ଆଜିର ଖାସ ଖବର
Mon. Jul 27th, 2026

ମୋବାଇଲ ଜର୍ଣ୍ଣାଲିଜମ

By Dainikasha Jul11,2024

ଦେଶର ଆଗଧାଡ଼ିର ଗଣମାଧ୍ୟମ ପ୍ରତିଷ୍ଠାନ ‘ଇଣ୍ଡିଆ ଟୁଡ଼େ’ ପକ୍ଷରୁ ଗତ ୨୬ ଅକ୍ଟୋବର ୨୦୧୭ରେ ସାତଗୋଟି ଡ଼ିଜିଟାଲ ଭିଡ଼ିଓ ଚ଼୍ୟାନେଲ ଆରମ୍ଭ ସମକାଳର ସମ୍ୱାଦଶିଳ୍ପରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା । ଏହି ଚ୍ୟାନେଲଗୁଡ଼ିକ ଉଭୟ ୱେବସାଇଟ ଓ ମୋବାଇଲ ଆପ୍ଳିକେସନ ଆକାରରେ ଉପଲବ୍ଧ । ‘ମୋବି ତକ ଡ଼ଟ ଇନ’ ବ୍ୟାନରରେ ନିଉଜ ତକ, ସ୍ୱୋର୍ଟ୍ସ ତକ, ଲାଇଫ ତକ, ଆଷ୍ଟ୍ରୋ ତକ, ଟେକ ତକ ଓ ଯୋଗ ତକ ସାମିଲ ହୋଇଛି ।

ଉଦଘାଟନ ଅବସରରେ ‘ଇଣ୍ଡିଆ ଟୁଡ଼େ’ ପକ୍ଷରୁ ଘୋଷଣା କରାଯାଇଛି ଯେ ଏହି ଚ଼୍ୟାନେଲଗୁଡ଼ିକରେ ଭିଡ଼ିଓ କଣ୍ଟେଟ ପ୍ରସାରିତ ହେବ ଏବଂ ମୋବାଇଲ ପରଦାରେ ପ୍ରଦର୍ଶନ ଉପଯୋଗୀ ଗୁଣବତ୍ତା ପ୍ରତି ଧ୍ୟାନ ଦିଆଯିବ । ‘ଇଣ୍ଡିଆ ଟୁଡ଼େ’ ଗୃପର ମାଲିକ ଆରୁଣ ପୁରୀଙ୍କ କନ୍ୟା କାଳୀ ପୁରୀ କମ୍ପାନୀର ଉପାଧ୍ୟକ୍ଷ ପଦବୀରେ ଅଧିଷ୍ଠିତ ହେବାପରେ ପ୍ରତିଷ୍ଠାନର ନୂତନ ବ୍ୟାବସାୟିକ ପଦକ୍ଷେପର ମଙ୍ଗ ଧରିଛନ୍ତି । ସେ କହିଛନ୍ତି ଯେ ମୋବାଇଲ ପରଦାରେ ଭିଡ଼ିଓ ଉପଭୋକ୍ତାଙ୍କ ସଂଖ୍ୟା ବୃଦ୍ଧି ପାଇଚାଲିଥିବା ହେତୁ ସେମାନେ ଏଥିପ୍ରତି ଗୁରୁତ୍ୱ ପ୍ରଦାନ କରିଛନ୍ତି । ଦର୍ଶକଙ୍କ ଆବଶ୍ୟକତା ପୂରଣ କରିବାଲାଗି ସାତଗୋଟି ଟେଲିଭିଜନ ଚ୍ୟାନେଲ ଆରମ୍ଭ କରିବା ସେମାନଙ୍କ ପକ୍ଷେ ହୁଏତ ସମ୍ଭବପର ହୋଇପାରିନଥାନ୍ତା, କିନ୍ତୁ ଡ଼ିଜିଟାଲ ମଞ୍ଚରେ ତାହା ସମ୍ଭବପର ହୋଇପାରିଛି ।

