସ୍ତୁତ ବିଜ୍ଞାପନ ପ୍ରସାର ନିମନ୍ତେ ମାସିକ ପ୍ରଥମ ପର୍ଯ୍ୟାୟ ଇନଫ୍ଳୁଏନସରଙ୍କୁ ପାଞ୍ଚ ଲକ୍ଷ, ଦ୍ୱିତୀୟ ପର୍ଯ୍ୟାୟ ଇନଫ୍ଲୁଏସରଙ୍କୁ ଦୁଇ ଲକ୍ଷ, ତୃତୀୟ ପର୍ଯ୍ୟାୟ ଇନଫ୍ଳୁଏନସରଙ୍କୁ ପଚାଶ ହଜାର ଏବଂ ଚ଼ତୁର୍ଥ ପର୍ଯ୍ୟାୟ ଇନଫ୍ଳୁଏନସରଙ୍କୁ ଦଶ ହଜାର ଟଙ୍କା ଯାଏଁ ପ୍ରଦାନ କରାଯିବା ସ୍ଥିରୀକୃତ ହୋଇଛି । ଏହି ସୁଯୋଗ ଗ୍ରହଣ ନିମନ୍ତେ ସୋସିଆଲ ମିଡ଼ିଆ ଇନଫ୍ଳୁଏନସରମାନେ ବିଧିବଦ୍ଧ ଢଙ୍ଗରେ ସରକାରଙ୍କ ସୂଚ଼ନା ଓ ଲୋକସଂପର୍କ ନିର୍ଦ୍ଦେଶାଳୟ ନିକଟରେ ଆବେଦନ କରିବେ । ସୋସିଆଲ ମିଡ଼ିଆରେ ନିଜ ଦକ୍ଷତା ପ୍ରମାଣିତ କରିବା ନିମନ୍ତେ ପ୍ରଥମ ପର୍ଯ୍ୟାୟଭୁକ୍ତ ଇନଫ୍ଳୁଏନସରମାନେ ବିଗତ ଛଅ ମାସ ମଧ୍ୟରେ ୧୦୦ ଭିଡ଼ିଓ ବା ୧୫୦ ପୋଷ୍ଟ ପ୍ରକାଶିତ କରିଥିବା ଆବଶ୍ୟକ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଇନଫ୍ଳୁଏନସରଙ୍କ ଲାଗି ୬୦ ଭିଡ଼ିଓ ବା ୧୦୦ ପୋଷ୍ଟ, ତୃତୀୟ ପର୍ଯ୍ୟାୟ ଲାଗି ୩୦ ଭିଡ଼ିଓ ବା ୫୦ ପୋଷ୍ଟ ଏବଂ ଚ଼ତୁର୍ଥ ପର୍ଯ୍ୟାୟ ଲାଗି ୧୫ ଭିଡ଼ିଓ ବା ୩୦ ପୋଷ୍ଟ ନିର୍ଦ୍ଧାରିତ ହୋଇଛି । ସରକାରୀସ୍ତରରେ ନିଯୁକ୍ତ ଚ଼ୟନ କର୍ତ୍ତାଗଣଙ୍କୁ ପୂର୍ବ ନିର୍ଦ୍ଧାରିତ ସୀମାକୁ ଉଚ଼ିତ କ୍ଷେତ୍ରରେ କୋହଳ କରିବା କ୍ଷମତା ପ୍ରଦାନ କରାଯାଇଛି ।
ରାଜସ୍ଥାନ ସରକାରଙ୍କ ବିଧାନସଭା-ପୂର୍ବ ସୋସିଆଲ ମିଡ଼ିଆ ବିଜ୍ଞାପନ ନୀତି ଅନୁଶୀଳନରେ ସାମାଜିକ ପ୍ରଭାବ ଜନିତ କେତେକ ଦିଗ ଚର୍ଚ୍ଚାର ପରିସରକୁ ଆଣିଥାଏ । ପ୍ରଥମତଃ, ବିଗତ ଦଶନ୍ଧିରେ ମୁଦ୍ରଣ ଓ ଟେଲିଭିଜନ କ୍ଷେତ୍ରରେ ମଞ୍ଚ ସଂଖ୍ୟା ବୃଦ୍ଧି, ବ୍ୟୟ ତୁଳନାରେ ଆୟ ହ୍ରାସ ଓ ମାଲିକାନାକୁ କେନ୍ଦ୍ରକରି ବିଶ୍ୱସନୀୟତା