ସମ୍ୱାଦ ରଚନାରେ ବ୍ୟାଖ୍ୟାଧର୍ମୀ ସାମ୍ୱାଦିକତା ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ । କୌଣସି ବିଷୟରେ ସମ୍ୱାଦ ରଚନା କାଳରେ ପୁଙ୍ଖାନୁପୁଙ୍ଖ ତଥ୍ୟ ଅବତାରଣା, ବିଶ୍ଳେଷଣ ଓ ସାବଲୀଳ ଉପସ୍ଥାପନକୁ ବ୍ୟାଖ୍ୟାଧର୍ମୀ ସାମ୍ୱାଦିକତା ‘ଏକ୍ସପ୍ଳାନାଟୋରୀ ଜର୍ଣ୍ଣାଲିଜମ’ ଅଭିହିତ । ଆନ୍ତର୍ଜାତିକସ୍ତରରେ ସାମ୍ୱାଦିକତାରେ ଉତ୍କର୍ଷ ଚ଼ିହ୍ନଟ କରି ପ୍ରଦତ୍ତ ‘ପୁଲିଜର’ ପୁରସ୍କାର ତାଲିକାରେ ୧୯୮୫ରୁ ୧୯୯୭ ମଧ୍ୟରେ ‘ଏକ୍ସପ୍ଳାନାଟୋରୀ ଜର୍ଣ୍ଣାଲିଜମ’ ବର୍ଗରେ ପୁରସ୍କାର ପ୍ରଦାନ ବ୍ୟବସ୍ଥା ଥିଲା । ୧୯୯୭ରୁ ତାହା ‘ଏକ୍ସପ୍ଳାନାଟୋରୀ ରିପୋର୍ଟିଂ’କୁ ପରିବର୍ତ୍ତିତ ହୋଇଛି । ୧୯୮୫ରେ ମାର୍କିନ ସମ୍ୱାଦପତ୍ର ‘ବାଲଟିମୋରେ ଇଭନିଂ ସନ’ ପ୍ରଥମ ଥର ନିମନ୍ତେ ପୁରସ୍କୃତ ହୋଇଥିବା ସ୍ଥଳେ ୨୦୨୩ର ଯୁଗ୍ମ ପୁରସ୍କାର ବିଜେତାଭାବେ ‘ପ୍ରୋ-ପାବ୍ଲିକା’ ଓ ‘ଦି ୱାଶିଂଟନ ପୋଷ୍ଟ’ ପୁରସ୍କୃତ ।
ପୁଲିଜର ପୁରସ୍କାର ସନନ୍ଦରେ ବର୍ଣ୍ଣନା ପ୍ରକାରେ ‘ଏକ୍ସପ୍ଲାନାଟୋରୀ ରିପୋର୍ଟିଂ’ରେ ଦକ୍ଷତା ବିଚାର କାଳରେ ଏକ ପ୍ରମୁଖ ‘ସିଗ୍ନିଫିକେଣ୍ଟ’ ଓ ଜଟିଳ ‘କମ୍ପ୍ଳେକ୍ସ’ ବିଷୟ ସମ୍ୱାଦ ଆକାରରେ ଉପସ୍ଥାପନାରେ ଚାତୁର୍ଯ୍ୟ ‘ମାଷ୍ଟରୀ’, ସରଳ ‘କ୍ଳିୟାର’, ସାବଲୀଳ ‘ଲୁସିଡ଼’ ଓ ସାମ୍ୱାଦିକତା ସାଧନ ‘ଟୁଲସ’ ବ୍ୟବହାରକୁ ଗୁରୁତ୍ୱ ଦିଆଯାଏ । ଅର୍ଥାତ, ସମ୍ୱାଦ ରଚନାରେ ଚାତୁର୍ଯ୍ୟ ସହ ଚ଼ିତ୍ର, ଚାର୍ଟ, ସାଇଡ଼ବାର