ଆଜିର ଖାସ ଖବର
Sun. Sep 13th, 2026

ସୋସିଆଲ ମିଡ଼ିଆର ଆତ୍ମ-ଅନୁରାଗ ପ୍ରକାଶନ

By Dainikasha Jul11,2024

ସୋସିଆଲ ମିଡ଼ିଆରେ ବ୍ୟକ୍ତିଗତ ତଥ୍ୟ ବହୁଳ ପ୍ରକାଶନ ଆତ୍ମ-ଅନୁରାଗର ପରିଚ଼ୟ ଦେଇଥାଏ । ମୁଖ୍ୟତଃ ନିଜ ବ୍ୟକ୍ତିତ୍ୱ, କୃତିତ୍ୱ ଓ ବଡିମା ସପକ୍ଷରେ ପ୍ରଚ଼ାରରେ ଆତ୍ମ-ଅନୁରାଗୀମାନେ ରୁଚ଼ି ରଖିଥାନ୍ତି । ଅତୀତରେ ଆତ୍ମ-ଅନୁରାଗ ପରିପ୍ରକାଶ ନିମନ୍ତେ ସାଧାରଣ ବ୍ୟକ୍ତିବିଶେଷଙ୍କ ପକ୍ଷେ ମଞ୍ଚ ଅଭାବ ଲାଗି ରହିଥିଲା । ସମ୍ୱାଦପତ୍ର ଓ ପତ୍ରପତ୍ରିକା ପ୍ରକାଶନ, ଟେଲିଭିଜନ ପ୍ରସାରଣରେ ସାମିଲ ହେବା ଇତ୍ୟାଦି ବ୍ୟୟବହୁଳତା କାରଣରୁ ସେଭଳି ମଞ୍ଚର ଉପଯୋଗ ସହଜସାଧ୍ୟ ନଥିଲା । ତେବେ ଡ଼ିଜିଟାଲ ମଞ୍ଚର ପ୍ରସାରପରେ ବିନା ମୂଲ୍ୟରେ କିମ୍ୱା କମ ଅର୍ଥ ବ୍ୟୟରେ ସୋସିଆଲ ମିଡ଼ିଆରେନିଜସ୍ୱ ପ୍ରଚ଼ାର ଅଭିଯାନ ଆୟୋଜନ ସଂଭବପର ହୋଇପାରୁଛି ।

ପ୍ରାଣୀ ଜଗତରେ ମନୁଷ୍ୟ ପରିବାର, ଗୋଷ୍ଠୀ ଗଠନ-ପୂର୍ବ ଅବସ୍ଥାରୁ ନିଜ ଅନୁଭବ, ଅଭିଜ୍ଞତା ଓ ଚ଼ିନ୍ତାପରିପ୍ରକାଶର ଉଦ୍ୟମ କରିଆସିଛି । ଭାବବିନିମୟରେ ଦକ୍ଷତା କାରଣରୁ ସଂଘବଦ୍ଧ ଜୀବନ ସୃଷ୍ଟି ଫଳରେ ମାନବସଭ୍ୟତାର କ୍ରମବିକାଶ ସଂଭବ ହୋଇଥିଲା । ଇତର ପ୍ରାଣୀମହଲରେ ମନୁଷ୍ୟର ଯୋଗାଯୋଗ କଳାକୌଶଳର ଉପଯୋଗ ହିଁ ତାହାରସ୍ୱତନ୍ତ୍ରତାର ମୁଖ୍ୟ ଆଧାର ।

ଯୋଗାଯୋଗ ପରିଧିରେ ରାସ୍ତାଘାଟ, ଯାନବାହାନ, ସାଜସରଞ୍ଜାମଠାରୁ ଆରମ୍ଭ କରି ଗଣମାଧ୍ୟମ ବହୁ ବିଭବ ସଂଶ୍ଳିଷ୍ଟ । ଭାବାବେଗ ପ୍ରକାଶ ନିମନ୍ତେ ଠାର, ଭାଷା, ଲିପି, ମୁଦ୍ରଣ, ବେତାର, ଚଳଚ଼ିତ୍ର ଓ ଇଣ୍ଟରନେଟ ମାନସିକସ୍ତରରେ ବିକଳ୍ପ ବିଶ୍ୱ ପରିକଳ୍ପନାରେ ଅନେକାଂଶରେ ସଫଳତା ହାସଲ କରିପାରିଛି । ଗଣମାଧ୍ୟମ ଉପତ୍ୟକାରେ ସୋସିଆଲ ମିଡ଼ିଆର ଅଭ୍ୟୁଦୟ ମାନବ ସଭ୍ୟତା ଲାଗି ଯୋଗାଯୋଗରେ ଏକ ନୂତନ ସମୀକରଣ ସୃଷ୍ଟି କରିଛି ।

