ଆଜିର ଖାସ ଖବର
Sat. Oct 24th, 2026

ସମ୍ୱାଦ ଓ ଅଭିମତ ସମ୍ପାଦନା

By Dainikasha Jul12,2024

ମୁଦ୍ରିତ ସମ୍ୱାଦ ମଞ୍ଚର ଉନ୍ମେଷରେ ୟୁରୋପୀୟ ପୁର୍ନଜାଗରଣ ଅବସରରେ ଆଧୁନିକ ଗଣମାଧ୍ୟମ ଧାରା ବିକଶିତ ହୋଇଥିଲା । ମୁଦ୍ରଣ ଯନ୍ତ୍ର ପ୍ରଚଳନରେ କାଗଜରେ ପାଠ୍ୟ ଓ ଚ଼ିତ୍ର ସର୍ବସାଧାରଣରେ ବିତରଣ ପ୍ରକ୍ରିୟା ସ୍ଥାନୀୟ ପ୍ରଶାସନ, ବାଣିଜ୍ୟ, ସ୍ୱାସ୍ଥ୍ୟ, ଶିକ୍ଷା ଓ ମନୋରଞ୍ଜନ ବିଭିନ୍ନ ସାମାଜିକ କ୍ଷେତ୍ରରେ ପ୍ରଭାବ ବିସ୍ତାର କରିଥିଲା । ଶିଶା-ଅକ୍ଷର ଯୋଗେ ମୁଦ୍ରଣ କଳାକୌଶଳ ଉଦ୍ଭାବନ ହେବା ପରେ ବିଶ୍ୱବ୍ୟାପୀ ପ୍ରସାର ନିମନ୍ତେ ଦୁଇ ଶହ ବର୍ଷ ଆବଶ୍ୟକ ପଡିଥିଲା ଏବଂ ପ୍ରଥମ ବିଶ୍ୱଯୁଦ୍ଧ ଶେଷରେ ରେଡ଼ିଓ ତଥା ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷରେ ଟେଲିଭିଜନ ପ୍ରସାର ବ୍ୟାପ୍ତି ଯାଏଁ ତିନିଶହ ବର୍ଷ ଧରି ଗଣମାଧ୍ୟମରେ ପ୍ରଭୁତ୍ୱ ବଜାୟ ରଖିଥିଲା ।

ମୁଦ୍ରିତ ସମ୍ୱାଦ ମଞ୍ଚରେ ସମ୍ୱାଦ, ଅଭିମତ ଓ ବିଜ୍ଞାପନ ପ୍ରକାଶନ କାଳରେ ମୂଳରୁ ସମ୍ପାଦନାର ଗୁରୁତ୍ୱ ଉପଲବ୍ଧି କରାଯାଇଥିଲା । ସମ୍ୱାଦପତ୍ର ପ୍ରକାଶନ-ପୂର୍ବ ଅବସ୍ଥାରେ ୟୁରୋପ ଓ ବ୍ରିଟେନରେ ସମ୍ୱାଦ ପୁସ୍ତିକା ‘ନିଉଜ ବୁକ୍ସ’ ଲୋକପ୍ରିୟତା ହାସଲ କରିଥିଲା । ନିଉଜ ବୁକ୍ସରେ ପ୍ରାଥମିକ ପର୍ଯ୍ୟାୟରେ ଗୋଟିଏ ଘଟଣାର ବିଶଦ ବିବରଣୀ ପ୍ରକାଶିତ ହେଉଥିବା ସ୍ଥଳେ ପରବର୍ତ୍ତୀ ପର୍ଯ୍ୟାୟରେ ଏକାଧିକ ବିବରଣୀ ଏକତ୍ର ସ୍ଥାନିତ ହେବା ଧାରା କ୍ରମଶଃ ସମ୍ୱାଦପତ୍ର ପୃଷ୍ଠା ‘ବ୍ରଡ଼ସିଟ’ରେ ପରିଣତ ହୋଇଥିଲା ।

