ଆଜିର ଖାସ ଖବର
Sat. May 30th, 2026

ସାମ୍ୱାଦିକଙ୍କୁ ହତ୍ୟା

By Dainikasha Jul12,2024

ସାମ୍ୱାଦିକଙ୍କୁ ହତ୍ୟା ଗଣମାଧ୍ୟମ କଣ୍ଠରୋଧର ଚରମ ପଦକ୍ଷେପ ରୂପେ ବିବେଚନା କରାଯାଇପାରେ । ଉତ୍ତର ଆମେରିକାର ଦକ୍ଷିଣ ପାର୍ଶ୍ୱରେ ଅବସ୍ଥିତ ମାକ୍ସିକୋରେ ୨୦୨୨ ଜାନୁୟାରୀ ମାସକ ମଧ୍ୟରେ ଚାରିଜଣ ସାମ୍ୱାଦିକ ହତ୍ୟାର ଶୀକାର ହୋଇଥିବା ବିବରଣୀ ଆନ୍ତର୍ଜାତିକସ୍ତରରେ ଆଲୋଡ଼ନ ସୃଷ୍ଟି କରିଥିଲା । ନିକଟ ଅତୀତରେ ମେକ୍ସିକୋର ସାମ୍ୱାଦିକମାନଙ୍କୁ କ୍ରମାଗତ ଭାବେ ହତ୍ୟା କରାଯାଇ ଆସିଛି । ପୂର୍ବ ବର୍ଷ ୨୦୨୧ରେ ନ୍ୟୂୟର୍କଭିତ୍ତିକ ‘କମିଟି ଟୁ ପ୍ରୋଟେକ୍ଟ ଜର୍ଣ୍ଣାଲିଷ୍ଟ’ର ହିସାବରେ ତିନି ଜଣଙ୍କୁ ହତ୍ୟା କରାଯାଇଥିଲା । ମେକ୍ସିକୋରେ ମୁଖ୍ୟତଃ ରାଜନୀତିଜ୍ଞ ଓ ଅପରାଧୀଙ୍କ ଅସାଧୁ ସଂପର୍କ ତଦନ୍ତରେ ସଂଶ୍ଳିଷ୍ଟ ସାମ୍ୱାଦିକମାନଙ୍କୁ ହତ୍ୟା କରାଯାଉଥିବା ଜଣାଯାଇଥାଏ ।

ଜାନୁୟାରୀ ୧୦ ତାରିଖରେ ଜୋସ ଲୁଇସ ଗାମ୍ଭୋଆ ନାମକ ଜଣେ ସାମ୍ୱାଦିକଙ୍କୁ ଛୁରି ଭୁଷି ହତ୍ୟା କରାଯାଇଥିଲା । ସେ ‘ଇନଫରଲିଗୋ’ନାମକ ନିଜ ପ୍ରତିଷ୍ଠିତ ଡିଜିଟାଲ ସମ୍ୱାଦ ମଞ୍ଚରେ ରାଜନୀତିର ଅପରାଧିକରଣ ସଂପର୍କରେ ବରାବର ପର୍ଦ୍ଦାଫାଶ କରୁଥିଲେ । ସପ୍ତାହକ ପରେ ଦ୍ୱିତୀୟ ହତ୍ୟାକାଣ୍ଡ ଜାନୁୟାରୀ ୧୭ରେ ଘଟିଥିଲା । ମାର୍ଗାରିଟୋ ମାଟିନାଜ ନାମକ ଜଣେ ୪୯ ବର୍ଷ ବୟସ୍କ ଫୋଟୋ ସାମ୍ୱାଦିକଙ୍କୁ ଏକାକୀ ଜଣେ ଦୁର୍ବତ୍ତ ଗୁଳି କରିଥିଲା ।

