ଆଜିର ଖାସ ଖବର
Mon. Jul 27th, 2026

ଭାରତରେ ଫେସବୁକ

By Dainikasha Jul11,2024

ଭାରତରେ ‘ଫେସବୁକ’ର ମାସିକ ସକ୍ରିୟ ଉପଭୋକ୍ତା ସଂଖ୍ୟା ୨୦୨୧ ଜୁଲାଇ ମାସ ସୁଦ୍ଧା ୪୧ କୋଟି ୬୦ ଲକ୍ଷରେ ପହଞ୍ଚିଥିବା ସଂପୃକ୍ତ ସଂସ୍ଥା ପକ୍ଷରୁ କୁହାଯାଇଛି । ଏଥିମଧ୍ୟରୁ ୨୩ କୋଟି ୪୦ ଲକ୍ଷ ଉପଭୋକ୍ତା ଦୈନିକଭିତ୍ତିରେ ମଞ୍ଚରେ ଉପସ୍ଥିତ ରହିଥାନ୍ତି । ଉପଭୋକ୍ତାମାନଙ୍କ ମଧ୍ୟରେ ‘ଫେସବୁକ’ର ଅନ୍ୟ ଉତ୍ପାଦ ‘ମେସେଞ୍ଜର’ ଓ ‘ଇନଷ୍ଟାଗ୍ରାମ’ ଉପଯୋଗରେ ପରସ୍ପର ମଧ୍ୟରେ ବାର୍ତ୍ତା ବିନିମୟ ହାର ବିଗତ ବର୍ଷକ ମଧ୍ୟରେ ୪୦ ପ୍ରତିଶତ ବଢ଼ିଥିଲା ଏବଂ ସର୍ଟ-ଭିଡ଼ିଓ-ଚ୍ୟାନେଲ ‘ରିଲ’ରେ ଦୈନିକ ୬୦ ଲକ୍ଷ ଯାଏଁ ଭିଡ଼ିଓ ଅପଲୋଡ଼ ହୋଇଥାଏ ।

‘ଫେସବୁକ ଇଣ୍ଡିଆ’ର ପରିଚାଳନା ନିର୍ଦ୍ଦେଶକ ଅଜିତମୋହନ ମହାମାରୀଜନିତ ପରିବର୍ତ୍ତିତ ପରିବେଶରେ ଇଣ୍ଟରନେଟ ଉପଭୋକ୍ତାଙ୍କ ସଂଖ୍ୟା ବୃଦ୍ଧି ଏବଂ ଅନଲାଇନ ଉପସ୍ଥିତି ଅବଧି ବୃଦ୍ଧି ନିଜ ମଞ୍ଚର ପ୍ରସାରରେ ସହାୟକ ହୋଇଥିବା ସ୍ୱୀକାର କରନ୍ତି । ‘ଫେସବୁକ’ କ୍ରମଶଃ ଗୋଷ୍ଠୀଗତସ୍ତରରେ ବାର୍ତ୍ତା ବିନିମୟ ମଞ୍ଚରୁ ଉନ୍ନୀତ ହୋଇ ବୃହତ୍ତର ପରିଧିରେ ସମ୍ୱାଦ ପ୍ରସାରଠାରୁ ଆରମ୍ଭ କରି ରାଜନୀତିକ ଚର୍ଚ୍ଚାଲାଗି ସାମର୍ଥ୍ୟ ହାସଲ କରିପାରିଛି । ଉପଭୋକ୍ତା ସଂଖ୍ୟା ଓ ବ୍ୟବହାର ବୃଦ୍ଧି କାରଣରୁ ଏହି ବିଭବଗୁଡ଼ିକ ଗଣତାନ୍ତ୍ରିକ ଶାସନ ପ୍ରକ୍ରିୟାରେ ଗୁରୁତ୍ୱ ବହନ କରେ ।

