ଡ଼ିଜିଟାଲ ବିପ୍ଳବରେ ‘ମେଟାଭର୍ସ’ ଆଲୋଡ଼ନ ସୃଷ୍ଟି କରିଛି । ‘ମୋବାଇଲ ଇଣ୍ଟରନେଟ’ ନିକଟ ଭବିଷ୍ୟତରେ ‘ମେଟାଭର୍ସ’ ପରିବେଶକୁ ଉନ୍ନୀତ ହେବା ସଂଭାବନା ସୁସ୍ପଷ୍ଟ ହେବା ପରେ ଯୋଗାଯୋଗ କ୍ଷେତ୍ରରେ ଅଗ୍ରଣୀ ଗଣମାଧ୍ୟମ ମଞ୍ଚଗୁଡ଼ିକରେ ଏହା ପ୍ରଭାବ ସଂପର୍କରେ ଆକଳନ ଗୁରୁତ୍ୱ ବହନ କରିଛି । ଅକ୍ଟୋବର ୨୦୨୧ ଶେଷ ସପ୍ତାହରେ ଫେସବୁକ ମେଟାଭର୍ସକୁ ଲମ୍ପ ପ୍ରଦାନ କରୁଥିବା ଘୋଷଣା ପରେ ନଭେମ୍ୱର ପ୍ରଥମ ସପ୍ତାହରେ ମାଇକ୍ରୋସଫଟ ପକ୍ଷରୁ ଅନୁରୂପ ସୂଚ଼ନା ୨୦୨୨ ସୁଦ୍ଧା ସୃଜନଶିଳ୍ପୀଙ୍କ କାଳ୍ପନିକ ମେଟାଭର୍ସ ବାସ୍ତବ ଦୁନିଆ ଓ ଭର୍ଚୁଆଲ ଦୁନିଆ ମଧ୍ୟରେ ପ୍ରଭେଦ ବିଲୋପରେ ସୂତ୍ରଧର ସାଜିବା ବିଶ୍ୱାସ କରାଯାଉଛି । ଫେସବୁକ ଅଧ୍ୟକ୍ଷ ମାର୍କ ଜୁକେରବର୍ଗ ତ କହୁଛନ୍ତି ଚଳିତ ଦଶକ ଶେଷ ୨୦୩୦ ସୁଦ୍ଧା ତାଙ୍କରି ମଞ୍ଚର ମେଟାଭର୍ସ ପରିବେଶରେ ଶହେ କୋଟି ଉପଭୋକ୍ତାଙ୍କୁ ସାମିଲ କରିବା ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ।
‘ମେଟାଭର୍ସ’କୁ ସରଳଭାବେ ବୁଝାଇବା ଆୟସସାଧ୍ୟ । ମେଟାଭର୍ସ ବୁଝିବାକୁ ହେଲେ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ, ଆଗୁମେଣ୍ଟଡ଼ ରିଆଲିଟି ଓ ଇମେସିଉଭ ଟେକନୋଲଜି ଭଳି କାରିଗରୀ କୌଶଳ ସଂପର୍କରେ ସାମାନ୍ୟ ପରିଚିତି ଆବଶ୍ୟକ । ମେଟାଭର୍ସ ଉପପାଦ୍ୟର ଓଡ଼ିଆ ଅନୁବାଦ “କୃତ୍ରିମ ବୁଦ୍ଧିମତ୍ତା ଦକ୍ଷତା ସମ୍ପନ୍ନ ଯାନ୍ତ୍ରିକ ପ୍ରଯୋଜିତ ପରିବେଶରେ ଉପଭୋକ୍ତାଙ୍କ ମଧ୍ୟରେ ପାରସ୍ପରିକ ଯୋଗାଯୋଗ” ବର୍ଣ୍ଣନା କରାଯାଇ ପାରେ । ତେବେ ସାଧାରଣ ବିଚାରରେ ଏଭଳି ବିଶ୍ଳେଷଣ ପ୍ରାୟ ମୂଲ୍ୟହୀନ । ହୁଏତ ‘ମେଟାଭର୍ସ’ ବର୍ଣ୍ଣନା ପାଇଁ ପାଠ୍ୟ ବଦଳରେ ଭିଡ଼ିଓ ଅନୁକୂଳ !