ନିଉଜ ବୁକ୍ସରେ ମୁଖ୍ୟତଃ ଚାଞ୍ଚଲ୍ୟକର ଗୁଜବ ପ୍ରକାଶନକୁ ପ୍ରାଧାନ୍ୟ ଦିଆଯାଉଥିଲା । କ୍ରମଶଃ ରାଜପରିବାରଙ୍କ ବ୍ୟକ୍ତିଗତ ଘଟଣାବଳୀ ମଧ୍ୟ ଚର୍ଚ୍ଚିତ ହେବାରେ ଲାଗିଥିଲା । ଏକ ଘଟଣାକ୍ରମରେ ଜଣେ ୟୁରୋପୀୟ ରାଜପରିବାରଙ୍କ ଅଭିଯୋଗକ୍ରମେ ବ୍ରିଟେନରେ ‘ଷ୍ଟାର ଚ଼େମ୍ୱର’ ନାମିତ ମୁଦ୍ରଣ-ପୂର୍ବ ଯାଞ୍ଚ ବ୍ୟବସ୍ଥା ଲାଗୁ କରାଯାଇଥିଲା । ଫଳରେ ଯେକୌଣସି ବିଷୟ ମୁଦ୍ରିତ ହେବା ପୂର୍ବରୁ ରାଜ-ମୁଦ୍ରଣାଳୟ ‘ଷ୍ଟେସନାରୀ କମ୍ପାନୀ’ ନିକଟରେ ଉପସ୍ଥାପନ କରି ଅନୁମତି ନେବାକୁ ପଡୁଥିଲା । ଗଣମାଧ୍ୟମ ଉପଯୋଗ କ୍ଷେତ୍ରରେ ଏହାକୁ ଅନ୍ୟତମ ପ୍ରାଚୀନତମ ଆଇନ ବିଚାର କରାଯାଏ ।

ପ୍ରଶ୍ନ ଉଠେ ‘ଷ୍ଟାର ଚେମ୍ୱର’ ମାଧ୍ୟମରେ ପ୍ରକାଶନ-ପୂର୍ବ ଯାଞ୍ଚ ବ୍ୟବସ୍ଥା ଆବଶ୍ୟକତା ଥିଲା କି ? ସର୍ବସାଧାରଣରେ ବୈଦେଶିକ ବନ୍ଧୁ ରାଷ୍ଟ୍ରର ରାଜପରିବାରଙ୍କୁ ନିନ୍ଦିତ କରିବା ଯେ ଅରୁଚ଼ିକର ଏଥିରେ କେହି ଅସମ୍ମତ୍ତ ହେବେ ନାହିଁ । କିନ୍ତୁ ‘ଷ୍ଟାର ଚେମ୍ୱର’ ପ୍ରଚଳନ ଫଳରେ ଗଣମାଧ୍ୟମର ପ୍ରସାର ପ୍ରତିହତ ହୋଇଥିଲା ଏବଂ କିଛି କାଳପରେ ଆଇନଟି ପ୍ରତ୍ୟାହାର କରିନେବାପରେ ବ୍ରିଟେନରେ ସାମ୍ୱାଦିକତାର କ୍ରମବିକାଶ ଘଟିଥିଲା । ଏହି ଉଦାହରଣରୁ ସୁସ୍ପଷ୍ଟ ଯେ ପ୍ରଥମରେ ସମ୍ୱାଦ ମଞ୍ଚରେ ସମ୍ୱାଦ, ଅଭିମତ ଓ ବିଜ୍ଞାପନ ପ୍ରକାଶନରେ ସଂଯମ ଆବଶ୍ୟକ । ଦ୍ୱିତୀୟରେ ସାମ୍ୱାଦିକତା ଉଚ୍ଛୃଙ୍ଖଳ ହେଲେ ପ୍ରଶାସନିକ କଟକଣା ଆପାତତଃ ଲାଗୁ ହୋଇଥାଏ । ତୃତୀୟରେ ଯେକୌଣସି ଧରଣର କଟକଣା ସମ୍ୱାଦିକତାରେ ମୁକ୍ତ ପ୍ରସାରରେ କଣ୍ଟକ ସାଜିଥାଏ ।