ଆତ୍ମ-ଅନୁରାଗ ପ୍ରକାଶନ ନିମନ୍ତେ ଅତ୍ୟାଧୁନିକ ବୈଷୟିକ କଳାକୌଶଳ ଉପଯୋଗରେ ଫେସବୁକ, ଇନଷ୍ଟ୍ରାଗ୍ରାମ, ୟୁଟ୍ୟୁବ ଭଳି ମଞ୍ଚରେ ସେଲଫି ପ୍ରକାଶନ ଲୋକପ୍ରିୟ । ସୋସିଆଲ ମିଡ଼ିଆ ମଞ୍ଚରେ ଉପସ୍ଥିତି ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରତି ମୂହୁର୍ତ୍ତରେ ସେ କ’ଣ କରୁଛନ୍ତି ତାହା ନିଜ ପରିଚିତ-ବନ୍ଧୁ ମହଲରେ ଜଣାଇବା ନିମନ୍ତେ ଉତ୍ସାହିତ କରିଥାଏ । ଏକାଂଶ ଉତ୍ସବାନୁଷ୍ଠାନରେ ନିଜ ଉପସ୍ଥିତିଠାରୁ ଆରମ୍ଭ କରି ଡ଼ାଏନିଂ ଟେବୁଲରେ କ’ଣ ଖାଦ୍ୟ ପରଷା ଯାଇଛି ତାହାର ଚ଼ିତ୍ର ଉତ୍ତୋଳନ କରି ସୋସିଆଲ ମିଡ଼ିଆରେ ପ୍ରସାରିତ କରିଥାନ୍ତି । ଯଦିଓ ଏଭଳି ପ୍ରକାଶନରେ କୌଣସି ମନ୍ଦ ପ୍ରଭାବ ଆଶା କରାଯାଇ ପାରେନା, ତେବେ ଅଧିକାଂଶ କ୍ଷେତ୍ରରେ ପାଠକ ଓ ଦର୍ଶକ ମଣ୍ଡଳୀ ଏହି ଆଚ଼ରଣକୁଏକରକମ ଆତ୍ମ-ଅନୁରାଗ ପ୍ରକାଶନ ରୂପେ ଗ୍ରହଣ କରିଥାନ୍ତି, ସ୍ଥଳ ବିଶେଷରେ ବାରମ୍ୱାର ପ୍ରକାଶନରେ ପ୍ରକାଶକଙ୍କ ବ୍ୟକ୍ତିତ୍ୱ ପ୍ରଚାର ବନ୍ଧୁମହଲେ ପ୍ରଶଂସା ବଦଳରେ ସମାଲୋଚ଼ନାର ଉତ୍ସ ପାଲଟିଥାଏ ।

ଉପଭୋକ୍ତାଙ୍କ ଆତ୍ମ-ଅନୁରାଗ ଚରିତାର୍ଥ କରିବା ନିମନ୍ତେ ସୋସିଆଲ ମିଡ଼ିଆ ଆପ୍ଲିକେସନଗୁଡ଼ିକ ବ୍ୟାପକ ଗବେଷଣା କରି ସାଧନମାନ ସୃଷ୍ଟି କରିଥାନ୍ତି । ଉଦାହରଣରେ କମ ବୟସ କିଶୋର କିଶୋରୀଙ୍କ ନୃତ୍ୟଗୀତ ପ୍ରତି ଦୁର୍ବଳତାକୁ ଉପଜୀବ୍ୟ କରି ତିନିରୁ ପନ୍ଦର ସେକେଣ୍ଡ ନିଜ ଅଭିନୟ ସମ୍ୱଳିତ ଭିଡ଼ିଓ ପ୍ରସ୍ତୁତକରି ପ୍ରସାରଣରେ ଟିକଟକ ୨୦୧୬ ରୁ ୨୦୧୮ ଦୁଇ ବର୍ଷ ମଧ୍ୟରେ ପଚ଼ାଶ କୋଟି ଉପଭୋକ୍ତା ସୃଷ୍ଟି କରିବାରେ ସମ୍ଭବପର ହୋଇପାରିଥିଲା । ସ୍ମାର୍ଟଫୋନରେ ସ୍ଥିରଚ଼ିତ୍ର ଓ ଭିଡ଼ିଓ ଉତ୍ତୋଳନକୁ ଗୁରୁତ୍ୱ ଦିଆଯାଉଛି । ଭିଡ଼ିଓ ସମ୍ପାଦନା କଳାକୌଶଳ ଚଳଚ଼ିତ୍ର ଷ୍ଟୁଡ଼ିଓରୁ ଫୋନ ଆପକୁ ସଂପ୍ରସାରିତ ହୋଇଛି ।

