ଆଜିର ଖାସ ଖବର
Sat. May 30th, 2026

ସମ୍ୱାଦ ପରିବେଷଣରେ ଗୁଣାତ୍ମକ ବିକାଶ

By Dainikasha Jul12,2024

ପରିବର୍ତ୍ତିତ ଗଣମାଧ୍ୟମ ପରିବେଶରେ ସମ୍ୱାଦ ମଞ୍ଚଗୁଡ଼ିକର ଭିଡ଼, ମୁଖ୍ୟତଃ ସୋସିଆଲ ମିଡ଼ିଆର ବ୍ୟାପ୍ତି ପରବର୍ତ୍ତୀ ଅବସ୍ଥାରେ ଉପଭୋକ୍ତାମାନଙ୍କୁ ଆକୃଷ୍ଟ କରିବା ନିମନ୍ତେ ସମ୍ୱାଦ ପରିବେଷଣରେ ଗୁଣାତ୍ମକ ବିକାଶ ଗୁରୁତ୍ୱ ବହନ କରିଥାଏ । ପାରମ୍ପରିକ ମଞ୍ଚଗୁଡ଼ିକ ମଧ୍ୟରେ ମୁଦ୍ରିତ ଦୈନିକ ସମ୍ୱାଦପତ୍ର ପାଠକ ହରାଇବା ଆଶଙ୍କା କ୍ରମଶଃ ଦୃଢ଼ୀଭୂତ ହେଉଥିବା କାରଣରୁ ଏଭଳି ମଞ୍ଚରେ ସମ୍ୱାଦ ପରିବେଷଣ ଧାରା ସଶକ୍ତିକରଣ ଜରୁରୀ ।

ଦୀର୍ଘକାଳ ଧରି ମୁଦ୍ରିତ ସମ୍ୱାଦପତ୍ରର ବିକଳ୍ପ ଅଭାବ ହେତୁ ସମ୍ୱାଦ ପରିବେଷଣର ଧାରା ପ୍ରାୟତଃ ସ୍ଥାଣୁ ରହିଆସିଥିଲା । ରେଡ଼ିଓ ଓ ଟେଲିଭିଜନ ନିର୍ଦ୍ଦିଷ୍ଟ ସମୟସୀମାରେ ସମ୍ୱାଦ ପ୍ରସାରଣ, ପ୍ରସାରଣ ପର ଅବସ୍ଥାରେ ସ୍ଥାୟୀତ୍ୱ ‘ପରମାନେନ୍ସ’ ଅଭାବ ଏବଂ ସୀମିତ ଅବୟବ ‘ସର୍ଟ ଷ୍ଟ୍ରକଚର’ ସମ୍ୱାଦପତ୍ରର ଗୁରୁତ୍ୱ ହ୍ରାସ କରିବାରେ ସକ୍ଷମ ହୋଇ ପାରିନଥିଲା । ତେବେ ଇଣ୍ଟରନେଟର ବ୍ୟାପ୍ତିପରେ ସୋସିଆଲ ମିଡ଼ିଆ ମୁଦ୍ରିତ ସମୟ ଓ ଆକାର ସୀମାପାର ଦୀର୍ଘସ୍ଥାୟୀ ସମ୍ୱାଦ ପରିବେଷଣଲାଗି ମଞ୍ଚ ସୃଷ୍ଟି କରିବାପରେ ମୁଦ୍ରିତ ସମ୍ୱାଦପତ୍ର କ୍ରମଶଃ ଗୁରୁତ୍ୱ ହରାଇ ବସୁଛି ।