ମୋବାଇଲ ଫୋନରେ ଚ଼ିତ୍ର ଉତ୍ତୋଳନ, ସମ୍ପାଦନା ଓ ପ୍ରସାରଣର ସୁବିଧା ଉପଯୋଗରେ ମୋବାଇଲ ଜର୍ଣ୍ଣାଲିଜମ ବା ‘ମୋ-ଜୋ’ ଦୃଶ୍ୟ ଶ୍ରାବ୍ୟ ଗଣମାଧ୍ୟମ ବା ଅଡ଼ିଓ ଭିଜୁଆଲ କମ୍ୟୁନିକସେନରେ ନୂତନ ସମ୍ଭାବନା ସୃଷ୍ଟି କରିଛି । ଏକପକ୍ଷରେ ମୋବାଇଲ ଫୋନରେ ବୈଷୟିକ ଉନ୍ନତି ଓ ଆୟତ୍ତାଧିନ ବୈଷୟିକ ଦକ୍ଷତା ଭିଡ଼ିଓ ପ୍ରସ୍ତୁତି ତଥା ପ୍ରସାରଣରେ ସହାୟକ ହେଉଥିବାସ୍ଥଳେ ଅପରପକ୍ଷରେ ଅଧିକରୁ ଅଧିକ ଦର୍ଶକ ଅଧିକରୁ ଅଧିକ ସମୟ ମୋବାଇଲ ପରଦାରେ ଭିଡ଼ିଓ ଉପଭୋକ୍ତା ସାଜୁଥିବା ହେତୁ ଏହାର ବ୍ୟାପ୍ତିର ଅସୀମତା ସହଜରେ କଳନା କରିହେଉ ନାହିଁ । କ୍ଳାଉଡ଼ ବୈଷୟିକ କୌଶଳର ବ୍ୟବହାରରେ ଭିଡ଼ିଓ ସାଇତି ରଖିବା ତଥା ଦର୍ଶକ ନିଜ ପସନ୍ଦ ମୁତାବକ ଯେକୌଣସି ଭିଡ଼ିଓ ଯେକୌଣସି ସମୟରେ ଖୋଜି ବାହାର କରିବା ସୁବିଧା ଗଣମାଧ୍ୟମ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି ।

ମୋବାଇଲ ଫୋନ ଭିଡ଼ିଓ ପ୍ରସାରଣ ସୁବିଧାର ସମ୍ଭାବ୍ୟ ଭବିଷ୍ୟତକୁ ମୂଳଧନ କରି ଆଗରୁ ହିନ୍ଦୁସ୍ତାନ ଟାଇମସ, ଟାଇମସ ଅଫ ଇଣ୍ଡିଆ ଓ ନିଉଦିଲ୍ଲୀ ଟେଲିଭିଜନ ଏହି କ୍ଷେତ୍ରରେ ପରୀକ୍ଷା ନିରୀକ୍ଷା ଚଳାଇଥିବାସ୍ଥଳେ ବର୍ତ୍ତମାନ ‘ଇଣ୍ଡିଆ ଟୁଡ଼େ’ର ଉପସ୍ଥିତି ଏହି ଉନ୍ମେଷମୁଖୀ ଧାରା ପ୍ରତି ଦୃଷ୍ଟି ଆକର୍ଷଣର କାରଣ ପାଲଟିଛି ।

ଆନ୍ତର୍ଜାତିକସ୍ତରରେ ମୋବାଇଲ ଫୋନ ପର୍ଦ୍ଦାରେ ଭିଡ଼ିଓ ଦେଖିବା ଲୋକପ୍ରିୟ ହେବାରେ ଲାଗିଛି । ନିକଟରେ ‘ଆରିକସନ କନଜ୍ୟୁମର ଲେବ’ ପକ୍ଷରୁ ଭାରତ ସମେତ ମୋବାଇଲ ଫୋନ ବ୍ୟବହାରରେ ଆଗୁଆଥିବା ୧୩ ଗୋଟି ରାଷ୍ଟ୍ରରେ ୧୬ ରୁ ୬୯ ବର୍ଷ ବୟସ ସୀମାରେ ୨୦ ହଜାର ଲୋକଙ୍କ ମଧ୍ୟରେ ମୋବାଇଲ ଫୋନରେ ଭିଡ଼ିଓ ଦେଖିବା ଅଭ୍ୟାସ ସଂପର୍କରେ ଏକ ସର୍ଭେ ଆୟୋଜନ କରାଯାଇଥିଲା । ସେଥିରୁ ଜଣାଗଲା ଯେ ୭୦ ପ୍ରତିଶତ ଲୋକ ମୋବାଇଲ ଫୋନରେ ଭିଡ଼ିଓ ଦେଖୁଛନ୍ତି । ୧୬ ରୁ ୧୯ ବର୍ଷ ବୟସ ସୀମାର ଯୁବବର୍ଗ ସପ୍ତାହକୁ ୩୩ ଘଣ୍ଟା ଅର୍ଥାତ ଦୈନିକ ୪ ରୁ ୫ ଘଣ୍ଟା ଭିଡ଼ିଓ ଦେଖାରେ ଅତିବାହିତ କରୁଛନ୍ତି । ୬୦ ପ୍ରତିଶତ ଲୋକ ସିଧାସଳଖ ଲିନିଅର ଟେଲିଭିଜନ କାର୍ଯ୍ୟକ୍ରମ ବଦଳରେ ସେମାନଙ୍କ ମନମୁତାବକ ଅନ-ଡ଼ିମାଣ୍ଡ ଟେଲିଭିଜନ କାର୍ଯ୍ୟକ୍ରମ ଦେଖିବାକୁ ପସନ୍ଦ କରୁଛନ୍ତି ।

