ଆଜିର ଖାସ ଖବର
Sun. Sep 13th, 2026

ଫେସବୁକ ବିବାଦ

By Dainikasha Jul11,2024

ଫେସବୁକ ମଞ୍ଚରେ ଗଚ୍ଛିତ ପ୍ରାୟ ପାଞ୍ଚ କୋଟି ଯୁକ୍ତରାଷ୍ଟ୍ର ଆମେରିକା ଉପଭୋକ୍ତାଙ୍କ ତଥ୍ୟାବଳୀ ବିଶ୍ଳେଷଣ କରି ବ୍ରିଟେନର ନିର୍ବାଚ଼ନ ପ୍ରଚ଼ାର ପରମର୍ଶଦାତା ପ୍ରତିଷ୍ଠାନ କେମ୍ୱ୍ରିଜ ଏନାଲିଟିକା ଆମେରିକାର ୨୦୧୬ ରାଷ୍ଟ୍ରପତି ନିର୍ବାଚ଼ନରେ ଭୋଟରମାନଙ୍କୁ ପ୍ରଭାବିତ କରାଇଥିବା ଅଭିଯୋଗସୋସିଆଲ ମିଡ଼ିଆର ସାମାଜିକ ଭୂମିକା ପ୍ରତି ପ୍ରଶ୍ନ ଉଠାଇଛି ।

ଫେସବୁକ ଏକ ନିଃଶୁଳ୍କ ସେବା । ଏଥିରେ ଉପଭୋକ୍ତାମାନେ ନିଜ ଦୈନନ୍ଦିନ ଜୀବନ, ରୁଚ଼ି ଓ ଅଭିମତ ଇତ୍ୟାଦି ବ୍ୟକ୍ତିଗତସ୍ତରରେ ପୂର୍ବ ନିର୍ଦ୍ଧାରିତ ବନ୍ଧୁ ବା ଫ୍ରେଣ୍ଡମାନଙ୍କ ମଧ୍ୟରେ ପରସ୍ପର ଆଦାନପ୍ରଦାନ କରିଥାନ୍ତି । ପ୍ରତ୍ୟେକ ଉପଭୋକ୍ତାଙ୍କ ଦ୍ୱାରା ପ୍ରକାଶିତ ତଥ୍ୟାବଳୀକୁ ବିଶ୍ଳେଷଣକରି ସେମାନଙ୍କ ରୁଚ଼ି ଓ ଆବଶ୍ୟକତାକୁ ସୁହାଇଲାଭଳି ବ୍ୟକ୍ତିଗତ ପୃଷ୍ଠା ବା ପେଜରେ ବ୍ୟବସାୟିକ ବିଜ୍ଞାପନ ପ୍ରକାଶକରି ଫେସବୁକ ଅର୍ଥ ଉପର୍ଜନ କରିଥାଏ ।

ଆନ୍ତର୍ଜାତିକ ବଜାରରେ ଅନଲାଇନ ବିଜ୍ଞାପନର ପ୍ରାୟ ୮୫ ଭାଗ ଗୁଗୁଲ ଓ ଫେସବୁକ ଅକ୍ତିଆର କରିଥାନ୍ତି । ୨୦୧୭ରେ ଫେସବୁକର ବିଜ୍ଞାପନ ବାବଦରେ ଆୟ ୯୧ ହଜାର କୋଟି ଟଙ୍କା ହିସାବ କରାଯାଇଥିଲା । ଫେସବୁକର ଏହି ବ୍ୟବସାୟିକ ଢ଼ାଞ୍ଚା ବା ବିଜିନେସ ମଡ଼େଲକୁ ଉପଭୋକ୍ତାମାନେ ବିରୋଧ କରିନଥାନ୍ତି । ତେବେ ଅନୁରୂପ ତଥ୍ୟାବଳୀକୁ ଆୟୁଧ କରି ଗଣତାନ୍ତ୍ରିକ ନିର୍ବାଚ଼ନରେ ଭୋଟରଙ୍କୁ ପ୍ରଭାବିତ କରିବା ଉଦ୍ୟମକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ।