ଉଦାହରଣରେ ମାର୍କ ଜୁକେରବର୍ଗ ନିଜ କମ୍ପାନୀ ‘ଫେସବୁକ’କୁ ‘ମେଟା’ ପୁନଃନାମିତ କରିଥିବା ଅବସରରେ ୨୮ ଅକ୍ଟୋବର ୨୦୨୧ରେ ପ୍ରକାଶିତ ଏକ ଡ଼େମୋ ଭିଡ଼ିଓରେ ମେଟାଭର୍ସର ଉପଯୋଗ ସଂପର୍କରେ ତଥ୍ୟାବଳୀ ଉପସ୍ଥାପନ କରିଥିଲେ । ସେଥିରେ ପ୍ରଥମେ ଜୁକେରବର୍ଗଙ୍କ ବନ୍ଧୁମାନେ ଭର୍ଚୁଆଲ ପରିବେଶରେ ତାସ ଖେଳରେ ନିମଜ୍ଜିଥିବା ବେଳେ ତାଙ୍କୁ ଖେଳିବା ପାଇଁ ଆମନ୍ତ୍ରଣ କରିଥିଲେ । ଏହା ପ୍ରାୟ ସପ୍ନିଳ ବୋଧ ହେଉଥିଲା । ବନ୍ଧୁମାନେ ବିଭିନ୍ନ ‘ଅବତାର’ ଅର୍ଥାତ ମନପସନ୍ଦ ରୂପାନ୍ତରିତ ଚ଼େହରାରେ ସଜ୍ଜିତ ହୋଇ ତାସ ଖେଳୁଥିଲେ । ଏପରିକି ଜଣେ ବନ୍ଧୁ ତ ଶୂନ୍ୟରେ ଉଡୁଥିଲେ । ଠିକ ଏହି ସମୟରେ ଅନ୍ୟ ଜଣେ ବନ୍ଧୁଙ୍କୁ ଡ଼ାଏଲ କଲେ । ବନ୍ଧୁ ରାଜରାସ୍ତାରେ ଚଳପ୍ରଚଳ ହେବାବେଳେ ସହରର କାନ୍ଥରେ ଏକ ଆକର୍ଷଣୀୟ କାନ୍ଥଚ଼ିତ୍ର ‘ଗ୍ରାଫାଟି’ ଦେଖି ଜୁକରବର୍ଗଙ୍କୁ ସୂଚ଼ନା ଦେଲେ । ସେ ଆଗ୍ରହ ପ୍ରକାଶ କରିବାରୁ ଆଗୁମେଣ୍ଟେଡ଼ ରିଆଲିଟି ସଂଯୁକ୍ତ ଗ୍ରାଫାଟିର ଲିଙ୍କ ପଠାଇଦେଲେ । ଜୁକେରବର୍ଗ ମେଟାଭର୍ସ ଯୋଗେ ସେହି ଗ୍ରାଫାଟିର ତ୍ରି-ଡାଇମନସନ ବିଭବ ଉପଭୋଗ କଲେ ।
କମ୍ପ୍ୟୁଟରରେ ଯେଉଁମାନେ ଡିଜିଟାଲ ଗେମ ଖେଳିଥାନ୍ତି ସେମାନଙ୍କ ପକ୍ଷେ ‘ମେଟାଭର୍ସ’ ବୁଝିବା ସହଜ । ଏକ ପକ୍ଷରେ ଡିଜିଟାଲ ଗେମର ଟୁ-ଡାଇମନସନ ଆଙ୍ଗିକ ମେଟାଭର୍ସରେ ତ୍ରି-ଡାଇମନସନରେ ପରିବର୍ତ୍ତିତ ହୋଇପାରୁଥିବା ସ୍ଥଳେ ଖେଳାଳୀ ନିଜେ ନିଜ ନିର୍ବାଚିତ ରୂପ ଅବତାରରେ ଖେଳ ପରିବେଶରେ ସାମିଲ ହୋଇପାରିବେ । ମେଟାଭର୍ସ ବ୍ୟବହାର ନିମନ୍ତେ ପ୍ରତ୍ୟେକ ଉପଭୋକ୍ତା ହେଡ଼-ଗିଅର ପରିଧାନ କରିବା ଜରୁରୀ । ଜୁକରବର୍ଗ କହୁଛନ୍ତି କମ୍ପ୍ୟୁଟିଂ ଦୁନିଆରେ ଡ଼େସ୍କଟପରୁ-ୱେବରୁ-ମୋବାଇଲ ଏବଂ ଟେକ୍ସଟରୁ-ଫୋଟରୁ-ଭିଡ଼ିଓ ଶେଷ ନୁହେଁ । ଯାହା ଆମେ ଦେଖି ଆସିଥିଲେ, ତାହା ଭର୍ଚୁଆଲ ପରିବେଶରେ ଅନୁଭବ କରିବା ସମୟ ଉପନୀତ ।