ତୃତୀୟ ହତ୍ୟାକାଣ୍ଡରେ ମେସ୍କିକୋର ସର୍ବବୃହତ୍ତ ଟେଲିଭିଜନ ନେଟୱାର୍କ ‘ଟେଲିଭିସା’ର ଜଣେ ପୂର୍ବତନ ମହିଳା ସାମ୍ୱାଦିକ ଲୋଭରାଡସ ମାଲଡୋସାଡ଼େ ଲୋପାଜ ଜାନୁୟାରୀ ୨୩ ତାରିଖ ଦିନ ସନ୍ଧ୍ୟାରେ ଘରକୁ ଫେରୁଥିବା ବେଳେ ଗୁଳି ସାମ୍ନା କରିଥିଲେ । ଚ଼ତୁର୍ଥ ସମ୍ୱାଦିକ ରୋବେର୍ଟୋ ଟୋଲେଡ଼େ କାରପାର୍କିଂ ସ୍ଥଳରେ ଜାନୁୟାରୀ ୩୧ ତାରିଖ ଦିନ ତିନିଜଣ ବନ୍ଧୁକଧାରୀଙ୍କ ଗୁଳିରେ ନିହତ ହୋଇଥିଲେ ।

ମେସ୍କିକୋର ନାଗରିକ ସମାଜ କର୍ମୀମାନେ ‘କମିଟି ଟୁ ପ୍ରୋଟେକ୍ଟ ଜର୍ଣ୍ଣାଲିଷ୍ଟ’ର ସାମ୍ୱାଦିକ ମୃତ୍ୟୁ ତାଲିକାରୁ ତିନି ଗୁଣ ଅଧିକା ହତ୍ୟାକାଣ୍ଡ ଦାବୀ କରିଥାନ୍ତି । ସେମାନଙ୍କ କହିବା ପ୍ରକାରେ ୨୦୨୧ରେ ନଅ ଜଣ ସାମ୍ୱାଦିକ ହତ୍ୟାର ଶୀକାର ହୋଇଥିଲେ । ଜାନୁୟାରୀ ୨୦୨୨ରେ ସେଠାରେ ଅନ୍ୟ ଦୁଇଜଣ ସାମ୍ୱାଦିକଙ୍କୁ ଗୁଳି ଚଳାଇ ହତ୍ୟା କରିବା ନିମନ୍ତେ ଉଦ୍ୟମ କରାଯାଇଥିଲେ ସୁଦ୍ଧା ସେମାନେ ବର୍ତ୍ତିଯାଇଥିଲେ ।

ମେସ୍କିକୋର ସାମାଜିକ ପ୍ରେକ୍ଷାପଟ୍ଟ ଊଣାଅଧିକେ ଦକ୍ଷିଣ ଆମେରିକାର ବ୍ରାଜିଲ ଭଳି ଅନ୍ୟାନ୍ୟ ରାଷ୍ଟ୍ରରେ ମଧ୍ୟ ପ୍ରତିଫଳିତ । ଏକପକ୍ଷରେ ରାଜନୀତିରେ ଅପରାଧିକ ତତ୍ତ୍ୱଙ୍କ ପ୍ରବେଶ, ନିଶାଦ୍ରବ୍ୟ ଚାଲାଣ ଓ ଅସାଧୁ ପ୍ରଶାସନିକ କର୍ମଚାରୀଙ୍କ ଦୌରାତ୍ମ୍ୟ ସାଙ୍ଗକୁ ଅପରପକ୍ଷରେ ଅନୁସନ୍ଧାନମୂଳକ ସାମ୍ୱାଦିକତା, ସ୍ଥଳବିଶେଷରେ ତଥ୍ୟ ପ୍ରଘଟନ ଭୟ ଦେଖାଇ ମୂଲଚାଲ ଭଳି ପ୍ରବାହ ଏକ ଜଟିଳ ସାମାଜିକ ପରିବେଶ ସୃଷ୍ଟି କରିଛି । ରାଜନୀତିର ଅପରାଧିକରଣ ଓ ସାମ୍ୱାଦିକତାରେ ନୈତିକତାର ଅଧଃପତନ ବିଭ୍ରାଟ ସୃଷ୍ଟି କରିଥାଏ ଏବଂ ସାଲିସ ବିରୋଧି ସାମ୍ୱାଦିକମାନେ ଦୁଃସ୍ଥିତିର ଶୀକାର ହୋଇଥାନ୍ତି ।