ପ୍ରଥମତଃ, ସାଧାରଣ ନାଗରିକ ପକ୍ଷେ ବିନା ବ୍ୟୟରେ କେବଳ ଇଣ୍ଟରନେଟ ସଂଯୁକ୍ତି ଯୋଗେ ବାର୍ତ୍ତା ବିନିମୟ ପାଇଁ ଗୋଷ୍ଠୀ ଗଠନ ଏବଂ ବୃହତ ଗୋଷ୍ଠୀରେ ଯୋଗଦାନ ସୁବିଧା ସୁଯୋଗ ‘ଫେସବୁକ’ର ପ୍ରମୁଖ ଅବଦାନ । ବିନା ପ୍ରତିବନ୍ଧକରେ ନିଜ ମତ ପାଠ୍ୟ, ଚ଼ିତ୍ର ଓ ଦୃଶ୍ୟ ମାଧ୍ୟମରେ ସଂଗଠିତ ଗୋଷ୍ଠୀରେ ଉପସ୍ଥାପନ କରିପାରିବା ତଥା ଅନ୍ୟମାନଙ୍କ ଦ୍ୱାରା ପ୍ରସାରିତ ଉପାଦାନ ଆହରଣ ଯୋଗାଯୋଗ ପ୍ରକ୍ରିୟାରେ ପୂର୍ଣ୍ଣତା ଭରିଥାଏ । ପାରମ୍ପରିକ ଗଣମାଧ୍ୟମ ସମ୍ୱାଦପତ୍ର, ରେଡ଼ିଓ ଓ ଟେଲିଭିଜନରେ ଗୋଟିଏ ସୂତ୍ରରୁ ବହୁ ସଂଖ୍ୟକ ପାଠକ, ଶ୍ରୋତା ଓ ଦର୍ଶକଙ୍କ ମଧ୍ୟରେ ସମ୍ୱାଦ, ଅଭିମତ ଓ ସୃଜନ ପ୍ରସାରିତ ହେଉଥିବା ସ୍ଥଳେ ସୋସିଆଲ ମିଡ଼ିଆ ମଞ୍ଚରେ ଉପଭୋକ୍ତା ଉଭୟ କାର୍ଯ୍ୟରେ ସାମର୍ଥ୍ୟ ହାସଲ କରିଥାଏ । ପାରମ୍ପରିକ  ଗଣମାଧ୍ୟମରେ ନାମକୁ ମାତ୍ର ପାଠକୀୟ ପ୍ରତିକ୍ରିୟା ପ୍ରସାରଣର ସୁବିଧା ଥିବା ସ୍ଥଳେ ସୋସିଆଲ ମିଡ଼ିଆରେ ପ୍ରତ୍ୟେକସ୍ତରରେ ପ୍ରଶ୍ନ, ଅଭିମତ ଓ ସଂଯୋଗର ସୁବିଧା ଉପଲବ୍ଧ ।

