ଭାରତରେ ସମ୍ୱାଦ ଟେଲିଭିଜନ ପ୍ରସାରଣ କ୍ଷେତ୍ରରେ ୨୦୨୨ ଦ୍ୱିତୀୟାର୍ଦ୍ଧରେ ଆଦାନୀ ମିଡ଼ିଆ ଗୃପର ପ୍ରବେଶକୁ ଶିଳ୍ପପତିଙ୍କ ଦ୍ୱାରା ଗଣମାଧ୍ୟମ କରାୟତ ଉଦ୍ୟମ କୁହାଯାଉଥିବା ସ୍ଥଳେ ଏହି ଧାରା ବିଗତ ଶହେ ବର୍ଷ ଧରି ବଳବତ୍ତର ରହିଛି ବୋଲି ଗଣମାଧ୍ୟମ ସମର୍ଥକମାନେ ଯୁକ୍ତି ବାଢ଼ିଥାନ୍ତି । ରିଲାଏନ୍ସ ଇଣ୍ଡଷ୍ଟ୍ରୀ ସ୍ୱତ୍ତ୍ୱାଧିକାରରେ ପରିଚାଳିତ ଇଣ୍ଡିପେଣ୍ଡେଣ୍ଟ ମିଡ଼ିଆ ଟ୍ରଷ୍ଟ ସିଏନବିସି-ଟିଭି ୧୮ଓ ନିଉଜ ୧୮ ସମେତ ୨୦ ଗୋଟି ଟେଲିଭିଜନ ଚ୍ୟାନେଲ ପ୍ରସାରଣ କରୁଛି । ଆଦାନୀ ଭଳି ରିଲାଏନ୍ସ ମଧ୍ୟ ବହୁମୁଖୀ ଶିଳ୍ପ ସମ୍ରାଜ୍ୟର ଉଦ୍ୟୋକ୍ତା ।
ଦୀର୍ଘ ଅତୀତରେ ୧୮୮୮ରୁ କେରଳର ‘ମାଳାୟଳା ମନୋରମା’ର ମାଲିକ ରବର କାରଖାନା ଓ ବ୍ୟାଙ୍କ କାରବାରରେ ସଂପୃକ୍ତ ଥିଲେ । ‘ଟାଇମ୍ସ ଅଫ ଇଣ୍ଡିଆ’ ଓ ‘ଇଣ୍ଡିଆନ ଏକ୍ସପ୍ରେସ’ର ମାଲିକମାନେ ଅନ୍ୟାନ୍ୟ ବ୍ୟବସାୟରେ ସଂଶ୍ଳିଷ୍ଟ ଥିବା ହେତୁ ସମ୍ୱାଦପତ୍ରଗୁଡ଼ିକ ବ୍ୟାବସାୟିକ ସମସ୍ୟାର ସମ୍ମୁଖୀନ ହେବା ଅବସ୍ଥାରେ କ୍ଷତି ଭରଣା କରିବାରେ ସମର୍ଥ ହୋଇପାରିଥିଲେ । ଫଳରେ ସମ୍ୱାଦପତ୍ରଗୁଡ଼ିକ ତିଷ୍ଠି ପାରିଥିଲା ।
ଆମ ଦେଶରେ ୨୦୨୨ ଶେଷ ସୁଦ୍ଧା ହିନ୍ଦି ଓ ଇଂଲିଶ ସମେତ ଅନ୍ୟାନ୍ୟ ଭାରତୀୟ ଭାଷାରେ ପ୍ରାୟ ୪୦୦ ଗୋଟି ସମ୍ୱାଦ ଟେଲିଭିଜନ ଚ୍ୟାନେଲ ସକ୍ରିୟ ଥିବା ବେଳେ ଅନ୍ତତଃ ଅର୍ଦ୍ଧେକ ସମ୍ୱାଦ ସଂସ୍ଥା ଭିନ୍ନ ଅନ୍ୟାନ୍ୟ ଶିଳ୍ପରେ ସଂପୃକ୍ତ ମାଲିକଙ୍କ ଦ୍ୱାରା ପରିଚାଳିତ । ସେମାନଙ୍କ ନିମନ୍ତେ ସମ୍ୱାଦ ଟେଲିଭିଜନ ପ୍ରସାରଣରେ ଉପସ୍ଥିତି ରାଜନୀତିକ ପକ୍ଷପାତିତା, ସାର୍ବଜନୀନ କ୍ଷେତ୍ରରେ ଗୁରୁତ୍ୱ ହାସଲ କିମ୍ୱା ଗ୍ଳାମର ସାଉଁଟିବା ଲାଗି ଉଦ୍ଧିଷ୍ଟ । ଏହି କାରଣରୁ ଭାରତୀୟ ଟେଲିଭିଜନ ସମ୍ୱାଦ ନିମ୍ନ ମାନର କାର୍ଯ୍ୟକ୍ରମ ପ୍ରସାରଣରେ ସୀମାବଦ୍ଧ ରହୁଥିବା ଏବଂ ଟେଲିଭିଜନ ସାମ୍ୱାଦିକତାର ଗୁଣାତ୍ମକ ବିକାଶ ପ୍ରତି ଦୃଷ୍ଟି ଦିଆଯାଉନଥିବା ଅଭିଯୋଗ ହୋଇଥାଏ ।
ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ଅଗ୍ରଣୀ ଇଂଲିଶ ଓ ହିନ୍ଦି ସମ୍ୱାଦ ଟେଲିଭିଜନ ଚ୍ୟାନେଲ ନୂଆଦିଲ୍ଲୀ ଟେଲିଭିଜନର ଅଂଶଧନ ଆଦାନୀ ମିଡ଼ିଆ ଗୃପ ଅଧିଗ୍ରହଣକୁ ନେଇ ସମସ୍ୟା ଉପୁଜିଥିବା ଅବସରରେ ବିବାଦୀୟ ଅଂଶଧନ ବିଶ୍ୱପ୍ରଧାନ କମରସିଆଲ ପ୍ରାଇଭେଟ ଲିମିଟେଡ଼ ଅଧୀନରେ ଥିବା ଏବଂ ଉକ୍ତ ସଂସ୍ଥା ମୌଳିକଭାବେ ରିଲାଏନ୍ସ ଇଣ୍ଡାଷ୍ଟ୍ରୀଜ ଦ୍ୱାରା ସମର୍ଥିତ ବୋଲି କୁହାଯାଏ । ଏହି ଦୃଷ୍ଟିକୋଣରୁ ବିଚାର କଲେ ନୂଆଦିଲ୍ଲୀ ଟେଲିଭିଜନ ଅଂଶଧନ ଅଦଳବଦଳ ଦୁଇ ବୃହତ ଶିଳ୍ପ ସଂସ୍ଥା ମଧ୍ୟରେ ହୋଇଥିବା ସୁସ୍ପଷ୍ଟ ।
ଆଦାନୀ ପକ୍ଷରୁ ୨୦୨୨ ଅଗଷ୍ଟ ମାସରେ ବିଶ୍ୱପ୍ରଧାନ ଅଧିଗ୍ରହଣ କରାଯାଇଥିଲା । ବିଶ୍ୱପ୍ରଧାନ ନୂଆଦିଲ୍ଲୀ ଟେଲିଭିଜନରେ ୨୯ ପ୍ରତିଶତ ଅର୍ଥ ଲଗାଣ କରିଥିବା ରାଧିକା ରାୟ ପ୍ରଣୟ ରାୟ ନିବେଶ ସଂସ୍ଥାକୁ ଅକ୍ତିଆର କରାଯିବା ପରେ ନଭେମ୍ୱର ମାସ ଶେଷରେ ବଜାରରୁ ୨୬ ପ୍ରତିଶତ ଅଂଶଧନ କ୍ରୟ ନିମନ୍ତେ ଉଦ୍ୟମ ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଡ଼ିସେମ୍ୱର ପ୍ରଥମ ସପ୍ତାହ ସୁଦ୍ଧା ନୂଆଦିଲ୍ଲୀ ଟେଲିଭିଜନରେ ଆଦାନୀର ଅଂଶଧନ ୩୭ ପ୍ରତିଶତକୁ ବୃଦ୍ଧି ପାଇଛି ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ୫୫ ପ୍ରତିଶତକୁ ବୃଦ୍ଧି ପାଇବା ନିଶ୍ଚିତ ଥିବା ଆଶା କରାଯାଉଛି ।
