
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର ଭୁବନେଶ୍ୱରରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିଥିବା ସମସ୍ତ ପ୍ରତିନିଧି ଏବଂ ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ କରି ଶ୍ରୀ ମୋଦୀ ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ, ଆଜି ଏଠାରେ ପରିବେଷିତ ଉଦଘାଟନୀ ସଂଗୀତ ଭବିଷ୍ୟତରେ ସାରା ବିଶ୍ୱରେ ଆୟୋଜିତ ହେବାକୁ ଥିବା ବିଭିନ୍ନ ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମରେ ପରିବେଷଣ କରାଯିବ। ସେ ଗ୍ରାମୀ ପୁରସ୍କାର ବିଜେତା କଳାକାର ରିକି କେଜ ଏବଂ ତାଙ୍କ ଦଳକୁ ଏଭଳି ଚମତ୍କାର ଉପସ୍ଥାପନା ପାଇଁ ପ୍ରଶଂସା କରିଛନ୍ତି। ଏହି ଗୀତରେ ପ୍ରବାସୀ ଭାରତୀୟଙ୍କ ଭାବନା ଏବଂ ଅନୁଭୂତି ରହିଥିବା ସେ କହିଛନ୍ତି। ମୁଖ୍ୟ ଅତିଥି ତ୍ରିନିଦାଦ ଓ ଟୋବାଗୋର ରାଷ୍ଟ୍ରପତି ମହମହିମ କ୍ରିଷ୍ଟିନ କାର୍ଲା କାଙ୍ଗାଲୁଙ୍କୁ ତାଙ୍କର ସ୍ନେହପୂର୍ଣ୍ଣ ଏବଂ ଉଦାର ଭିଡିଓ ବାର୍ତ୍ତା ପାଇଁ ଧନ୍ୟବାଦ ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସେ ଭାରତର ପ୍ରଗତି ବିଷୟରେ ବକ୍ତବ୍ୟ ରଖିଛନ୍ତି ଏବଂ ତାଙ୍କର ଉକ୍ତି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କ ଉପରେ ପ୍ରଭାବ ପକାଇଛି । ବର୍ତ୍ତମାନ ଭାରତରେ ସମୃଦ୍ଧ ପର୍ବପର୍ବାଣୀ ଏବଂ ଉତ୍ସବର ସମୟ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଯେ, ଆଉ କିଛି ଦିନ ମଧ୍ୟରେ ପ୍ରୟାଗରାଜରେ ମହାକୁମ୍ଭ ଆରମ୍ଭ ହେବ। ଏହାସହିତ ମକର ସଂକ୍ରାନ୍ତି, ଲୋହରୀ, ପୋଙ୍ଗଲ ଏବଂ ମାଘ, ବିହୁ ପର୍ବ ମଧ୍ୟ ଆସୁଛି। ସବୁଆଡେ ଏକ ଆନନ୍ଦର ବାତାବରଣ ରହିଥିବା ମଧ୍ୟ ସେ କହିଛନ୍ତି । ୧୯୧୫ ମସିହା ଆଜିର ଦିନରେ ମହାତ୍ମା ଗାନ୍ଧୀ ଦୀର୍ଘ ଦିନ ବିଦେଶରେ ରହିବା ପରେ ଭାରତ ଫେରିଥିବା କଥା ସ୍ମରଣ କରି ଶ୍ରୀ ମୋଦୀ କହିଛନ୍ତି ଯେ ଏଭଳି ଏକ ଚମତ୍କାର ସମୟରେ ଭାରତରେ ପ୍ରବାସୀ ଭାରତୀୟଙ୍କ ଉପସ୍ଥିତି ଉତ୍ସବର ଉତ୍ସାହକୁ ଅନେକ ଗୁଣ ବୃଦ୍ଧି କରିଛି । ପ୍ରବାସୀ ଭାରତୀୟ ଦିବସ (ପିବିଡି)ର ଏହି ସଂସ୍କରଣ ଅନ୍ୟ ଏକ କାରଣରୁ ସ୍ୱତନ୍ତ୍ର ବୋଲି ଉଲ୍ଲେଖ କରି ସେ କହିଛନ୍ତି, ଏହି କାର୍ଯ୍ୟକ୍ରମ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ ପାଳନର କିଛି ଦିନ ପରେ ଆୟୋଜିତ ହୋଇଛି, ଯାହାଙ୍କ ଦୂରଦୃଷ୍ଟି ପିବିଡି ଆୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ଏବଂ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ବନ୍ଧନକୁ ମଜବୁତ କରିବା ପାଇଁ ପ୍ରବାସୀ ଭାରତୀୟ ଦିବସ ଏକ ଅନୁଷ୍ଠାନରେ ପରିଣତ ହୋଇଛି। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଆମେ ମିଳିତ ଭାବେ ଭାରତ, ଭାରତୀୟତା, ଆମର ସଂସ୍କୃତି ଏବଂ ପ୍ରଗତିର ଉତ୍ସବ ପାଳନ କରିବା ସହିତ ଆମ ମୂଳଦୁଆ ସହ ଯୋଡ଼ି ହୋଇପାରୁଛୁ।‘‘ଓଡ଼ିଶାର ମହାନ ଭୂମି, ଯେଉଁଠାରେ ଆମେ ଏକତ୍ରିତ ହୋଇଛୁ, ତାହା ଭାରତର ସମୃଦ୍ଧ ଐତିହ୍ୟର ପ୍ରତିଫଳନ’’, ବୋଲି ଶ୍ରୀ ମୋଦୀ କହିଛନ୍ତି । ସେ ଆହୁରି କହିଛନ୍ତି, ଓଡ଼ିଶାରେ ପ୍ରତ୍ୟେକ ପାଦ ଆଗକୁ ବଢ଼ାଇବା ସହିତ ଆମେ ଆମ ଐତିହ୍ୟକୁ ଅନୁଭବ କରିପାରିବା। ଉଦୟଗିରି ଓ ଖଣ୍ଡଗିରିର ଐତିହାସିକ ଗୁମ୍ଫା, କିମ୍ବା ଚମତ୍କାର କୋଣାର୍କ ସୂର୍ଯ୍ୟ ମନ୍ଦିର କିମ୍ବା ତାମ୍ରଲିପ୍ତି, ମାଣିକପାଟଣା ଓ ପାଲୁରର ପ୍ରାଚୀନ ବନ୍ଦର, ଯେଉଁ ସ୍ଥାନକୁ ଗସ୍ତ କଲେ ମଧ୍ୟ ଯେକେହି ଏହି ଗୌରବ ଅନୁଭବ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଶହ ଶହ ବର୍ଷ ପୂର୍ବେ ଓଡ଼ିଶାର ବ୍ୟବସାୟୀ ଏବଂ ବଣିକମାନେ ବାଲି, ସୁମାତ୍ରା ଏବଂ ଜାଭା ଭଳି ସ୍ଥାନକୁ ଦୀର୍ଘ ସାମୁଦ୍ରିକ ଯାତ୍ରା କରିଥିଲେ ବୋଲି ଉଲ୍ଲେଖ କରି ସେ କହିଛନ୍ତି ଯେ, ଏହାର ସ୍ମୃତିରେ ଆଜି ମଧ୍ୟ ଓଡ଼ିଶାରେ ବାଲି ଯାତ୍ରା ପାଳନ କରାଯାଉଛି। ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ସ୍ଥାନ ଧଉଳି ଶାନ୍ତିର ପ୍ରତୀକ। ସମଗ୍ର ବିଶ୍ୱ ଯେତେବେଳେ ଖଡ଼ଗର ମାର୍ଗ ବାଛି ସାମ୍ରାଜ୍ୟ ବିସ୍ତାର କରୁଥିଲା, ସମ୍ରାଟ ଅଶୋକ ଏଠାରେ ଶାନ୍ତିର ମାର୍ଗ ବାଛିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଭବିଷ୍ୟତ ଯୁଦ୍ଧରେ ନୁହେଁ ବରଂ ବୁଦ୍ଧଙ୍କ ଉପରେ ନିର୍ଭର କରେ ବୋଲି ଭାରତର ଏହି ପରମ୍ପରା ବିଶ୍ୱକୁ ବାର୍ତ୍ତା ଦେଉଛି । ଓଡ଼ିଶାର ଭୂମିକୁ ସମସ୍ତଙ୍କୁ ସ୍ୱାଗତ କରିବା ତାଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ଶ୍ରୀ ମୋଦୀ କହିଛନ୍ତି।