ଆଜିର ଖାସ ଖବର
Sun. May 31st, 2026

ଅନିଶ୍ଚିତତାରେ ପାଶ୍ଚାତ୍ୟ ଚଳଚ଼ିତ୍ର ପ୍ରେକ୍ଷାଳୟ

By Dainikasha Jul11,2024

ବ୍ରିଟେନର ପ୍ରମୁଖ ଚଳଚ଼ିତ୍ର ପ୍ରେକ୍ଷାଳୟ ଶୃଙ୍ଖଳ ‘ଚ଼େନ’ ‘ସିନେ ୱାର୍ଲ୍ଡ’ ୨୦୨୦ ଅକ୍ଟୋବର ଦ୍ୱିତୀୟ ସପ୍ତାହରୁ ବ୍ରିଟେନ, ଆୟରଲ୍ୟାଣ୍ଡ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଚଳଚ଼ିତ୍ର ପ୍ରଦର୍ଶନ ବନ୍ଦ କରିବା ନିଷ୍ପତ୍ତି ଗ୍ରହଣ କରିଥିଲା । ସେଥିମଧ୍ୟରେ ବ୍ରିଟେନର ୧୨୭ ଗୋଟି ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ୫୩୬ ଗୋଟି ପ୍ରେକ୍ଷାଳୟ ଅନ୍ତର୍ଭୁକ୍ତ । ପାଶ୍ଚାତ୍ୟ ଭୂଖଣ୍ଡରେ ପ୍ରେକ୍ଷାଳୟରେ ଚଳଚ଼ିତ୍ର ପ୍ରଦର୍ଶନ ବ୍ୟବସାୟର ଭବିଷ୍ୟତ ଯେ ଅନିଶ୍ଚିତତା ମଧ୍ୟରେ ଗତି କରୁଛି ଏକଥା ‘ସିନେ ୱାର୍ଲ୍ଡ’ ଉଦାହରଣରୁ ସୁସ୍ପଷ୍ଟ ।

‘ସିନେ ୱାର୍ଲ୍ଡ’ ବିଶ୍ୱର ଦ୍ୱିତୀୟ ବୃହତ ଚଳଚ଼ିତ୍ର ପ୍ରେକ୍ଷାଳୟ ଚେନର ମାନ୍ୟତା ପାଇଥାଏ । ବ୍ରିଟେନ, ଯୁକ୍ତରାଷ୍ଟ୍ର ଆମେରିକା, ଚେକ ରିପବ୍ଳିକ, ସ୍ଳୋଭାସ୍କିଆ, ବୁଲଗେରିଆ ଓ ଇସ୍ରାଏଲ ସମେତ ୧୦ ଗୋଟି ରାଷ୍ଟ୍ରରେ ୭୯୦ ଗୋଟି ପ୍ରେକ୍ଷାଳୟରେ ୯,୫୧୮ ଗୋଟି ରୂପେଲୀ ପରଦାରେ ଚଳଚ଼ିତ୍ର ପ୍ରଦର୍ଶନ କରିଥାଏ । ବ୍ରିଟେନ ଓ ଆୟରଲ୍ୟାଣ୍ଡରେ ‘ସିନେ ୱାର୍ଲ୍ଡ’ ପୂର୍ବ ଓ ମଧ୍ୟ ୟୁରୋପରେ ‘ସିନେମା ସିଟି’, ଇସ୍ରାଏଲରେ ‘ୟେସ ପ୍ଳାନେଟ’ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ‘ରିଗାଲ’ ବ୍ରାଣ୍ଡରେ ଏହାର ବ୍ୟବସାୟ ପରିଚାଳିତ ।

ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ବ୍ରିଟେନ, ଆୟରଲ୍ୟାଣ୍ଡ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ସିନେୱାର୍ଲ୍ଡର ଚଳଚିତ୍ର ପ୍ରେକ୍ଷାଳୟ ବନ୍ଦର ଦୁଇ ସପ୍ତାହ ପରେ ବ୍ରିଟେନରେ ମହାମାରୀଜନିତ ଦ୍ୱିତୀୟ ପର୍ଯ୍ୟାୟ ଲକଡ଼ାଉନରେ ସମସ୍ତ ମନୋରଞ୍ଜନ ପ୍ରେକ୍ଷାଳୟ ପୁଣି ମାସକ ପାଇଁ ବନ୍ଦ ହୋଇଗଲା । ଠିକ୍ ସେହିପରି ୟୁରୋପର ବିଭିନ୍ନ ରାଷ୍ଟ୍ରରେ ମଧ୍ୟ ଅକ୍ଟୋବର ତୃତୀୟ ସପ୍ତାହରେ ଜନପଦ ବନ୍ଦ ‘ଲକଡ଼ାଉନ’ରେ ଚଳଚ଼ିତ୍ର ପ୍ରେକ୍ଷାଳୟଗୁଡ଼ିକ ବନ୍ଦ ରହିଥିଲା ।

