ସୋସିଆଲ ମିଡ଼ିଆରେ ସରକାରଙ୍କୁ ସମାଲୋଚନା ନେଇ ବିହାରରେ ପ୍ରଶାସନିକ ତତ୍ପରତା ଜାନୁୟାରୀ ୨୦୨୧ ତୃତୀୟ ସପ୍ତାହରେ ଗଣମାଧ୍ୟମ ପରିଧିରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ବିହାର ସରକାରଙ୍କ ଅର୍ଥନୀତିକ ଅପରାଧିକ ଶାଖା ‘ଇକନୋମିକ ଅଫେନ୍ସ ୱିଙ୍ଗ’ର ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ‘ଏଡ଼ିଜି’ ରାଜ୍ୟ ସାଇବର କ୍ରାଇମ ତତ୍ତ୍ୱାବଧାନ ଦାୟିତ୍ୱ ତୁଲାଇଥାନ୍ତି । ସେ ୨୨ ଜାନୁୟାରୀ ୨୦୨୧ରେ ସମସ୍ତ ପ୍ରିନ୍ସପାଲ ସେକ୍ରେଟରୀ ଓ ସେକ୍ରେଟରୀମାନଙ୍କୁ ଏକ ପତ୍ର ଲେଖି ବିଭିନ୍ନ ସ୍ତରରେ ସରକାର ଓ ପ୍ରଶାସନ ବିରୋଧରେ ସୋସିଆଲ ମିଡ଼ିଆରେ ବିଷୋଦଗାର କରୁଥିବା ବ୍ୟକ୍ତିବିଶେଷ ଓ ସଂଗଠନଗୁଡ଼ିକ ଚ଼ିହ୍ନଟ କରି ଜଣାଇବା ନିମନ୍ତେ କୁଆଡ଼େ ସୂଚ଼ିତ କରାଇଥିଲେ । ପ୍ରକାଶିତ ବିବରଣୀ ଅନୁଯାୟୀ ବିହାର ବିଧାନସଭା ବିରୋଧିଦଳ ନେତା ଏହି ପତ୍ରର ନକଲ ନିଜ ଟୁଇଟର ହେଣ୍ଡଲରେ ପ୍ରସାରିତ କରିଥିଲେ ।
ଆଲୋଚ୍ୟ ପତ୍ରରେ କୁହାଯାଇଥିଲା ଯେ କେତେକ ବ୍ୟକ୍ତି ଓ ସଂଗଠନ ନିୟମିତ ଭାବେ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକରେ ସରକାର, ମନ୍ତ୍ରୀ, ସାଂସଦ, ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ସଂପର୍କରେ ଆପତ୍ତିଜନକ ମନ୍ତବ୍ୟ ପ୍ରକାଶନ କରୁଥିବା ନଜରକୁ ଆସିବାରେ ଲାଗିଛି । ସଂପୃକ୍ତ ବ୍ୟକ୍ତିବିଶେଷ ଓ ସଂଗଠନଗୁଡ଼ିକ ବିରୁଦ୍ଧରେ ସମୁଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବିଧେୟ । ଅଧିକାରୀମାନେ ଇକନୋମିକ ଅଫେନ୍ସ ୱିଙ୍ଗଠାରେ ଏ ସଂପର୍କୀତ ତଥ୍ୟ ଦାଖଲ କଲେ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ ।