ସୋସିଆଲ ମିଡ଼ିଆ ପ୍ଳାଟଫର୍ମ ‘ଫେସବୁକ’ର ନାମକରଣରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଫେସବୁକ ମଞ୍ଚର ପ୍ରାୟୋଜକ କମ୍ପାନୀକୁ ‘ମେଟା’ ପୁନଃନାମିତ କରିଛନ୍ତି । ଅବଶ୍ୟ ଇଣ୍ଟରନେଟ ଭଳି ‘ମେଟାଭର୍ସ’ ଉପରେ କୌଣସି ନିର୍ଦ୍ଦିଷ୍ଟ କମ୍ପାନୀର କର୍ତ୍ତୃତ୍ୱ ନାହିଁ । ଏହା ଏକ ବିକାଶଶୀଳ ବୈଷୟିକ କୌଶଳ । ଇଣ୍ଟରନେଟରେ ଅସଂଖ୍ୟ ପ୍ରତିଷ୍ଠାନ ଅଂଶ ଗ୍ରହଣ କରୁଥିବା ତୁଲ୍ୟ ମେଟାଭର୍ସରେ ମଧ୍ୟ ବହୁ ଅଂଶଧାରୀ ।
‘ମେଟାଭର୍ସ’ ନାମକରଣ ବିଂଶ ଶତାଦ୍ଦୀ ଶେଷ ଦଶକରେ କାଳ୍ପନିକ ବିଜ୍ଞାନ ଉପନ୍ୟାସ ସୂତ୍ରକୁ ଚ଼ିହ୍ନଟ କରିଥାଏ । ‘ସ୍ନୋ କ୍ରାସ’ ନାମକ ୧୯୯୨ରେ ପ୍ରକାଶିତ ଏକ ଲୋକପ୍ରିୟ ଉପନ୍ୟାସରେ ‘ମେଟାଭର୍ସ’ ଶବ୍ଦ ବ୍ୟବହୃତ ହୋଇଥିଲା । ‘ଭର୍ସ’ ୟୁନିଭର୍ସ ବା ପୃଥିବୀ ଏବଂ ‘ମେଟା’ ଟ୍ରାନସେଡ଼େଣ୍ଟ ବା ସୀମାପାର ସୂଚ଼ିତ କରିଥାଏ । ମେଟାଭର୍ସ ଅର୍ଥ ପୃଥିବୀ ସୀମାପାର ପରିବେଶକୁ ବୁଝାଏ । ଫେସବୁକ, ମାଇକ୍ରୋସଫ୍ଟ ସହ ଭିଡ଼ିଓ ଗେମ କମ୍ପାନୀ ‘ଏପିକ ଗେମ୍ସ’ ଓ ଚିପ ପ୍ରସ୍ତୁତକର୍ତ୍ତା ‘ନିଭିଦା’ ଭଳି ପ୍ରତିଷ୍ଠାନଗୁଡ଼ିକ ମେଟାଭର୍ସ ମଞ୍ଚରେ ପ୍ରାଥମିକ ପର୍ଯ୍ୟାୟରେ ଅବତୀର୍ଣ୍ଣ ହେଉଥିବା ଆକଳନ କରାଯାଏ । ଫେସବୁକରେ ମେଟାଭର୍ସ ମଞ୍ଚ ପ୍ରସ୍ତୁତିରେ ଦଶ ହଜାର କର୍ମଚାରୀ ନିୟୋଜିତ ଥିବା ତଥା ୨୦୨୨ ସୁଦ୍ଧା ୟୁରୋପୀୟ ଦେଶପୁଞ୍ଜରୁ ଅଧିକା ଦଶ ହଜାର କର୍ମଚାରୀ ନିଯୁକ୍ତି ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଶୁଣାଯାଏ ।
ଫେସବୁକ ମେଟାଭର୍ସ ନିମନ୍ତେ ବ୍ୟଗ୍ରଥିବା ଚାରିଗୋଟି କାରଣ ‘ନିଉୟର୍କ ଟାଇମ୍ସ’ ବିଶ୍ଳେଷକ ଉପସ୍ଥାପନ କରିଥିଲେ । ପ୍ରଥମତଃ, ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ, ୟୁରୋପୀୟ ଦେଶପୁଞ୍ଜ ଭଳି ବିକଶିତ ରାଷ୍ଟ୍ରଗୁଡ଼ିକରେ ଯୁବ ସମ୍ପ୍ରଦାୟ ଫେସବୁକ ମଞ୍ଚରୁ କ୍ରମଶଃ ଓହରି ଆସି ଟିକ୍ ଟକ୍ ଭଳି ସର୍ଟଭିଡ଼ିଓ ମଞ୍ଚରେ ପହଞ୍ଚୁଥିବା ଫେସବୁକ ପାଇଁ ଚ଼ିନ୍ତାର କାରଣ ପାଲଟିଛି । ତେଣୁ ଭିଡ଼ିଓର