ଇଣ୍ଟରନେଟ ମଞ୍ଚରେ ପାଠ୍ୟ ସାଙ୍ଗକୁ ସ୍ୱର‘ଅଡ଼ିଓ’ ଓ ଦୃଶ୍ୟ ‘ଭିଡ଼ିଓ’ ସଂଯୋଗ ସମ୍ୱାଦ ପରିବେଷଣ ନିମନ୍ତେ ସ୍ୱତନ୍ତ୍ର ସୁଯୋଗ ସୃଷ୍ଟି କରିଥିବା ସ୍ଥଳେ ବୃତ୍ତିଧାରୀ ସାମ୍ୱାଦିକଙ୍କ ସହ ଅସଂଖ୍ୟ ନାଗରିକ ସାମ୍ୱାଦିକଙ୍କ ସମ୍ୱାଦ ପରିବେଷଣରେ ଯୋଗଦାନ ପ୍ରସାରଣ ପରିସରକୁ ପ୍ରଶସ୍ତ କରିପାରିଛି । ଏତଦ୍ ବ୍ୟତୀତ ସମ୍ୱାଦ ସହ ବିଭିନ୍ନ ତଥ୍ୟ ଭଣ୍ଡାର ‘ଡ଼ାଟା ସେଣ୍ଟର’ ସଂଯୋଗ ସ୍ଥାପନ, ଘଟଣାରେ ଉପସ୍ଥିତ ବ୍ୟକ୍ତିବିଶେଷଙ୍କ ଦ୍ୱାରା ଜୀବନ୍ତ ଚ଼ିତ୍ରୋତ୍ତଳନ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଭୂତି ବର୍ଣ୍ଣନା ସାମ୍ୱାଦିକତାରେ ନୂତନ ଦିଗନ୍ତ ଉନ୍ମୋଚନ କରିଛି । ଅତଏବ ମୁଦ୍ରିତ ସମ୍ୱାଦପତ୍ର ନିଜ ଅସ୍ଥିତ୍ୱ ବଜାୟ ରଖିବାଲାଗି ସମ୍ୱାଦ ପରିବେଷଣରେ ଗୁଣାତ୍ମକ ବିକାଶକୁ ଅଗ୍ରାଧିକାର ଦେବାକୁ ପଡ଼ିବ ।

ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ କେଉଁ ପଦକ୍ଷେପମାନ ଗ୍ରହଣ କରିପାରିବେ ତାହା ବିଚାର କରାଯାଇପାରେ । ସମ୍ୱାଦ ସଂଗ୍ରହ ଓ ରଚନା ସମ୍ୱାଦଦାତାଙ୍କକାର୍ଯ୍ୟପରିସରରେ ଆସୁଥିବା ବେଳେ ସମ୍ପାଦକମାନେ ପ୍ରସ୍ତୁତ ସମ୍ୱାଦ ସଂଶୋଧନ ଓ ପୁନଃଲିଖନ କରିଥାନ୍ତି । ଓଡ଼ିଆ ସମ୍ୱାଦପତ୍ର କ୍ଷେତ୍ରରେ ବେତନଭୋଗୀ ସମ୍ୱାଦଦାତାଙ୍କ ସଂଖ୍ୟା କମ ଏବଂ ଅଧିକାଂଶ ସଂବାଦଦାତା ଅବୈତନିକ କିମ୍ୱା ସାମାନ୍ୟ ପାରିତୋଷିକରେ ନିଯୁକ୍ତ ।

ପ୍ରଥମତଃ, ଏହି ଦୁଇ ବର୍ଗର ସାମ୍ୱାଦିକଙ୍କୁ ଗୁଣାତ୍ମକ ସମ୍ୱାଦ ପ୍ରଯୋଜନା ନିମନ୍ତେ ତାଲିମ ଦେବାକୁ ପଡ଼ିବ । ସେମାନେ ଦୀର୍ଘକାଳ ଧରି ସମ୍ୱାଦ ରଚନାରେ ସଂପୃକ୍ତ ଥିବା ହେତୁ ଗୁଣାତ୍ମକ ସାମ୍ୱାଦିକତାର କଳାକୌଶଳ ପ୍ରେରଣାତ୍ମକ ‘ମୋଟିଭେସନାଲ’ ଏବଂ ପ୍ରକୃତ କାର୍ଯ୍ୟକ୍ଷେତ୍ରରେ ଅଭିଜ୍ଞଙ୍କ ସହାୟତା ‘ହେଣ୍ଡ-ହେଲଡ଼-ସପୋର୍ଟ’ ପ୍ରଣାଳୀ ଅବଲମ୍ୱନରେ ଅନ-ଲାଇନ ସୁବିଧାସୁଯୋଗ ବ୍ୟବହାର କରି ତାଲିମ ଦିଆଯାଇପାରେ ।

ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ପାଠ୍ୟକ୍ରମ ପ୍ରସ୍ତୁତ କରି ବରିଷ୍ଠ ସାମ୍ୱାଦିକମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତାଲିମ ପ୍ରଦାନ ବ୍ୟବସ୍ଥା ସଂଭବପର । ବୃତ୍ତିଧାରୀ ସାମ୍ୱାଦିକମାନଙ୍କୁ ପାରମ୍ପରିକ ରୀତିରେ ଉପଦେଶାତ୍ମକ ଶିକ୍ଷା ପ୍ରଦାନ ନିରର୍ଥକ ପ୍ରମାଣିତ । କିନ୍ତୁ ପ୍ରକୃତ କାର୍ଯ୍ୟକ୍ଷେତ୍ରରେ ସମ୍ୱାଦ ଚୟନ, ସଂଗ୍ରହ କୌଶଳ ପ୍ରଶିକ୍ଷଣ ସଫଳତା ଆଣିପାରେ । ତାଲିମର ଗୁରୁତ୍ୱ ସହ ଅପରିଚିତ ଗ୍ରାମାଞ୍ଚଳର ସାମ୍ୱାଦିକମାନେ କୌଣସି ବିଧିବଦ୍ଧ ତାଲିମ ‘ଫରମାଲ ଟ୍ରେନି୍ଂ’ ପାଇଁ ଅନିଚ୍ଛା ପ୍ରକାଶ ସନ୍ଦେହ କରାଯାଉଥିବା ବେଳେ ନିଜ କାର୍ଯ୍ୟକ୍ଷେତ୍ରରେ ନିଜେ ପ୍ରଯୋଜନା କରୁଥିବା ସମ୍ୱାଦର ଗୁଣବତ୍ତା ବିକାଶଲାଗି ଅଭିଜ୍ଞଙ୍କଠାରୁ କଳାକୌଶଳ ପ୍ରଶିକ୍ଷଣକୁ ପଛଘୁଞ୍ଚା ନଦେଇପାରନ୍ତି ।

ଏଭଳି ତାଲିମ ପ୍ରତ୍ୟେକ ସାମ୍ୱାଦିକଙ୍କ ଦକ୍ଷତା ଓ ସାମାଜିକ ଦୃଷ୍ଟିକୋଣକୁ ନେଇ ପ୍ରଯୋଜନା କରାଯାଉଥିବା ହେତୁ ସମୟସାପେକ୍ଷ । ଅନେକଙ୍କ ବଦଳରେ ଜଣକୁ ତାଲିମ ପ୍ରଦାନଲାଗି ପ୍ରଶିକ୍ଷକ ନିଯୁକ୍ତି ମଧ୍ୟ ଖର୍ଚ୍ଚ ବହୁଳ ହୋଇପାରେ । ଜଣେ ଗ୍ରାମାଞ୍ଚଳ ସାମ୍ୱାଦିକଙ୍କୁ ତାଲିମ ପ୍ରଦାନକରି ସଶକ୍ତକରିବାପରେ ସେ ପ୍ରଲୋଭନର ବଶବର୍ତ୍ତୀ ହୋଇ ପ୍ରତିଦ୍ୱନ୍ଦୀ ସମ୍ୱାଦପତ୍ରରେ ନିଯୁକ୍ତି ଆଶା କରିବା ମଧ୍ୟ ଅସ୍ୱାଭାବିକ ନୁହେଁ । ତେବେ ତାଲିମ ବିନା ଗୁଣାତ୍ମକ ବିକାଶ ଅସଂଭବ ଏବଂ ଗୁଣାତ୍ମକ ବିକାଶ ବିନା ସମ୍ୱାଦପତ୍ର ଗୁରୁତ୍ୱ ବଜାୟ ରଖିପାରିବ ନାହିଁ ।