ବିହାର ପୋଲିସର ଏହି ସର୍କୁଲାର ରାଜ୍ୟ ରାଜନୀତିକ ମହଲରେ ବାଦନୁବାଦ ସୃଷ୍ଟି କରିଥିଲା । ବିରୋଧିଦଳ ପକ୍ଷରୁ ଏତାଦୃଶ ଉଦ୍ୟମକୁ ହିଟଲରୀ ଶାସନ, ‘ତୋଗଲକୀ ଫରମାନ’ ନାମିତ କରାଯାଇ ଥିବା ସ୍ଥଳେ କ୍ଷମତାସୀନ ଦଳଗୁଡ଼ିକ ସମୟୋଚିତ ପଦକ୍ଷେପ ଚ଼ିତ୍ରଣ କରିଥିଲେ । ତେବେ ଘଟଣାକ୍ରମର ରାଜନୀତିକ ଓ ନୈତିକ ଦିଗଗୁଡ଼ିକୁ ବାଦଦେଇ ମୌଳିକଭାବେ ଗଣମାଧ୍ୟମ ଦୃଷ୍ଟିକୋଣରୁ ବିଶ୍ଳେଷଣ କଲେ ମହାମାରୀ-ପର ସାମାଜିକ ଆଙ୍ଗିକରେ ରାଷ୍ଟ୍ରୀୟସ୍ତରରେ ସଂଘଠିତ କେତେଗୋଟି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଲକ୍ଷ୍ୟ କରାଯାଇପାରେ ।
ପ୍ରଥମତଃ, ଇଣ୍ଟରନେଟର ବ୍ୟାପ୍ତି ଓ ସ୍ମାର୍ଟଫୋନ ବ୍ୟବହାର ବୃଦ୍ଧି ଫଳରେ ସୋସିଆଲ ମିଡ଼ିଆ ଉପଭୋକ୍ତାଙ୍କ ସଂଖ୍ୟା ସମତୁଲ ଭାବେ ବଢ଼ି ଚାଲିଛି । ପ୍ରମୁଖ ମଞ୍ଚ ‘ଫେସବୁକ’ରେ ଭାରତୀୟ ଉପଭୋକ୍ତାଙ୍କ ସଂଖ୍ୟା ୨୦୨୦ ସୁଦ୍ଧା ୩୫ କୋଟିରେ ପହଞ୍ଚିଥିବା ସ୍ଥଳେ ‘ହ୍ୱାଟସଆପ’ରେ ୩୪ କୋଟି ଓ ୟୁଟ୍ୟୁବରେ ୩୨ କୋଟି ହିସାବ କରାଯାଇଥିଲା । ଅପରପକ୍ଷେ ଇଣ୍ଡିଆନ ରିଡ଼ରସିପ ସର୍ଭେ ୨୦୨୦ ପରିସଂଖ୍ୟାନ ଅନୁଯାୟୀ ଡ଼ିସେମ୍ୱର ୨୦୧୮ରୁ ମାର୍ଚ୍ଚ ୨୦୨୦ ସମୟସୀମାରେ ଦେଶର ଜନସାଧାରଣଙ୍କ ମଧ୍ୟରେ ୩୬ ପ୍ରତିଶତ ସମ୍ୱାଦପତ୍ର ଓ ୫ ପ୍ରତିଶତ ପତ୍ରପତ୍ରିକା ପାଠ କରୁଥିଲେ । ଟେଲିଭିଜନ ଦର୍ଶକ ସଂଖ୍ୟା ୭୬ ପ୍ରତିଶତ, ରେଡ଼ିଓ ଶ୍ରୋତା ସଂଖ୍ୟା ୨୦ ପ୍ରତିଶତ ଓ ଚଳଚ଼ିତ୍ର ଦର୍ଶକ ସଂଖ୍ୟା ୩ ପ୍ରତିଶତ ଥିବା ସ୍ଥଳେ ଇଣ୍ଟରନେଟ ଉପଭୋକ୍ତାଙ୍କ ସଂଖ୍ୟା ୪୧ ପ୍ରତିଶତ ।
‘ଇନ-ମୋବି’ ପକ୍ଷରୁ ପ୍ରକାଶିତ ପରିସଂଖ୍ୟାନ ଅନୁଯାୟୀ ୨୦୨୦ରେ ଭାରତରେ ମାସିକଭିତ୍ତିରେ ସକ୍ରିୟ ଇଣ୍ଟରନେଟ ଉପଭୋକ୍ତାଙ୍କ ସଂଖ୍ୟା ୭୩ କୋଟି ୪୦ ଲକ୍ଷରେ ପହଞ୍ଚିଥିଲା । ଭାରତୀୟମାନଙ୍କ ମଧ୍ୟରେ ସମ୍ୱାଦପତ୍ର ଓ ପତ୍ରପତ୍ରିକା ପାଠ କରୁଥିବା ତଥା ଟେଲିଭିଜନ ଦେଖୁଥିବା ଉପଭୋକ୍ତାମାନଙ୍କୁ ଅପେକ୍ଷାକୃତ ଶିକ୍ଷିତ ଓ ଅର୍ଥନୀତିକ ଦୃଷ୍ଟିରୁ ସ୍ୱଚ୍ଛଳ ବିବେଚନା କରାଗଲେ ସେହିମାନେ ହିଁ ଇଣ୍ଟରନେଟ ଦ୍ୱାରା ସଂଯୁକ୍ତ, ସ୍ମାର୍ଟଫୋନ ବ୍ୟବହାରକାରୀ ତଥା ସୋସିଆଲ ମିଡ଼ିଆରେ ଉପସ୍ଥିତ ରହୁଥିବା ସୁସ୍ପଷ୍ଟ । ଆପାତତଃ ସେମାନେ ହିଁ ସାମାଜିକସ୍ତରରେ ନେତୃତ୍ୱ ନେଇଥାନ୍ତି ‘ଓପିନିଅନ ଲିଡ଼ର’ । ଅର୍ଥାତ ପାରମ୍ପରିକ ଗଣମାଧ୍ୟମର ଉପଭୋକ୍ତାଙ୍କ ମଧ୍ୟରେ ଶୀର୍ଷରେ ସ୍ଥାନିତ । ଯୁବ ବର୍ଗ ସୋସିଆଲ ମିଡ଼ିଆର ପାଠକ, ଶ୍ରୋତା ଓ ଦର୍ଶକ ।
ଦେଶର ସ୍ମାର୍ଟଫୋନ ବ୍ୟବହାର ଉପଭୋକ୍ତା ପିଚ୍ଛା ୨୦୨୦ରେ ହାରାହାରି ଦୈନିକ ସାଢ଼େ ଚାରିଘଣ୍ଟାକୁ ବୃଦ୍ଧି ପାଇଥିବା ହେତୁ ସମପରିମାଣରେ ସୋସିଆଲ ମିଡ଼ିଆରେ ଉପସ୍ଥିତ ରହୁଥିବା ଏବଂ ସେଥିରେ ସମ୍ୱାଦ ପ୍ରସାରଣରେ ପ୍ରଭାବିତ ହେଉଥିବା ନିଶ୍ଚିତ । କୋଭିଡ଼-୧୯ ମହାମାରୀ କାଳରେ ଦୀର୍ଘକାଳୀନ ଲକଡ଼ାଉନ କାରଣରୁ ଗୃହାବଦ୍ଧ ଅବସ୍ଥାରେ ସ୍ମାର୍ଟଫୋନ ଓ ସୋସିଆଲ ମିଡ଼ିଆ ବ୍ୟବହାର ବୃଦ୍ଧି ପାଇଥିଲେ ହେଁ ମହାମାରୀ-ପର ଅବସ୍ଥାରେ ସେହି ଅଭ୍ୟାସ ହ୍ରାସର ସମ୍ଭାବନା କମ । କାରଣ ଆନ୍ତର୍ଜାତିକସ୍ତରରେ ବିକଶିତ ରାଷ୍ଟ୍ରଗୁଡ଼ିକରେ ଇଣ୍ଟରନେଟ ଓ ସ୍ମାର୍ଟଫୋନ ବ୍ୟବହାର ସୀମା ଭାରତଠାରୁ ମହାମାରୀ-ପୂର୍ବାବସ୍ଥାରେ ମଧ୍ୟ ଢ଼େର ଅଧିକ ରହି ଆସିଥିଲା ।