ଦ୍ୱିତୀୟତଃ, ‘ଫେସବୁକ’ ମଞ୍ଚରେ ସାଧାରଣ ଉପଭୋକ୍ତା, ପ୍ରତିଷ୍ଠିତ ସଂସ୍ଥା କିମ୍ୱା ରାଜନୀତିକ ବ୍ୟକ୍ତିତ୍ୱ ନିଜ ବାର୍ତ୍ତା ଉପସ୍ଥାପନରେ ଅଳଂକରଣ ଓ ବୈଷୟିକ ଦୃଷ୍ଟିରୁ ସମାନତା ଉପଭୋଗ କରିଥାନ୍ତି । ଏହି କ୍ଷେତ୍ରରେ ସାଧାରଣ ଉପଭୋକ୍ତାର ଗୁରୁତ୍ୱ ମଞ୍ଚ ପ୍ରତି ତାହାରି ଅନୁଗତ୍ୟରେ ପ୍ରବର୍ତ୍ତିତ ହୋଇଥାଏ । ଉନ୍ନତ କାରିଗରୀ କୌଶଳ ଉପଯୋଗରେ ସୃଜନ ପ୍ରସାରଣର ସୁବିଧା ଉପଭୋକ୍ତା ସଂପୃକ୍ତିର ଅନ୍ୟତମ କାରଣ । ‘ଫେସବୁକ’ ପ୍ରଚଳନର ପ୍ରାକକାଳରେ ସେଲଫି ପ୍ରକାଶନ ଧାରା ପରବର୍ତ୍ତୀ ପର୍ଯ୍ୟାୟରେ ସର୍ଟ ଭିଡ଼ିଓ ପ୍ରସାରଣରେ ପରିବର୍ତ୍ତିତ ହୋଇଛି । ‘ରିଲ’ରେ ଉପଭୋକ୍ତାଙ୍କ ଦ୍ୱାରା ପ୍ରତିଦିନ ୬୦ ଲକ୍ଷ ଯାଏଁ ସର୍ଟ ଭିଡ଼ିଓ ପ୍ରସ୍ତୁତି ଓ ପ୍ରସାରଣ ଏହାର ପ୍ରମାଣ ଦିଏ ।

ତୃତୀୟତଃ, ‘ଫେସବୁକ’ରେ ନିଜସ୍ୱ ନିର୍ଦ୍ଧାରଣରେ ପ୍ରକାଶକ ଓ ଦର୍ଶକ ଚୟନ କ୍ଷମତା ଉପଭୋକ୍ତାଙ୍କୁ ମାନବ ସଭ୍ୟତା ବିକାଶର ଆଦିମ ଯୋଗାଯୋଗ ସ୍ତରକୁ ଫେରାଇ ନେଇଛି । ଗଣମାଧ୍ୟମର ବିକାଶ କାଳରେ ସାଧାରଣ ଉପଭୋକ୍ତାର ନିର୍ଭରଶୀଳ ଓ ନିର୍ଯ୍ୟାତିତ ଯୋଗାଯୋଗ ଅଧିକାର ପୁନର୍ବାର ସଶକ୍ତ ହୋଇପାରିଛି । ପାରମ୍ପରିକ ଗଣମାଧ୍ୟମରେ ସମସ୍ତ ନାଗରିକଙ୍କ ପାଇଁ ସମ ଅଧିକାର ରହିଥିଲେ ହେଁ ବାସ୍ତବକ୍ଷେତ୍ରରେ ଗଣମାଧ୍ୟମ ମଞ୍ଚ ନିର୍ମାଣ ଓ ପରିଚାଳନାରେ ବିପୁଳ ଆର୍ଥିକ ନିବେଶ ସମସ୍ତଙ୍କ ଯୋଗାଯୋଗ ଆକାଂକ୍ଷା ପୂରଣ କରିପାରୁନଥିଲା । ତେବେ ସୋସିଆଲ ମିଡ଼ିଆ ମଞ୍ଚ ସେହି ପରିବେଶର ବିକଳ୍ପ ସୃଷ୍ଟିରେ ସକ୍ଷମ ହୋଇପାରିଛି ।