ଦ୍ୱିତୀୟତଃ,ସମ୍ୱାଦପତ୍ର ମୁଖ୍ୟ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ସମ୍ୱାଦଦାତାନିଯୁକ୍ତି କରିବା ଏବଂ ଆବଶ୍ୟକମତେ ସେମାନେ ଘଟଣାକେନ୍ଦ୍ରୀକ ସମ୍ୱାଦ ସଂଗ୍ରହ ନିମନ୍ତେ ସଂପୃକ୍ତ ଅଞ୍ଚଳ ଗସ୍ତ କରିବା ଦୀର୍ଘକାଳରୁ ପ୍ରଚଳିତ ପ୍ରଥାକୁ ପ୍ରାଧାନ୍ୟ ଦେବାକୁ ପଡ଼ିବ । ସ୍ୱତନ୍ତ୍ର ପ୍ରତିନିଧି ଭାବେ ଅଭିଜ୍ଞ ଓ ସର୍ଜନଶୀଳସାମ୍ୱାଦିକଙ୍କୁ ନିଯୁକ୍ତି ଦେବା ଏବଂ ସେମାନଙ୍କ ଗସ୍ତକ୍ରମ ନିମନ୍ତେ ଆର୍ଥିକ ବ୍ୟବସ୍ଥା କରିବା ଜରୁରୀ । ସ୍ୱତନ୍ତ୍ର ପ୍ରତିନିଧିମାନେ ସମୟାନ୍ତେ କୌଣସି ଏକ ସମ୍ୱାଦ ପ୍ରଯୋଜନା ନିମନ୍ତେ ଘଟଣାସ୍ଥଳ ପରିଦର୍ଶନ କାଳରେ ସେଠାକାର ଅବସ୍ଥାପିତ ଗ୍ରାମାଞ୍ଚଳ ସାମ୍ୱାଦିକମାନେ ଅଭିଜ୍ଞଙ୍କସାନ୍ନିଧ୍ୟରେ ତାଙ୍କରି କାର୍ଯ୍ୟଶୈଳୀ ଅନୁଧ୍ୟାନ କରି ଆପେ ଆପେ ତାଲିମପ୍ରାପ୍ତ ହୋଇପାରିଥାନ୍ତି ।

ତୃତୀୟତଃ, ଦୈନିକ ସମ୍ୱାଦପତ୍ରସଂସ୍କରଣଗୁଡ଼ିକରେ ସମ୍ୱାଦର ଗଭୀରତମ ପ୍ରଦେଶ ବର୍ଣ୍ଣନା କରିବା ନିମନ୍ତେ ସ୍ଥାନ ଅଭାବ ହେତୁ ରବିବାସରୀୟ କ୍ରୋଡ଼ପତ୍ରଗୁଡ଼ିକର ପୁନଃବିନ୍ୟାସ କରାଯାଇପାରେ । ପରିବର୍ତ୍ତିତ ପରିବେଶରେ ସୋସିଆଲ ମିଡ଼ିଆ, ଟେଲିଭିଜନ ଚ୍ୟାନେଲ ଓ ଅନ୍ୟ ଅନଲାଇନ ମଞ୍ଚଗୁଡ଼ିକରେ ପାଠକମାନଙ୍କ ନିମନ୍ତେ ମନୋରଞ୍ଜନର ଭରପୁର ସୁଯୋଗ ସୃଷ୍ଟି ହୋଇ ସାରିଥିବା ତଥା ସାଧାରଣ ପାଠକ ସେଭଳି ପାଠ୍ୟ ଓ ଦୃଶ୍ୟ ଉପଭୋଗରେ ଦୀର୍ଘ ସମୟ ଅତିବାହିତ କରୁଥିବା ସ୍ଥଳେ ମୁଦ୍ରିତ ଦୈନିକ ସମ୍ୱାଦପତ୍ରର ରବିବାସରୀୟ ସଂସ୍କରଣଗୁଡ଼ିକରେ ତାହାର ପୁନଃପ୍ରକାଶନ ଅନାବଶ୍ୟକ ।