ସୋସିଆଲ ମିଡ଼ିଆ ଏକ ପ୍ରଭାବଶାଳୀ ଗଣମାଧ୍ୟମରୂପେ ବିକଶିତ ହେଉଥିବା ଅବସରରେ ଏଥିରେ ସରକାର ଓ ପ୍ରଶାସନର ସମାଲୋଚନା ବିଶ୍ୱବ୍ୟାପୀ କ୍ଷମତାସୀନଙ୍କ ପକ୍ଷେ ଅସମାହିତ ସମସ୍ୟାରୂପେ ମୁଣ୍ଡ ଟେକିଛି । ଦ୍ୱିତୀୟତଃ, ସମ୍ୱାଦପତ୍ର, ଟେଲିଭିଜନ ଓ ରେଡ଼ିଓ ଭଳି ପାରମ୍ପରିକ ଗଣମାଧ୍ୟମ ସଂଖ୍ୟାଲଘୁ ସାମ୍ୱାଦିକ,ସମ୍ପାଦକ ଓ ପ୍ରକାଶକଙ୍କ ଦ୍ୱାରା ନିୟନ୍ତ୍ରିତ ହେଉଥିବା ସ୍ଥଳେ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକରେ ବିନା ବାଛ ବିଚାରରେ ପ୍ରତ୍ୟେକ ଉପଭୋକ୍ତାଙ୍କୁ ସମ୍ୱାଦ ଓ ଅଭିମତ ପ୍ରକାଶନର ସୁଯୋଗ ଉପଲବ୍ଧ । ଅତ୍ୟନ୍ତ ଗର୍ହିତ ପ୍ରକାଶନଗୁଡ଼ିକହିଁ ସରକାର ଓ ନ୍ୟାୟପାଳିକାଙ୍କ ନିର୍ଦ୍ଦେଶ ବା ନୈତିକତା ଦୃଷ୍ଟିରୁ ମଞ୍ଚ ପରିଚାଳଙ୍କ ପକ୍ଷରୁ ହଟାଇ ଦିଆଯିବା ପ୍ରଥା ପ୍ରଚଳିତ । ଅତଏବ ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକରେ ଯେଉଁମାନଙ୍କ ସ୍ୱର ଅପହଞ୍ଚ ରହିଆସିଥିଲା ସେହିମାନଙ୍କ ପାଇଁ ସୋସିଆଲ ମିଡ଼ିଆ ମଞ୍ଚରେ ପ୍ରତିଧିନିତ୍ୱ ସମ୍ଭବ ହୋଇପାରିଛି ।
ତୃତୀୟତଃ, ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକରେ ସମ୍ୱାଦ ପ୍ରଯୋଜନା ନିମନ୍ତେ ବିଷୟ ଚୟନ ଅପରିଚିତ ସାମ୍ୱାଦିକ ଓ ସମ୍ପାଦକଙ୍କ ଦ୍ୱାରା ସମାହିତ ହେଉଥିବା ସ୍ଥଳେ ସୋସିଆଲ ମିଡ଼ିଆରେ ଉପଭୋକ୍ତାଙ୍କ ପରିଚ଼ିତ କିମ୍ୱା ସେମାନେ ଆଗ୍ରହାନ୍ୱିତ ଥିବା ବ୍ୟକ୍ତି ବା ସଂଗଠନ ଦ୍ୱାରା ପ୍ରଯୋଜିତ ସମ୍ୱାଦ ସେମାନଙ୍କ ନଜରକୁ ଆସିଥାଏ । ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକରେ ପ୍ରକାଶନଗୁଡ଼ିକ ନିଜ ଋଚି ଅନୁଯାଇ ନିର୍ବାଚିତ ‘ଫିଲଟର ବବୁଲ’ ଏବଂ ବାରମ୍ୱାର ପ୍ରତିବିମ୍ୱିତ ‘ଇକୋ ଚେମ୍ୱର’ରେ ରୂପାନ୍ତରିତ ହେବା ଦ୍ୱାରା ପ୍ରତିପକ୍ଷ ବା ବିରୋଧି ସମ୍ୱାଦ ଓ ଅଭିମତ ଅବଗତ ହେବା ସୁବିଧା ସୁଯୋଗ ପ୍ରତିରୋଧ ହେଉଥିଲେ ହେଁ ମାନବୀୟ ପ୍ରକୃତି ପ୍ରଭାବିତ ଉପଭୋକ୍ତାମାନେ ମୁଖ୍ୟତଃ ନିଜ ରୁଚି, ମତବାଦ ଓ ଆଦର୍ଶକୁ ଆପଣାଇଥାନ୍ତି । ଏହି କାରଣରୁ ସୋସିଆଲ ମିଡ଼ିଆ ବ୍ୟବହାରରେ ଅଭିବୃଦ୍ଧି ଏକ କ୍ରମାଗତ ପ୍ରକ୍ରିୟାରେ ପରିଣତ ହୋଇଛି ।
ଏହି ପରିବେଶ ସରକାର ଓ ପ୍ରଶାସନ ପକ୍ଷେ ପାରମ୍ପରିକ ଗଣମାଧ୍ୟମ ମଞ୍ଚ ଭଳି ବଶୀକରଣ କରିବା ସଂଭବ ହୋଇପାରୁ ନାହିଁ । ଚ଼ତୁର୍ଥତଃ, କୋଭିଡ଼-୧୯ ମହାମାରୀ ଅବସ୍ଥାରେ ମୁଦ୍ରିତ ଗଣମାଧ୍ୟମ, ମୁଖ୍ୟତଃ ସମ୍ୱାଦପତ୍ର ଓ ପତ୍ରପତ୍ରିକାଗୁଡ଼ିକ ଅର୍ଥନୀତିକ ମାନ୍ଦାବସ୍ଥା ହେତୁ ବିଜ୍ଞାପନ ଓ ବିଭିନ୍ନ କଟକଣା କାରଣରୁ ପ୍ରସାରଣ ଆୟ ସଂକୁଚିତ ହେବା ତଥା ଆଇନଗତ ବାଧ୍ୟବାଧକତାରେ ଏକାଂଶ ସରକାରୀ ଓ ପ୍ରଶାସନର ଅନୁଗ୍ରହର ପ୍ରାର୍ଥୀ ହୋଇପଡ଼ିଥିଲେ । ଫଳତଃ ଉପଭୋକ୍ତାଙ୍କ ବିଶ୍ୱସନୀୟତା ହରାଇଥିବା ସ୍ଥଳେ ସହଜରେ ଏହି ଗୋଲକଧନ୍ଦାରୁ ମୁକ୍ତିପାଇବା ସମ୍ଭବ ନୁହ । ଏହି ପରିବେଶ ସୋସିଆଲ ମିଡ଼ିଆକୁ ବିକଳ୍ପ ମଞ୍ଚ ପ୍ରସ୍ତୁତ ଲାଗି ସୁଯୋଗ ସୃଷ୍ଟି କରିଛି ।
ପଞ୍ଚମତଃ, ସ୍ମାର୍ଟଫୋନରେ ‘ହାଇ-ଡ଼େଫିନେସନ’ ପର୍ଦ୍ଦାରେ ଭିଡ଼ିଓ ଓ ପଠନ ସାମଗ୍ରୀ ପ୍ରକାଶନଲାଗି ସର୍ଜନଶୀଳ ଆଙ୍ଗିକ ‘ଟେମ୍ପଲେଟ’ ଉପଯୋଗରେ ସମ୍ୱାଦ ଆହରଣର ଅନୁଭୂତି ପାରମ୍ପରିକ ସମ୍ୱାଦପତ୍ର ଓ ଟେଲିଭିଜନକୁ ପଛରେ ପକାଇଦେଇଛି । ଡିଜିଟାଲ ମଞ୍ଚରେ ଆଗଧାଡ଼ିର ସମ୍ୱାଦପତ୍ର ଓ ଟେଲିଭିଜନ ମଞ୍ଚଗୁଡ଼ିକ ଅବତୀର୍ଣ୍ଣ ହେଉଥିବା ଏବଂ ଆନ୍ତର୍ଜାତିକସ୍ତରରେ ସବୁବର୍ଗରୁ ‘ଡ଼ିଜିଟାଲ-ଫାଷ୍ଟ’ ନୀତି ଅନୁସରଣ କରାଯାଉଥିବା ହେତୁ ସୋସିଆଲ ମିଡ଼ିଆର ଆକର୍ଷଣ ବୃଦ୍ଧି ପାଇଚାଲିବାରେ ଲାଗିଛି ।
