ମେସେଞ୍ଜର ଆପ୍ଲିକେସନ ଓ ସୋସିଆଲ ମିଡ଼ିଆର ବ୍ୟବହାର ଓ ଲୋକପ୍ରିୟତା ବୃଦ୍ଧି ସଙ୍ଗେ ଏଭଳି ମଞ୍ଚଗୁଡ଼ିକରେ ଉପସ୍ଥିତ ଉପଭୋକ୍ତାଙ୍କ ବ୍ୟକ୍ତିଗତ ତଥା ବ୍ୟାବହାରିକ ତଥ୍ୟ ତୃତୀୟ ପକ୍ଷ ସଂଗ୍ରହ କରୁଥିବା ବହୁବିଧ ଉଦାହରଣ ଚର୍ଚ୍ଚିତ । ମୋବାଇଲ ଫୋନ ଓ ଇଣ୍ଟରନେଟ ଗବେଷଣା ସଂସ୍ଥା ‘କାଉଣ୍ଟର ପଏଣ୍ଟ’ର ଗଣନାରେ ୨୦୧୯ ମଧ୍ୟଭାଗ ସୁଦ୍ଧା ଭାରତରେ ପ୍ରାୟ ୪୫ କୋଟି ମାସିକଭିତ୍ତିରେ ସକ୍ରିୟ ସ୍ମାର୍ଟଫୋନ ଉପଭୋକ୍ତା ହିସାବ କରାଯାଉଥିବା ସ୍ଥଳେ ସେଥି ମଧ୍ୟରୁ ୪୦ କୋଟି ସ୍ମାର୍ଟଫୋନରେ ହ୍ୱାଟସଆପ ମେସେଞ୍ଜର ଆପ୍ଲିକେସନ ସ୍ଥାନିତ ।
ହ୍ୱାଟସଆପ ମାଧ୍ୟମରେ ପାଠ୍ୟ, ସ୍ୱର ଓ ଭିଡ଼ିଓ ଆଦାନପ୍ରଦାନ ସଂଭବପର । ଏହି ଆପ୍ଲିକେସନ ସ୍ମାର୍ଟଫୋନରେ ବ୍ୟବହୃତ ହୁଏ ଏବଂ ସ୍ମାର୍ଟଫୋନକୁ ଇଣ୍ଟରନେଟ ସଂଯୁକ୍ତ ରଖି ଡ଼େସ୍କ-ଟପ-କମ୍ପ୍ୟୁଟରରେ ମଧ୍ୟ ବ୍ୟବହାର ସମ୍ଭବପର । ମାର୍କିନ ଇଣ୍ଟରନେଟ ପ୍ରତିଷ୍ଠାନ ‘ୟାହୁ’ରେ କାର୍ଯ୍ୟରତ ଦୁଇଜଣ କର୍ମଚାରୀ ଛୁଟି କଟାଉଥିବା ଅବସରରେ ୨୦୦୯ରେ ହ୍ୱାଟସଆପ ମେସେଞ୍ଜର ଆପ୍ଲିକେସନ ପ୍ରସ୍ତୁତ କରିଥିଲେ । ଫେସବୁକ ୨୦୧୪ରେ ହ୍ୱାଟସଆପକୁ ପ୍ରାୟ ଏକ ଲକ୍ଷ ୩୩ ହଜାର କୋଟି ଟଙ୍କାରେ ଅଧିଗ୍ରହଣ କରିଥିଲା । ଆନ୍ତର୍ଜାତିକସ୍ତରରେ ଏହାକୁ ସର୍ବାଧିକ ମହଙ୍ଗା ଅଧିଗ୍ରହଣର ମାନ୍ୟତା ପ୍ରଦାନ କରାଯାଏ । ଏହା ଭାରତରେ ୨୦୧୦ ବେଳକୁ ଉପଲବ୍ଧ ହୋଇଥିଲା ।
ବିଶ୍ୱବ୍ୟାପୀ ନିର୍ଦ୍ଧିଷ୍ଟ ୧୪୦୦ ହ୍ୱାଟସଆପ ଉପଭୋକ୍ତାଙ୍କ ଏପଲ ସ୍ମାର୍ଟଫୋନରେ ହ୍ୱାଟସଆପ ସର୍ଭର ବ୍ୟବହାରକରି ପିଗାସସ ନାମକ ଗୁପ୍ତଚର ସଫଟୱେର ଯୋଗେ ଉପଭୋକ୍ତାଙ୍କ ସ୍ମାର୍ଟଫୋନରୁ ତଥ୍ୟ ଚୋରି କରାଯାଉଥିବା ହ୍ୱାଟସଆପ କର୍ତ୍ତୃପକ୍ଷ ୨୦୧୯ ଅକ୍ଟୋବରରେ ପର୍ଦ୍ଦାଫାଶ କରି ଆଇନଗତ କାର୍ଯ୍ୟପନ୍ଥା ଗ୍ରହଣ କରିଥିଲେ । ପ୍ରଭାବିତ ୧୪୦୦ ସ୍ମାର୍ଟଫୋନ ମଧ୍ୟରେ ଭାରତରେ ବ୍ୟବହୃତ ୧୨୧ ଗୋଟି ସ୍ମାର୍ଟଫୋନ ମଧ୍ୟ ଅନ୍ତର୍ଭୁକ୍ତ ।