ଉଦାହରଣରେ ରେଡ଼ିଓ ଓ ଟେଲିଭିଜନରେ ଆଞ୍ଚଳିକ ବିଶେଷଜ୍ଞ ଡ଼ାକ୍ତରଙ୍କ ସହ କୌଣସି ରୋଗ ସଂପର୍କରେ ସାକ୍ଷାତକାରର ବିବରଣୀ ଉପସ୍ଥାପନ ପରେ ତାହା ପୁଣି ସମ୍ୱାଦପତ୍ରର ପତ୍ରିକା ସଂସ୍କରଣରେ ପ୍ରକାଶ ଅପେକ୍ଷା ଚିକିତ୍ସା ବିଜ୍ଞାନର ନବୀନତମ ଆବିଷ୍କାର ସଂପର୍କରେ ସମ୍ୱାଦ ପରିବେଷଣ ପାଠକମାନଙ୍କ ଦୃଷ୍ଟି ଆକର୍ଷଣ କରିପାରେ । ସମ୍ୱାଦ ପରିବେଷଣରେ ଗୁଣାତ୍ମକ ବିକାଶ ନିମନ୍ତେ ସମ୍ୱାଦ ପ୍ରକାଶନର ସୀମା ସରହଦ ଗୁରୁତ୍ୱ ବହନ କରିଥାଏ । ଦୈନିକ ସଂସ୍କରଣଗୁଡ଼ିକରେ ଘଟଣାର ସଂକ୍ଷିପ୍ତରେ ଧାରା ବିବରଣୀ ପ୍ରକାଶନ ପରେ ରବିବାସରୀୟ ସଂସ୍କରଣରେ ସାମଗ୍ରୀକ ବର୍ଣ୍ଣନା ‘କମ୍ପ୍ଳିଟ ଷ୍ଟୋରି’ ଏକ ପକ୍ଷରେ ସମ୍ୱାଦ ପରିବେଷଣରେ ଗୁଣାତ୍ମକ ବିକାଶ ନିମନ୍ତେ ପଥ ପ୍ରଶସ୍ତ କରୁଥିବା ସ୍ଥଳେ ଅନ୍ୟପକ୍ଷରେ ପୁନଃପ୍ରକାଶନ ‘ରିଡ଼ନଡ଼େନ୍ସି’ କାରଣରୁ ପାଠକୀୟ ଆଗ୍ରହ ଉଦ୍ରେକରେ ପ୍ରବର୍ତ୍ତିତ ହୋଇଥାଏ ।

ଚତୁର୍ଥତଃ,ଓଡ଼ିଶାଭଳି ରାଜ୍ୟରେ ଗ୍ରାମାଞ୍ଚଳରେ ଅବସ୍ଥାପିତ ସମ୍ୱାଦଦାତା, ମୁଖ୍ୟ କାର୍ଯ୍ୟାଳୟରେ ଅବସ୍ଥାପିତ ସ୍ୱତନ୍ତ୍ର ପ୍ରତିନିଧିଙ୍କ ସହ ନାଗରିକ ସାମ୍ୱାଦିକମାନଙ୍କୁ ସାମିଲ କରାଯିବା ବିକଳ୍ପ ଉପଲବ୍ଧ । ରାଜ୍ୟର ପାରମ୍ପରିକ ଶିକ୍ଷା ପରିବେଶରେ ମୋଟାମୋଟିଭାବେ ବୁଦ୍ଧିମାନ ଛାତ୍ରଛାତ୍ରୀମାନଙ୍କ ଲେଖାଲେଖି ପ୍ରତି ଆଗ୍ରହ ରହିଆସିଥାଏ । ସ୍କୁଲ ଓ କଲେଜ ଜୀବନରେ ଅଧିକାଂଶ ପତ୍ରପତ୍ରିକାରେ ରଚନା ପ୍ରକାଶନକୁ ରୁଚ଼ି ‘ହବି’ ଭାବେ ଗ୍ରହଣ କରିଥାନ୍ତି । କିନ୍ତୁ ବୃତ୍ତିଭିତ୍ତିକ କାର୍ଯ୍ୟକ୍ଷେତ୍ରରେ ପ୍ରବେଶ ଏବଂ ସାହିତ୍ୟ ଭିନ୍ନ ଅନ୍ୟ ରଚନା ପ୍ରକାଶନ ନିମନ୍ତେ ସୁବିଧା ସୁଯୋଗ ଅଭାବରୁ ଅଧିକାଂଶ ସର୍ଜନଶୀଳ ଜୀବନରୁ ବିରତ ରହନ୍ତି ।

ସେମାନଙ୍କ ମଧ୍ୟରୁ ଅଧିକାଂଶ ସମ୍ୱାଦପତ୍ର ଓ ଅନ୍ୟାନ୍ୟ ସମ୍ୱାଦ ମଞ୍ଚଗୁଡ଼ିକରେ ଦୀର୍ଘ ସମୟ ଅତିବାହିତ କରିଥାନ୍ତି ଏବଂ ସାଧାରଣସ୍ତରର ସାମ୍ୱାଦିକଙ୍କ ତୁଳନାରେ ଦକ୍ଷତା ହେତୁ ସେମାନଙ୍କ ସାମାଜିକ ଦୃଷ୍ଟିକୋଣ ପରିବ୍ୟାପ୍ତ । ପାରମ୍ପରିକଭାବେ ଏହି ବର୍ଗର ଲେଖକମାନେ ଓଡ଼ିଆ ସମ୍ୱାଦପତ୍ରର ସମ୍ପାଦକୀୟ ପୃଷ୍ଠା ନିମନ୍ତେ ଲଘୁ ନିବନ୍ଧ ଲେଖିଥାନ୍ତି । ଯେଉଁ ସମ୍ୱାଦପତ୍ରଗୁଡ଼ିକରେ ମହିଳା, ବିଜ୍ଞାନ ଭଳି ସ୍ୱତନ୍ତ୍ର ପୃଷ୍ଠାମାନସଂଯୋଜିତ ସେଥିରେ ମଧ୍ୟ ସ୍ୱାଧୀନ ଲେଖକଙ୍କ ରଚନା ସ୍ଥାନିତ ହୋଇଥାଏ । ନାଗରିକ ସାମ୍ୱାଦିକମାନଙ୍କ ଦ୍ୱାରା ସମ୍ୱାଦପତ୍ରର ମୁଖ୍ୟ ପୃଷ୍ଠାଗୁଡ଼ିକରେ ଆନ୍ତର୍ଜାତିକ ଓ ଜାତୀୟ ଘଟଣାକ୍ରମ, ବିଭିନ୍ନ ବୈଷୟିକ ଅଗ୍ରଗତି ତଥା ଭାବାବେଗ ସଂବଳିତ ସମ୍ୱାଦ ରଚନା ନିମନ୍ତେ ବିଭିନ୍ନ ସୂତ୍ରରୁ ସମ୍ୱାଦ ସଂଗ୍ରହ କରି ଓଡ଼ିଆ ପାଠକମାନଙ୍କ ନିମନ୍ତେ ସାବଲୀଳଢ଼ଙ୍ଗରେ ଉପସ୍ଥାପିତ କରିବା ନିମନ୍ତେ ସୁଯୋଗ ସୃଷ୍ଟି କରାଯାଇପାରେ । ନାଗରିକ ସାମ୍ୱାଦିକମାନଙ୍କ ରଚନାର ବିଶ୍ୱାସନୀୟତା ତନଖି ଅନଲାଇନ ପରିବେଶରେ ମୂଳ ସମ୍ୱାଦ ସୂତ୍ର ଉପସ୍ଥାପନ ଦ୍ୱାରା ସମ୍ଭବପର । ଏତାଦୃଶ କାର୍ଯ୍ୟକ୍ରମ ପ୍ରଯୋଜନା ନିମନ୍ତେ ସାମାନ୍ୟ ତାଲିମ ଆୟୋଜନ ଆବଶ୍ୟକ ପଡ଼ିପାରେ ।