ଚତୁର୍ଥତଃ, ଫେସବୁକ ତଥା ଅନ୍ୟାନ୍ୟ ସୋସିଆଲ ମିଡ଼ିଆ ମଞ୍ଚରେ ଉପଭୋକ୍ତାଗଣ ନିଜ ରୁଚ଼ି ଅନୁଯାୟୀ ପ୍ରକାଶକ ତଥା ପାଠକ, ଶ୍ରୋତା ଓ ଦର୍ଶକ ନିର୍ବାଚନ କରି ସେମାନଙ୍କ ଦ୍ୱାରା ପ୍ରସାରିତ ସମ୍ୱାଦ, ଅଭିମତ ଓ ଅଭିଜ୍ଞତା ସଂସ୍ପର୍ଶରେ ଆବଦ୍ଧ ରହନ୍ତି । ଏକପକ୍ଷରେ ଏହି ପରିବେଶରେ ଦୈନିକଭିତ୍ତିରେ ଦୀର୍ଘକାଳ ଅତିବାହିତ କରୁଥିବା ସ୍ଥଳେ ଅପରପକ୍ଷରେ ବିକଳ୍ପ ପରିବେଶର ଧାର ହିଁ ମାଡ଼ନ୍ତି ନାହିଁ । ଫଳରେ ନିର୍ବାଚିତ ଏକକ ମତବାଦ ‘ଫିଲଟର-ବବୁଲ’ରେ ମାନସପଟ ପ୍ରତିଧ୍ୱନିତ ‘ଇକୋ-ଚେମ୍ୱର’ ହୋଇଥାଏ । ମନୋବୈଜ୍ଞାନିକ ଦୃଷ୍ଟିକୋଣରୁ ଏହି ଧରଣର ଅଭ୍ୟାସ ପ୍ରସାରଣ ମଞ୍ଚ ପ୍ରତି ମାତ୍ରାଧିକ ଅନୁଗତ୍ୟର କାରଣ ପାଲଟିଯାଏ । ପ୍ରଭାତରେ ଶଯ୍ୟା ତ୍ୟାଗ ପରେ ପ୍ରଥମେ ‘ଫେସବୁକ’ ବ୍ରାଉଜ କରିବା ତଥା ରାତିରେ ଶୋଇବା ପୂର୍ବରୁ ଫେସବୁକ ବ୍ରାଉଜ କରିବା ଅଭ୍ୟାସର ଉଦାହରଣର ଅଭାବ ନଥାଏ । ‘ଫେସବୁକ’ର ମାଦକତାରେ ବିମୋହିତ ହେବା ଦ୍ୱାରା ବ୍ରାଉଜିଂ ଅଭିଜ୍ଞତା ଦୈନନ୍ଦିନ ଜୀବନର ଏକ ଅଭିନ୍ନ ଅଙ୍ଗରେ ପରିଣତ ହୁଏ ।

ପଞ୍ଚମତଃ, ‘ଫେସବୁକ’ ମଞ୍ଚ ପକ୍ଷରୁ ପ୍ରତ୍ୟେକ ଉପଭୋକ୍ତାଙ୍କ ଏକାଉଣ୍ଟରେ ପ୍ରଦର୍ଶନ ନିମନ୍ତେ ପୋଷ୍ଟ ଚୟନ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା ‘ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ’ ଭଳି ଉନ୍ନତ ବୈଷୟିକ କୌଶଳ ବ୍ୟବହାର ସ୍ଥଳବିଶେଷରେ ଉପଭୋକ୍ତାକୁ ପ୍ରଭାବିତ କରିବା ନିମନ୍ତେ ଅଭିପ୍ରେତ । ସେହିପରି ମଞ୍ଚରେ ଅସତ୍ୟ ସମ୍ୱାଦ, ଅରୁଚିକର ଅଭିମତ ଓ ଉଦ୍ଦେଶ୍ୟ ପ୍ରଣୋଦିତ ବିଷୟବସ୍ତୁ ପ୍ରଦର୍ଶନ ମୁକ୍ତ ଯୋଗାଯୋଗ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରିପାରେ । ଯୁକ୍ତରାଷ୍ଟ୍ର ଆମେରିକାରେ ‘ଫେସବୁକ’ ମଞ୍ଚରେ ରାଜନୀତିକ ଅଭିସନ୍ଧିଠାରୁ ଆରମ୍ଭ କରି କୋଭିଡ଼ ପ୍ରତିଷେଧକ ଟିକାକୁ ବିରୋଧ ଭଳି ଅଭିଯାନ ଆୟୋଜନ ଉଦାହରଣ ସାମାଜିକ ବିଶୃଙ୍ଖଳା ସୃଷ୍ଟିରେ ସୋସିଆଲ ମିଡ଼ିଆର ଭୂମିକା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଥାଏ ।

