ଆନ୍ତର୍ଜାତିକସ୍ତରରେ ବନ୍ଦୀ ସାମ୍ୱାଦିକଙ୍କ ସଂଖ୍ୟା ୨୦୨୨ ମସିହାରେ ପୂର୍ବ-ବର୍ଷଗୁଡ଼ିକ ତୁଳନାରେ ଶୀର୍ଷରେ ପହଞ୍ଚିଥିବା ହିସାବ କରାଯାଇଛି । ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ୨୦୨୧ରେ ମଧ୍ୟ ଶୀର୍ଷ ସ୍ଥାନ ଅଧିକାର କରିଥିବା ସ୍ଥଳେ ୨୦୨୧ ତୁଳନାରେ ୨୦୨୨ରେ ପ୍ରାୟ ୨୦ ପ୍ରତିଶତ ବୃଦ୍ଧି ଘଟିଛି । ‘କମିଟି ଟୁ ପ୍ରୋଟେକ୍ଟ ଜର୍ଣ୍ଣାଲିଷ୍ଟ’ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ୨୦୨୦ରେ ୨୮୦, ୨୦୨୧ରେ ୨୯୩ ସାମ୍ୱାଦିକ ବନ୍ଦୀ ଥିବା ସ୍ଥଳେ ୨୦୨୨ ଡ଼ିସେମ୍ୱର ପହିଲା ସୁଦ୍ଧା ୩୬୩ ସାମ୍ୱାଦିକ ବିଭିନ୍ନ କାରଣରୁ ବନ୍ଦୀଶାଳାରେ ଆବଦ୍ଧ ରହିଥିଲେ । ଏହି ହିସାବରେ ଭାରତରୁ ସାତ ଜଣ ବନ୍ଦୀ ସାମ୍ୱାଦିକ ଅନ୍ତର୍ଭୁକ୍ତ ।
‘କମିଟି ଟୁ ପ୍ରେଟେକ୍ଟ ଜର୍ଣ୍ଣାଲିଷ୍ଟସ’ ଯୁକ୍ତରାଷ୍ଟ୍ର ଆମେରିକାଭିତ୍ତିକ ଏକ ବେସରକାରୀ ସଂଗଠନ । ବିଶ୍ୱବ୍ୟାପୀ ସାମ୍ୱାଦିକଙ୍କ ସୁରକ୍ଷାକଳ୍ପେ ୧୯୮୧ରେ ଗଠିତ ଏହି ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟ ନ୍ୟୂ-ୟର୍କରେ ଅବସ୍ଥିତ । ଯେକୌଣସି ସୂତ୍ରରୁ ସାମ୍ୱାଦିକଙ୍କ ସୁରକ୍ଷା ବିପନ୍ନ ସମ୍ୱାଦ ହସ୍ତଗତ ହେବା ପରେ ସଂସ୍ଥାର ଅଧିକୃତ ଆଞ୍ଚଳିକ ପ୍ରତିନିଧିମାନେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ପ୍ରସ୍ତୁତ କରିଥାନ୍ତି । ପ୍ରତିବର୍ଷ ପ୍ରକାଶିତ ଏହାର ବାର୍ଷିକ ବିବରଣୀରେ ସାମ୍ୱାଦିକଙ୍କୁ ବନ୍ଦୀ, ହତ୍ୟା ଓ ନିର୍ଯ୍ୟାତନାର ବିସ୍ତୃତ ବିବରଣୀ ସ୍ଥାନ ପାଇଥାଏ । କେତେକ ଏହାର କାର୍ଯ୍ୟାବଳୀକୁ ‘ସାମ୍ୱାଦିକତା ରେଡ଼କ୍ରସ’ ଅଭିହିତ କରିଥାନ୍ତି ।
ସାମ୍ୱାଦିକଙ୍କୁ ବନ୍ଦୀ କରିବା ୨୦୨୨ର ତାଲିକାରେ ଶୀର୍ଷରେ ରହୁଥିବା ପାଞ୍ଚଗୋଟି ରାଷ୍ଟ୍ର ମଧ୍ୟରେ ଯଥାକ୍ରମେ ଇରାନ, ଚ଼ୀନ, ମାୟାମାର, ତୁର୍କୀ ଓ ବେଲାଋଷ ଚ଼ିହ୍ନିତ । କୋଭିଡ଼-୧୯ ମହାମାରୀଜନିତ ବିଘଟନ ଏବଂ ଋଷ-ୟୁକ୍ରେନ ଯୁଦ୍ଧ କାରଣରୁ ସୃଷ୍ଟ ଅର୍ଥନୀତିକ ମନ୍ଦାବସ୍ଥାରେ ପ୍ରଭାବିତ ଜନଜୀବନରେ ଉଚ୍ଚାରିତ ଆକ୍ରୋଶ ପ୍ରଚାରକୁ ଦବାଇବା ନିମନ୍ତେ ସ୍ୱେଚ୍ଛାଚାରୀ ପ୍ରଶାସକମାନେ ସାମ୍ୱାଦିକଙ୍କ କଣ୍ଠରୋଧ ଲାଗି ସେମାନଙ୍କୁ ବନ୍ଦୀ କରିଥାନ୍ତି । ଇରାନରେ ପୋଲିସ ହାଜତରେ ମାଶା ଆମିନି ନାମକ ୨୨ ବର୍ଷିଆ ଯୁବତୀଙ୍କ ମୃତ୍ୟୁକୁ କେନ୍ଦ୍ର କରି ହିଜାବ-ବିରୋଧୀ ଆନ୍ଦୋଳନରେ ପ୍ରାୟ ୧୪ ହଜାର ବନ୍ଦୀ ହୋଇଥିଲେ । ସେମାନଙ୍କ ମଧ୍ୟରେ ୬୨ ଜଣ ସାମ୍ୱାଦିକଙ୍କ ତଥା ୨୨ ଜଣ ମହିଳା ସାମ୍ୱାଦିକ ଅନ୍ତର୍ଭୁକ୍ତ ଥିଲେ ।
ଚୀନରେ ସରକାରଙ୍କ ଶୂନ୍ୟ-କୋଭିଡ଼ ନୀତି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଅବସରରେ ବହୁ ସଂଖ୍ୟକ ସାମ୍ୱାଦିକଙ୍କୁ ପ୍ରଶାସନ ସ୍ୱଳ୍ପକାଳୀନ ବନ୍ଦୀ କରିଥିଲେ । ସେଠାରେ ୨୦୨୧ରେ ୪୮ ଜଣ ସାମ୍ୱାଦିକ ବନ୍ଦୀ ହୋଇଥିବା ହିସାବ କରାଯାଇଥିବା ସ୍ଥଳେ ୨୦୨୨ରେ ୪୩କୁ ଖସିଥିବା କୁହାଯାଏ । ସେହିପରି ମାୟାମାର ୨୦୨୧ରେ ସମଗ୍ର ବିଶ୍ୱରେ ସାମ୍ୱାଦିକଙ୍କୁ ବନ୍ଦୀ କରିବାରେ ଦ୍ୱିତୀୟ ରାଷ୍ଟ୍ର ପରିଗଣିତ ହୋଇଥିବା ସ୍ଥଳେ ୨୦୨୨ରେ ତୃତୀୟ ସ୍ଥାନକୁ ଆସିଛି । ତେବେ ୨୦୨୧ରେ ୩୦ ଜଣ ସାମ୍ୱାଦିକ ବନ୍ଦୀ ହୋଇଥିବା ସ୍ଥଳେ ୨୦୨୨ରେ ୪୨ରେ ପହଞ୍ଚିଛି । ସେଠାକାର ଗଣମାଧ୍ୟମ ପ୍ରତିଷ୍ଠାନଗୁଡ଼ିକ ବନ୍ଦୀ ସାମ୍ୱାଦିକଙ୍କ ସହ ସଂପର୍କ ସ୍ୱୀକାର କରୁନଥିବା ହେତୁ ବିଷମ ପରିସ୍ଥିତି ଉପୁଜିଥାଏ ।
ତୁର୍କୀରେ ୨୦୨୧ରେ ୧୮ ଜଣ ସାମ୍ୱାଦିକ ବନ୍ଦୀ ହୋଇଥିବା ବେଳେ ୨୦୨୨ରେ ସେମାନଙ୍କ ସଂଖ୍ୟା ୪୦କୁ ବଢ଼ିଥିଲା । ସମଧାରାରେ ବେଲାଋଷରେ ୨୦୨୧ରେ ୧୯ ଜଣ ସାମ୍ୱାଦିକ ବନ୍ଦୀ ହୋଇଥିବା ସ୍ଥଳେ ୨୦୨୨ରେ ୨୬ରେ ପହଞ୍ଚିଥିଲା । ବେଲାଋଷରେ ମୁଖ୍ୟତଃ ୨୦୨୦ରେ ବିବାଦୀୟ ରାଷ୍ଟ୍ରପତି ନିର୍ବାଚନ ସଂପର୍କରେ ସମ୍ୱାଦ ଓ ଅଭିମତ ପରିବେଷଣ କରି ସାମ୍ୱାଦିକମାନେ ବନ୍ଦୀ ହୋଇଥିବା କୁହାଯାଏ ।