ପଞ୍ଚମତଃ, ଓଡ଼ିଆ ମୁଦ୍ରିତ ଦୈନିକ ସମ୍ୱାଦପତ୍ରଗୁଡ଼ିକରେ ପ୍ରକାଶିତ ସମ୍ୱାଦରେ ସାମ୍ୱାଦିକମାନଙ୍କ ନାମ ‘ବାଇଲାଇନ’ ପ୍ରକାଶିତ ହେଲେ ପରୋକ୍ଷରେ ସାମ୍ୱାଦିକତାର ମାନ ବୃଦ୍ଧିରେ ସହାୟକ ହେବା ଆଶା କରାଯାଇପାରେ । ଏକ ନିର୍ଦ୍ଦିଷ୍ଟ ସମ୍ୱାଦର ସତ୍ୟାସତ୍ୟ, ଗୁଣବତ୍ତା ଓ ବିଶ୍ୱାସନୀୟତା ନିମନ୍ତେ ସାମ୍ୱାଦିକମାନଙ୍କୁ ଉତ୍ତରଦାୟୀକରିବାଲଗି ଏହା ଏକ ଉତ୍ତମ ପଦକ୍ଷେପ । ବୃତ୍ତିଧାରୀ ସାମ୍ୱାଦିକଙ୍କ ଗୁରୁତ୍ୱପୂର୍ଣ୍ଣ ସମ୍ୱାଦ ଓ ନାଗରିକ ସାମ୍ୱାଦିକଙ୍କ ସମସ୍ତ ସମ୍ୱାଦ ପ୍ରକାଶନରେ ଲେଖକଙ୍କ ନାମ ପ୍ରକାଶ ସମ୍ୱାଦପତ୍ରକୁ ଏକ ସାମାଜିକ ମଞ୍ଚ ରୂପେ ଗଢ଼ି ତୋଳିବାରେ ସହାୟକ ହୋଇପାରିବ ।

ଷଷ୍ଠତଃ,ସମ୍ୱାଦପତ୍ରରେ ପ୍ରକାଶିତ ପ୍ରମୁଖ ସମ୍ୱାଦଗୁଡ଼ିକ ସଂପର୍କରେ ସମ୍ୱାଦରେ ବର୍ଣ୍ଣିତ ବ୍ୟକ୍ତିବିଶେଷ, ଅନୁଷ୍ଠାନ ଓ ପଦାଧିକାରୀଙ୍କ ସହ ସାଧାରଣ ପାଠକମାନଙ୍କ ପ୍ରତିକ୍ରିୟା ପ୍ରକାଶ କରାଯାଇପାରିଲେ ପ୍ରକାଶିତ ସମ୍ୱାଦର ତୃଟିବିଚୁତି ସଜଡ଼ା ଯାଇପାରିବା ସହ ବିଶ୍ୱାସନୀୟତା ବୃଦ୍ଧିରେ ପର୍ଯ୍ୟବସିତ ହେବ । ସୋସିଆଲ ମିଡ଼ିଆରେ ତତକ୍ଷଣାତ ପାଠକୀୟ ଅଭିମତ ପ୍ରକାଶନର ସୁବିଧା ସୁଯୋଗ ସୃଷ୍ଟି ହୋଇପାରିଥିବା ସ୍ଥଳେ ସମ୍ୱାଦପତ୍ରଗୁଡ଼ିକରେ ମଧ୍ୟ ସେଭଳି କିଛି ସୁବିଧା ସୁଯୋଗ ବାଞ୍ଛନୀୟ ।