ପ୍ରଯୁକ୍ତି ବିଜ୍ଞାନ ଉପଯୋଗରେ ବିକଶିତ ବିଭିନ୍ନ ଅତ୍ୟାଧୁନିକ ଉତ୍ପାଦଗୁଡ଼ିକର କାର୍ଯ୍ୟକାରିତା ସଂପର୍କରେ ସାଧାରଣତଃ ଉପଭୋକ୍ତାମାନେ ଅବଗତ ନଥାନ୍ତି ।ସମୟକ୍ରମେ ସେଭଳି ଉତ୍ପାଦ ବ୍ୟବହାର ଦୈନନ୍ଦିନ ଜୀବନର ଅଂଶବିଶେଷ ପାଲଟି ଯାଇଥାଏ । ତେବେ କୌଣସି ଦୁରୋପଯୋଗର ପର୍ଦ୍ଦାଫାଶହେଲେ ହଇଚଇ ସୃଷ୍ଟି ହୋଇଥାଏ ।

କେମ୍ୱ୍ରିଜ ଏନାଲିଟିକା ୨୦୧୩ରେ ପ୍ରତିଷ୍ଠିତ ହୋଇ ୨୦୧୮ ବେଳକୁ ଭାରତ ସମେତ ଦୁଇଡ଼ଜନରୁ ଉର୍ଦ୍ଧ୍ୱରାଷ୍ଟ୍ରରେ ନିର୍ବାଚ଼ନ ପ୍ରଚ଼ାର ପରିଚ଼ାଳନା ବ୍ୟବସାୟରେ ସଂପୃକ୍ତ ହୋଇପାରିଥିଲା । ଉକ୍ତ ସଂସ୍ଥାର ଜଣେ ପୂର୍ବତନ କର୍ମଚ଼ାରୀ ୨୮ ବର୍ଷ ବୟସ୍କ ଚ଼େରିସ ୱିଲି ବ୍ରିଟେନର ପ୍ରମୁଖ ସମ୍ୱାଦପତ୍ର ‘ଅବଜରଭର’ର ସାମ୍ୱାଦିକ କାର୍ଲୋ କାଡ଼ୱେଲଡ଼ରଙ୍କୁ ସଂପୃକ୍ତ ସଂସ୍ଥାର କାରନାମା ସଂପର୍କରେ ତଥ୍ୟ ପ୍ରଦାନ କରିଥିଲେ । ଏହାର ବିଶଦ ବିବରଣୀ ସମ୍ୱାଦପତ୍ରର ୧୭ ମାର୍ଚ୍ଚ ୨୦୧୮ ସଂସ୍କରଣରେ ପ୍ରକାଶିତ ହୋଇଥିଲା ।

ଫେସବୁକ ମାଧ୍ୟମରେ କେତେକ ଗବେଷକ ସର୍ବେକ୍ଷଣ ବା ସର୍ଭେ ଜରିଆରେ ଜନସାଧାରଣଙ୍କଠାରୁ ବିଭିନ୍ନ ପ୍ରସଙ୍ଗରେ ମତାମତ ସଂଗ୍ରହ କରି ସାମାଜିକ ଧାରା ବା ଟ୍ରେଣ୍ଡ ଅନୁଧ୍ୟାନ କରିଥାନ୍ତି । ଏଭଳି ସର୍ଭେରେ ଆଗ୍ରହୀ ଉପଭୋକ୍ତାମାନେ ନିଜ ଇଚ୍ଛାମୁତାବକ ଅଂଶ ଗ୍ରହଣ କରନ୍ତି । କେମ୍ୱ୍ରିଜ ଏନାଲିଟିକା ୨୦୧୪ରେ ବ୍ରିଟେନର କେମ୍ୱିଜ ବିଶ୍ୱବିଦ୍ୟାଳୟରେ ଆଧ୍ୟାପନା କରୁଥିବା ଆଲେକଜେଣ୍ଡାର କୋଗାନ ନାମକ ଜନୈକ ମନୋବିଜ୍ଞାନୀଙ୍କ ସହାୟତାରେ ଏକ ପ୍ରଶ୍ନୋତ୍ତରୀ ବା କୁଇଜ ସମ୍ୱଳିତ ଆପ୍ଲିକେସନ ବା ଆପ ପ୍ରସ୍ତୁତ କରିଥିଲା । ଏହି ଆପଟି ଫେସବୁକରେ ପ୍ରକାଶିତ ହୋଇଥିଲା ।