‘କମିଟି ଟୁ ପ୍ରୋଟେକ୍ଟ ଜର୍ଣ୍ଣାଲିଷ୍ଟ’ ବିଶ୍ୱବ୍ୟାପୀ ସାମ୍ୱାଦିକଙ୍କ ପ୍ରତି ଅସଦାଚ଼ରଣର ବିବରଣୀ ସଂକଳନ କରିଥାଏ । ଯୁକ୍ତରାଷ୍ଟ୍ର ଆମେରିକା ଗଣମାଧ୍ୟମରେ କାର୍ଯ୍ୟରତ କେତେକ ବୈଦେଶିକ ସମ୍ୱାଦ ପରିବେଷଣ କରୁଥିବା ସାମ୍ୱାଦିକ ‘ଫରେନ କରସପଣ୍ଡେଣ୍ଟସ’ଙ୍କ ଉଦ୍ୟମରେ ୧୯୮୧ ମସିହାରେ ଏହି ସଂଗଠନ ସ୍ଥାପିତ ହୋଇଥିଲା । ସେତେବେଳକୁ ଫକଲ୍ୟାଣ୍ଡ ଯୁଦ୍ଧ ଚାଲିଥାଏ ଏବଂ ଆର୍ଜେଣ୍ଟିନା ତିନିଜଣ ବ୍ରିଟିଶ ସାମ୍ୱାଦିକଙ୍କୁ ବନ୍ଦୀ କରି ରଖିଥାଏ । ଏହା ବିରୋଧରେ କମିଟି ପକ୍ଷରୁ ଆନ୍ତର୍ଜାତିକସ୍ତରରେ ୧୯୮୨ରେ ଅଭିଯାନ ଆରମ୍ଭ କରାଯାଇଥିଲା । ଫଳରେ ବନ୍ଦୀ ସମ୍ୱାଦିକମାନେ ମୁକ୍ତ ହୋଇଥିଲେ ।

କମିଟିର ପ୍ରାଥମିକ ପଦକ୍ଷେପ ସଫଳତା ପରବର୍ତ୍ତୀ ଅବସ୍ଥାରେ ଏହାର କାର୍ଯ୍ୟପରିସର ଆନ୍ତର୍ଜାତିକସ୍ତରରେ ପ୍ରସାରକୁ ପ୍ରୋତ୍ସାହିତ କରିଥିଲା । ଉତ୍ତର ଓ ଦକ୍ଷିଣ ଆମେରିକା, ୟୁରୋପ, ଏସିଆ ଓ ମଧ୍ୟ-ଏସିଆ ତଥା ଆଫ୍ରିକା ଓ ଉତ୍ତର-ଆଫ୍ରିକାରେ କାର୍ଯ୍ୟାଳୟମାନ ସ୍ଥାପାନ କରାଯାଇ ସାମ୍ୱାଦିକଙ୍କୁ ଅତ୍ୟାଚାରଜନିତ ଘଟଣାବଳୀର ପୁଙ୍ଖନାପୁଙ୍ଖ ଅନୁସନ୍ଧାନ କରି ପୂର୍ଣ୍ଣାଙ୍ଗ ବିବରଣୀ ପ୍ରସ୍ତୁତ ହୋଇଥାଏ । ଏହି ତଥ୍ୟଭିତ୍ତିକ ବିବରଣୀ ଆଧାରରେ ସାମ୍ୱାଦିକଙ୍କ ସୁରକ୍ଷା ଦିଗରେ କମିଟି ସମେତ ଅନ୍ୟାନ୍ୟ ସଂସ୍ଥା ଉଦ୍ୟମ କରିଥାନ୍ତି ।