ହ୍ୱାଟସଆପରେ ଇନକ୍ରିପ୍ଟସନ ବୈଷୟିକ କୌଶଳ ବ୍ୟବହାର କରାଯାଏ । ଅର୍ଥାତ ଏହି ମଞ୍ଚ ମାଧ୍ୟମରେ ପ୍ରେରକଙ୍କ ପାଠ୍ୟ, ସ୍ୱର ବା ଭିଡ଼ିଓ ପ୍ରାପକଙ୍କ ସ୍ମାର୍ଟଫୋନ ପରଦାରେ ପହଞ୍ଚିବା ପ୍ରକ୍ରିୟାରେ କୌଣସି ପରିସ୍ଥିତିରେ ପ୍ରେରକ ଓ ପ୍ରାପକଙ୍କ ବ୍ୟତୀତ ତୃତୀୟ ପକ୍ଷ ତନଖିବାର ପ୍ରାବଧାନ ନଥାଏ । ଏପରିକି ହ୍ୱାଟସଆପ କର୍ତ୍ତୃପକ୍ଷ ମଧ୍ୟ କୌଣସିଟି ମେସେଜ ଖୋଲି ପାରନ୍ତି ନାହିଁ । ଏହି ପରିପ୍ରେକ୍ଷୀରେ ପିଗାସସ ସାଇୱେର ବ୍ୟବହାର କରାଯାଇ ହ୍ୱାଟସଆପ ମାଧ୍ୟମରେ ବିତରିତ ତଥ୍ୟ, ପାସୱାଡ଼, କଲ, ଲୋକେସନ, ମାଇକ୍ରୋଫୋନ ଓ କ୍ୟାମେରାରୁ ସୂଚନା ସଂଗ୍ରହ କରିବା ଘଟଣା ଅନେକଙ୍କୁ ବିସ୍ମିତ କରିଥିଲା ।
ଇସ୍ରାଏଲର ଏନଏସଓ ନାମକ ଏକ ଡ଼ିଜିଟାଲ ସଂସ୍ଥା ପକ୍ଷରୁ ପିଗାସସ ଗୁପ୍ତଚର ସଫଟୱେର ୨୦୧୬ରେ ପ୍ରସ୍ତୁତ କରାଯାଇଥିଲା । ଗ୍ରୀକ ପୁରାଣ ବର୍ଣ୍ଣିତ ପିଗାସସ ଏକ ଶ୍ୱେତବର୍ଣ୍ଣର ଘୋଟକ । ଏହା ପକ୍ଷଯୁକ୍ତ ଏବଂ ଆବଶ୍ୟକସ୍ଥଳେ ଉଡ଼ିପାରେ । ଖ୍ରୀଷ୍ଟପୂର୍ବ ୭୫୦ ରୁ ୬୫୦ ମଧ୍ୟରେ ରଚିତ ପୁରାଣଗୁଡ଼ିକରେ ପିଗାସସର ଉଲ୍ଲେଖ ରହିଛି । ଏନଏସ ଗୃପର ସ୍ୱୀକାରୋକ୍ତି ଅନୁଯାୟୀ ପିଗାସସ ସ୍ୱାଇୱେର କେବଳ ସରକାରୀ ସଂସ୍ଥାଗୁଡ଼ିକୁ ବିକ୍ରୀ କରାଯାଏ । ଇଣ୍ଟରନେଟ ଯୋଗେ ମେସେଞ୍ଜର ଆପ୍ଲିକେସନ ଓ ସୋସିଆଲ ମିଡ଼ିଆ ବ୍ୟବହାରରେ ବିଭିନ୍ନ ଅପରାଧିକ ମାମଲା ଓ ଆତଙ୍କବାଦରେ ସଂପୃକ୍ତ ଉପଭୋକ୍ତାଙ୍କ ସ୍ମାର୍ଟଫୋନରୁ ତଥ୍ୟ ହାସଲ କରି ସେମାନଙ୍କୁ ଅକ୍ତିଆର କରିବା ନିମନ୍ତେ ଏଭଳି ସ୍ୱାଇୱେର ବ୍ୟବହୃତ ହୋଇଥାଏ ।