‘କୋଭିଡ଼-୧୯’ ବ୍ୟାପିବାପରେ ଲକଡ଼ାଉନ ହେତୁ ପ୍ରଥମ ପର୍ଯ୍ୟାୟରେ ୨୦୨୦ ମାର୍ଚ୍ଚ ମଧ୍ୟ ଭାଗରୁ ପାଶ୍ଚାତ୍ୟ ଭୂଖଣ୍ଡର ବ୍ରିଟେନ ସମେତ ବିଭିନ୍ନ ରାଷ୍ଟ୍ରରେ ଚଳଚ଼ିତ୍ର ପ୍ରେକ୍ଷାଳୟ ବନ୍ଦ ରଖାଯାଇ ମେ’, ଜୁନରେ ଖୋଲିଥିଲା । ତେବେ ସଂକ୍ରମଣ ଭୟରେ ଚଳଚ଼ିତ୍ର ପ୍ରେକ୍ଷାଳୟଗୁଡ଼ିକରେ ଆଶାଅନୁରୂପ ଦର୍ଶକ ହୋଇନଥିଲେ । ଫଳରେ ଚଳଚ଼ିତ୍ର ପ୍ରଦର୍ଶନ ବ୍ୟବସାୟରେ ମାନ୍ଦାବସ୍ଥା ଦେଖା ଦେଇଥିଲା ।

ଉଦାହରଣରେ ୨୦୨୦ ସେପ୍ଟେମ୍ୱର ପ୍ରଥମ ସପ୍ତାହରେ ୨୦ କୋଟି ଡ଼ଲାରରେ ନିର୍ମିତ ଏକ ବିଗ ବଜେଟ ଚଳଚ଼ିତ୍ର ‘ଟେନେଟ’ ଯୁକ୍ତରାଷ୍ଟ୍ର ଆମେରିକାରେ ରିଲିଜ ହୋଇ ପ୍ରଥମ ମାସରେ ମାତ୍ର ୪ କୋଟି ଡ଼ଲାର ଆଦାୟ କରିଥିଲା । ‘ୱାର୍ନର ବ୍ରଦର୍ସ’ ପ୍ରଯୋଜିତ ଏହି ଚଳଚ଼ିତ୍ରଟିର ନିର୍ଦ୍ଦେଶକ ଖ୍ରୀଷ୍ଟଫର ନୋଲାନ । ଏଭଳି ବିଫଳତା ଚଳଚ଼ିତ୍ର ପ୍ରଯୋଜକମାନଙ୍କୁ ନୂଆ ଚଳଚ଼ିତ୍ର ରିଲିଜ କରାଇବାକୁ ହତୋତ୍ସାହ କରିଥିବା ସ୍ଥଳେ ପ୍ରେକ୍ଷାଳୟ ମାଲିକମାନଙ୍କୁ ମଧ୍ୟ ପ୍ରଦର୍ଶନ ଜାରୀ ରଖିବା ଦିଗରେ ଚ଼ିନ୍ତାରେ ପକାଇ ଦେଇଥିଲା ।