ଆତ୍ମ-ଅନୁରାଗ ଇଂଲିଶ ପ୍ରତିଶଦ୍ଦ ନାରସିସିଜମ । ପୌରାଣିକ ଗ୍ରୀକ ଚରିତ୍ର ନାରସିଅସଠାରୁ ନାରସିସିଜମ ଶଦ୍ଦର ଉତ୍ପତ୍ତି । ନାରସିସିଅସ ଥରେ ଜଳରେ ନିଜ ପ୍ରତିଛବି ଦେଖି ବିମୁଗ୍ଧ ହୋଇଯାଇଥିଲେ । ତେବେ ଅନବରତଭାବେ ଅତି ଦୀର୍ଘକାଳ ଜଳରେ ନିଜ ପ୍ରତିଛବି ଉପଭୋଗରୁ ବିରତ ନହେବା ଯୋଗୁଁ ମୃତ୍ୟୁବରଣ କରିଥିଲେ । ଆମେ ନିଜ ପ୍ରତିଛବିକୁ ଊଣାଅଧିକେ କେତେ ଭଲପାଉ ନାରସିଅସର ଉଦାହରଣରୁ ସୁସ୍ୱଷ୍ଟ ।

ନାରସିସିଜମ ଏକରକମ ସହଜାତ ପ୍ରବୃତ୍ତିଭାବେ ଗ୍ରହଣ କଲେ ଊନବିଂଶ ଶତାଦ୍ଦୀରେ ଫୋଟୋଗ୍ରାଫି ଉତ୍ତୋଳନ ପରଠୁ ଏହା ସାଧାରଣ ମନୁଷ୍ୟର ଉପଭୋଗ ସୂଚୀକୁ ଆସିଲା ବୋଲି କୁହାଯାଇପାରେ । ଫୋଟୋଗ୍ରାଫି-ପୂର୍ବ ସମୟରେ ଚ଼ିତ୍ରକରମାନେ ବିତ୍ତଶାଳୀ ଓ କ୍ଷମତାଶାଳୀଙ୍କ ପ୍ରତିଛବି ଅଙ୍କନ କରୁଥିଲେ । ତେବେ ଜନସାଧରଣଙ୍କ ପାଇଁ ଏହା କ୍ଷମତା ବର୍ହିର୍ଭୁତ ବ୍ୟାପାର ଥିଲା ।

ଦ୍ୱିତୀୟ ବିଶ୍ୱଯୁଦ୍ଧପରେ ରଂଗୀନ ଫୋଟୋଗ୍ରାଫି ଓ ଭିଡ଼ିଓ ପରେ ଏକବିଂଶ ଶତାଦ୍ଦୀର ପ୍ରଥମ ଦଶକ ଶେଷଭାଗରେ ସ୍ମାର୍ଟଫୋନ ଉଦ୍ଭାବନ ସର୍ବସାଧାରଣଙ୍କ ପାଇଁ ଉଚ୍ଚମାନର ଉଭୟ ସ୍ଥିର ଓ ଚଳତ ପ୍ରତିଛବି ଉତ୍ତୋଳନ ହାତପାଆନ୍ତାର ବିଷୟରେ ପରିଣତ ହେଲା । ତେବେ ସୋସିଆଲ ମିଡ଼ିଆ ପ୍ରଚଳନ ଜନସାଧରଣଙ୍କ ପ୍ରତିଛବି ପ୍ରଦର୍ଶନ ପାଇଁ ଆବଶ୍ୟକୀୟ ମଞ୍ଚ ସୃଷ୍ଟିକରି ନାରସିସିଜମ ପ୍ରବୃତ୍ତି ଚରିତାର୍ଥ କରିବା ନିମନ୍ତେ ଉର୍ବର ଉପତ୍ୟକା ସୃଷ୍ଟିରେ ସହାୟକ ହୋଇପାରିଥିଲା ।

ଲି ହୁମ୍ପେରେସ ଯୁକ୍ତରାଷ୍ଟ୍ର ଆମେରିକାର କର୍ଣ୍ଣେଲ ବିଶ୍ୱବିଦ୍ୟାଳୟର ଯୋଗାଯୋଗ ଅଧ୍ୟାପିକା । ସୋସିଆଲ ମିଡ଼ିଆରେ ଉପଭୋକ୍ତାଙ୍କ ଆତ୍ମକେନ୍ଦ୍ରୀକ ବର୍ଣ୍ଣନା ସଂପର୍କରେ ତାଙ୍କରି ଏକ ପୁସ୍ତକ ‘ଦି କ୍ୱାଲିଫାଇଡ଼ ସେଲଫ: ସୋସିଆଲ ମିଡ଼ିଆ ଏଣ୍ଡ ଦି ଏକାଉଣ୍ଟିଂ ଅଫ ଏଭିରିଡ଼େ ଲାଇଫ’ ୨୦୧୮ରେ ପ୍ରକାଶିତ ହୋଇଥିଲା । ହୁମ୍ପେରେସଙ୍କ ମତରେ ଦୈନନ୍ଦିନ ଡ଼ାଏରୀ  ରଚନା ନାରସିସିଜମ ପ୍ରବୃତ୍ତିର ଅନ୍ୟତମ ପ୍ରାଚ଼ୀନ ବିଭବ । ଅଷ୍ଟାଦଶ ଓ ଊନବିଂଶ ଶତାଦ୍ଦୀରେ ଇଂଲ୍ୟାଣ୍ଡ, ୟୁରୋପୀୟ ଦେଶପୁଞ୍ଜ ଓ ଆମେରିକାରେ ମହିଳାମାନଙ୍କ ମଧ୍ୟରେ ଡ଼ାଏରୀ ରଚନା ଲୋକପ୍ରିୟ ଥିଲା । ଡ଼ାଏରୀ ରଚନା ଓ ପଠନ ଏକାନ୍ତ ବ୍ୟକ୍ତିଗତ ହେଲେହେଁ, ଅନେକ ସମୟରେ ଘରକୁ ବନ୍ଧୁବାନ୍ଧବଙ୍କ ପରିଦର୍ଶନକାଳରେ ଗୃହକର୍ତ୍ତାଙ୍କ ଡ଼ାଏରୀ ପଢ଼ିବା ସୁଯୋଗ ଦିଆଯାଉଥିଲା । ଝିଅମାନେ ବିବାହ କରି ପତିଙ୍କ ଘର ଯିବାପରେ ସେଠାରେ ଲିଖିତ ଡ଼ାଏରୀଗୁଡ଼ିକୁ ସମୟାନ୍ତେ ବାପଘରକୁ ପଢ଼ିବା ପାଇଁ ପଠାଉଥିଲେ ।

ସୋସିଆଲ ମିଡ଼ିଆ ଡ଼ାଏରୀର ସଦ୍ୟତମ ରୂପ । ବିଭିନ୍ନ ମଞ୍ଚରେ ରଚନା, ଚ଼ିତ୍ର ଓ ଭିଡ଼ିଓ ପୋଷ୍ଟିଂ ସମକାଳରେ ପ୍ରବାହମାନ ଧାରା । ଦୈନନ୍ଦିନ ଜୀବନର ଘଟଣାବଳୀ ପରିବାର ସଦସ୍ୟ, ବନ୍ଧୁ ଓ ପରିଚ଼ିତବର୍ଗଙ୍କ ମଧ୍ୟରେ ପ୍ରସାରଣ ସାମାଜିକ ବନ୍ଧନକୁ ସୁଦୃଢ଼ କରିଥାଏ । ପରିବର୍ତ୍ତିତ ପରିବେଶରେ ପରିବାରର ସଦସ୍ୟମାନେ ଦୂରଦୂରାନ୍ତରେ ଅବସ୍ଥାପିତ ହେଉଥିବା ହେତୁ ଏବଂ ଫୋନଯୋଗେ ବା ପତ୍ରଲେଖି ସୁଖଦୁଃଖ ଆଳାପ ନିମନ୍ତେ ସମୟ ଅଭାବ କାରଣରୁ ସୋସିଆଲ ମିଡ଼ିଆ ବିକଳ୍ପ କ୍ଷେତ୍ର ପ୍ରସ୍ତୁତ କରିଥାଏ । ଏତଦ୍ୱାରା ଆତ୍ମୀୟତା ଓ ସାମାଜିକ ସଂପର୍କ ଦୃଢ଼ୀଭୂତ ହୋଇଥାଏ । ଅନ୍ୟମାନଙ୍କ ସହ ଯୋଡ଼ି ହେବାର ଆଗ୍ରହ ସୋସିଆଲ ମିଡ଼ିଆରେ ଉପସ୍ଥିତିରେ ପ୍ରମୁଖ କାରଣରୂପେ ଚ଼ିହ୍ନଟ କରାଯାଇଥାଏ ।