ଭାରତରେ କେନ୍ଦ୍ର ସରକାରଙ୍କ ସୂଚ଼ନା ଓ ପ୍ରସାରଣ ମନ୍ତ୍ରଣାଳୟ ପ୍ରବର୍ତ୍ତିତ ‘ନୂତନ ଡ଼ିଜିଟାଲ ମିଡ଼ିଆ ନିୟମ ୨୦୨୧’ ଅନୁପାଳନରେ ‘ଫେସବୁକ’ ପକ୍ଷରୁ ପ୍ରଥମ ମାସିକ ବିବରଣୀ ଜୁଲାଇ ମଧ୍ୟଭାଗରେ ପ୍ରକାଶିତ ହୋଇଥିଲା । ଜନସାଧାରଣଙ୍କ ଅଭିଯୋଗ ମୀମାଂସା ଉପକ୍ରମରେ ମେ’ ୧୫ରୁ ଜୁନ ୧୫ ମାସକ ମଧ୍ୟରେ ମଞ୍ଚ ୬୪୬ ଗୋଟି ଅଭିଯୋଗ ପାଇଥିବା ଏବଂ ସମସ୍ତ ଅଭିଯୋଗର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବିବରଣୀରେ ଦର୍ଶାଯାଇଥିଲା । ପ୍ରାପ୍ତ ଅଭିଯୋଗଗୁଡ଼ିକ ମୁଖ୍ୟତଃ ଗାଳିମନ୍ଦ, ନଗ୍ନତା ଓ ନକଲି ବ୍ୟକ୍ତିତ୍ୱ ‘ଫେକ-ପ୍ରୋଫାଇଲ’ ପର୍ଯ୍ୟାୟଭୁକ୍ତ ଥିଲା । ଏତଦ୍ ବ୍ୟତୀତ ମଞ୍ଚ ପକ୍ଷରୁ ସାଧାରଣ ଭାବେ ‘ଫେସବୁକ’ରେ ପ୍ରକାଶିତ ପାଠ୍ୟ ଅନୁଧ୍ୟାନ କରି ଦଶଗୋଟି ଆପତ୍ତିମୂଳକ ଶ୍ରେଣୀର ପ୍ରକାଶନ ହଟାଇ ଦିଆଯାଇଥାଏ । ଏଥିଲାଗି ମୁଖ୍ୟତଃ ଯାନ୍ତ୍ରିକ ଅନୁଶୀଳନ ବ୍ୟବସ୍ଥା ବ୍ୟବହୃତ । ଆଲୋଚ଼୍ୟ ସମୟସୀମା ମାସକ ମଧ୍ୟରେ ପ୍ରାୟ ତିନି କୋଟି ପାଠ୍ୟ ଅପସାରଣ କରାଯାଇଥିବା ମଧ୍ୟ ‘ଫେସବୁକ’ ପକ୍ଷରୁ ସୂଚନା ଦିଆଯାଇଥିଲା ।

ଭାରତ ସମେତ ପୂର୍ବ-ଏସୀୟ ରାଷ୍ଟ୍ରଗୁଡ଼ିକରେ ‘ଫେସବୁକ’ ସୋସିଆଲ ମିଡ଼ିଆ ପରିସରରେ ସର୍ବାପେକ୍ଷା ଲୋକପ୍ରିୟ ମଞ୍ଚରେ ପରିଣତ ହୋଇଛି । ଇତି ମଧ୍ୟରେ ଅଡ଼ିଓ ଓ ନିଉଜଲେଟର ଭଳି ନୂତନ ବିଭବମାନ ସଂଯୋଗ ମଞ୍ଚକୁ ଅଧିକ ଆକର୍ଷଣୀୟ କରିବା ଆଶା କରାଯାଏ । 

Related Post