ଏହି ପରିସ୍ଥିତିରେ ସରକାର ଓ ପ୍ରଶାସନ ପକ୍ଷରୁ ସୋସିଆଲ ମିଡ଼ିଆକୁ ଆୟତ୍ତ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ ସ୍ୱାଭାବିକ । ବିହାର ପୋଲିସପକ୍ଷରୁ ସୋସିଆଲ ମିଡ଼ିଆରେ ସମାଲୋଚକମାନଙ୍କୁ ଖୋଜି ବାହାର କରି ଆଇନଗତ ମାମଲା ରୁଜୁ ନିମନ୍ତେ ପ୍ରସ୍ତୁତି ଏକ ଉଦାହରଣ । ଏକବିଂଶ ଶତାଦ୍ଦୀର ଦ୍ୱିତୀୟ ଦଶକ ଆରମ୍ଭରୁ ଭାରତରେ ସୋସିଆଲ ମିଡ଼ିଆ ପ୍ରସାର ଲାଭ କରିବା କାଳରୁ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ପ୍ରତିରୋଧାତ୍ମକ ପଦକ୍ଷେପମାନ ଗ୍ରହଣ କରାଯାଇଛି । ପୋଲିସ ପ୍ରଶାସନର ମାତ୍ରାଧିକ କାର୍ଯ୍ୟକଳାପ ବିରୋଧରେ ଆଇନ ଅଦାଲତର ଦୃଷ୍ଟିକୁ ଅଣାଯିବାପରେ ସୁପ୍ରିମ କୋର୍ଟ ପକ୍ଷରୁ ଏକପକ୍ଷରେ ଅଭିବ୍ୟକ୍ତିର ଅଧିକାର ସୁରକ୍ଷା ସହ ଅପରପକ୍ଷରେ ଅଧିକାରର ଦୁରୋପଯୋଗ ନିୟନ୍ତ୍ରଣ ନିମନ୍ତେ ରାୟମାନ ପ୍ରଦାନ କରିଛନ୍ତି ।
କଥା ହେଲା ଭାରତୀୟ ସମ୍ୱିଧାନରେ ଧାରା ୧୯(୧)କ ଅଭିବ୍ୟକ୍ତିର ସ୍ୱାଧୀନତା ସହ ୧୯(୨)ରେ ଅଙ୍କୁଶର ପ୍ରାବଧାନ ରହିଛି । ମାନହାନୀ, ସତ୍ୱ ସଂରକ୍ଷଣ, ଅଦାଲତ ଓ ବ୍ୟବସ୍ଥାପକ ସଭା ଅବମାନନା, ସୂଚନା ବୈଷୟିକ ଆଇନ ଇତ୍ୟାଦି ବିଭିନ୍ନ ଦିଗରୁ ଆପତ୍ତିଜନକ ସମ୍ୱାଦ ଓ ଅଭିମତ ପ୍ରସାର ରୋକିବାକୁ ବିସ୍ତୃତ କ୍ଷେତ୍ର ପ୍ରସ୍ତୁତ କରିଥାଏ । ପ୍ରଶାସନ ପକ୍ଷରୁ ପ୍ରଚଳିତ ଆଇନ ଉପଯୋଗର ଅପରାଧିକ ମାମଲାମାନ ରୁଜୁ କରାଗଲେ ଦୀର୍ଘ ଅଦାଲତୀ କାରବାରରେ ଅଭିଯୁକ୍ତମାନେ ସମସ୍ୟାର ସମ୍ମୁଖୀନ ହେବା ଆଶଙ୍କାକୁ ଏଡ଼ାଇ ଦେଇ ହୁଏ ନାହିଁ । ମହାମାରୀ ଆଇନ କାଳରେ ସରକାର ଓ ପ୍ରଶାସନ ସୂଚନା ଓ ଅଭିମତ ପ୍ରକାଶନ କ୍ଷେତ୍ରରେ ନିରଙ୍କୁଶ କ୍ଷମତା ବର୍ଷକ କାଳ ଉପଭୋଗ କରିବା ପରେ ସୋସିଆଲ ମିଡ଼ିଆରେ କ୍ରମବର୍ଦ୍ଧମାନ ସମାଲୋଚନାରେ ବିବ୍ରତ ହେବା ସ୍ୱାଭାବିକ । ଫଳରେ ସଂଘର୍ଷ ଅନିବାର୍ଯ୍ୟ ।
ମେକ୍ସିକୋ ଭଳି ଦକ୍ଷିଣ ଆମେରିକା ରାଷ୍ଟ୍ରଗୁଡ଼ିକରେ ଗଣମାଧ୍ୟମରେ ସମାଲୋଚନା ଓ ଦୁର୍ନୀତି ପର୍ଦ୍ଦାଫାସକୁ କେନ୍ଦ୍ରକରି ସମ୍ୱାଦିକ ଓ ପ୍ରଶାସକମାନଙ୍କ ମଧ୍ୟରେ ତିକ୍ତତା ହିଂସାରେ ପରିଣତ ହେଉଥିବା ଉଦାହରଣ ଦେଖିବାକୁ ମିଳେ । ସେହିଭିଳି ପରିସ୍ଥିତି ଭାରତରେ ପ୍ରତିବିମ୍ୱିତ ହେବା ବିଚିତ୍ର ନୁହ । ସମାଲୋଚନାକୁ ନିୟନ୍ତ୍ରଣ କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ପ୍ରଚଳିତ ଆଇନାବଳୀ ଉପଯୋଗକୁ କେହି ରୋକି ପାରିବେ ନାହିଁ । ଆଇନକୁ କଡ଼ାକଡ଼ି ପାଳନ କରିବା ନିମନ୍ତେ ୨୦୨୧ରେ ବିଧିବିଧାନକୁ ପରିମାର୍ଜିତ କରିବା ନିତିଦିନିଆ ବ୍ୟାପାର ପରିଣତ ହୋଇପାରେ । ‘ପ୍ରାଇସ ୱାଟରହାଉସ କୁପର-ଇଣ୍ଡିଆ’ ପକ୍ଷରୁ ସାଇବର ସିକ୍ୟୁରିଟି ସଂପର୍କରେ ଜାନୁୟାରୀ ୨୦୨୧ ତୃତୀୟ ସପ୍ତାହରେ ପ୍ରକାଶିତ ଏକ ବିବରଣୀରେ ବିଶ୍ୱବ୍ୟାପୀ ଡିଜିଟାଲ ମଞ୍ଚ ବିରୋଧରେ ଆଇନକାନୁନ ବ୍ୟାପକ ଉପଯୋଗର ପୂର୍ବନୁମାନ କରାଯାଇଛି । ସୋସିଆଲ ମିଡ଼ିଆ ସେଥିରୁ ବାଦ ଯିବ ନାହିଁ ବୋଲି ବିଶ୍ୱାସ କରାଯାଇପାରେ । ଫଳରେ ସରକାର, ପ୍ରଶାସନ ସହ ଗଣମାଧ୍ୟମ, ସୋସିଆଲ ମିଡ଼ିଆର ସମୀକରଣରେ ଉତ୍ତେଜନାମୂଳକ ପରିବେଶ ଲାଗି ରହିବ ।