୨୦୧୭ ଅକ୍ଟୋବର ମାସ ସୁଦ୍ଧା ଭାରତରେ ୩୫ କୋଟି ଓ ଓଡ଼ିଶାରେ ଏକ କୋଟି ସ୍ମାର୍ଟଫୋନ ବ୍ୟବହୃତ ହେଉଥିବା ଗଣତି କରାଯାଇଥିଲା । ଆନ୍ତର୍ଜାତିକ ଧାରା ସହ ସମତାଳ ଦେଇ ଏଠାରେ ମଧ୍ୟ ମୋବାଇଲ ପର୍ଦ୍ଦାରେ ଭିଡ଼ିଓ ଦେଖା ଲୋକପ୍ରିୟ ହେବାରେ ଲାଗିଛି । ୟୁ-ଟ୍ୟୁବର ତଥ୍ୟ ଅନୁଯାୟୀ ଆମ ଦେଶରେ ୮୫ ପ୍ରତିଶତ ଉପଭୋକ୍ତା ମୋବାଇଲ ଫୋନରେ ୟୁ-ଟ୍ୟୁବ ଭିଡ଼ିଓ ଦେଖିଥାନ୍ତି ଏବଂ ୟୁ-ଟ୍ୟୁବ ଉପଭୋକ୍ତାଙ୍କ ସଂଖ୍ୟା ୨୦୧୬ ରୁ ୨୦୧୭ ବର୍ଷକ ମଧ୍ୟରେ ଦୁଇଗୁଣ ବଢ଼ିଛି । ଏହି ଭଳି ପରିସଂଖ୍ୟାନ ଓଡ଼ିଶାରେ ମୋବାଇଲ ପର୍ଦ୍ଦାରେ ଭିଡ଼ିଓ ଦର୍ଶକଙ୍କ ସଂଖ୍ୟା ଅନ୍ୟାନ୍ୟ ଗଣମାଧ୍ୟମ ତୁଳନାରେ ପ୍ରମୁଖ ସ୍ଥାନ ଅଧିକାର କରୁଥିବା ସୂଚ଼ାଇ ଥାଏ ।

ଓଡ଼ିଶା ଭଳି ରାଜ୍ୟରେ ମୋବାଇଲ ଫୋନ ପର୍ଦ୍ଦାରେ ଭିଡ଼ିଓ ପ୍ରଦର୍ଶନ ଲୋକପ୍ରିୟ ହେବାର ମୁଖ୍ୟକାରଣ ଗୁଡ଼ିକ ମଧ୍ୟରେ ସାକ୍ଷରତା କ୍ଷେତ୍ରରେ ପ୍ରତିବେଶୀ ରାଜ୍ୟ ତୁଳନାରେ ନ୍ୟୂନତା ମୁଖ୍ୟ ସ୍ଥାନ ଅଧିକାର କରିବା ସ୍ୱାଭାବିକ । ୨୦୧୧ ଜନଗଣନା ଅନୁଯାୟୀ ଏଠାକାର ସାକ୍ଷରତା ହାର ୭୨.୮୭ ପ୍ରତିଶତରେ ସୀମିତ ରହିଥିଲା । ରାଜ୍ୟରେ ଇଣ୍ଟରନେଟ ଓ ସ୍ମାର୍ଟଫୋନ ପ୍ରସାର ତଥା କମ ଖର୍ଚ୍ଚରେ ଡ଼ାଟା ବ୍ୟବହାରର ସୁବିଧା ଭିଡ଼ିଓ ମାଧ୍ୟମର ସପକ୍ଷରେ ଯାଉଛି । ଆଗାମୀ ତିନି ବର୍ଷ ମଧ୍ୟରେ ୨୦୨୦ ବେଳକୁ ରାଜ୍ୟର ସମସ୍ତ ଗ୍ରାମପଞ୍ଚାୟତରେ ଇଣ୍ଟରନେଟ ସଂଯୋଗ ପହଞ୍ଚିସାରିବା ଅବସରରେ ସ୍ମାର୍ଟଫୋନ ଓ ଭିଡ଼ିଓ ଗଣମାଧ୍ୟମରେ ଏକ ନୂତନ ସମୀକରଣ ସୃଷ୍ଟି କରିବା ଅବଶ୍ୟାମ୍ଭାବୀ ।