ସମ୍ୱାଦ ମଞ୍ଚ ପରିଚାଳନା ନିମନ୍ତେ ଅଭିଜ୍ଞ ଓ ବୃତ୍ତିଧାରୀ ସମ୍ପାଦକମାନେ ନିଯୁକ୍ତ ହୋଇଥାନ୍ତି । ସମ୍ୱାଦର ସତ୍ୟତା ପରଖିବା, ଗୁଣବତ୍ତା ବିକାଶ ଏବଂ ସାମାଜିକ ପ୍ରଭାବକୁ ନିୟନ୍ତ୍ରଣ କରିବା ସମ୍ପାଦକ ମଣ୍ଡଳୀଙ୍କ ଦାୟିତ୍ୱ । ମୁଦ୍ରିତ ସମ୍ୱାଦ ମଞ୍ଚରେ କ୍ରମବିକଶିତ ଏହି ଧାରା ରେଡ଼ିଓ, ଟେଲିଭିଜନ ଓ ଡିଜିଟାଲ ସମ୍ୱାଦ ମଞ୍ଚରେ ସମଭାବେ ପ୍ରତିଫଳିତ । ବିକଶିତ ରାଷ୍ଟ୍ରଗୁଡ଼ିକରେ ସାମ୍ୱାଦିକତାର ଗୁଣବତ୍ତା ସୁରକ୍ଷା ନିମନ୍ତେ ବୃତ୍ତିଗତ ସଂଗଠନଗୁଡ଼ିକ ପକ୍ଷରୁ ଉଦ୍ୟମ ହୋଇଥାଏ । ଭାରତରେ ମଧ୍ୟ ଟେଲିଭିଜନ ସମ୍ୱାଦ ମଞ୍ଚ କ୍ଷେତ୍ରରେ ଏଭଳି ବୃତ୍ତିଗତ ସଂଗଠନ ଦାୟିତ୍ୱ ସଂଭାଳୁଥିବା ସ୍ଥଳେ ଡିଜିଟାଲ ସମ୍ୱାଦ ମଞ୍ଚ ନିମନ୍ତେ ଆୟୋଜନ ପ୍ରାଥମିକ ପର୍ଯ୍ୟାୟରେ ରହିଛି । ସମ୍ୱାଦମଞ୍ଚଗୁଡ଼ିକ ଆତ୍ମନିୟନ୍ତ୍ରଣରେ ପରାକାଷ୍ଠା ପ୍ରଦର୍ଶନ କରିପାରିଲେ ପ୍ରଶାସନିକ ହସ୍ତକ୍ଷେପକୁ ରୋକାଯାଇପାରିବ ବୋଲି ବିଶ୍ୱାସ କରାଯାଏ ।

ଏହି ପୃଷ୍ଠଭୂମିରେ ୨୦୨୨ ଜୁନ ପ୍ରଥମ ସପ୍ତାହରେ ଏକ ଭାରତୀୟ ଇଂଲିଶ ଟେଲିଭିଜନ ଚ୍ୟାନେଲରେ ବିତର୍କ ‘ଡ଼ିବେଟ’ ସଂପର୍କୀତ ଅଭିମତ କାର୍ଯ୍ୟକ୍ରମରେ ଜଣେ ନିର୍ଦ୍ଦିଷ୍ଟ ଧର୍ମଗୁରୁଙ୍କ ସଂପର୍କରେ ରାଜନୀତିକ ଦଳର ମୁଖପାତ୍ରଙ୍କ ଟିପ୍ପଣୀକୁ ନେଇ ଦେଶ-ବିଦେଶରେ ଅସନ୍ତୋଷ ପ୍ରକାଶ ବିଚାର୍ଯ୍ୟ । ଏହି ଉଦାହରଣରେ କେତେଗୋଟି ଦିଗ ଗଣମାଧ୍ୟମ ସମୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ପ୍ରଥମତଃ, ଯଦି ବିତର୍କଟି ‘ଲାଇଭ ଡ଼ିବେଟ’ ହୋଇଥାଏ ତେବେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ନିମନ୍ତ୍ରିତ ବ୍ୟକ୍ତିବିଶେଷ କ’ଣ କହିବେ ସେ ସଂପର୍କରେ କାର୍ଯ୍ୟକ୍ରମ ସମ୍ପାଦକ ଅଜ୍ଞ । ଦ୍ୱିତୀୟତଃ, ଲାଇଭ ଡ଼ିବେଟରେ ସମ୍ପାଦକଙ୍କୁ ଅନଲାଇନରେ ତତକ୍ଷଣାତ କୌଣସି ମନ୍ତବ୍ୟ ବାଦ ଦେବା ‘ଡ଼ିଲିଟ’ ନିମନ୍ତେ ସୁଯୋଗ ସୁବିଧା ସୀମିତ । ତୃତୀୟତଃ, ବିତର୍କ କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀମାନେ ନିଜ ଅଭିମତରେ ବଦ୍ଧପରିକର ଏବଂ ସେଥିରେ ସମ୍ପାଦନାକୁ ସହଜରେ ଗ୍ରହଣ କରିପାରନ୍ତି ନାହିଁ ।