ବିଭିନ୍ନ ରିପୋର୍ଟରେ ସାଉଦୀ ଆରବ, ୟୁଏଇ, ମେସ୍କିକୋ, ମୋରାକୋ, ରାଓଣ୍ଡା ଭଳି ରାଷ୍ଟ୍ରଗୁଡ଼ିକରେ ପିଗାସସ ବ୍ୟବହାରର ପ୍ରମାଣ ମିଳେ । ଏହି ଭଳି ସ୍ୱାଇୱେର ଉପଯୋଗ ଖର୍ଚ୍ଚବହୁଳ । ପିଗାସସ ଇନଷ୍ଟାଲେସନ ଖର୍ଚ୍ଚ ଭାରତୀୟ ମୁଦ୍ରାରେ ପ୍ରାୟ ତିନି କୋଟି ପଚାଶ ଲକ୍ଷ ଟଙ୍କା ହୋଇଥିବା ସ୍ଥଳେ ଦଶ ଗୋଟି ସ୍ମାର୍ଟଫୋନ ହ୍ୟାକ କରିବା ନିମନ୍ତେ ଚାରି କୋଟି ପଞ୍ଚାବନ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । ଏନଏସଓ ପକ୍ଷରୁ ପିଗାସସ ବିକ୍ରୀ ସଂପର୍କୀତ ସମସ୍ତ ତଥ୍ୟ ଗୁପ୍ତ ରଖାଯାଏ । ସଂସ୍ଥାର ଅଧ୍ୟକ୍ଷା ସିରି ଡେଲେଭ ୨୦୧୯ ନଭେମ୍ୱର ଶେଷ ସପ୍ତାହରେ କହିଥିଲେ ଯେ ଆନ୍ତର୍ଜାତିକସ୍ତରରେ ଆଇନଶୃଙ୍ଖଳା ପରିସ୍ଥିତି ସଜାଡ଼ିବା ନିମନ୍ତେ ଏନଏସଓର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେଲେହେଁ ସେଥିନେଇ ବିସ୍ତୃତ ବିବରଣୀ ପ୍ରଘଟ କରିହେବ ନାହିଁ । ତେବେ ପ୍ରକୃତ ତଥ୍ୟ ଜ୍ଞାତସାରକୁ ଆସିଲେ ପିଗାସସ ସଂପର୍କୀତ ଗଣମାଧ୍ୟମରେ ଆଲୋଚନାର ମୋଡ଼ ବଦଳି ଯାଆନ୍ତା ।
ଭାରତରେ ପିଗାସସକୁ ନେଇ ଚର୍ଚ୍ଚା ୨୦୧୯ ନଭେମ୍ୱର ମାସ ସାରା ବ୍ୟାପକ ରୂପ ଧାରଣ କରିଥିଲା । ବିରୋଧୀ ଦଳଙ୍କ ତୁହାକୁ ତୁହା ପ୍ରଶ୍ନବାଣରେ ସରକାରୀ ଦଳର ମୌନତା ଗଣମାଧ୍ୟମରେ ସମାଲୋଚିତ ହୋଇଥିଲା । ରାଜ୍ୟସଭାରେ ପ୍ରଶ୍ନତ୍ତୋରରେ ଇନଫରମେସନ ଓ ଟେକନୋଲଜି ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ଉତ୍ତରରେ ଏତିକିମାତ୍ର ସୂଚ଼ିତ ହୋଇଥିଲା ଯେ ଏ ସଂପର୍କରେ ଆବଶ୍ୟକୀୟ ଆଚରଣ ବିଧିପାଳନ ହୋଇଛି । ସେହିପରି ସୂଚନା ଅଧିକାର ଆଇନ ଉପଯୋଗରେ କୌଣସି ତଥ୍ୟ ହାସଲ କରାଯାଇପାରି ନଥିଲା ।
