ଆଜିର ଖାସ ଖବର
Sun. Sep 13th, 2026

ମୋବାଇଲ, ଭିଡ଼ିଓ ଓ ଭାରତୀୟ ଭାଷା

By Dainikasha Jul11,2024

ଗଣମାଧ୍ୟମ ପରିବେଶରେ ଇଣ୍ଟରନେଟ କ୍ରମଶଃ ପ୍ରାଧାନ୍ୟ ବିସ୍ତାର କରିଚାଲିଥିବା ଅବସରରେ ଭାରତରେ ଏହାର ବ୍ୟବହାର ଆନ୍ତର୍ଜାତିକ ପ୍ରବାହଠାରୁ ଭିନ୍ନ ଦିଗରେ ଗତି କରୁଥିବା କୁହାଯାଉଛି । ଦେଶର ସହରାଞ୍ଚଳରେ ଶିକ୍ଷାଗତ ଦୃଷ୍ଟିରୁ ଅନଗ୍ରସର ଏବଂ ଗ୍ରାମାଞ୍ଚଳରେ ସ୍ମାର୍ଟଫୋନ ବ୍ୟବହାର କ୍ରମାଗତ ବୃଦ୍ଧି ଏବଂ ଦୈନିକଭିତ୍ତିରେ ଉପଭୋକ୍ତାଙ୍କ ଦୀର୍ଘ ସମୟ ମୋବାଇଲ ପର୍ଦ୍ଦାରେ ଉପସ୍ଥିତି ଗୁରୁତ୍ୱ ବହନ କରିଥାଏ । ବାଙ୍ଗାଲୋରସ୍ଥିତ ଇଞ୍ଜିନିୟରିଂ ଓ ଡିଜିଟାଲ ବ୍ୟାବସାୟିକ ପରାମର୍ଶଦାତା ‘ଜିନୋର’ ପକ୍ଷରୁ ୨୦୧୯ ଅକ୍ଟୋବର ପହିଲାରେ ପ୍ରକାଶିତ ‘ଦି ଫିଉଚ଼ର ଅଫ ଇଣ୍ଟରନେଟ କଣ୍ଟେଣ୍ଟକନଜମ୍ପସନଇନ ଇଣ୍ଡିଆ –ଫ୍ରିକସନଲେସକନଜ୍ୟୁମରଏକ୍ସପିରିଆନ୍ସ ଫର ମୋବାଇଲ –ଓନଲି ଇଣ୍ଡିଆ ଏଣ୍ଡ ଭାରତ’ରେ ଦେଶରେ ଇଣ୍ଟରନେଟ ବ୍ୟବହାର ଶୈଳୀରେ ମୌଳିକତା ସଂପର୍କରେ ଆଲୋକପାତ କରାଯାଇଛି ।

ହିସାବ ଅନୁଯାୟୀ ୨୦୧୯ ସୁଦ୍ଧା ଭାରତରେ ୪ଜି ମୋବାଇଲ ନେଟୱାର୍କ ଉପଭୋକ୍ତାଙ୍କ ସଂଖ୍ୟା ୬୦ କୋଟି ଛୁଉଁଥିବା ସ୍ଥଳେ ୨୦୨୨ ସୁଦ୍ଧା ୯୦ କୋଟିରେ ପହଞ୍ଚିବା ଆକଳନ ହୋଇଥାଏ । ଏହି ସମୟସୀମାରେ ୨୦୨୦ ମଧ୍ୟଭାଗରେ ୫ଜି ବୈଷୟିକ କୌଶଳ ପ୍ରବେଶ କରିବ । ୫ଜିର ବ୍ୟାପ୍ତି ଓ ବ୍ୟବହାର ସମୟସାପେକ୍ଷବୋଲି ବିଚାର କରାଯାଇଥିଲେହେଁ ଟେଲି-ଯୋଗାଯୋଗ କ୍ଷେତ୍ରରେ ଉନ୍ନତ ବୈଷୟିକ କୌଶଳ ବ୍ୟବହାର ପାରିପାର୍ଶ୍ୱିକ ପରିବେଶରେ ସୁଦୂର ପ୍ରସାରୀ ପ୍ରଭାବ ଅନୁଭୂତ ହେବା ସ୍ୱାଭାବିକ ।