ଉକ୍ତ କୁଇଜରେ ଅଂଶଗ୍ରହଣ କରୁଥିବା ବ୍ୟକ୍ତିବିଶେଷଙ୍କୁ ତିନିଗୋଟି ପ୍ରଶ୍ନ ପଚ଼ରାଯାଇଥିଲା । ପ୍ରଥମରେ ଦୈନନ୍ଦିନ କାର୍ଯ୍ୟଧାରାରେ ସେମାନେ କେତେଦୂର ସଂଯତ ବା ଅର୍ଗାନାଇଜଡ଼, ଦ୍ୱିତୀୟରେ ସେମାନେ କେତେମାତ୍ରାରେ ପ୍ରଗଲଭ ବା ଏକ୍ସସାଇଟେଡ଼ ଏବଂ ତୃତୀୟରେ ସେମାନେ କେତେ ପରିମାଣରେ କଳାପ୍ରମୀ ବା ଅର୍ଟିଷ୍ଟିକ ମାଇଣ୍ଡେଡ଼।

କୋଗାନଙ୍କ ଦ୍ୱାରା ପ୍ରସ୍ତୁତ କୁଇଜରେ ଯେଉଁମାନେ ଅଂଶଗ୍ରହଣ କରିଥିଲେ ସେମାନେ ଦେଇଥିବା ପ୍ରଶ୍ନର ଉତ୍ତର ସହ ଆପ ଜରିଆରେ ଫେସବୁକ ପୃଷ୍ଠାରେ ଲିପିବଦ୍ଧ ବିଭିନ୍ନ ପ୍ରସଙ୍ଗରେ ସେମାନଙ୍କ ପସନ୍ଦ ବା ଲାଇକ ଚ଼ିହ୍ନିତ ତଥ୍ୟାବଳୀ ସଂଗୃହୀତ ହୋଇଥିଲା ।କେବଳ ସେତିକି ନୁହେଁ, ପ୍ରତ୍ୟେକ ଉତ୍ତରଦାତାଙ୍କ ଫେସବୁକ ବନ୍ଧୁ ବା ଫ୍ରେଣ୍ଡମାନଙ୍କ ପସନ୍ଦ ବା ଲାଇକ ସଂବନ୍ଧୀୟ ତଥ୍ୟ ମଧ୍ୟ ଆପ ମାଧ୍ୟମରେ ଅକ୍ତିଆର କରାଯାଇଥିଲା ।

ସମସ୍ତ ତଥ୍ୟର ସମିଶ୍ରଣରେ ପ୍ରତ୍ୟେକ ଉପଭୋକ୍ତାଙ୍କ ମାନସିକ ରେଖାଙ୍କନ ବା ସାଇକୋଗ୍ରାଫି ପ୍ରସ୍ତୁତ କରାଯାଇଥିଲା । ଆଧୁନିକ ମନୋବିଜ୍ଞାନର ଜଟିଳ ସୂତ୍ରାବଳୀ ଉପଯୋଗ କରାଯାଇ ବିସ୍ତୃତ ତଥ୍ୟ ଆଧାରରେ ସେମାନଙ୍କ ରୁଚ଼ି, ଆଭିମୁଖ୍ୟ ତଥା ରାଜନୀତିକ ପକ୍ଷଭୁକ୍ତତା ଇତ୍ୟାଦି ସଂପର୍କରେ ସୂଚ଼ନା ଏକତ୍ରିତ କରିବା ସମ୍ଭବପର ।

ଏଭଳି ବୃହତ ତଥ୍ୟାବଳୀ ବିଶ୍ଳେଷଣ କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ଉପଯୋଗରେ ସମାହିତ ହୋଇଥାଏ। ପ୍ରତ୍ୟେକ ଫେସବୁକ ଉପଭୋକ୍ତାଙ୍କ ରୁଚ଼ିର ସମୀକରଣ ନିର୍ଦ୍ଧାରଣ ନିମନ୍ତେ ଚ଼ାରି ହଜାର ସମ୍ଭାବ୍ୟ ସୂଚ଼ୀ ବା ଡ଼ାଟା ପଏଣ୍ଟସ ପ୍ରସ୍ତୁତ କରାଯାଇଥିଲା । ଉଦାହରଣରେ ଜଣେ ବ୍ୟକ୍ତି ଯଦି ‘କ’କୁ ପସନ୍ଦ କରୁଛି ସେ ‘ଚ’, ’ଛ’କୁ ମଧ୍ୟ ପସନ୍ଦ କରିବ ଏବଂ ‘ଟ’,’ଠ’କୁ ଘୃଣା କରିବ… ଇତ୍ୟାଦି ସମ୍ଭାବ୍ୟ ସମୀକରଣର ଉତ୍ତରକୁ ଡ଼ାଟା ପଏଣ୍ଟ କୁହାଯାଏ ।