ହରାଇ ବସୁଥିବା ଅବସରରେ ସୋସିଆଲ ମିଡ଼ିଆରେ ସ୍ଥାନୀୟ ପ୍ରବକ୍ତା ‘ହାଇପର-ଲୋକାଲ ଇନଫ୍ଲୁଏନସର’ ବିକଳ୍ପ ସାଜିଥିଲେ । ସୋସିଆଲ ମିଡ଼ିଆ କ୍ଷେତ୍ରରେ ମାତ୍ର ଏକରୁ ଦୁଇ ପ୍ରତିଶତ ଇନଫ୍ଳୁଏନସର ପର୍ଯ୍ୟାପ୍ତ ଅର୍ଥ ଉପାର୍ଜନ କରିପାରୁଥିବା ସ୍ଥଳେ ଅଠାନବେରୁ ଅନେଶ୍ୱତ ପ୍ରତିଶତ ଋଚ଼ି, ବଦାନ୍ୟତା ବା ପ୍ରାୟୋଜନକେନ୍ଦ୍ରୀକ । ଏହି ପରିବେଶରେ ଅର୍ଥ ବିନିମୟରେ ନିଜ ନିଜ ମଞ୍ଚରେ ସରକାରୀ ବିଜ୍ଞାପନ ପ୍ରଦର୍ଶନ ଲୋଭନୀୟ ମନେ ହୋଇପାରେ ।
ଦ୍ୱିତୀୟତଃ, ସ୍ୱାଧୀନ ସୋସିଆଲ ମିଡ଼ିଆ ମଞ୍ଚରେ ସରକାରୀ ବିଜ୍ଞାପନ ପ୍ରଦର୍ଶନ ଦ୍ୱାରା ସଂପୃକ୍ତ ମଞ୍ଚଗୁଡ଼ିକର ମୌଳିକତା କ୍ଷୁର୍ଣ୍ଣ ହେବା ଭୟ ରହିବ । ଦୀର୍ଘ କାଳର ପରିଶ୍ରମରେ ଗଢ଼ି ଉଠିଥିବା ଉପଭୋକ୍ତାଙ୍କ ବିଶ୍ୱସନୀୟତା ଉପରେ ଆଞ୍ଚ ଆସିପାରେ । ମୁଖ୍ୟତଃ, ସରକାରୀ ଆଭିମୁଖ୍ୟକୁ ସମର୍ଥନ କରି ମୁଦ୍ରଣ ଓ ଟେଲିଭିଜନ କ୍ଷେତ୍ରରେ ବିଶ୍ୱସନୀୟତା ହ୍ରାସ ମହାମାରୀ-ପର ଅବସ୍ଥାରେ ପାରମ୍ପରିକ ଗଣମାଧ୍ୟମପକ୍ଷରେ ଅମୀମାଂସିତ ସମସ୍ୟା ରୂପେ ମୁଣ୍ଡ ଟେକିଥିବା ସ୍ଥଳେ ବିଜ୍ଞାପନ ମାଧ୍ୟମରେ ସରକାରୀ ପ୍ରୋତ୍ସାହନ ସୋସିଆଲ ମିଡ଼ିଆକୁ ସଂପ୍ରସାରଣରେ ସମ ଦଶା ଆଶା କରିବା ଆଶଙ୍କା ଅମୂଳକ ନୁହେଁ ।
ତୃତୀୟତଃ, ନିର୍ବାଚ଼ନକୁ ଦୃଷ୍ଟିରେ ରଖି ମାତ୍ର ତିନିମାସ ଲାଗି ସୋସିଆଲ ମିଡ଼ିଆ ଇନଫ୍ଳୁଏନସରଙ୍କୁ ବିଜ୍ଞାପନ ବିତରଣ ଥରକ ଲାଗି କିଛି ଅର୍ଥ ଉପାର୍ଜନର ଆଶା ଉଜ୍ଜୀବିତ କରୁଥିଲେହେଁ ଦୀର୍ଘ ସୂତ୍ରରେ ହିତକର ସାବ୍ୟସ୍ତ ହୋଇନପାରେ । ରାଜସ୍ଥାନ ସରକାରଙ୍କ ଦ୍ୱାରା ପ୍ରଣୀତ ନିର୍ବାଚନ ପୂର୍ବରୁ ସରକାରୀ ବିଜ୍ଞାପନ ସୋସିଆଲ ମିଡ଼ିଆରେ ପ୍ରସାରଣ ନୀତି ଅନ୍ୟ ରାଜ୍ୟମାନଙ୍କୁ ମଧ୍ୟ ପ୍ରଭାବିତ କରିବା ଯୁକ୍ତିଯୁକ୍ତ । ସାଧାରଣ ନିର୍ବାଚ଼ନ ୨୦୨୪ରେ କେନ୍ଦ୍ର ସରକାର ସମେତ ବିଭିନ୍ନ ରାଜ୍ୟ ସରକାର ସୋସିଆଲ ମିଡ଼ିଆର ସଂପ୍ରସାରଣକୁ ଭିତ୍ତିକରି ମୁଦ୍ରଣ ଓ ଟେଲିଭିଜନ ସହ ସୋସିଆଲ ମିଡ଼ିଆରେ ବିଜ୍ଞାପନ ପ୍ରସାରକୁ ଗୁରୁତ୍ୱ ଦେବା ନିଶ୍ଚିତ । ତେବେ ଏତଦ୍ୱାରା ସରକାର ନା ବିକଳ୍ପ ଗଣମାଧ୍ୟମ, କିଏ କେତେ ଲାଭବାନ ହେବେ ସେଥିଲାଗି ଅଙ୍କକଷାର ସମୟ ଉପନୀତ ।
ସାଧାରଣରେ ସୋସିଆଲ ମିଡ଼ିଆ ଇନଫ୍ଳୁଏନସରମାନେ ନିଜସ୍ୱ ମଞ୍ଚରେ ଛୋଟ ବଡ଼ ଅନୁଗାମୀ ସଂଗୋଷ୍ଠୀ ‘କମ୍ୟୁନିଟି’ ଗଠନ କରିଥାନ୍ତି । ଅନୁଗାମୀମାନଙ୍କ ପ୍ରବକ୍ତା ବା ଇନଫ୍ଳୁଏନସରଙ୍କ ସହ ଅନ୍ତରଙ୍ଗ ସଂପର୍କ ସ୍ଥାପନ ହୋଇଥାଏ ଏବଂ ପ୍ରବକ୍ତାଙ୍କ ଦ୍ୱାରା ପ୍ରକାଶିତ ବର୍ଣ୍ଣନାବଳୀକୁ ଗୁରୁତ୍ୱ ପ୍ରଦାନ କରୁଥିବା ପରିଲକ୍ଷିତ । ଏହି ବିଶ୍ୱସନୀୟ ପରିବେଶରେ ସରକାର ବିଜ୍ଞାପନ ପ୍ରସାରଣ ନିମନ୍ତେ ଆଗ୍ରହୀ । ରାଜସ୍ଥାନ ସରକାରଙ୍କ ପକ୍ଷରୁ ଉଦ୍ୟମ ପୂର୍ବରୁ ୨୦୨୩ ମାର୍ଚ୍ଚ ମାସରେ କେନ୍ଦ୍ର ସରକାରଙ୍କ ‘ଇଲକ୍ଟ୍ରୋନିକ୍ସ ଓ ଇନଫରମେସନ ଟେକନୋଲଜି ମନ୍ତ୍ରଣାଳୟ’ ଦ୍ୱାରା ପରିଚାଳିତ ‘ୟୁ-ଗଭ’ ପକ୍ଷରୁ ସୋସିଆଲ ମିଡ଼ିଆ ଇନଫ୍ଳୁଏନସର ମାର୍କେଟିଂ କମ୍ପାନୀଗୁଡ଼ିକୁ ପଞ୍ଜୀକରଣ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଥିଲା ।
‘ଡ଼ିଜିଟାଲ ଇଣ୍ଡିଆ’ ଅଭିଯାନରେ ‘ୟୁ-ଗଭ’ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣ ଯୋଜନାଗୁଡ଼ିକର ପ୍ରଚାର ନିମନ୍ତେ ୨୦୧୪ରୁ ପଦକ୍ଷେପମାନ ଗ୍ରହଣ କରାଯାଇ ଆସୁଛି । ଦେଶର ୨୧ ଗୋଟି ରାଜ୍ୟରେ ଏହାର