ଅପରପକ୍ଷେ ଆଲୋଚ୍ୟ ଘଟଣାକ୍ରମରେ ବିତର୍କରେ ଅଂଶଗ୍ରହଣ କରିଥିବା ବ୍ୟକ୍ତିବିଶେଷ ନିଜ ମନ୍ତବ୍ୟ ନିମନ୍ତେ କ୍ଷମାପ୍ରାର୍ଥନା କରିବା ଓ କାହାରିପ୍ରତି ଅସମ୍ମାନ ପ୍ରଦର୍ଶନର ଅଭିପ୍ରାୟ ନଥିବା ସ୍ୱୀକାର କରି କୈଫିୟତ ଦେବା ତଥା ସଂପୃକ୍ତ ମୁଖପାତ୍ରଙ୍କ ଆଚ଼ରଣ ନିମନ୍ତେ ତାଙ୍କୁ ରାଜନୀତିକ ଦଳରୁ ନିଳମ୍ୱିତ କରାଯାଇଥିବା ସତ୍ତ୍ୱେ ବିବାଦର ଅନ୍ତ ଘଟୁନାହିଁ । ପ୍ରତିବାଦର ସ୍ୱର ସୀମାପାର ହେବା ଅବସରରେ ବାଣିଜ୍ୟ-ବ୍ୟବସାୟ ଓ ଦେଶାନ୍ତର ଶ୍ରମିକଙ୍କ ଉପରେ ନକାରାତ୍ମକ ପ୍ରଭାବ ଆଶଙ୍କା କରାଯାଉଛି । ଏକ ଟେଲିଭିଜନ ବିତର୍କକୁ କେନ୍ଦ୍ରକରି ଏ ଧରଣର ସାମାଜିକ ବିଶୃଙ୍ଖଳା ଓ ଅର୍ଥନୀତିକ ବିପର୍ଯ୍ୟୟକୁ ସହଜରେ ଗ୍ରହଣ କରିହେଉନାହିଁ ।