ମନୋବିଜ୍ଞାନୀମାନେ ବ୍ୟକ୍ତିର ଦୈନନ୍ଦିନ ସାଧାରଣ ଗତିବିଧିକୁ ତର୍ଜମା କରି ତାହାର ଜଟିଳ ମାନସିକତା ସଂପର୍କରେ ତଥ୍ୟ ଖୋଜି ବାହାର କରିପାରନ୍ତି । ସମକାଳରେ କମ୍ପ୍ୟୁଟର ସୂତ୍ରାବଳୀ ବା ଆଲଗୋରିଥମ ଜରିଆରେ ତଥ୍ୟ ବିଶ୍ଳେଷଣ କରି କୋଟି କୋଟି ପ୍ରଶ୍ନର ଉତ୍ତର ସମୀକରଣ ସହ ନିମିଷକ ମଧ୍ୟରେ ଉପାସ୍ଥାପିତ ହୋଇପାରୁଛି ।

କୋଗାନଙ୍କ ସର୍ଭେରେ ଆମେରିକାର ୨ ଲକ୍ଷ ୭୦ ହଜାର ଫେସବୁକ ଉପଭୋକ୍ତା ଅଂଶଗ୍ରହଣ କରିଥିଲେ ହେଁ ସେମାନଙ୍କ ଫେଣ୍ଡସଙ୍କ ଫେସବୁକ ମଞ୍ଚରେ ଗଚ୍ଛିତ ତଥ୍ୟକୁ ଆହରଣ କରି ପ୍ରାୟ ୫ ରୁ ୬ କୋଟି ଆମେରିକା ନାଗରିକଙ୍କ ସାଇକୋଗ୍ରାଫି ପ୍ରସ୍ତୁତ ହୋଇଥିଲା । ଏହି ତଥ୍ୟ କେମ୍ୱ୍ରିଜ ଏନାଲିଟିକା ଆମେରିକାର ୨୦୧୬ ରାଷ୍ଟ୍ରପତି ନିର୍ବାଚ଼ନରେ ବ୍ୟବହାର ପାଇଁ ଦେଇଥିବା ଅଭିଯୋଗ ଉଠିଛି ।

ଯୁକ୍ତରାଷ୍ଟ୍ର ଆମେରିକାର ମୋଟ ଭୋଟରଙ୍କ ମଧ୍ୟରୁ ପ୍ରାୟ ଏକ ଚ଼ତୁର୍ଥାଂଶ ଭୋଟରଙ୍କ ବ୍ୟକ୍ତିତ୍ୱ ସଂପର୍କରେ ତଥ୍ୟ ହାସଲ ପରେ ନିର୍ବାଚ଼ନ ପ୍ରଚ଼ାର ଅଭିଯାନରେ ସେମାନଙ୍କ ରୁଚ଼ି ଅନୁକୂଳ ପ୍ରଚ଼ାର ସାମଗ୍ରୀ, ଯଥା : ପୋଷ୍ଟର, ଭିଡ଼ିଓ, ସୋସିଆଲ ମିଡ଼ିଆ ପୋଷ୍ଟିଂ ପ୍ରସ୍ତୁତ କରାଯାଇଥିଲା ଏବଂ ତାହା ଭୋଟରମାନଙ୍କୁ ପ୍ରଭାବିତ କରିଥିବା କୁହାଯାଉଛି ।