ଫଳରେ ନୂଆଦିଲ୍ଲୀ ଟେଲିଭିଜନରେ ଆଦାନୀ ମିଡ଼ିଆ ଗୃପ ସର୍ବାଧିକ ଅଂଶଧନ ଅଧିକାରୀ ସାବ୍ୟସ୍ତ ହୋଇଛି । ନୂଆଦିଲ୍ଲୀ ଟେଲିଭିଜନ ପ୍ରତିଷ୍ଠାତା ପ୍ରଣୟ ରାୟ ଓ ତାଙ୍କରି ପତ୍ନୀ ରାଧିକା ରାୟ ଏହି ଆଶ୍ୱସ୍ତିକର ପରିବେଶରେ ନଭେମ୍ୱର ଶେଷ ସପ୍ତାହରେ ନୂଆଦିଲ୍ଲୀ ଟେଲିଭିଜନ ନିର୍ଦ୍ଦେଶକ ପଦବୀରୁ ଇସ୍ତଫା ଦେଇଥିବା ସ୍ଥଳେ ଆଦାନୀ ମିଡ଼ିଆ ଗୃପର ମୁଖ୍ୟ ବୈଷୟିକ କାର୍ଯ୍ୟକର୍ତ୍ତା ସୁଦୀପ୍ତ ଭଟ୍ଟାଚାର୍ଯ୍ୟ, କାର୍ଯ୍ୟନିର୍ବାହୀ ଅଧିକାରୀ ବରିଷ୍ଠ ସାମ୍ୱାଦିକ ସଞ୍ଜୟ ପୁଗାଲିଆ ଓ ଅନ୍ୟଜଣେ ମହିଳା ସାମ୍ୱାଦିକ ସିଂଥଲ ଚେଙ୍ଗଲଭରାୟନ ପରିଚାଳନା ପରିଷଦର ନିର୍ଦ୍ଧେଶକ ଭାବେ ପ୍ରବେଶ କରିଥିଲେ ।
ଆଦାନୀ ଶିଳ୍ପ ସଂସ୍ଥାର ମୁଖ୍ୟ ଗୌତମ ଆଦାନୀଙ୍କ କେନ୍ଦ୍ର ସରକାର ଓ ଶାସକ ଦଳ ସହ ଉତ୍ତମ ସଂପର୍କ ରହିଛି ଏବଂ ତାହା ପ୍ରକାଶ୍ୟରେ ସେ ସ୍ୱୀକାର କରିଥାନ୍ତି । ନୂଆଦିଲ୍ଲୀ ଟେଲିଭିଜନର ଅଂଶଧନ ଅଧିଗ୍ରହଣ ଅବସରରେ ପ୍ରମୁଖ ବୈଦେଶିକ ଅର୍ଥନୀତି ସମ୍ୱାଦପତ୍ର ଫାଇନାନ୍ସସିଆଲ ଟାଇମ୍ସକୁ ସାକ୍ଷାତକାରରେ ଆଦାନୀ ଗଣମାଧ୍ୟମ ପ୍ରତି ନିଜ ପୂର୍ବ-ପ୍ରଦତ୍ତ ଦୃଷ୍ଟିକୋଣ ଦୋହରାଇଥିଲେ । ସେ କହିଥିଲେ ଯେ ଗଣମାଧ୍ୟମର ସ୍ୱାଧୀନତାର ଅର୍ଥ ସରକାରଙ୍କ ମନ୍ଦ ଆଚ଼ରଣକୁ ସମାଲୋଚ଼ନା କରିବା ସହ ଉତ୍ତମ ଆଚ଼ରଣକୁ ପ୍ରଶଂସା କରିବା ସାହସକୁ ବୁଝାଇଥାଏ ।
ସାକ୍ଷାତକାରର ତିନିଗୋଟି ଉଲ୍ଲେଖଯୋଗ୍ୟ ବକ୍ତବ୍ୟ ମଧ୍ୟରେ ପ୍ରଥମତଃ ସୁଚାଇଥିଲେ ଯେ ଏହି ଅଂଶଧନ ଅଧିଗ୍ରହଣକୁ ସେ ବ୍ୟାବସାୟିକ ସୁଯୋଗ ବଦଳରେ ଉତ୍ତରଦାୟିତ୍ୱ ବିବେଚନା କରନ୍ତି । ଦ୍ୱିତୀୟତଃ, ତାଙ୍କରି ଲକ୍ଷ୍ୟ ଫାଇନାନ୍ସସିଆଲ ଟାଇମ୍ସ ବା ଆଲ-ଜଜିରା ଭଳି ଉନ୍ନତମାନର ଆନ୍ତର୍ଜାତିକ ଗଣମାଧ୍ୟମ ମଞ୍ଚ ଗଢ଼ି ତୋଳିବା ନିମନ୍ତେ ଉଦ୍ଦିଷ୍ଟ । ତୃତୀୟତଃ, ଆଦାନୀ ଶିଳ୍ପ ପ୍ରତିଷ୍ଠାନ ସମୂହ ଅଠର ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟାୟନ କରାଯାଉଥିବା ସ୍ଥଳେ ଆଦାନୀ ମିଡ଼ିଆ ଗୃପରେ ନିବେଶ ପରିମାଣ ନଗଣ୍ୟ ବିବେଚ଼ିତ ହେବ ।