‘ସିନେ ୱାର୍ଲ୍ଡ’ ପ୍ରେକ୍ଷାଳୟଗୁଡ଼ିକ ବନ୍ଦ ରଖାଯିବା କାରଣ ରୂପେ କର୍ତ୍ତୃପକ୍ଷ ନୂଆ ହଲିଉଡ଼ ଚଳଚ଼ିତ୍ର ରିଲିଜ ଅଭାବକୁ ଦାୟୀ କରିଛନ୍ତି । ମେଟ୍ରୋ-ଗୋଲ୍ଡୱିନ-ମେୟରଙ୍କ ସଦ୍ୟତମ ଜେମସବଣ୍ଡ ଚଳଚ଼ିତ୍ର ‘ନୋ ଟାଇମ ଟୁ ଡ଼ାଇ’ ୨୦୨୦ ଏପ୍ରିଲରେ ରିଲିଜ ହେବା କାର୍ଯ୍ୟକ୍ରମ ରହିଥିଲା । ମହାମାରୀ ହେତୁ ନଭେମ୍ୱରକୁ ରିଲିଜ ଘୁଞ୍ଚାଇ ଦିଆଯାଇଥିଲା । ତେବେ ଅକ୍ଟୋବର ଆରମ୍ଭରେ ରିଲିଜ ସମୟ ପୁଣି ଏପ୍ରିଲ ୨୦୨୧କୁ ପରବର୍ତ୍ତିତ ହୋଇଥିଲା ।

ସେହିପରି ଏଟିଏଣ୍ଡଟି-ୱାର୍ନର ବ୍ରଦର୍ସଙ୍କ ‘ଦି ବେଟମେନ’ ଓ ‘ଡ୍ୟୁନୋ’ର ରିଲିଜ ମଧ୍ୟ ଗଡ଼ାଇ ଦିଆ ଚାଲିଥିଲା । ରବର୍ଟ ପିଟରସନ ଅଭିନୀତ ‘ଦି ବେଟମେନ’ ୨୦୨୧ ଅକ୍ଟୋବରରେ ରିଲିଜ ହେବା ନିର୍ଦ୍ଧାରିତ ହୋଇଥିଲା । ଏହାକୁ ୨୦୨୨ ମାର୍ଚ୍ଚ – ଏପ୍ରିଲକୁ ଘୁଞ୍ଚାଇ ଦିଆଯାଇଥିଲା । କାନାଡ଼ାର ପ୍ରସିଦ୍ଧ ନିର୍ଦ୍ଦେଶକ ଓଡ଼ନିସ ଭିଲେନ୍ୟୁଭଙ୍କ ସାଇନ୍ସ-ଫିକସନ ‘ଡ୍ୟୁନୋ’ ୨୦୧୧ ଅକ୍ଟୋବରରେ ରିଲିଜ ହେବା ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ୱାର୍ନର ବ୍ରଦର୍ସର ‘ୱାଣ୍ଡର ଉମେନ ୧୮୪’ ଡ଼ିସେମ୍ୱର ବଡ଼ଦିନ ଅବସରରେ ରିଲିଜ ହେବ ବୋଲି କୁହାଯାଇଥିଲା ।

ହଲିଉଡ଼ ଚଳଚ଼ିତ୍ର ପ୍ରଯୋଜକମାନେ ମହାମାରୀ-ପର ପରିସ୍ଥିତି ନେଇ ବିବ୍ରତ ଥିବା ସୁସ୍ପଷ୍ଟ । ଲକଡ଼ାଉନ ପରେ ପ୍ରେକ୍ଷାଳୟ ଖୋଲାଗଲେ ଚଳଚ଼ିତ୍ର ଅନୁରାଗୀ ଦର୍ଶକ ପୁଣି ଫେରିବେ ବୋଲି ଆଶା କରାଯାଉଥିଲା । କିନ୍ତୁ ୟୁରୋପ, ବ୍ରିଟେନ ଓ ଆମେରିକାରେ ପ୍ରଥମ ତରଙ୍ଗ ଭୂତାଣୁ ସଂକ୍ରମଣ ଜନିତ ଲକଡ଼ାଉନ ପରେ ପ୍ରେକ୍ଷାଳୟରେ ଚଳଚ଼ିତ୍ର ପ୍ରଦର୍ଶନ ଆରମ୍ଭ ହେବାପରେ ତାହା ସମ୍ଭବ ହେଲା ନାହିଁ । ଆପାତତଃ ବର୍ତ୍ତମାନ ମହାମାରୀର ପ୍ରକୋପ ସଂପୂର୍ଣ୍ଣ ହ୍ରାସ ଯାଏଁ ଅପେକ୍ଷା କରାଗଲା ।