ସାମ୍ୱାଦିକଙ୍କୁ ହଇରାଣ ହରକତ ‘ହାରାସମେଣ୍ଟ’, ଧମକଚମକ ‘ଥ୍ରୀଟେନଡ଼’, ଆକ୍ରମଣ ‘ଏଟାକ’, ଅପହରଣ ‘ଅବଡକ୍ଟ’, ବନ୍ଦୀ ‘ଜେଲ’, ହତ୍ୟା ‘କିଲିଂ’ ତଥା ଯାଞ୍ଚ ‘ସେନସର’ ଇତ୍ୟାଦି ଆକ୍ରୋଶ ଓ ଦମନମୂଳକ ଘଟଣାବଳୀ କମିଟିର ଦୃଷ୍ଟିଆକର୍ଷଣ କରିଥାଏ । ଆକ୍ରାନ୍ତ ସାମ୍ୱାଦିକମାନଙ୍କୁ ଆପତକାଳୀନ ସହାୟତା ଯୋଗାଇବା ସଙ୍ଗେ ରାଷ୍ଟ୍ରୀୟ ତଥା ଆନ୍ତର୍ଜାତିକସ୍ତରରେ ସ୍ୱର ଉତ୍ତୋଳନ ଉଦ୍ୟମ ହୋଇଥାଏ । କମିଟି ପକ୍ଷରୁ ନିଜ କର୍ମଚାରୀଙ୍କ ମାଧ୍ୟମରେ ପ୍ରତ୍ୟେକ ଘଟଣାର ତଦନ୍ତ ଆୟୋଜନ ହୋଇଥାଏ । ସଂଗଠନର କାର୍ଯ୍ୟକ୍ରମ ବ୍ୟକ୍ତିଗତ ଓ ଆନୁଷ୍ଠାନିକ ଅନୁଦାନରେ ସମାହିତ ହୁଏ ଏବଂ କୌଣସି ସରକାରଙ୍କ ପକ୍ଷରୁ ଆର୍ଥିକ ସହଯୋଗ ଗ୍ରହଣ କରାଯାଏ ନାହିଁ ।

କମିଟିର ୨୦୨୧ ରିପୋର୍ଟ ଅନୁଯାୟୀ ୨୦୨୦ ବର୍ଷକ ମଧ୍ୟରେ ବିଶ୍ୱବ୍ୟାପୀ ୨୭ଜଣ ସାମ୍ୱାଦିକଙ୍କୁ ହତ୍ୟା କରାଯାଇଥିଲା । ସେଥିମଧ୍ୟରେ ଭାରତର ଚାରି ଓ ମେକ୍ସିକୋରେ ତିନିଗୋଟି ସାମ୍ୱାଦିକ ହତ୍ୟାକାଣ୍ଡ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା । ମେକ୍ସିକୋରେ ୬ ଗୋଟି ସହ ବିଶ୍ୱବ୍ୟାପୀ ୧୮ଗୋଟି ସାମ୍ୱାଦିକ ହତ୍ୟାକାଣ୍ଡର କମିଟି ପକ୍ଷରୁ ତଦନ୍ତ ରିପୋର୍ଟ ପ୍ରକାଶ ବେଳକୁ ବିଚାରାଧିନ ରହିଥିଲା । ପୂର୍ବ ବର୍ଷ ୨୦୨୦ରେ ୩୨ ଜଣ ସାମ୍ୱାଦିକଙ୍କୁ ହତ୍ୟା କରାଯାଇଥିଲା । କମିଟି ପକ୍ଷରୁ ୧୯୯୯ରୁ କ୍ରମାଗତଭାବେ ସାମ୍ୱାଦିକଙ୍କୁ ହତ୍ୟାର ପର୍ଦ୍ଦାଫାଶ କରାଯାଇ ଆସିଛି ।