ଇତ୍ୟାଦି ବ୍ୟବହାରରେ ସମ୍ୱାଦଟି କିପରି ପାଠକ, ଶ୍ରୋତା କିମ୍ୱା ଦର୍ଶକଙ୍କ ବୋଧଗମ୍ୟ ହୋଇପାରିବ ସେଦିଗରେ ଉଦ୍ୟମ ଅନ୍ତର୍ଭୁକ୍ତ । ବ୍ୟାଖ୍ୟାଧର୍ମୀ ସାମ୍ୱାଦିକତା ସମ୍ୱାଦ ମଞ୍ଚର ଗୁଣବତ୍ତା ବିକାଶରେ ସହାୟକ ହୋଇଥାଏ ।
ସମ୍ୱାଦ କଥନ ଓ ରଚନା ଆରମ୍ଭ କାଳରୁ ବ୍ୟାଖ୍ୟାଧର୍ମୀ ସାମ୍ୱାଦିକତାର ପ୍ରଚଳନ ରହିଆସିଛି । ବିଭିନ୍ନ ପର୍ଯ୍ୟାୟରେ ଏହି ଧାରାର ଗୁରୁତ୍ୱ ଚର୍ଚ୍ଚା ଲାଗି ଅବସର ସୃଷ୍ଟି ହୋଇଥାଏ । ପାରମ୍ପରିକ ଭାବେ ମୁଦ୍ରିତ ଦୈନିକ ସମ୍ୱାଦପତ୍ର ତୁଳନାରେ ସାପ୍ତାହିକ, ପାକ୍ଷିକ ବା ମାସିକ ସମ୍ୱାଦ ପତ୍ରିକାରେ ବ୍ୟାଖ୍ୟାଧର୍ମୀ ସାମ୍ୱାଦିକତାର ଅଧିକ ଆଦର ଦେଖିବାକୁ ମିଳେ । ଡ଼ିଜିଟାଲ ମଞ୍ଚର ବିକାଶ ବ୍ୟାଖ୍ୟା ସାମ୍ୱାଦିକତା ଲାଗି ଅନୁକୂଳ ପରିବେଶ ଗଢ଼ି ତୋଳିଥିଲା ।
ଗଣମାଧ୍ୟମ ବିଶ୍ଳେଷକଙ୍କ ମତରେ ପ୍ରଥମତଃ, ଅନଲାଇନ ସାମ୍ୱାଦିକତାରରେ ଅସତ୍ୟ ସମ୍ୱାଦ ପ୍ରସାର ଫଳରେ ପ୍ରତିଷ୍ଠିତ ସମ୍ୱାଦ ମଞ୍ଚଗୁଡ଼ିକ ଉପଭୋକ୍ତାଙ୍କୁ ନିର୍ଭରଯୋଗ୍ୟ ସମ୍ୱାଦ ଯୋଗାଣରେ ଘଟଣାର ପୁଙ୍ଖାନୁପୁଙ୍ଖ ବର୍ଣ୍ଣନା ପ୍ରତି ଗୁରୁତ୍ୱ ଦେଲେ । ମୁଖ୍ୟତଃ ଏକବିଂଶ ଶତାଦ୍ଦୀର ଦ୍ୱିତୀୟ ଦଶକ ଆରମ୍ଭରୁ ବ୍ୟାଖ୍ୟାଧର୍ମୀ ସାମ୍ୱାଦିକତା ପୁନଃପ୍ରସାର ଲାଭ କରିଥିଲା । ଦ୍ୱିତୀୟତଃ, ମହାମାରୀ-ପର ପରିବେଶରେ ସମ୍ୱାଦ ବିମୁଖ ଧାରା ସଂପ୍ରସାରଣରେ ସମ୍ୱାଦ ଉପଭୋକ୍ତାମାନେ ନିୟମିତ ବଦଳରେ ସାମୟିକ ସମ୍ୱାଦ ଆହରଣରେ ସମ୍ୱାଦର ପୂର୍ବା-ପର ତଥ୍ୟାବଳୀ ଖୋଜିବା ଆରମ୍ଭ କଲେ । ଫଳରେ ସମ୍ୱାଦମଞ୍ଚଗୁଡ଼ିକ ନିଜ ଗୁରୁତ୍ୱ ବଜାୟ ରଖିବା ନିମନ୍ତେ ବ୍ୟାଖ୍ୟାଧର୍ମୀ ସାମ୍ୱାଦିକତା ଆଶ୍ରିତ ହୋଇପଡ଼ିଲେ ।
ଊଦାହରଣରେ ‘ବ୍ଳୁମବର୍ଗ’ ପକ୍ଷରୁ ଅକ୍ଟୋବର ୨୦୧୩ରେ ବ୍ୟାଖ୍ୟା ସାମ୍ୱାଦିକତାର ସ୍ୱତନ୍ତ୍ର ବିଭାଗ ‘କୁଇକ ଟେକ’ ଓ ‘ଦି ନ୍ୟୂୟର୍କ ଟାଇମ୍ସ’ ପକ୍ଷରୁ ‘ଦି ଆପସୁଟ’ ପ୍ରକାଶନ ଉଲ୍ଲେଖନୀୟ ବ୍ୟାଖ୍ୟାଧର୍ମୀ ସାମ୍ୱାଦିକତା । ଋଷ-ୟୁକ୍ରେନ ଯୁଦ୍ଧ ଫେବୃୟାରୀ ୨୦୨୨ରେ ଆରମ୍ଭ ହେବାପରେ ଜୁନ ୨୦୨୨ରେ ଏକ ଅନ୍ତଃରାଷ୍ଟ୍ରୀୟ ସାମ୍ୱାଦିକ ଗୋଷ୍ଠୀ ପକ୍ଷରୁ ‘ଡ୍ରନ ମିଡ଼ିଆ’ ନାମରେ ବ୍ୟାଖ୍ୟାଧର୍ମୀ ଡ଼ିଜିଟାଲ ସମ୍ୱାଦମଞ୍ଚ ପ୍ରତିଷ୍ଠିତ ହୋଇଥିଲା । ଯୁଦ୍ଧ ଅବସରରେ ଗୁଜବ ଓ ପ୍ରଚାରଧର୍ମୀ ସମ୍ୱାଦ ପ୍ରସାରଣ ପ୍ରତିରୋଧ ତଥା ଯୁଦ୍ଧଜନିତ ପରିସ୍ଥିତି ସଂପର୍କରେ ମୁଖ୍ୟତଃ ଯୁଦ୍ଧ ପ୍ରପୀଡ଼ିତ ଜନସାଧାରଣ କିପରି ବିସ୍ତୃତ ବିବରଣୀ ପାଇପାରିବେ ସେହି ଦିଗରେ ଯତ୍ନ ଦିଆଯାଇଥିଲା ।
ବ୍ୟାଖ୍ୟାଧର୍ମୀ ସାମ୍ୱାଦିକତାରେ ସାଧାରଣତଃ ଉପଭୋକ୍ତା ଜାଣିନଥିବା ବା ଅଳ୍ପଜାଣିଥିବା ବିଷୟବସ୍ତୁ ନିର୍ବାଚନ କରାଯାଇଥାଏ । ଉଦାହରଣରେ ଜଳବାୟୁ ପରିବର୍ତ୍ତନ ଭଳି ଜଟିଳ, ଆର୍ଜେଣ୍ଟିନା ଭଳି ରାଷ୍ଟ୍ରରେ ନିର୍ବାଚନ କିମ୍ୱା କୃତ୍ରିମ ବୁଦ୍ଧିମତ୍ତା ଭଳି ଜାଣିନଥିବା ବିଷୟରେ ଘଟଣାବଳୀର ବିଶଦ ବିବରଣୀ ଆବଶ୍ୟକ ହୁଏ । ଅପରପକ୍ଷେ ଉପଭୋକ୍ତା ସଂପୂର୍ଣ୍ଣ ପରିଚିତଥିବା ବିଷୟାବଳୀରେ ମଧ୍ୟ ବ୍ୟାଖ୍ୟାଧର୍ମୀ ସାମ୍ୱାଦିକତା ଉପାଦେୟ । ସ୍ଥାନୀୟ ସାର୍ବଜନୀନ ଜଳଯୋଗାଣ, ପରିବହନ ବା ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସଂପର୍କରେ ବର୍ଣ୍ଣନା ଉପଭୋକ୍ତାଙ୍କ ଆଗ୍ରହ ଚ଼ରିତାର୍ଥ କରେ ।
ଚଳନ୍ତି ସମ୍ୱାଦଭିତ୍ତିକ ବ୍ୟାଖ୍ୟା ସୀମିତ ଅବଧି ଏବଂ ସମସ୍ୟାଭିତ୍ତିକ ବ୍ୟାଖ୍ୟା ସ୍ଥାୟୀ । ଯେଉଁ ଅନୁଶୀଳନଗୁଡ଼ିକ ଦୀର୍ଘ ସମୟ ଧରି ସମ୍ୱାଦମଞ୍ଚରେ ଆକର୍ଷଣ ଦାବୀ କରେ ସେଗୁଡ଼ିକୁ ସମୟନ୍ତେ ସଂଶୋଧନ କରିବାକୁ ପଡ଼ିଥାଏ । ବ୍ୟାଖ୍ୟା ରଚନାଗୁଡ଼ିକର ଶୀର୍ଷକ ପ୍ରସ୍ତୁତିରେ ସାବଧାନତା ଅବଲମ୍ୱନ ଆବଶ୍ୟକ । ପ୍ରସ୍ତୁତ ରଚନାର ସାରାଂଶ ଶୀର୍ଷକରେ ସ୍ଥାନିତ ହେଲେହେଁ କିପରି ଉପଭୋକ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିବେ ସେ ଦିଗରେ ଗୁରୁତ୍ୱ ଦିଆଯାଏ । ଅନଲାଇନରେ ସର୍ଚ୍ଚ ଇଞ୍ଜିନ ଅପ୍ଟିମାଇଜେସନ ପାଇଁ ଦୃଷ୍ଟି ରଖିବାକୁ ପଡ଼େ ।
ମୁଦ୍ରିତ ସମ୍ୱାଦପତ୍ର ଓ ପତ୍ରପତ୍ରିକାରେ ବ୍ୟାଖ୍ୟାଭିତ୍ତିକ ରଚନା ‘ଏକ୍ସପ୍ଳେନର’ ଲୋକାଦୃତ । ଏହି ରଚନାରେ ଚାର୍ଟ, ଗ୍ରାଫ, ଫାକ୍ଟ ବକ୍ସ, ସାଇଡ଼ ବାର ଭଳି ଅଳଂକରଣ ସଂଲଗ୍ନ କରାଯାଇଥାଏ । ସମ୍ୱାଦ ମାଧ୍ୟମରେ ଘଟଣା ସଂପର୍କରେ ଅବଗତ ହେବା ବ୍ୟବସ୍ଥା ଥିବା ସ୍ଥଳେ ବ୍ୟାଖ୍ୟାଭିତ୍ତିକ ରଚନାରେ ଘଟଣାଟିକୁ ଗଭୀର ସ୍ତରରେ ବୁଝିବାଲାଗି ପରିବେଶ ସୃଷ୍ଟିଲାଗି ଉଦ୍ୟମ ହୋଇଥାଏ । ସ୍ଥଳବିଶେଷରେ ଗୋଟିଏ ରଚନା ବଦଳରେ ଧାରାବାହିକ ଭାବେ ବହୁ ରଚନା ‘ସିରିଜ’ ପ୍ରକାଶନର ବ୍ୟବସ୍ଥା ମଧ୍ୟ ଦେଖିବାକୁ ମିଳେ ।