ଗୌତମ ଆଦାନୀଙ୍କ ଫାଇନାନ୍ସସିଆଲ ଟାଇମ୍ସ ସାକ୍ଷାତକାର ଅନୁଶୀଳନ କଲେ କେତେଗୋଟି ପ୍ରଶ୍ନ ମନକୁ ଆସିଥାଏ । ପ୍ରଥମତଃ, ନୂଆଦିଲ୍ଲୀ ଟେଲିଭିଜନର ଅଂଶଧନ କ୍ରୟ ଓ ଆଦାନୀ ମିଡ଼ିଆ ଗୃପର ଭବିଷ୍ୟତ ପଦକ୍ଷେପ ମୁଖ୍ୟତଃ ସମ୍ୱାଦଭିତ୍ତିକ ମଞ୍ଚରୁ ସେ ଲାଭ ବଦଳରେ ଲୋକସଂପର୍କର ସେତୁ ଗଢ଼ିତୋଳୁଛନ୍ତି କି ? ଦ୍ୱିତୀୟତଃ, ଆଦାନୀ ଗୃପ ପକ୍ଷରୁ ଇସ୍ରାଏଲ ଓ ଶ୍ରୀଲଙ୍କାରେ ବନ୍ଦର ନିର୍ମାଣ କାର୍ଯ୍ୟରେ ଅଂଶଗ୍ରହଣ କରୁଥିବା ତଥା ଆଫ୍ରିକାରେ ନିବେଶ କରିବାକୁ ପ୍ରସ୍ତୁତ ହେଉଥିବା ଅବସରରେ ଏକ ଆନ୍ତର୍ଜାତିକ ସମ୍ୱାଦ ମଞ୍ଚ ଗଠନ ଲାଗି ଅଭିଳାଷ ରଖୁଛନ୍ତି କି ? ତୃତୀୟତଃ, ଅନ୍ୟାନ୍ୟ ଶିଳ୍ପରୁ ବିପୁଳ ଲାଭ ପାଉଥିବା ହେତୁ ଗଣମାଧ୍ୟମ ମଞ୍ଚରେ ଦୀର୍ଘକାଳୀନ ନିବେଶ ଓ କ୍ଷତିକୁ ସତରେ ସେ ଭ୍ରୃକ୍ଷେପ କରୁ ନାହାନ୍ତି କି ?
ଗଣମାଧ୍ୟମ ସମୀକ୍ଷକ ବନିତା କୋହଲି-ଖଣ୍ଡାରକର ଆଦାନୀଙ୍କ ନୂଆଦିଲ୍ଲୀ ଟେଲିଭିଜନ ଅଂଶଧନ ଅଧିଗ୍ରହଣକୁ ଲକ୍ଷ୍ୟକରି କହିଛନ୍ତି ଯେ ବଡ଼ ଶିଳ୍ପପତିମାନେ ସମ୍ୱାଦ ଟେଲିଭିଜନରେ ପ୍ରବେଶ କଲେ ବିପୁଳ ନିବେଶ ସମ୍ଭାବନା ରହିଛି । ପରୋକ୍ଷରେ ଏହା ସମ୍ୱାଦ ମଞ୍ଚର ବିକାଶରେ ରୂପାନ୍ତରିତ ହେବ । କିନ୍ତୁ ପ୍ରଶ୍ନ ଉଠେ, ସମ୍ୱାଦ ମଞ୍ଚ ଯଦି ପ୍ରଚାର-ସର୍ବସ୍ୱ ଲୋକ-ସଂପର୍କ ମଞ୍ଚରେ ପରିଣତ ହୁଏ ତେବେ ସମକାଳୀନ ସାମ୍ୱାଦିକତା ପରିଧିରେ ବିପୁଳ କ୍ଷତି ପହୁଞ୍ଚାଇବ ନାହିଁକି ? ସାମ୍ୱାଦିକତା ବ୍ୟବସାୟ କମ ସୃଜନ ବହୁଳ ହେବା ଦରକାର । ଚ଼ତୁର୍ଥ ସ୍ତମ୍ଭ ଯଦି ପଞ୍ଚମ ସ୍ତମ୍ଭ ପାଲଟିବ ତେବେ ଗଣତନ୍ତ୍ରର ସୁରକ୍ଷାରେ ସମ୍ୱାଦମଞ୍ଚର ଯୋଗଦାନ ବିପନ୍ନ ସ୍ଥିତିରେ ପହଞ୍ଚିବ ନାହିଁ କି ? ଏହି କ୍ଷେତ୍ରରେ ବୈଦେଶିକ ରାଷ୍ଟ୍ରଗୁଡ଼ିକର ଘଟଣାକ୍ରମରୁ ଆମେ କ’ଣ ଶିଖିବା ?