‘କମିଟି ଟୁ ପ୍ରୋଟେକ୍ଟ ଜର୍ଣ୍ଣାଲିଷ୍ଟ’ର କାର୍ଯ୍ୟଶୈଳୀରୁ ଆମ ଦେଶ ଓ ରାଜ୍ୟର ଆଞ୍ଚଳିକସ୍ତରରୁ ଆରମ୍ଭ କରି ରାଷ୍ଟ୍ରୀୟସ୍ତରର ସାମ୍ୱାଦିକ ସଂଗଠନଗୁଡ଼ିକ ଗୋଟିଏ କଥା ଶିଖିବାର ଅଛି ଯେ କୌଣସି ସ୍ତରରେ ସାମ୍ୱାଦିକ ଆକ୍ରୋଶର ଶୀକାର ହେଲେ ତାହା ପୀଡ଼ିତ ସାମ୍ୱାଦିକ ନିଜ ସତୀର୍ଥଙ୍କ ସହଯୋଗରେ ଲିପିବଦ୍ଧ ପୂର୍ଣ୍ଣାଙ୍ଗ ବିବରଣୀ ‘ରିପୋର୍ଟ’ ପ୍ରସ୍ତୁତ କରିବା ପ୍ରାଥମିକ ପଦକ୍ଷେପ । ଏହି ବିବରଣୀରେ ସାଧ୍ୟମତେ ପ୍ରମାଣ ଉଭୟ ଦଲିଲ, ଅଡ଼ିଓ ଓ ଭିଡ଼ିଓ ରେକର୍ଡିଂ ସନ୍ନିବଶତ ହେବା ବିଧେୟ । ବିବରଣୀ ପ୍ରସ୍ତୁତ ହେବା ମାତ୍ରେ ଅନ୍ତତଃପକ୍ଷେ ବିନାମୂଲ୍ୟରେ ବ୍ୟବହାର କରିହେଉଥିବା ବ୍ଳଗପୋଷ୍ଟ ମାଧ୍ୟମରେ ଅନଲାଇନରେ ଉପଲବ୍ଧ ହେବା ଆବଶ୍ୟକ ।

ବିବରଣୀ ଅନଲାଇନରେ ପ୍ରକାଶନର ତିନିଗୋଟି ଉଲ୍ଲେଖନୀୟ ଉପାଦେୟତା ମଧ୍ୟରୁ ପ୍ରଥମତଃ, ଯେକୌଣସି ବ୍ୟକ୍ତି ଖବର ପାଇବା ମାତ୍ରେ ପ୍ରକୃତ ଘଟଣା ସଂପର୍କରେ ଅବଗତ ହୋଇପାରିବ ଏବଂ ଏହା ସଂପୃକ୍ତ ବ୍ୟକ୍ତିଙ୍କ ପରବର୍ତ୍ତୀ କାର୍ଯ୍ୟଧାରାକୁ ନିୟନ୍ତ୍ରିତ କରିପାରିବ । ଅନେକ ସମୟରେ ସତ୍ୟ-ଅସତ୍ୟର ଲୁଚ଼କାଳି ମଧ୍ୟରେ ସତ୍ୟ ନିଷ୍ପ୍ରଭ ହୋଇଯାଏ । ଉପଯୁକ୍ତ ପ୍ରଚାର ପ୍ରସାର ଅଭାବରୁ ସାଧାରଣ ବ୍ୟକ୍ତିର ସ୍ୱର ବହୁଳ ମାତ୍ରାରେ ପ୍ରତିଧ୍ୱନିତ ହୋଇପାରେ ନାହିଁ । କିନ୍ତୁ ଅନଲାଇନରେ ବିବରଣୀ ଉପଲବ୍ଧ ହେଲେ ସତ୍ୟ ପ୍ରକାଶର ଅନ୍ତତଃପକ୍ଷେ ସର୍ବାପେକ୍ଷା ବିଶ୍ୱସନୀୟ ସୂତ୍ର ସର୍ବସାଧାରଣରରେ ଉନ୍ମୋଚିତ ହୋଇପାରିବ ।