ଉନ୍ନତ ସୋପାନ ମେଟାଭର୍ସରେ ଫେସବୁକ ଯେତେ ଶୀଘ୍ର ପହଞ୍ଚିବ, ଲୋକପ୍ରିୟତା ଓ ବ୍ୟାବସାୟିକସ୍ତରରେ ଲାଭଦାୟକ ହେବ । ଦ୍ୱିତୀୟତଃ, ଫେସବୁକ ମୁଖ୍ୟତଃ ମୋବାଇଲ ଫୋନଆଶ୍ରିତ ହୋଇପଡିଥିବା ସ୍ଥଳେ ମୋବାଇଲ ଆପ୍ଳିକେସନ ନିୟନ୍ତ୍ରଣ ଲାଗି ଫେସବୁକକୁ ଏଣ୍ଡ୍ରଏଡ଼ ଓ ଆଇଓଏସ ବା ଗୁଗୁଲ ଓ ଏପଲ ମଞ୍ଚ ଉପରେ ନିର୍ଭର କରିବାକୁ ପଡୁଛି । ମେଟାଭର୍ସକୁ ଲମ୍ପ ପ୍ରଦାନ କଲେ ଅନ୍ୟ ଉପରେ ଫେସବୁକର ନିର୍ଭର କମିଯିବ ।
ତୃତୀୟତଃ, ବିଶ୍ୱବ୍ୟାପୀ ଫେସବୁକ ନିୟାମକଙ୍କ କୋପ ଦୃଷ୍ଟିରେ ବାନ୍ଧି ହୋଇପଡ଼ିଲାଣି । ବିଭିନ୍ନ କାରଣକୁ କେନ୍ଦ୍ରକରି ଫେସବୁକର ପ୍ରସାରକୁ ଆକଟ କରିବା ନିମନ୍ତେ ଉଦ୍ୟମ ଅବ୍ୟାହତ ରହିଛି । ଫେସବୁକ ମେଟାଭର୍ସରେ ପହଞ୍ଚିଲେ ଅନ୍ତତଃ ପରବର୍ତ୍ତୀ ଦଶ ବର୍ଷ ଯାଏଁ ନିୟାମକ କଟକଣାରୁ ମୁକ୍ତି ମିଳିପାରେ । ଚ଼ତୁର୍ଥତଃ, ନିକଟ ଅତୀତରେ ଫେସବୁକ ବିଭିନ୍ନ କ୍ଷେତ୍ରରେ ଅପଦସ୍ତ ହୋଇଛି । ନାମ ପରିବର୍ତ୍ତନ ସହ ମଞ୍ଚ ପରିବର୍ତ୍ତନ ହେଲେ ଅପବାଦରୁ ମଧ୍ୟ ନିସ୍ତାର ସଂଭବପର ବୋଲି କୁହାଯାଇପାରେ ।
‘ଫେସବୁକ’ର ‘ମେଟା’ ପୁନଃନାମକରଣ ସୋସିଆଲ ମିଡ଼ିଆ ପରିସରେ ଏକ ନୂତନ ଅଧ୍ୟାୟ । ‘ମେଟାଭର୍ସ’ ଏକ ବୈଷୟିକ ପଦ୍ଧତିକୁ ବୁଝାଉଥିବା ତଥା ବହୁ ପୂର୍ବରୁ ଏହାର ପରିଧିରେ ଅନ୍ୟାନ୍ୟ ପ୍ରତିଷ୍ଠାନଗୁଡ଼ିକ ପକ୍ଷରୁ ଯୋଜନାରେ ସଂପୃକ୍ତି ଥିବା ସ୍ଥଳେ ଫେସବୁକର ‘ମେଟା’ ନାମକରଣକୁ ଏକ ପଦ୍ଧତି ପରିସୀମାରେ ବ୍ୟାବସାୟିକ ଅନୁପ୍ରବେଶ ବୋଲି ସମାଲୋଚ଼ନା କରାଯାଇଥାଏ । ତେବେ ଫେସବୁକର ପୁନଃନାମକରଣ ଯେ ‘ମେଟାଭର୍ସ’କୁ ସର୍ବସାଧାରଣ ଚର୍ଚ୍ଚାର ପରିସରକୁ ଆଣିଛି ଏବଂ ଏହାର ପ୍ରସାର ଦିଗରେ ଫେସବୁକ ଭଳି ବୃହତ ସୋସିଆଲ ମିଡ଼ିଆ କମ୍ପାନୀର ପ୍ରମୁଖ ଯୋଗଦାନ ରହିବ, ଏହାକୁ କେହି ଅସ୍ୱୀକାର କରିପାରିବେ ନାହିଁ । ପ୍ରଶ୍ନଉଠେ, ମନୋରଞ୍ଜନ ଦୁନିଆରେ ତ ‘ମେଟାଭର୍ସ’ ବାଜିମାତ କରିବ, ତେବେ ସମ୍ୱାଦ ପରିବେଷଣ କ୍ଷେତ୍ରରେ ଏହାର ଭୂମିକା କ’ଣ ହେବ ?