ପ୍ରଧାନମନ୍ତ୍ରୀ ଜୋର ଦେଇ କହିଛନ୍ତି, ସେ ସର୍ବଦା ପ୍ରବାସୀ ଭାରତୀୟମାନଙ୍କୁ ଭାରତର ସଦଭାବନା ଦୂତ ଭାବେ ବିବେଚନା କରିଆସିଛନ୍ତି। ସାରା ବିଶ୍ୱରେ ଥିବା ସାଥୀ ଭାରତୀୟମାନଙ୍କୁ ଭେଟିବା ଏବଂ ସେମାନଙ୍କ ସହ କଥାବାର୍ତ୍ତା କରିବାରେ ଖୁସି ବ୍ୟକ୍ତ କରି ସେ କହିଛନ୍ତି ଯେ, ସେମାନଙ୍କଠାରୁ ମିଳିଥିବା ଭଲ ପାଇବା ଓ ଆଶୀର୍ବାଦ ଅବିସ୍ମରଣୀୟ ଏବଂ ସର୍ବଦା ତାଙ୍କର ମନେ ରହିବ।ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟମାନଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜଣାଇବା ସହ ବିଶ୍ୱ ମଞ୍ଚରେ ତାଙ୍କୁ ଗୌରବାନ୍ୱିତ କରିବା ଲାଗି ସୁଯୋଗ ଦେଇଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ଗତ ଦଶନ୍ଧି ମଧ୍ୟରେ ସେ ବିଶ୍ୱର ଅନେକ ନେତାମାନଙ୍କୁ ଭେଟିଛନ୍ତି, ଯେଉଁମାନେ ସମସ୍ତେ ପ୍ରବାସୀ ଭାରତୀୟମାନଙ୍କୁ ସେମାନଙ୍କ ସାମାଜିକ ମୂଲ୍ୟବୋଧ ଏବଂ ନିଜ ନିଜ ସମାଜରେ ଅବଦାନ ପାଇଁ ପ୍ରଶଂସା କରିଛନ୍ତି।ପ୍ରଧାନମନ୍ତ୍ରୀ କହିଥିଲେ, ଭାରତ କେବଳ ଗଣତନ୍ତ୍ରର ଜନନୀ ନୁହେଁ, ବରଂ ଗଣତନ୍ତ୍ର ଭାରତୀୟ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଭାରତୀୟମାନେ ସ୍ୱାଭାବିକ ଭାବେ ବିବିଧତାକୁ ଗ୍ରହଣ କରନ୍ତି ଏବଂ ସ୍ଥାନୀୟ ନିୟମ ଓ ପରମ୍ପରାକୁ ସମ୍ମାନ ଦେଇ ସେମାନେ ଯେଉଁ ସମାଜରେ ଯୋଗ ଦିଅନ୍ତି ସେଥିରେ ନିରବଚ୍ଛିନ୍ନ ଭାବେ ସାମିଲ ହୁଅନ୍ତି। ଶ୍ରୀ ମୋଦୀ କହିଛନ୍ତି, ଭାରତୀୟମାନେ ପ୍ରବାସ କରୁଥିବା ଦେଶଗୁଡ଼ିକର ସଚ୍ଚୋଟତାର ସହ ସେବା କରୁଛନ୍ତି, ସେମାନଙ୍କ ବିକାଶ ଓ ସମୃଦ୍ଧି ଦିଗରେ ଯୋଗଦାନ କରୁଛନ୍ତି ଏବଂ ଭାରତକୁ ସର୍ବଦା ସେମାନଙ୍କ ହୃଦୟର ନିକଟତର ରଖିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେମାନେ ଭାରତର ପ୍ରତ୍ୟେକ ଖୁସି ଏବଂ ସଫଳତାକୁ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରନ୍ତି।