ଦ୍ୱିତୀୟତଃ, ଆମଦେଶରେ ଗ୍ରାମାଞ୍ଚଳରେ ହଇରାଣ ହରକତ ହେଉଥିବା ସାମ୍ୱାଦିକମାନଙ୍କ ସ୍ୱର ପ୍ରାୟତଃ ରାଜ୍ୟ, ରାଷ୍ଟ୍ର ବା ଆନ୍ତର୍ଜାତିକସ୍ତରରେ ପହଞ୍ଚିପାରେ ନାହିଁ । ଗ୍ରାମପଞ୍ଚାୟତସ୍ତରରେ ସାମ୍ୱାଦିକଙ୍କ ସୁରକ୍ଷା ଗୁଣାତ୍ମକ ଗଣମାଧ୍ୟମ ପରିପ୍ରକାଶରେ ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ । ଅତଏବ ଗ୍ରାମାଞ୍ଚଳର ସାମ୍ୱାଦିକମାନେ ଧମକଚମକ ସମ୍ମୁଖୀନ ହେବା ସମୟରୁହିଁ ଅନଲାଇନରେ ସର୍ବସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିପାରିଲେ ସମ୍ଭାବ୍ୟ ବିପଦକୁ କେତେକାଂଶରେ ଏଡ଼ାଇ ଦେବା ବିଚାର କରାଯାଇପାରେ । ଏଦିଗରେ ଗ୍ରାମାଞ୍ଚଳ ସାମ୍ୱାଦିକମାନେ ସାମାନ୍ୟ ତାଲିମ ଗ୍ରହଣ କରି ନିଜକୁ ସଶକ୍ତ ‘ଏମପାୱାରଡ଼’ କରିବା ଆବଶ୍ୟକ ।

ତୃତୀୟତଃ, ପରିବର୍ତ୍ତିତ ପରିବେଶରେ ସାମ୍ୱାଦିକ ସଂଗଠନଗୁଡ଼ିକ ପକ୍ଷରୁ ନିଜ ସଭ୍ୟମାନେ ହଇରାଣ ହରକତ ହେଉଥିବା ସମ୍ୱାଦ ତତ୍ କ୍ଷଣାତ ‘ରିଅଲ ଟାଇମ’ରେ ଉଭୟ ପାଠ୍ୟ, ଶ୍ରାବ୍ୟ ଓ ଦୃଶ୍ୟ ‘ଟେକ୍ସଟ, ଅଡ଼ିଓ ଓ ଭିଡ଼ିଓ’ ମାଧ୍ୟମରେ ନିଜସ୍ୱ ୱେବସାଇଟରେ ପ୍ରକାଶ କରିବା, ଅନ୍ତତଃ ତ୍ରୟମାସିକଭିତ୍ତିରେ ରିପୋର୍ଟ ପ୍ରସ୍ତୁତ କରିବା ଏବଂ ରାଷ୍ଟ୍ରୀୟ ଓ ଅନ୍ତଃରାଷ୍ଟ୍ରୀୟ ସାମ୍ୱାଦିକ ସଂଗଠନଗୁଡ଼ିକ ସହ ତଥ୍ୟ ବିନିମୟ ଆରମ୍ଭ କରିବା ସମୟ ଉପନୀତ । ଗ୍ରାମାଞ୍ଚଳ ଓ ନାଗରିକ ସାମ୍ୱାଦିକମାନଙ୍କୁ ତଥ୍ୟ ସଂକଳନ ‘ଡକ୍ୟୁମେଣ୍ଟେସନ’ ଦିଗରେ ସାଧାରଣ କଳାକୌଶଳ ତାଲିମ ଦେବା ନିମନ୍ତେ ସ୍ୱତନ୍ତ୍ର ଅଭିଯାନ ଆୟୋଜନ ପ୍ରାଥମିକତା ଦାବୀ କରେ ।

Related Post