ଆଲୋଚ୍ୟ ଘଟଣାକୁ ନେଇ ‘ଦି ଏଡିଟରସ ଗିଲଡ଼ ଅଫ ଇଣ୍ଡିଆ’ ପକ୍ଷରୁ ଗଭୀର ଉଦବେଗ ପ୍ରକାଶ ପାଇଥିଲା । ଏକ ଲିଖିତ ବକ୍ତବ୍ୟରେ କେତେକ ଜାତୀୟ ଟେଲିଭିଜନ ଚ୍ୟାନେଲ ପକ୍ଷରୁ ଉଦ୍ଦେଶ୍ୟମୂଳକଭାବେ ଉତ୍ତେଜନା ସୃଷ୍ଟି ନିମନ୍ତେ ଉଦ୍ୟମ ଅଭିଯୋଗ କରାଯାଇଥିଲା । ଗିଲଡ଼ର ସଭାପତି, ସମ୍ପାଦକ ଓ କୋଷାଧ୍ୟକ୍ଷକଙ୍କ ମିଳିତ ସ୍ୱାକ୍ଷରଥିବା ଦଲିଲରେ କେତେକ ଟେଲିଭିଜନ ଚ୍ୟାନେଲଙ୍କ ଦର୍ଶକ ସଂଖ୍ୟା ବୃଦ୍ଧି ଓ ତତ୍ ଜନିତ ଆର୍ଥିକ ଲାଭକୁ ଦୃଷ୍ଟିରେ ରଖି ମନ୍ଦ ଅଭ୍ୟାସକୁ ‘ରେଡ଼ିଓ ରାୱାଣ୍ଡା’ ସହ ତୁଳନା କରି ତାଚ୍ଛଲ୍ୟ କରିଥିଲେ ।

‘ରେଡ଼ିଓ ରାୱାଣ୍ଡା’ ଉଦାହରଣ ଗଣମାଧ୍ୟମ ନିୟୋଜନରେ ସାମାଜିକ ବିଶୃଙ୍ଖଳାକୁ ବୁଝାଇଥାଏ । ସରକାରୀ ପରିଚାଳିତ ‘ରେଡ଼ିଓ ରାୱାଣ୍ଡା’ ଏବଂ ଶାସକ ଦଳ ପ୍ରୋତ୍ସାହିତ ଘରୋଇ ‘ଆରଟି ଏଲଏମ’ ନାମକ ଦୁଇଗୋଟି ରେଡ଼ିଓ ପ୍ରସାରକ ୧୯୯୩ ଓ ୧୯୯୪ରେ ଆଫ୍ରିକୀୟ ରାଷ୍ଟ୍ର ରାୱଣ୍ଡାରେ ସଂଖ୍ୟାଲଘୁ ସମ୍ପ୍ରଦାୟ ବିରୋଧରେ ବିଷୋଦଗାର ହେତୁ ସଂଗଠିତ ନରସଂହାରରେ ଆଠ ଲକ୍ଷ ନିହତ ହୋଇଥିଲେ । ଗଣମାଧ୍ୟମର ନକାରାତ୍ମକ ଇତିହାସରେ ଏହି ଉଦାହରଣର ପଟାନ୍ତର ନାହିଁ ।

ସମ୍ୱାଦ ଓ ଅଭିମତ ସଂଶୋଧନ ନିମନ୍ତେ ପାରମ୍ପରିକ ଗଣମାଧ୍ୟମରେ ପ୍ରଶସ୍ତ କ୍ଷେତ୍ର ଉନ୍ମୁକ୍ତ । ଏହି କାର୍ଯ୍ୟ ସମ୍ପାଦନ ନିମନ୍ତେ ବୃତ୍ତିଧାରୀମାନେ ନିୟୋଜିତ । ଅନ୍ୟପକ୍ଷେ ଏକବିଂଶ ଶତାଦ୍ଦୀ ଆରମ୍ଭରୁ ସୋସିଆଲ ମିଡ଼ିଆର ବ୍ୟାପ୍ତି ସମ୍ୱାଦ, ଅଭିମତ ଓ ବିଜ୍ଞାପନ ବିତରଣ କ୍ଷେତ୍ରରେ ମଧ୍ୟସ୍ଥି ସମ୍ପାଦକ ଓ ପ୍ରକାଶକଙ୍କ ଭୂମିକା ବିଲୋପ କରୁଥିବା ତଥା ସମ୍ୱାଦ ପ୍ରସାରଣରରେ ଯାନ୍ତ୍ରିକ ପଦ୍ଧତି ଉପଯୋଗ ବିକାଶ ହେତୁ ସମାଜରେ ଚ଼ରମପନ୍ଥୀ ‘ପୋଲାରାଇଜେସେନ’ ସଂସ୍କୃତି ସାମାଜିକ ବିପତ୍ତିର କାରଣ ପାଲଟିଲାଣି । ଏହି ଘଡ଼ିସନ୍ଧି କାଳରେ ଗଣମାଧ୍ୟମରେ ଆତ୍ମ-ନିୟନ୍ତ୍ରଣ ସର୍ବାପେକ୍ଷା ଶ୍ରେୟସ୍କର ବିଚାର କରାଯାଉଥିବା ସ୍ଥଳେ ଆତ୍ମ-ନିୟନ୍ତ୍ରଣ ଶୃଙ୍ଖଳାକୁ ଶକ୍ତିଶାଳୀ କରିବାକୁ ଉଦ୍ୟମ ସମୟର ଆହ୍ୱାନ ।