‘ଜିନୋର’ ରିପୋର୍ଟରେ ଭାରତର ଇଣ୍ଟରନେଟ ବ୍ୟବହାରରେ ତିନିଗୋଟି ମୁଖ୍ୟ ଧାରା, ପ୍ରଥମତଃ ମୋବାଇଲଭିତ୍ତିକ‘ମୋବାଇଲ-ଫାଷ୍ଟ’କଣ୍ଟେଣ୍ଟ, ଦ୍ୱିତୀୟତଃ ଭିଡ଼ିଓ ପ୍ରାଧାନ୍ୟ ଏବଂ ତୃତୀୟତଃ ଭାରତୀୟ ଭାଷା ସମୂହ ବ୍ୟବହାର ସ୍ଵତନ୍ତ୍ରତା ଦାବୀ କରିଥାଏ । ବିଶ୍ୱବ୍ୟାପୀ ଇଣ୍ଟରନେଟ ସଂଯୁକ୍ତିରେ ମୁଖ୍ୟତଃ ଡ଼େସ୍କଟପ କମ୍ପ୍ୟୁଟର ଓ ଲ୍ୟାପଟପ ବ୍ୟବହୃତ ହେଉଥିବା ସ୍ଥଳେ ଭାରତରେ ସ୍ମାର୍ଟଫୋନ ବ୍ୟବହାର ଅଧିକ । ମଧ୍ୟମବର୍ଗର ସହରାଞ୍ଚଳରେ ୮୧ ପ୍ରତିଶତ ଏବଂ କ୍ଷୁଦ୍ରବର୍ଗର ସହରାଞ୍ଚଳରେ ୮୦ ପ୍ରତିଶତ ଉପଭୋକ୍ତା ମୋବାଇଲ ବ୍ୟବହାରରେ ଇଣ୍ଟରନେଟ ମଞ୍ଚଗୁଡ଼ିକରେ ଉପସ୍ଥିତ ହୋଇଥାନ୍ତି ।

‘ଜିନୋର’ ସର୍ବେକ୍ଷଣରେ ଦେଶବ୍ୟାପୀ ପାଞ୍ଚଶହ ସ୍ମାର୍ଟଫୋନ ଉପଭୋକ୍ତାଙ୍କ ଦୈନନ୍ଦିନ ବ୍ୟବହାର ସଂପର୍କରେ ବିସ୍ତୃତ ବିବରଣୀ ସଂଗୃହୀତ ହୋଇଥିଲା । ସେଥିରୁ ଜଣାଯାଏ ଯେ ୬୮ ପ୍ରତିଶତ ଇଣ୍ଟରନେଟ ଉପଭୋକ୍ତା କୌଣସି ବିଷୟରେ ଅବଗତ ହେବା ନିମନ୍ତେ ପାଠ୍ୟ ବଦଳରେ ଚ଼ିତ୍ର‘ଭିଡ଼ିଓ’ ପସନ୍ଦ କରିଥାନ୍ତି । ସେହିପରି ଇଂଲିଶ ବା ହିନ୍ଦି ବଦଳରେ ୭୦ ପ୍ରତିଶତ ଉପଭୋକ୍ତା ଆଞ୍ଚଳିକ ଭାଷାଗୁଡ଼ିକରେ ପାଠ୍ୟ ଓ ଭିଡ଼ିଓ ପଢ଼ିବା ଓ ଦେଖିବା ନିମନ୍ତେ ଆଗ୍ରହୀ ।

ମୋବାଇଲ ଇଣ୍ଟରନେଟ ଲୋକପ୍ରିୟତାର ଅନ୍ୟ ଏକ ପରିସଂଖ୍ୟାନରେ ୮୦ ପ୍ରତିଶତ ଉପଭୋକ୍ତା ପ୍ରତ୍ୟେହ ପ୍ରଭାତରେ ଶଯ୍ୟାତ୍ୟାଗ କରିବା ପରେ ପ୍ରଥମେ ସ୍ମାର୍ଟଫୋନରେନୋଟିଫିକେସନ ତନଖି କରୁଥିବା ସ୍ୱୀକାର କରିଥିବା ଜଣାଯାଏ । ଏହି ଉଦାହରଣରୁ ସାଧାରଣ ଜନଜୀବନରେ ମୋବାଇଲ ପର୍ଦ୍ଦାର ଗଭୀର ସଂପୃକ୍ତି ପ୍ରମାଣିତ । ୨୦୧୭ ଓ ୧୮ ଦୁଇ ବର୍ଷ ମଧ୍ୟରେ ଭିଡ଼ିଓ ମଞ୍ଚ ‘ୟୁ-ଟ୍ୟୁବ’ ଓ ‘ଟିକଟକ’ରେ ଭାରତୀୟ ଭାଷା ସମୂହର ବ୍ୟବହାର ଲୋକପ୍ରିୟତା ବହୁ ଗୁଣରେ ବୃଦ୍ଧି ପାଇବାର ମୁଖ୍ୟକାରଣ ରୂପେ ଚ଼ିହ୍ନଟ କରାଯାଏ । ସେହିପରି ‘ହେଲୋ’ ଓ ‘ଗ୍ଳେନ୍ସ’ଆପଗୁଡ଼ିକରେ ସ୍ଥାନୀୟ ଭିଡ଼ିଓ ଓ ଭାଷା ସମୂହକୁ ପ୍ରାଧାନ୍ୟ ଦେଉଥିବା ହେତୁ ବ୍ୟାପକ ଉପଭୋକ୍ତା ସୃଷ୍ଟି ଆଶା କରାଯାଏ ।