ମୁଦ୍ରିତ ସମ୍ୱାଦପତ୍ର ପୃଷ୍ଠାରୁ ଟେଲିଭିଜନ ପର୍ଦ୍ଦାକୁ ସମ୍ୱାଦ ପ୍ରସାରଣ ଅପସାରିତ ହେବା ଅବସରରେ ସମ୍ୱାଦପତ୍ର ପାଠକଙ୍କ ସଂଖ୍ୟା ପ୍ରଭାବିତ ହୋଇ ନଥିଲା । ଅପରପକ୍ଷେ ସମ୍ୱାଦପତ୍ର ପାଠକ ସଂଖ୍ୟା ବୃଦ୍ଧିରେ ସହାୟକ ହୋଇଥିଲା । କିନ୍ତୁ ଟେଲିଭିଜନ ପର୍ଦ୍ଦାରୁ ମୋବାଇଲ ଫୋନ ପର୍ଦ୍ଦାକୁ ସମ୍ୱାଦ ପ୍ରସାରଣ ଅପସାରିତ ହେବା ଅବସରରେ ମୁଦ୍ରିତ ସମ୍ୱାଦପତ୍ର ଓ ଟେଲିଭିଜନ ଆଧାରିତ ସମ୍ୱାଦଶିଳ୍ପ କେତେ ମାତ୍ରାରେ ପ୍ରଭାବିତ ହେବ ତାହା ସମୟ କହିବ ।

ଅବଶ୍ୟ ଏହି ସଂଘର୍ଷର ମୁକାବିଲା କରିବା ନିମନ୍ତେ ଉଭୟ ମୁଦ୍ରିତ ସମ୍ୱାଦପତ୍ର ଓ ଟେଲିଭିଜନ ଶିଳ୍ପ ପ୍ରସ୍ତୁତଥିବା ଅନୁମାନ କରାଯାଉଛି । ପ୍ରଥମତଃ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ସେମାନଙ୍କ ସମ୍ୱାଦ ପରିବେଷଣର ଧାରା ବଦଳାଇ ଚାଲିଥିବା ଏବଂ ଅଧିକରୁ ଅଧିକ ସଂଖ୍ୟକ ଉପଭୋକ୍ତା ମୋବାଇଲ ଭିଡ଼ିଓରେ ମୌଳିକ ସମ୍ୱାଦର ଆଭାସ ପାଇ ସାରିବା ପରେ ବିସ୍ତୃତ ବିବରଣୀ ପାଇଁ ମୁଦ୍ରିତ ସମ୍ୱାଦପତ୍ରମୁଖୀ ହେବା ଆଶା କରାଯାଉଛି । ଦ୍ୱିତୀୟତଃ ଟେଲିଭିଜନ ଚ଼୍ୟାନେଲଗୁଡ଼ିକ ନିଜର କାର୍ଯ୍ୟକ୍ରମ ପ୍ରସ୍ତୁତି ଢ଼ାଞ୍ଚାରେ ଆବଶ୍ୟକୀୟ ପରିବର୍ତ୍ତନ ସହ ଡ଼ିଜିଟାଲ ଚ଼୍ୟାନେଲରେ ପହଞ୍ଚିବାକୁ ଚେଷ୍ଟା କରୁଥିବା ଦେଖାଯାଉଛି । ‘ଇଣ୍ଡିଆ ଟୁଡ଼େ’ ପ୍ରଥମେ ପାକ୍ଷିକ ଓ ପରେ ସାପ୍ତାହିକ ଇଂଲିଶ ସମ୍ୱାଦ ପତ୍ରିକା ବ୍ରାଣ୍ଡ ରୂପେ ନିଜ ଭିତ୍ତିଭୂମି ପ୍ରତିଷ୍ଠା କରିଥିଲେ ହେଁ ଟେଲିଭିଜନ ପରକୁ ଡ଼ିଜିଟାଲ ମଞ୍ଚରେ ପ୍ରବେଶ ଏହାର ପ୍ରକୃଷ୍ଟ ଉଦାହରଣ । ପ୍ରସାରଣ ମଞ୍ଚ ବଦଳିଲେ ସୁଦ୍ଧା ସମ୍ୱାଦଶିଳ୍ପରେ ପ୍ରଯୋଜନାଜନିତ ଆଭିମୁଖ୍ୟ ପରିବର୍ତ୍ତନ ନୂତନ ସମୀକରଣରେ ଅନୁପୂରକଭାବେ କାର୍ଯ୍ୟକରିପାରେ ବୋଲି କହିବାକୁ ହେବ ।

Related Post