ଭାରତରେ ୨୦୨୨ ସୁଦ୍ଧା ଟେଲିଭିଜନ ମଞ୍ଚ ସମ୍ୱାଦ ବିତରଣରେ ପ୍ରମୁଖ ସ୍ଥାନ ଅଧିକାର କରୁଥିବା କାରଣରୁ ପ୍ରଥମତଃ, ଲୋକପ୍ରିୟ ଟେଲିଭିଜନ ଅଭିମତ ସମ୍ୱଳିତ ବିତର୍କଗୁଡ଼ିକ ଚଳନ୍ତି ପ୍ରସାରଣ ‘ଲାଇଭ ବ୍ରଡ଼କାଷ୍ଟ’ ବଦଳରେ ପୂର୍ବ-ପ୍ରସ୍ତୁତ ପ୍ରସାରଣ ‘ରେକର୍ଡଡ ବ୍ରଡ଼କାଷ୍ଟ’ରେ ରୂପାନ୍ତରିତ ହେଲେ ସମ୍ପାଦନା ନିମନ୍ତେ ସୁଯୋଗ ସୁବିଧା ସୃଷ୍ଟି କରାଯାଇପାରେ । ଦ୍ୱିତୀୟତଃ, ଗଣମାଧ୍ୟମରେ ପ୍ରକାଶିତ କାର୍ଯ୍ୟକ୍ରମର ଗୁଣବତ୍ତା ସମୀକ୍ଷା ନିମନ୍ତେ ବୃତ୍ତିଗତ ସଂଗଠନ ଓ ନାଗରିକ ସମାଜ ପକ୍ଷରୁ ରୀତିମତ ଉଦ୍ୟମ ହେବା ଆବଶ୍ୟକ । ଏଥିନିମନ୍ତେ ସରକାରୀ ଓ ବେସରକାରୀସ୍ତରରେ ନିବେଶ କରାଯାଇପାରେ । ତୃତୀୟତଃ, ସାମ୍ୱାଦିକତାରେ ଗୁଣାତ୍ମକ ବିକାଶ ନିମନ୍ତେ ସମୟାନ୍ତେ ପ୍ରତ୍ୟେକ ସମ୍ୱାଦ-କର୍ମୀ ତାଲିମ ଆବଶ୍ୟକ କରନ୍ତି । ପରିବର୍ତ୍ତିତ ଗଣମାଧ୍ୟମ ପରିବେଶରେ ଦଶ-କୋଡ଼ିଏ ବର୍ଷ ପୂର୍ବେ ଶିଖିଥିବା କଳାକୌଶଳ ଉପଯୋଗରେ ସାମ୍ୱାଦିକତାର ଉତ୍କର୍ଷ ବିକାଶ ଅସଂଭବ । ଏଦିଗରେ ସମ୍ୱାଦ ମଞ୍ଚ, ବୃତ୍ତିଗତ ସଂଗଠନ ଓ ଶିକ୍ଷାନୁଷ୍ଠାନ ଗୁଡ଼ିକ ପକ୍ଷରୁ କାର୍ଯ୍ୟକ୍ରମ ପ୍ରଯୋଜନା କରାଗଲେ ବହୁ ବିଶୃଙ୍ଖଳାର ସମାଧାନ ଯେ ସଂଭବ ଏଥିରେ ସନ୍ଦେହ ନାହିଁ । 

Related Post