ମୋବାଇଲ ପର୍ଦ୍ଦାରେ ଭିଡ଼ିଓ ପ୍ରଦର୍ଶନ ଓ ଭାରତୀୟ ଭାଷା ବ୍ୟବହାର ଆଞ୍ଚଳିକ ଭାଷାଗୁଡ଼ିକ ନିମନ୍ତେ ଏକ ପକ୍ଷରେ ଭାଷା, ସାହିତ୍ୟ ଓ ସଂସ୍କୃତିର ବ୍ୟାପକ ପ୍ରସାର ନିମନ୍ତେ ସୁଯୋଗ ପ୍ରସ୍ତୁତି କରୁଥିବାସ୍ଥଳେ ସେଗୁଡ଼ିକର ଗୁଣବତ୍ତା ବିକାଶ ଦିଗରେ ମଧ୍ୟ ଆହ୍ୱାନ ସୃଷ୍ଟି କରିବାରେ ଲାଗିଛି । ଲିଖିତ ଭାଷାର ବ୍ୟବହାର ପରକୁ ମୁଦ୍ରଣ ଯନ୍ତ୍ରର ବିକାଶ ଭାରତୀୟ ଭାଷାଗୁଡ଼ିକ ନିମନ୍ତେ ଅନୁରୂପ ପରିବେଶକୁ ଟାଣି ନେଇଥିଲା । ଊନବିଂଶ ଶତାଦ୍ଦୀର ସପ୍ତମ ଦଶକରେ ନଅଙ୍କ ଦୁର୍ଭିକ୍ଷ ପରବର୍ତ୍ତୀ ଅବସ୍ଥାରେ ବ୍ରିଟିଶ ପ୍ରଶାସନ ପକ୍ଷରୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଆଧୁନିକ ବିଦ୍ୟାଳୟ ଶିକ୍ଷା ପ୍ରଚଳନ ଅବସରରେ ଓଡ଼ିଆ ଭାଷାରେ ମୁଦ୍ରିତ ପୁସ୍ତକ ଅଭାବ ହେତୁ ପ୍ରତିବେଶୀ ଆଞ୍ଚଳିକ ଭାଷାଗୁଡ଼ିକରେ ଶିକ୍ଷାଦାନ ନିମନ୍ତେ ପ୍ରସ୍ତାବ ଚର୍ଚ୍ଚିତ ହୋଇଥିଲା । ତେବେ କେତେକ ପ୍ରତିଭାଧରଙ୍କଉଦ୍ୟମକ୍ରମେ ଓଡ଼ିଆ ଭାଷାରେ ପାଠ୍ୟ ପୁସ୍ତକ ରଚନା ଓ ମୁଦ୍ରଣ ହୋଇପାରିବା ହେତୁ ସେଭଳି ଏକ ସଂକଟ ଟଳିଥିଲା ।

ତଥାକଥିତ ‘ଓଡ଼ିଆ ଭାଷା ବିଲୋପ ଆନ୍ଦୋଳନ’ପର ଅଢ଼େଇ ଶହ ବର୍ଷପରେ ଓଡ଼ିଆ ଭାଷାରେ ବର୍ଷକୁ ୫୦୦ ଯାଏଁ ପୁସ୍ତକ ମୁଦ୍ରିତ ହେଉଛି ସତ, ତେବେ ଅଧିକାଂଶର ମୁଦ୍ରଣ ସୀମା ୫୦୦ ରୁ କମ ଏବଂ ପାଠକ ସୀମା ପ୍ରତ୍ୟେକ ପୁସ୍ତକ ପିଛା ଦୁଇ ତିନି ବର୍ଷରେ ହଜାରରୁ ଅଧିକ ଟପୁ ନଥିବା ଆକଳନ କରାଯାଏ । ଏହି ପରିବେଶରେ ରାଜ୍ୟରେସ୍ମାର୍ଟଫୋନ ଉପଭୋକ୍ତା ଯଦି ପ୍ରଭାତରେ ଶଯ୍ୟାତ୍ୟାଗକରିବାପରେ ଓଡ଼ିଆ ଭାଷାରେ ଭିଡ଼ିଓ ଖୋଜିବେ ଏବଂ ନିରାଶ ହେବେ, ତେବେ କ’ଣ କରିବେ ?ସ୍ୱାଭାବିକଭାବେ ଓଡ଼ିଆ ଭିନ୍ନ ଅନ୍ୟଭାଷା ପ୍ରତି ଆଗ୍ରହାନ୍ଵିତ ହେବେ ନାହିଁ କି ?