ମହାମାରୀ ପୂର୍ବରୁ ଡ଼ିଜିଟାଲ ମଞ୍ଚର ବ୍ୟାପ୍ତି ଏବଂ ମହାମାରୀ ଅବସରରେ ଉପଭୋକ୍ତାଙ୍କ ପରିବର୍ତ୍ତିତ ଅଭ୍ୟାସ ପାରମ୍ପରିକ ପ୍ରେକ୍ଷାଳୟରେ ଚଳଚ଼ିତ୍ର ଉପଭୋଗ ଧାରାକୁ ଗଭୀର ପ୍ରଭାବିତ କରିଥିବା ବିଶ୍ୱାସ ଜନ୍ମିଥାଏ । ରୁପେଲୀ ପରଦାର ମାଦକତା ମୋବାଇଲ ଫୋନ ପର୍ଦ୍ଦାରେ କେବେହେଁ ସଂଭବପର ନୁହଁ ବୋଲି ବିଚାର କରାଯାଉଥିଲା । କିନ୍ତୁ ଓଭର-ଦି-ଟପ ଡିଜିଟାଲ ମଞ୍ଚ ଦର୍ଶକଙ୍କ ଚଳଚିତ୍ର ଉପଭୋଗ ଅଭ୍ୟାସକୁ ବଦଳାଇ ଦେଇଥିବା ପରିଲକ୍ଷିତ । ମୋବାଇଲ ଫୋନ ପରଦାରେ ଉପଭୋକ୍ତାମାନେ ଦୈନିକ ଦୁଇରୁ ଛଅଘଣ୍ଟା ଯାଏଁ ଉପସ୍ଥିତ ରହିବା ତଥ୍ୟ ସର୍ବାପେକ୍ଷା ବଳିଷ୍ଠ ପ୍ରମାଣ ।

ହଲିଉଡ଼ ଚଳଚ଼ିତ୍ର ପ୍ରଯୋଜକମାନେ ନବନିର୍ମିତ ଚଳଚ଼ିତ୍ରଗୁଡ଼ିକୁ ଡ଼ିଜିଟାଲ ମଞ୍ଚରେ ଷ୍ଟ୍ରୀମିଂ କରିବା ବିକଳ୍ପ ସୃଷ୍ଟି ହୋଇଥିବା ଚଳଚ଼ିତ୍ର ପ୍ରେକ୍ଷାଳୟ ବ୍ୟବସାୟ ପ୍ରତି ଅନ୍ୟତମ ବିପଦ ସୃଷ୍ଟି କରିଛି  । ‘ଡିସନି’ ପ୍ରଯୋଜିତ ‘ମୁଲାନ’ ଷ୍ଟ୍ରୀମିଂ ସର୍ଭିସରେ ରିଲିଜ ହେବା ଏହି ଆଶଙ୍କାର ଏକ ଉଦାହରଣ ।

‘ସିନେ ୱାର୍ଲ୍ଡ’ର ପ୍ରେକ୍ଷାଳୟ ବନ୍ଦ ନିଷ୍ପତ୍ତି ଭାରତର ବଲିଉଡ଼ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଏହାର ପ୍ରେକ୍ଷାଳୟଗୁଡ଼ିକରେ ବାର୍ଷିକ ପ୍ରାୟ ୪୦ ରୁ ୫୦ ବଲିଉଡ଼ ଚଳଚିତ୍ର ପ୍ରଦର୍ଶିତ ହୋଇଥାଏ । ‘ସିନେ ୱାର୍ଲ୍ଡ’ର ସମଗ୍ର ଚଳଚିତ୍ର ତାଲିକାରେ ବଲିଉଡ଼ ୨୦ ପ୍ରତିଶତ ସ୍ଥାନ ଅଧିକାର କରୁଥିବା ଜଣାଯାଏ । ଅତୀତରେ ବ୍ରିଟେନ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ବଲିଉଡ଼ ଚଳଚ଼ିତ୍ର ପ୍ରଦର୍ଶିତ ହେଉନଥିଲା । ବିଗତ ଶତାଦ୍ଦୀ ନବମ ଦଶକରେ ମଲ୍ଟିପ୍ଳେକ୍ସ ଧାରା ଆରମ୍ଭ ହେବା ପରେ ‘ସିନେ ୱାର୍ଲ୍ଡ’ ବଲିଉଡ଼ ଚଳଚିତ୍ର ପ୍ରଦର୍ଶନ ଆରମ୍ଭ କରିଥିଲା । ମହାମାରୀ-ପୂର୍ବ ଅବସ୍ଥାରେ ବଡ଼ ବଜେଟ ବଲିଉଡ଼ ଚଳଚ଼ିତ୍ରର ପ୍ରାୟ ୪୦ ପ୍ରତିଶତ ଯାଏଁ ଆୟ ବୈଦେଶିକ ବଜାର ଉପରେ ନିର୍ଭରଶୀଳ ରହିଥିଲା ।