ଏକବିଂଶ ଶତାବ୍ଦୀର ଭାରତର ଅଭୂତପୂର୍ବ ଗତି ଓ ବିକାଶର ବ୍ୟାପକତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମାତ୍ର ୧୦ ବର୍ଷ ମଧ୍ୟରେ ଭାରତ ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିଛି ଏବଂ ବିଶ୍ୱର ଦଶମ ସର୍ବବୃହତ ଅର୍ଥବ୍ୟବସ୍ଥାରୁ ପଞ୍ଚମ ସର୍ବବୃହତ ଅର୍ଥବ୍ୟବସ୍ଥାକୁ ଉନ୍ନୀତ ହୋଇଛି। ଭାରତ ଖୁବଶୀଘ୍ର ତୃତୀୟ ସର୍ବବୃହତ ଅର୍ଥବ୍ୟବସ୍ଥାରେ ପରିଣତ ହେବ ବୋଲି ସେ ବିଶ୍ୱାସ ପ୍ରକଟ କରିଛନ୍ତି।ଚନ୍ଦ୍ରଯାନ ମିଶନ ଶିବ-ଶକ୍ତି ବିନ୍ଦୁରେ ପହଞ୍ଚିବା ଏବଂ ଡିଜିଟାଲ୍ ଇଣ୍ଡିଆର ଶକ୍ତିର ବିଶ୍ୱସ୍ତରୀୟ ସ୍ୱୀକୃତି ଭଳି ଭାରତର ସଫଳତା ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଛନ୍ତି, ଭାରତର ପ୍ରତ୍ୟେକ କ୍ଷେତ୍ର ଅକ୍ଷୟ ଶକ୍ତି, ବିମାନ ଚଳାଚଳ, ବୈଦ୍ୟୁତିକ ଗତିଶୀଳତା, ମେଟ୍ରୋ ନେଟୱାର୍କ ଏବଂ ବୁଲେଟ୍ ଟ୍ରେନ୍ ପ୍ରକଳ୍ପରେ ରେକର୍ଡ ଭାଙ୍ଗି ନୂତନ ଉଚ୍ଚତାକୁ ଅଗ୍ରସର ହେଉଛି। ଭାରତ ଏବେ ‘ମେଡ୍ ଇନ୍ ଇଣ୍ଡିଆ’ ଯୁଦ୍ଧ ବିମାନ ଏବଂ ପରିବହନ ବିମାନ ନିର୍ମାଣ କରୁଛି। ପ୍ରଧାନମନ୍ତ୍ରୀ ଏପରି ଏକ ଭବିଷ୍ୟତର ପରିକଳ୍ପନା କରିଛନ୍ତି ଯେଉଁଠାରେ ଲୋକମାନେ ‘ମେଡ ଇନ୍ ଇଣ୍ଡିଆ’ ବିମାନରେ ପ୍ରବାସୀ ଭାରତୀୟ ଦିବସ ପାଇଁ ଭାରତ ଯାତ୍ରା କରିବେ।ଏହାର ସଫଳତା ଓ ସମ୍ଭାବନା କାରଣରୁ ଭାରତର କ୍ରମବର୍ଦ୍ଧିଷ୍ଣୁ ବୈଶ୍ୱିକ ଭୂମିକାକୁ ରେଖାଙ୍କିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ଆଜିର ଭାରତ କେବଳ ନିଜର ଆଭିମୁଖ୍ୟକୁ ଦୃଢ଼ତାର ସହ ପ୍ରତିପାଦିତ କରୁନାହିଁ, ବରଂ ଗ୍ଲୋବାଲ ସାଉଥ୍ର ସ୍ୱରକୁ ମଧ୍ୟ ସୁଦୃଢ଼ କରୁଛି।’’ ଆଫ୍ରିକୀୟ ସଂଘକୁ ଜି-୨୦ର ସ୍ଥାୟୀ ସଦସ୍ୟ କରିବା ଲାଗି ଭାରତର ପ୍ରସ୍ତାବ ପ୍ରତି ସର୍ବସମ୍ମତ ସମର୍ଥନ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିବା ସହ ‘‘ମାନବିକତା ପ୍ରଥମ’’ ପ୍ରତି ଭାରତର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଛନ୍ତି ।