ଭାରତରେ ମୁଦ୍ରଣ, ଟେଲିଭିଜନ ଓ ଅନଲାଇନ ସମସ୍ତ ବର୍ଗର ସମ୍ୱାଦ ମଞ୍ଚଗୁଡ଼ିକ ବିଜ୍ଞାପନ-ଆଶ୍ରିତ ମଡ଼େଲରେ ବିକଶିତ ହୋଇ ଆସିଥିବା ସ୍ଥଳେ ଦେଶର ବାର୍ଷିକ ତିନିରୁ ଚାରି ହଜାର କୋଟି ବିଜ୍ଞାପନ ବ୍ୟୟରୁ ସମ୍ୱାଦ ଭାଗରେ ମାତ୍ର ପାଞ୍ଚ ପ୍ରତିଶତ ପଡ଼େ । ଟେଲିଭିଜନ ପ୍ରସାରଣରୁ ଆୟ ବାର୍ଷିକ ୭୨ ହଜାର କୋଟି ଟଙ୍କା ହିସାବ କରାଯାଉଥିବା ସ୍ଥଳେ ସମ୍ୱାଦ ଟେଲିଭିଜନ ପ୍ରସାରଣର ଆୟ ମାତ୍ର ଚାରି ହଜାର କୋଟି । ମନୋରଞ୍ଜନ ଚ୍ୟାନେଲ ‘ଜେନେରାଲ ଏଣ୍ଟରଟେନମେଣ୍ଟ’ର ବିଜ୍ଞାପନ ଦର ତୁଳନାରେ ସମ୍ୱାଦ ଚ୍ୟାନେଲର ବିଜ୍ଞାପନ ଦର ୩୦ ପ୍ରତିଶତ କମ ।
ଏହି ପରିବେଶରେ ଆମ ଦେଶରେ ସମ୍ୱାଦ ଟେଲିଭିଜନ ପ୍ରସାରଣରୁ ବ୍ୟାବସାୟିକ ଲାଭ ଆଶା କରାଯାଉନାହିଁ । ରାଜନୀତିକ, ସାମାଜିକ ଓ ସାଂସ୍କୃତିକ ପ୍ରଭାବ ହିଁ ସମ୍ୱାଦ ଟେଲିଭିଜନ ପ୍ରସାରଣର ମୂଳ ଭିତ୍ତି । ଗୁଣାତ୍ମକ ସମ୍ୱାଦ ଟେଲିଭିଜନ କାର୍ଯ୍ୟକ୍ରମ ପ୍ରସ୍ତୁତି ଆର୍ଥିକ ନିବେଶ ଆବଶ୍ୟକ କରୁଥିବା ସ୍ଥଳେ ବ୍ୟାବସାୟିକ କ୍ଷତି ସୃଜନର ପରିପନ୍ଥୀ । ଏହି ଜଟିଳ ପରିବେଶରେ ସମ୍ୱାଦ ଟେଲିଭିଜନ ପ୍ରସାରଣ କ୍ଷେତ୍ରରେ ବିଶ୍ୱର ତୃତୀୟ ବୃହତ ଧନଶାଳୀଙ୍କ ପ୍ରବେଶ ଏକ ପକ୍ଷରେ ଉତ୍ସାହ ତ ଅନ୍ୟପକ୍ଷରେ ଆଶଙ୍କା ସୃଷ୍ଟି କରିବା ସ୍ୱାଭାବିକ ।