ଫେସବୁକ ମଞ୍ଚରେ ଗଚ୍ଛିତ ଉପଭୋକ୍ତାଙ୍କ ତଥ୍ୟକୁ ତୃତୀୟପକ୍ଷକୁ ପ୍ରଦାନ ଅସଂଗତ ଏବଂ ଗୋପନୀୟତା ଉଲଂଘନ ହୋଇଥିବା ଅଭିଯୋଗକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଇଛି ।ଯୁକ୍ତରାଷ୍ଟ୍ର ଆମେରିକା ଓ ବ୍ରିଟେନ ଭଳି ରାଷ୍ଟ୍ରରେ ଗୋପନୀୟତା ଆଇନ ପ୍ରଚଳନ ଥିବା ହେତୁ ଏହି ଘଟଣାର ନ୍ୟାୟିକ କାରବାର ଆଶା କରାଯାଇପାରେ ।ଏଥି ସହ ନିର୍ବାଚ଼ନ ପ୍ରକ୍ରିୟାରେ ବୈଦେଶିକ ସଂସ୍ଥାର ହସ୍ତକ୍ଷେପ ମଧ୍ୟ ବିଚ଼ାର ପରିସରକୁ ଆସିପାରେ ।

ଆନ୍ତର୍ଜାତିକସ୍ତରରେ ଫେସବୁକର ୨୧୦ କୋଟି ଉପଭୋକ୍ତା ଥିବା ହିସାବ କରାଯାଉଛି । ସେଥି ମଧ୍ୟରୁ ଭାରତର ୨୪ କୋଟି ଉପଭୋକ୍ତା ଅନ୍ତର୍ଭୁକ୍ତ ।ଏଭଳି ବିସ୍ତୃତ ମଞ୍ଚର କାର୍ଯ୍ୟକାରିତା ସଂପର୍କରେ ଅଧିକାଂଶ ଅଜ୍ଞ ଥିବା ହେତୁ ସୋସିଆଲ ମିଡ଼ିଆର ମାନ ନିର୍ଦ୍ଧାରଣରେ ଗୁରୁତର ସମସ୍ୟା ସୃଷ୍ଟି ହେଉଛି ।

ପ୍ରଶ୍ନ ଉଠେ ଫେସବୁକ ଯଦି ସର୍ବସାଧାରଣରେ ପ୍ରକାଶନକୁ ବୁଝାଉଛି, ଫେସବୁକ ପୋଷ୍ଟିଂକୁ ନେଇ ମାନହାନୀ ମକଦ୍ଦମା ଦାୟର କରାଯାଇପାରୁଛି, ତେବେ ଏଭଳି ମଞ୍ଚରେ ଉପଭୋକ୍ତାଙ୍କ ଗୋପନୀୟତା ରହିଲା କେଉଁଠି ? ଯଦି ଯୁକ୍ତରାଷ୍ଟ୍ର ଆମେରିକା ପରିଦର୍ଶକ ଭିସା ମଞ୍ଜୁର କରିବା ପାଇଁ କିମ୍ୱା ଭାରତର ଆୟକର ବିଭାଗ ପର୍ଯ୍ୟଟନରେ ବିଦେଶ ଭ୍ରମଣ କରିଥିବା ବ୍ୟକ୍ତିବିଶେଷଙ୍କ ଆୟବ୍ୟୟ ତନଖିବା ପାଇଁ ଫେସବୁକକୁ ଖୋଜୁଛି, ଏହାକୁ କ’ଣ ତୃତୀୟ ପକ୍ଷର ଅନୁପ୍ରବେଶ କୁହାଯିବ ?

ସୋସିଆଲ ମିଡ଼ିଆ ଖୁବ କମ ସମୟ ମଧ୍ୟରେ ବିଶ୍ୱବ୍ୟାପୀ ପ୍ରଭାବ ବିସ୍ତାର କରିଥିବା ହେତୁ ଏଭଳି ମଞ୍ଚଗୁଡ଼ିକର କ୍ରମବର୍ଦ୍ଧମାନ ବୈଷୟିକ ପ୍ରଗତି ଏହାର ଉପଯୋଗରେ ନୂତନ ଦିଗଦିଗନ୍ତ ସୃଷ୍ଟି କରିବା ସ୍ୱାଭାବିକ । ଇଣ୍ଟରନେଟର ବିସ୍ତୃତି, ସ୍ୱଚ୍ଛତା ଓ ବିଶାଳ ତଥ୍ୟର ସମିଶ୍ରଣ ହୁଏତ ବ୍ୟକ୍ତିଗତ ଗୋପନୀୟତାର ନୂତନ ପରିଭାଷା ସୃଷ୍ଟି କରିବ । 

Related Post