ସପ୍ତମରେ, ଓଡ଼ିଆ ମୁଦ୍ରିତ ଦୈନିକ ସମ୍ୱାଦପତ୍ରଗୁଡ଼ିକରେ ପ୍ରକାଶିତ ସମ୍ୱାଦ ପାଠକମାନଙ୍କ ଦ୍ୱାରା କେତେ ମାତ୍ରାରେ କିଭଳି ଆଦୃତ ହୋଇପାରୁଛି ତତସଂପର୍କୀତ ତଥ୍ୟ ହାସଲ ନିମନ୍ତେ ସାମୟିକଭାବେ ସର୍ବେକ୍ଷଣ କରାଯିବା ଆବଶ୍ୟକ । ସାମ୍ୱାଦିକମାନେ ଏକ ବୃହତ୍ତ ପାଠକଗୋଷ୍ଠୀଙ୍କୁ ଆଖିରେ ରଖି ସମ୍ୱାଦ ଚୟନ, ରଚନା ଓ ପରିବେଷଣ କରିଥାନ୍ତି । କିନ୍ତୁ ପ୍ରକୃତପକ୍ଷେ ପ୍ରକାଶିତ ସମ୍ୱାଦ ପାଠକମାନଙ୍କ ଦ୍ୱାରା କେତେଦୂର ଗ୍ରହଣୀୟ ହୋଇପାରୁଛି ଜାଣିପାରିଲେ ଭବିଷ୍ୟତରେ ସମ୍ୱାଦ ପ୍ରଯୋଜନାରେ ଉନ୍ନତି ସମ୍ଭବ । ଅନେକ କ୍ଷେତ୍ରରେ ସ୍ରଷ୍ଟା ଯାହା ବିଶ୍ୱାସ କରିଥାଏ ତାହା ହୁଏତ ଉପଭୋକ୍ତାଙ୍କ ସ୍ୱୀକୃତି ହାସଲ ନକରିପାରେ । ଏଥିପ୍ରତି ସତର୍କତା ଅବଲମ୍ୱନ ଗଣମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ।

ସମ୍ୱାଦ ପରିବେଷଣରେ ଗୁଣବତ୍ତା ବିକାଶ ନିମନ୍ତେ ଓଡ଼ିଶାର ମୁଦ୍ରିତ ଦୈନିକ ସମ୍ୱାଦପତ୍ରଗୁଡ଼ିକ ପ୍ରଥମେ ନୀତିଗତ ନିଷ୍ପତ୍ତି ଗ୍ରହଣ ପରେହିଁ ସେ ଦିଗରେ ପଦକ୍ଷେପ ସଂଭବପର । ଏଥି ଲାଗି ସମୟସୀମା ଓ ଆର୍ଥିକ ବ୍ୟବସ୍ଥା କରି ସାମୟିକଭାବେ ସମୀକ୍ଷା ଆୟୋଜନ କଲେ ସୁଫଳ ମିଳିପାରେ । କୌଣସି ଗଣମାଧ୍ୟମରେ ଅମୂଳଚୂଳ ସଂଶୋଧନ ଏକାଥରକେ ସମ୍ଭବପର ନୁହେଁ । ପରିବର୍ତ୍ତନଲାଗି ନୀତି ନିର୍ଦ୍ଧାରଣ ପରେ କ୍ରମାନ୍ୱୟରେ ଗୋଟିଏ ପରେ ଗୋଟିଏ ଯୋଜନା କାର୍ଯ୍ୟକାରୀ କରାଯାଇପାରେ । ତେବେ ଗୁଣାତ୍ମକ ବିକାଶଲାଗି ପ୍ରକାଶକ, ସମ୍ପାଦକ ଓ ନିବେଶକଙ୍କସ୍ତରରେ ନୀତି ନିର୍ଦ୍ଧାରଣହିଁ ପ୍ରାଥମିକତା ଦାବୀ କରିଥାଏ ।

Related Post