ପାଶ୍ଚାତ୍ୟ ଭୂଖଣ୍ଡରେ ଚଳଚ଼ିତ୍ର ପ୍ରେକ୍ଷାଳୟଗୁଡ଼ିକର ମହାମାରୀ-ପର ଅନୁଭୂତି ଭାରତୀୟ ଚଳଚିତ୍ର ପ୍ରେକ୍ଷାଳୟ ବ୍ୟବସାୟକୁ ପ୍ରଭାବିତ କରିବା ନିଶ୍ଚିତ । ବଲିଉଡ଼ ଚଳଚିତ୍ର ପ୍ରଯୋଜକମାନେ ପ୍ରେକ୍ଷାଳୟ ପ୍ରଦର୍ଶନରୁ ୪୦ ପ୍ରତିଶତ ଆୟ ହିସାବ କରିଥାନ୍ତି । ପ୍ରେକ୍ଷାଳୟରେ କେତେ ସଂଖ୍ୟକ ଦର୍ଶକ ପହଞ୍ଚୁଛନ୍ତି ଏବଂ ଟିକଟର ମୂଲ୍ୟ କେତେ ଅଛି ତାହା ଉପରେ ଆୟ ନିର୍ଭରଶୀଳ । ମହାମାରୀର ପ୍ରକୋପ ଅସ୍ଥାୟୀ କିନ୍ତୁ ମହାମାରୀ-ପର ପରିବେଶ ଦୀର୍ଘ ସ୍ଥାୟୀ । ମହାମାରୀ-ପର ଅବସ୍ଥାରେ ଦୀର୍ଘକାଳଧରି ଯଦି ଦର୍ଶକମାନେ ପ୍ରେକ୍ଷାଳୟରୁ ଦୂରେଇ ରହିବାକୁ ନିରାପଦ ମନେ କରିବେ ତେବେ ଚଳଚ଼ିତ୍ର ପ୍ରେକ୍ଷାଳୟ ବ୍ୟବସାୟ ଭୁଷୁଡ଼ି ପଡ଼ିବା ସ୍ୱାଭାବିକ ।

ଭାରତରେ ଅନଲକ-୬ରେ ଅକ୍ଟୋବର ତୃତୀୟ ସପ୍ତାହରୁ ଚଳଚ଼ିତ୍ର ପ୍ରେକ୍ଷାଳୟଗୁଡ଼ିକ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଥିଲା । ତେବେ ଓଡ଼ିଶା ସମେତ ମହାରାଷ୍ଟ୍ର, କେରଳ, ତାମିଲନାଡୁ ଓ ରାଜସ୍ଥାନ ପ୍ରଭୃତି ରାଜ୍ୟରେ ବାରଣ ବଳବତ୍ତର ରହିଥିଲା । ଦେଶରେ ପ୍ରାୟ ୯,୬୦୦ ରୂପେଲୀ ପରଦା ମଧ୍ୟରୁ ୭୦ ପ୍ରତିଶତ ଏକକ ପରଦା ଓ ୩୦ ପ୍ରତିଶତ ମଲ୍ଟିପ୍ଳେକ୍ସ । ଯେଉଁ ପ୍ରେକ୍ଷାଳୟଗୁଡ଼ିକରେ ଚଳଚ଼ିତ୍ର ପ୍ରଦର୍ଶନ ଆରମ୍ଭ ହୋଇଥିଲା ପ୍ରଥମ ଦୁଇ ସପ୍ତାହରେ ଉତ୍ସାହଜନକ ବକ୍ସ ଅଫିସ ଆୟ ହୋଇପାରିନଥିଲା । ଏଥି ଯୋଗୁଁ ବଲିଉଡ଼ ତଥା ଆଞ୍ଚଳିକ ନୂଆ ଚଳଚ଼ିତ୍ର ରିଲିଜ ମଧ୍ୟ ସଂଭବପର ହୋଇପାରି ନଥିଲା ।         

Related Post