କାର୍ଯ୍ୟକ୍ରମ ସଂପ୍ରସାରିତ । ସୋସିଆଲ ମିଡ଼ିଆରେ ଇନଫ୍ଳୁଏନସରଙ୍କ ମାଧ୍ୟମରେ ବିଜ୍ଞାପନ ପ୍ରସାରଣ ନିମନ୍ତେ ଆଗ୍ରହୀ ସଂସ୍ଥାମାନଙ୍କ ଆବେଦନ ଗ୍ରହଣ ନିମନ୍ତେ ଚାରିଗୋଟି ପର୍ଯ୍ୟାୟ ସୃଷ୍ଟି କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ୧୦ ଲକ୍ଷ ବା ତତୁର୍ଦ୍ଧ, ଦ୍ୱିତୀୟ ପର୍ଯ୍ୟାୟରେ ଏକ ଲକ୍ଷରୁ ୧୦ ଲକ୍ଷ, ତୃତୀୟ ପର୍ଯ୍ୟାୟରେ ୧୦ ହଜାରରୁ ଏକ ଲକ୍ଷ ଓ ଚ଼ତୁର୍ଥ ପର୍ଯ୍ୟାୟରେ ଏକ ହଜାରରୁ ୧୦ ହଜାର ଅନୁଗାମୀ ବିଶିଷ୍ଟ ଇନଫ୍ଲୁଏସନରମାନଙ୍କୁ ଚ଼ିହ୍ନଟ କରି ବିଭିନ୍ନ ସଂସ୍ଥା ମାଧ୍ୟମରେ ସରକାରଙ୍କ ପକ୍ଷରୁ ତିନି ବର୍ଷ ଯାଏଁ ବିଜ୍ଞାପନ ବିତରଣ ନିମନ୍ତେ ସ୍ଥିର କରାଯାଇଥିଲା ।
ଆନ୍ତର୍ଜାତିକସ୍ତରରେ ଗଣତାନ୍ତ୍ରିକ ନିର୍ବାଚନରେ ସୋସିଆଲ ମିଡ଼ିଆର ପ୍ରଭାବ ଭାରତରେ ୨୦୧୪ ନିର୍ବାଚନରୁ ସୁସ୍ପଷ୍ଟ । ତେବେ ୨୦୨୪ ନିର୍ବାଚନରେ ଅର୍ଦ୍ଧାଧିକ ଭୋଟର ସୋସିଆଲ ମିଡ଼ିଆ ମଞ୍ଚରେ ଦୈନିକ ଭିତ୍ତିରେ ଦୀର୍ଘ ସମୟ ଅତିବାହିତ କରୁଥିବା ଏବଂ ନିଜ ଋଚି ଅନୁଯାୟୀ ପ୍ରବକ୍ତା ଚୟନ କରିଥିବା କାରଣରୁ ନିର୍ବାଚନ ପ୍ରଚାର ପ୍ରଖର ହେବା ସୁନିଶ୍ଚିତ । କ୍ରମଶଃ ସମ୍ୱାଦପତ୍ରରେ ପ୍ରକାଶିତ ଅଭିମତ ଓ ଟେଲିଭିଜନ କାର୍ଯ୍ୟକ୍ରମକୁ ଉପଭୋକ୍ତାମାନେ ସୋସିଆଲ ମିଡ଼ିଆ ମାଧ୍ୟମରେ ଆହରଣ କରିବା ଅଭ୍ୟାସ ବୃଦ୍ଧି ପାଉଥିବା ହେତୁ ଏହା ଏକକ ଗଣମାଧ୍ୟମ ରୂପେ ପ୍ରଭାବ ବିସ୍ତାର କରିଚାଲିଛି । ଏକ ବିକଳ୍ପ ମଞ୍ଚ ଭାବେ ଗଢ଼ି ଉଠିଥିବା ବ୍ୟବସ୍ଥାରେ ଉଭୟ ପାରମ୍ପରିକ ଗଣମାଧ୍ୟମ ଓ ସରକାରଙ୍କ ପ୍ରବେଶ ସୋସିଆଲ ମିଡ଼ିଆକୁ ଉପଭୋକ୍ତାଙ୍କ ଗ୍ରହଣୀୟତାକୁ କେଉଁ ଦିଗରେ ନେବ ତାହା ଭବିଷ୍ୟତ କହିବ ।