ବ୍ୟାଖ୍ୟାଭିତ୍ତିକ ରଚନା ଏକ ସାମ୍ୱାଦିକତା ଶୈଳୀ ‘ଫର୍ମୂଲା’ । ସମକାଳରେ ମହାମାରୀ-ପର ପରିବର୍ତ୍ତିତ ପରିବେଶରେ ବିଭିନ୍ନ କାରଣରୁ ସମ୍ୱାଦ ମଞ୍ଚ ଦୁର୍ଦ୍ଦଶାଗ୍ରସ୍ତ । ଏକପକ୍ଷରେ ବିଜ୍ଞାପନ ଆୟ ସମୃଦ୍ଧ ପାରମ୍ପରିକ ବ୍ୟାବସାୟିକ ମଡ଼େଲ ଭୁଷୁଡ଼ି ପଡ଼ିଥିବା ସ୍ଥଳେ ଅପରପକ୍ଷରେ ସମ୍ୱାଦ ମଞ୍ଚ ଭିନ୍ନ ଅନ୍ୟାନ୍ୟ ସୂତ୍ରରୁ ସମ୍ୱାଦ ଆହରଣ ତଥା ସମ୍ୱାଦ ବିମୁଖ ପରିବେଶ କାଳ ସାଜିଛି । ସମ୍ୱାଦ ମଞ୍ଚଗୁଡ଼ିକ ପୁରାତନ ଉପଭୋକ୍ତାଙ୍କୁ ପ୍ରତିଟି ଗୁରୁତ୍ୱପୂର୍ଣ୍ଣ ଘଟଣା ସଂପର୍କରେ ପୂର୍ଣ୍ଣ ଅବଗତ କରାଇ ବାନ୍ଧି ରଖିବା ତଥା ନୂତନ ଉପଭୋକ୍ତାଙ୍କୁ ଆକର୍ଷିତ କରିବାରେ ବ୍ୟାଖ୍ୟାଧର୍ମୀ ସାମ୍ୱାଦିକତା ବିଶେଷ ସହାୟକ ହୋଇପାରିବ ।
‘ନ୍ୟୂ-ନରମାଲ’ରେ ଷ୍ଟ୍ରିମିଂ ମଞ୍ଚ ୟୁଟ୍ୟୁବ ବହୁ ସମ୍ୱାଦ ଉପଭୋକ୍ତଙ୍କୁ ଆକର୍ଷିତ କରୁଛି । ଅନେକ କ୍ଷେତ୍ରରେ ସ୍ମାର୍ଟଫୋନ ଯୋଗେ ସମ୍ୱାଦ କିମ୍ୱା ଅଣ-ସମ୍ୱାଦ ମଞ୍ଚ ଯୋଗେ କୌଣସି ଦୃଷ୍ଟି ଆକର୍ଷଣକାରୀ ଘଟଣା ସଂପର୍କରେ ଅବଗତ ହେବାପରେ ସାଧାରଣ ଉପଭୋକ୍ତା ୟୁଟ୍ୟୁବରେ ବିସ୍ତୃତ ବିବରଣୀ ଖୋଜିବା ଧାରା ବଢୁଛି । ୟୁଟ୍ୟୁବରେ ବିଭିନ୍ନ ଉଲ୍ଲେଖଯୋଗ୍ୟ ବିଷୟ ସଂପର୍କରେ ବିଭିନ୍ନ ସୂତ୍ରରୁ ବିନା ପ୍ରତିବନ୍ଧକରେ ବ୍ୟାଖ୍ୟାମୂଳକ ଭିଡ଼ିଓ ଉପଲବ୍ଧ । ଦୈନନ୍ଦିନ ସମ୍ୱାଦ ବ୍ୟାଖ୍ୟା ନିମନ୍ତେ ଭାରତରେ ଜାତୀୟସ୍ତରରେ ୨୦୨୩ ଶେଷ ସୁଦ୍ଧା ଏକାଧିକ ୟୁଟ୍ୟୁବ ଚ୍ୟାନେଲ ଲୋକପ୍ରିୟତା ହାସଲ କରିଥିବା ପରିଦୃଷ୍ଟ । କ୍ରମଶଃ ଏହି ଧାରା ଆଞ୍ଚଳିକ ଓ ସ୍ଥାନୀୟ ସ୍ତରକୁ ପରିବ୍ୟାପ୍ତ ହେବା ଆଶା କରାଯାଇପାରେ । ବିକଶିତ ରାଷ୍ଟ୍ରଗୁଡ଼ିକରେ ପଡ଼କାଷ୍ଟ ପ୍ରବାହ ଆରମ୍ଭ ହୋଇଥିବା ସ୍ଥଳେ ଏଠାରେ ମଧ୍ୟ ପ୍ରତିଫଳିତ ହେବା ସମ୍ଭବ । ୟୁଟ୍ୟୁବ ଭିଡ଼ିଓ ଓ ପଡ଼କାଷ୍ଟ ବ୍ୟାଖ୍ୟାଧର୍ମୀ ସାମ୍ୱାଦିକତାକୁ ମୂଳ ପୁଞ୍ଜି କରି ଗଢ଼ି ଉଠିଥାଏ ।
ଆମ ରାଜ୍ୟରେ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ବ୍ୟାଖ୍ୟାଧର୍ମୀ ସାମ୍ୱାଦିକତାକୁ ଗୁରୁତ୍ୱ ଦେବା ସମୟ ଉପନୀତ । ମୋବାଇଲ ଓ ଟେଲିଭିଜନରେ ସମ୍ୱାଦ ଅବଗତ ହେବାପରେ ସମ୍ୱାଦ ଉପଭୋକ୍ତା ମୁଦ୍ରିତ ସମ୍ୱାଦପତ୍ର ପୃଷ୍ଠାରେ ପହଞ୍ଚୁଥିବା ଅବସରରେ ଘଟଣା ପ୍ରବାହ ସଂପର୍କରେ ସୁବିସ୍ତୃତ ବିବରଣୀ ନପାଇପାରିଲେ ଅସନ୍ତୁଷ୍ଟ ହେବା ସ୍ୱାଭାବିକ । ବ୍ୟାଖ୍ୟାଧର୍ମୀ ସାମ୍ୱାଦିକତା ଉପଯୋଗ କାଳରେ ସମ୍ୱାଦ ଓ ଅଭିମତ ମଧ୍ୟରେ ଦୃଶ୍ୟମାନ ଅନ୍ତର ରଖାଯିବା ବିଧେୟ । ବ୍ୟାଖ୍ୟାଭିତ୍ତିକ ସମ୍ୱାଦ ପରିବେଷଣରେ ପକ୍ଷପାତିତା ଅବଲମ୍ୱନ କଲେ ଦୀର୍ଘସୂତ୍ରରେ ପାଠକୀୟ ବିଶ୍ୱସନୀୟତା ହରାଇ ବସେ । ବ୍ୟାଖ୍ୟାଧର୍ମୀ ସାମ୍ୱାଦିକତା ପ୍ରଚଳନ ନିମନ୍ତେ ସୃଜନ, ସମୟ ଓ ଆର୍ଥିକ ନିବେଶ ଆବଶ୍ୟକ ପଡ଼ିଥାଏ, ଏହା ସାମ୍ୱାଦିକତାର ଗୁଣବତ୍ତା ବିକାଶରେ ସହାୟକ ।