ତେବେ ସୋସିଆଲ ମିଡ଼ିଆରେ ମାତ୍ରାଧିକ ଆତ୍ମକେନ୍ଦ୍ରୀକ ମନୋଭାବ ସଂପନ୍ନ ରଚନା ଓ ଚ଼ିତ୍ର ପ୍ରଦର୍ଶନ ସଂପୃକ୍ତ ବିଶେଷଙ୍କ ନାରସିସିଜମ ପ୍ରବୃତ୍ତି ସୂଚ଼ିତ କରୁଥିବା ପାଠକ ଓ ଦର୍ଶକ ମହଲରେ ଆଲୋଚ଼ିତ ହୋଇଥାଏ । ଆତ୍ମ-ଅନୁରାଗୀ ବା ନାରସିସିଷ୍ଟ ବ୍ୟକ୍ତି ଅନ୍ୟମାନଙ୍କଠାରୁ ମୌଳିକଭାବେ ସେ ସ୍ୱତନ୍ତ୍ର ବୋଲି ବିଶ୍ୱାସ କରିଥାଏ । ବିଶ୍ୱାସ ବାସ୍ତବିକତାଠାରୁ ବହୁ ଦୂରରେ ସ୍ଥାନିତ । ତେଣୁ ଆତ୍ମ-ଅନୁରାଗ କାରଣରୁ ବ୍ୟକ୍ତିଗତ, ପାରିବାରିକ, ସାମାଜିକ ବା ବୃତ୍ତିଗତ ଜୀବନରେ ଅଘଟଣ ଘଟିଲେ ମନୋବିଜ୍ଞାନ ଚ଼ିକିତ୍ସା ଆବଶ୍ୟକ ପଡ଼ିପାରେ । ସୋସିଆଲ ମିଡ଼ିଆରେ କର୍ମଜୀବୀଙ୍କ ଆତ୍ମ-ଅନୁରାଗ ସମ୍ୱଳିତ ପ୍ରଦର୍ଶନ ଭବିଷ୍ୟତରେ ବୃତ୍ତିଗତଜୀବନରେ ପ୍ରତିକୁଳ ପ୍ରଭାବ ପକାଇବା ଆଶଙ୍କା ଅମୂଳକ ନୁହେଁ । ବୃହତ ଶିଳ୍ପ ଓ ବ୍ୟାବସାୟିକ ସଂସ୍ଥାଗୁଡ଼ିକ ପକ୍ଷରୁ କର୍ମ ନିଯୁକ୍ତି ଓ ପଦୋନ୍ନତି ପାଇଁ କ୍ରମଶଃ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ବ୍ୟବହାର କରାଯାଉଥିବା ହେତୁ ଆତ୍ମ-ଅନୁରାଗ ସଂପର୍କୀତ ତଥ୍ୟାବଳୀର ପର୍ଯ୍ୟାଲୋଚ଼ନା ସଂପୃକ୍ତ ପ୍ରାର୍ଥୀଙ୍କ ଚରିତ୍ର ମୂଲ୍ୟାୟନ କ୍ଷେତ୍ରରେ ନକାରତ୍ମକ ପ୍ରଭାବ ସୃଷ୍ଟି କରିପାରେ ।

ସୋସିଆଲ ମିଡ଼ିଆରେ ଆତ୍ମ-ଅନୁରାଗ ପ୍ରତିଫଳନକୁ ରୋକିବା ନିମନ୍ତେ ପୋଷ୍ଟିଂର ରଚନା ଓ ଚ଼ିତ୍ର ଭାବାବେଗର ବଶବର୍ତ୍ତୀ ହୋଇ ପ୍ରକାଶ ନକରି ଗଭୀର ଅନୁଶୀଳନର ଆବଶ୍ୟକତା ପଡ଼ିଥାଏ । ବିଶେଷତଃ ଯେଉଁମାନଙ୍କ ବନ୍ଧୁ ଓ ଅନୁଗାମୀ ଫ୍ରେଣ୍ଡସ, ଫଲାଏର୍ସଙ୍କ ସଂଖ୍ୟା ଅଧିକ ସେମାନଙ୍କୁ ଅଧିକ ସତର୍କତା ଅବଲମ୍ୱନ କରିବା ଆବଶ୍ୟକ । କାରଣ ଦୀର୍ଘ ଯତ୍ନରେ ବିକଶିତ ବ୍ୟକ୍ତିତ୍ୱ ମାତ୍ର କେତେଗୋଟି ଆତ୍ମ-ଅନୁରାଗୀ ପୋଷ୍ଟିଂରେ ଖର୍ବ ହୋଇଯିବାର ଭୟ ଥାଏ । 

Related Post