ଦର୍ଶକ ମହଲରେ ସର୍ବାଧିକ ଲୋକପ୍ରିୟ ୟୁ-ଟ୍ୟୁବ ମଞ୍ଚ ତନଖିଲେ ନିକଟ ଅତୀତରେ କିଛି ମାତ୍ରାରେ ଓଡ଼ିଆ ଭିଡ଼ିଓ ପ୍ରଦର୍ଶିତ ହେଉଥିବା ଜଣାଯାଏ । ତେବେ ଅଧିକାଂଶର ମାନ ଉନ୍ନତ ନୁହେଁ । ଉନ୍ମେଷ କାଳରୁ ଯଦି ଓଡ଼ିଆ ଭିଡ଼ିଓ ନିମ୍ନମୁଖୀ ହେବ ତେବେ ଭବିଷ୍ୟତ ସଙ୍କଟପନ୍ନ । ଏପରିକି ପ୍ରତିଷ୍ଠିତ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକର ୱେବ ପୋର୍ଟାଲଗୁଡ଼ିକ ଦର୍ଶକଙ୍କୁ ଆକୃଷ୍ଟ କରିବା ନିମନ୍ତେ ନିକୃଷ୍ଟ ଧରଣର ଚାଞ୍ଚଲ୍ୟକରସମ୍ୱାଦଗୁଡ଼ିକର ଲିଙ୍କ ବିଜ୍ଞାପିତ କରୁଥିବା ଦେଖାଯାଏ । ଏହାର ମୁଖ୍ୟ କାରଣ ହେଲା ଉନ୍ନତମାନର ପ୍ରକାଶନ ନିମନ୍ତେ ସମ୍ୱଳ ଅଭାବ ।

ଅଢେଇ ଶହ ବର୍ଷ ତଳେ ମଧ୍ୟ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ନବ ପ୍ରତିଷ୍ଠିତ ବିଦ୍ୟାଳୟଗୁଡ଼ିକରେ ଓଡ଼ିଆ ବଦଳରେ ପ୍ରତିବେଶୀ ଭାଷାରେ ଶିକ୍ଷାଦାନ ଅବସ୍ଥାରେ ସେହି ପ୍ରଶ୍ନ ଉଠିଥିଲା । ମୁଦ୍ରଣ ଶିଳ୍ପ ବ୍ୟୟବହୁଳ ହୋଇଥିବା ତଥା ଭାଷାଭାଷୀ ସଂଖ୍ୟା କମ ଥିବା ହେତୁ ଅଧିକ ସଂଖ୍ୟକ ଓଡ଼ିଆ ପୁସ୍ତକ ପ୍ରକାଶିତ ହୋଇପାରିବ ନାହିଁ ଯାହାଫଳରେ ଶୈକ୍ଷିକ ପରିବେଶ ପ୍ରତିହତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା । ସାଂପ୍ରତିକ ପରିବେଶରେ ମଧ୍ୟ କ’ଣ ଏହି ସମସ୍ୟାର ସମାଧାନ ସଂଭବପର ନୁହଁ ?

ଇଣ୍ଟରନେଟର ବିସ୍ତୃତି ପରେ ବିକଶିତ ରାଷ୍ଟ୍ରଗୁଡ଼ିକରେ ମୁଦ୍ରଣ ଶିଳ୍ପ ସଂକଟଜନକ ପରିସ୍ଥିତିରେ ଉପନୀତ ହେବାପରେ ବଦାନ୍ୟତା ‘ଫିଲୋନ୍ଥ୍ରପି’ଅବଲମ୍ୱନରେ ତିଷ୍ଠି ରହିଛି । ଇଣ୍ଟରନେଟରେ ବିଜ୍ଞାପନ ଆଶ୍ରିତ ପ୍ରକାଶନ ମଡ଼େଲ କାମ କରୁନାହିଁ । ଫେସବୁକ ଓ ଗୁଗୁଲ ୮୦ ଭାଗ ବିଜ୍ଞାପନ ଆୟ ନେଇଯାଉଥିବା ସ୍ଥଳେ ବିଶ୍ୱର ଅନ୍ୟ ସମସ୍ତଙ୍କ ଭାଗରେ ୨୦ ପ୍ରତିଶତ ଡିଜିଟାଲ ବିଜ୍ଞାପନ ଉପଲବ୍ଧ । ତେଣୁ ଅନଲାଇନପ୍ରକାଶନଗୁଡ଼ିକ ବଦାନ୍ୟତାରେ ଗଢ଼ି ଉଠୁଛନ୍ତି । ଓଡ଼ିଆ ଭାଷାରେ ମଧ୍ୟ ସେଦିଗରେ ଉଦ୍ୟମ ଜରୁରୀ ।