ହ୍ୱାଟସଆପ ମଞ୍ଚରେ ପିଗାସସ ଗୁପ୍ତଚର ନିୟୋଜନ ସଂପର୍କୀତ ସମ୍ୱାଦ ପ୍ରଥମେ ହ୍ୱାଟସଆପ ପକ୍ଷରୁ ହିଁ ସଂପୃକ୍ତ ଉପଭୋକ୍ତାମାନଙ୍କୁ ଜଣାଇ ଦିଆଯାଇଥିଲା । ଭାରତରେ ମାତ୍ର ୧୨୧ ଜଣ ହ୍ୱାଟସଆପ ଉପଭୋକ୍ତାଙ୍କ ଏପଲ ଫୋନ ଏହି ସ୍ୱାଇୱେର ଦ୍ୱାରା ଆକ୍ରାନ୍ତ ହୋଇଥିଲା । ବିଶେଷଜ୍ଞମାନଙ୍କ ମତରେ ପିଗାସେସ ସାମୂହିକ ଭାବେ ବହୁ ଉପଭୋକ୍ତାଙ୍କ ସ୍ମାର୍ଟଫୋନରେ ଖଞ୍ଜାଯିବା ସଂଭବପର ନୁହେଁ । ଏହି ସ୍ୱାଇୱେରଟି ଏକ କଲ ମାଧ୍ୟମରେ ହ୍ୱାଟସଆପ ବ୍ୟବହୃତ ଫୋନରେ ସ୍ଥାପନ କରାଯାଇଥାଏ । ଉପଭୋକ୍ତା କଲ ଗ୍ରହଣ କଲେ ସ୍ୱାଇୱେରଟି ଆପେ ଆପେ ସଂକ୍ରମିତ ହୋଇପାରେ । କୌତୁହଳର ବିଷୟ ଏହିଯେ ଉପଭୋକ୍ତା କଲ ଗ୍ରହଣ ନକଲେ ମଧ୍ୟ ମିସ କଲ ଯୋଗେ ସଂକ୍ରମଣ ସଂଭବପର ।
ସ୍ମର୍ଟଫୋନ ଉପଭୋକ୍ତାମାନେ ପିଗାସସ ଭଳି ଅନେକ ସ୍ୱାଇୱେର ଓ ମାଲୱେର ଦ୍ୱାରା ପ୍ରଭାବିତ ହୋଇଥାନ୍ତି । ପ୍ରକୃତ କ୍ଷେତ୍ରରେ ସ୍ମାର୍ଟଫୋନଗୁଡ଼ିକରେ ସ୍ଥାପିତ ବିଭିନ୍ନ ଆପ୍ଲିକେସନଗୁଡ଼ିକ ଜରିଆରେ ଜ୍ଞାତ ଓ ଅଜ୍ଞାତସାରରେ ଅନେକ ସଫଟୱେର ନିରନ୍ତର ଉପଭୋକ୍ତାମାନଙ୍କ ବ୍ୟାବହାରିକ ତଥ୍ୟ ସଂଗ୍ରହ କରିଚାଲିଥାଏ । ଏଭଳି ବିପତ୍ତିରୁ ରକ୍ଷା ପାଇବା ନିମନ୍ତେ କିଭଳି ପଦକ୍ଷେପମାନ ଗ୍ରହଣ କରାଯିବା ଆବଶ୍ୟକ ସେସଂପର୍କରେ ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି ।
ପ୍ରଥମତଃ, କୌଣସି ଆପ୍ଲିକେସନ ବା ‘ଆପ’ ସଂପର୍କରେ ନିଜେ ଅବଗତ ନଥିଲେ କିମ୍ୱା ବିଶେଷ ଆବଶ୍ୟକ ନଥିଲେ ସ୍ମାର୍ଟଫୋନରେ ଡ଼ାଉନଲୋଡ଼ କରିବା ଅନୁଚିତ । ଦ୍ୱିତୀୟତଃ, ବିଭିନ୍ନ ୱେବସାଇଟ ବ୍ରାଉଜିଂ ଅବସରରେ ଶିଷ୍ଟାଚାରସଂପନ୍ନ ଆପଗୁଡ଼ିକ ପକ୍ଷରୁ ବିଭିନ୍ନ ଅପସନ ସଂପର୍କରେ ସ୍ଥଳ ବିଶେଷରେ ଉପଭୋକ୍ତାଙ୍କ ସ୍ୱୀକୃତି ମାଗିଥାନ୍ତି । ସେଗୁଡ଼ିକୁ ନବୁଝିସୁଝି ସମ୍ମତ୍ତି ପ୍ରଦାନ ଅନାବଶ୍ୟକ । ତୃତୀୟତଃ, ପ୍ରତ୍ୟେକ ଆପକୁ ଅପଡେଟ ରଖିବା ଉଚିତ । ଉଦାହରଣରେ ଏପଲ ଫୋନ ପିଗାସସ ସ୍ୱାଇୱେର ଆକ୍ରାନ୍ତ ହେବାପରେ ଫୋନ ନିର୍ମାତାଙ୍କ ପକ୍ଷରୁ ସଦ୍ୟତମ ସଂସ୍କରଣଗୁଡ଼ିକରେ ଏଭଳି ମାଲୱେର ପ୍ରବେଶ ବାରଣର ବୈଷୟିକ ସୁବିଧା କରିଛି । ଅତଏବ ଅତ୍ୟାଧୁନିକ ଫୋନ ଓ ଆପ ବ୍ୟବହାରଦ୍ୱାରା ମାଲୱେର ଆକ୍ରମଣକୁ ରୋକା ଯାଇପାରେ ।
ପ୍ରଯୁକ୍ତି ବିଦ୍ୟାରେ ଉଦ୍ଭାବନଗୁଡ଼ିକ ସହ ତାଳ ଦେଇ ଉପଭୋକ୍ତାମାନଙ୍କ ମଧ୍ୟରେ ସଚେତନତା ପ୍ରସାର ଓ ସାମାଜିକସ୍ତରରେ ଆଇନକାନୁନ ପ୍ରଣୟନ ଦ୍ୱାରା ମାଲୱେର ଉପଦ୍ରବକୁ ପ୍ରତିରୋଧ କରିବା ଦୁଇ ମୁଖ୍ୟ ଉପାୟ । ଭାରତରେ ପ୍ରସ୍ତାବିତ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଆଇନ ‘ପରସନାଲ ଡ଼ାଟା ପ୍ରୋଟେକ୍ସନ ବିଲ’କୁ କ୍ୟାବିନେଟ ସ୍ୱୀକୃତି ଓ ‘ଇନଫରମେସନ ଟେକନୋଲଜି (ଇଣ୍ଟରମିଡ଼ିଏଟରିସ) ଗାଇଡ଼ଲାଇନ୍ସ (ଏମେଣ୍ଡମେଣ୍ଟ) ରୁଲସର’ ଚିଠା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାଯାଏ । ୨୦୨୦ ପ୍ରଥମଭାଗ ସୁଦ୍ଧା ଏହି ଦୁଇ ଆଇନ କାର୍ଯ୍ୟକାରୀ ହୋଇପାରିଲେ କ୍ରମବର୍ଦ୍ଧିଷ୍ଣୁ ମେସେଞ୍ଜର ଓ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକରେ ସାଧାରଣ ନାଗରିକ ସମ୍ମୁଖୀନ ହେଉଥିବା ବିପଦ ଗୁଡ଼ିକର କେତେକାଂଶରେ ମୁକାବିଲା ସଂଭବପର ବୋଲି କୁହାଯାଇପାରେ ।