ଓଡ଼ିଶାରେ ଗଣମାଧ୍ୟମ ଉନ୍ମେଷ କାଳରୁ ପ୍ରକାଶନ ଶିଳ୍ପ ପରିଚାଳନା କ୍ଷେତ୍ରରେ ବଦାନ୍ୟତା ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଆସିଛି । ସ୍ୱାଧୀନତା ପୂର୍ବବର୍ତ୍ତୀ ଅବସ୍ଥାରେ ରାଜାରାଜୁଡ଼ାଙ୍କ ଦାନ ସ୍ୱାଧୀନତା ପରବର୍ତ୍ତୀ ଅବସ୍ଥାରେ ରାଜନେତା ଓ ଶିଳ୍ପପତିଙ୍କ ବଦାନ୍ୟତାରେ ପରିବର୍ତ୍ତିତ ହୋଇଛି । ତେବେ ରାଜନୀତିକ ମାଲିକାନାର ପ୍ରଭାବ ସ୍ଵାଧୀନ ସାମ୍ୱାଦିକତାର ପରିପନ୍ଥୀ ସାବ୍ୟସ୍ତ ହେବାରେ ଲାଗିଛି । ଏହି ଅବସରରେ ବ୍ରିଟେନର ‘ଗାର୍ଡ଼ିଆନ’ଭଳିମଡ଼େଲରେ ସ୍ଥାନୀୟ ଗଣମାଧ୍ୟମ ଯଦି ସର୍ବସାଧାରଣଙ୍କଠାରୁ ବଦାନ୍ୟତା ସଂଗ୍ରହର ବ୍ୟବସ୍ଥା କରିପାରିବେ ତେବେ ସାମ୍ୱାଦିକତାର ଗୁଣାତ୍ମକ ବିକାଶରେ ସହାୟକ ହୋଇପାରିବ ।

ଓଡ଼ିଶାରେ ପ୍ରତିଭାର ଅଭାବ ନାହିଁ । ଅଣବିକଶିତ ଅର୍ଥନୀତିରେ ପ୍ରତିଭାଧରମାନେଗୋଷ୍ଠୀଗତଭାବେ କୌଣସି ସ୍ୱାଧୀନ ବ୍ୟବସାୟରେ ମନୋନିବେଶ ନକରି ନିଯୁକ୍ତି ଆଶ୍ରିତ ହୋଇପଡୁଥିବା ହେତୁ ସେମାନଙ୍କ ବ୍ୟକ୍ତିଗତ ସୃଜନ, ଆର୍ଥିକ ଜୀବନ ଓ ସର୍ବୋପରି ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ପରିପୁଷ୍ଟ ହୋଇପାରୁ ନାହିଁ ।

ଅପରପକ୍ଷେ ସୃଜନ କେବେ ହେଁ ଚାଞ୍ଚଲ୍ୟକୁ ପାଥେୟ କରି ଯେ ସଫଳତା ହାସଲ କରିପାରେ ନାହିଁ ଏହା ଗଣମାଧ୍ୟମର ଇତିହାସରୁ ସୁସ୍ୱଷ୍ଟଏବଂ ଏକଥା ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ଗଣମାଧ୍ୟମରେ ସଂପୃକ୍ତ ପ୍ରତିଭାମାନେ ଉପଲବ୍ଧ କରିବା ଆବଶ୍ୟକ । ଯେତେ କ୍ଷୁଦ୍ର ପରିସରରେ ହେଲେ ହେଁ ଗୁଣାତ୍ମକ ବିକାଶ ହିଁ ବ୍ୟକ୍ତିଗତ ଓ ସାମୂହିକସ୍ତରରେ ଉନ୍ନତିର ବାହକ ଏହି ସଚ଼େତନତା ପ୍ରସାର ଜରୁରୀ । 

Related Post