ଆଞ୍ଚଳିକଭିତ୍ତିରେ ଚୀନ, ମାୟାମାର ଓ ଭିଏତନାମରେ ସର୍ବାଧିକ ୧୧୯ ଜଣ ସାମ୍ୱାଦିକ ବନ୍ଦୀ ରହିଥିଲେ । ଭିଏତନାମରେ ୨୦୨୨ରେ ୨୧ ଜଣ ସାମ୍ୱାଦିକ କାରାବରଣ କରିଥିଲେ । ଆଫ୍ରିକାରେ ଏରାଟିକା ଭଳି ରାଷ୍ଟ୍ରରେ ୧୬ ଜଣ ସାମ୍ୱାଦିକ ବନ୍ଦୀ ଥିବା ଏବଂ ସେମାନଙ୍କ ନ୍ୟାୟିକ ବିଚାର ଦୀର୍ଘକାଳ ଧରି ବିଳମ୍ୱ ହୋଇଥିବା ଜଣାଯାଏ । ଲାଟିନ ଆମେରିକାରେ ଅପେକ୍ଷାକୃତ କମ ସଂଖ୍ୟକ ସାମ୍ୱାଦିକ ବନ୍ଦୀ ଚ଼ିହ୍ନଟ ହୋଇଥାଏ । ମଧ୍ୟ-ପ୍ରାଚ଼୍ୟ ଇଜିପ୍ଟରେ ୨୧ ଜଣ ବନ୍ଦୀ ଥିଲେ । ଋଷରେ ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବାପରେ ପ୍ରଚଳିତ ବ୍ୟବସ୍ଥାରେ ଅତିଷ୍ଠ ହୋଇ ବହୁ ସଂଖ୍ୟକ ସାମ୍ୱାଦିକ ଦେଶାନ୍ତର ଗମନ କରିଥିବା ପ୍ରକାଶ ।
‘କମିଟି ଟୁ ପ୍ରୋଟେକ୍ଟ ଜର୍ଣ୍ଣାଲିଷ୍ଟ’ର ବିବରଣୀ ଅନୁଯାୟୀ ୨୦୨୨ରେ ଭାରତରେ ସାତ ଜଣ ସାମ୍ୱାଦିକ ବନ୍ଦୀ ଥିଲେ । ସେମାନଙ୍କ ମଧ୍ୟରୁ ଛଅଜଣ ଆତଙ୍କବାଦ ବିରୋଧ ଓ ବେନିୟମ କାର୍ଯ୍ୟକଳାପ ନିଷେଧ ଭଳି ଆଇନ ଅମାନ୍ୟରେ ଅଭିଯୁକ୍ତ । ତିନିଜଣ ସାମ୍ୱାଦିକ ବର୍ଷରୁ ଅଧିକ ସମୟଧରି ବନ୍ଦୀ । ସର୍ବାଧିକ ଚାରି ଜଣ କାଶ୍ମୀର ସାମ୍ୱାଦିକଙ୍କ ମଧ୍ୟରେ ‘କାଶ୍ମୀର ନେରେଟର’ର ସମ୍ୱାଦଦାତା ଅଶିଫ ସୁଲତାନ, ‘କାଶ୍ମୀର ୱାଲା’ର ସଜାଦ ଗୁଲ ଓ ଫରାଦ ଶାହଙ୍କ ସହ ମାନନ ଧର ନାମକ ଜଣେ ଫ୍ରିଲାନ୍ସ ସାମ୍ୱାଦିକ ଜେଲରେ ରହିଥିଲେ । ଝାଡ଼ଖଣ୍ଡର ରୂପେଶ କୁମାର ସିଂ, ପୁନେର ଗୌତମ ନଭାଲକାର ଓ କେରଳରେ ସିଦ୍ଦିକ କାପାନ ଅନ୍ୟତମ ବନ୍ଦୀ ସାମ୍ୱାଦିକ ।
ଭିନ୍ନ ଭିନ୍ନ ରାଷ୍ଟ୍ରରେ ବିଭିନ୍ନ କାରଣରୁ ସାମ୍ୱାଦିକଙ୍କୁ ବନ୍ଦୀ କରାଯାଉଥିବା ସ୍ଥଳେ ସାମ୍ୱାଦିକମାନେ ସ୍ଥାନୀୟ ଆଇନ ଉଲଂଘନ କରିଥିବା ଅଭିଯୋଗ ହୋଇଥାଏ । ଆଇନ ଇଲଂଘନର ତର୍ଜମା ବିଚାରାଳୟରେ କରାଯାଏ ଏବଂ ଦୋଷ ପ୍ରମାଣିତ ହେଲେ ଯେକୌଣସି ସାଧାରଣ ନାଗରିକଙ୍କ ଭଳି ସାମ୍ୱାଦିକମାନେ ମଧ୍ୟ ଦଣ୍ଡିତ ହୋଇଥାନ୍ତି । ତେବେ ବନ୍ଦୀ ସାମ୍ୱାଦିକ ପ୍ରସଙ୍ଗ ଆଲୋଚ଼ନା କଲାବେଳେ କେତେଗୋଟି ଦିଗ ଗୁରୁତ୍ୱ ବହନ କରେ ।
ପ୍ରଥମତଃ, ଦେଖିବାକୁ ମିଳେ ସର୍ବତ୍ର ଖ୍ୟାତିସଂପନ୍ନ ସାମ୍ୱାଦିକମାନେ କ୍ୱଚିତ ବନ୍ଦୀ ହୋଇଥାନ୍ତି । ମୁଖ୍ୟତଃ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଦ୍ୱାରା ଅନୁବନ୍ଧିତ ମୁକ୍ତ ବୃତ୍ତିର ସାମ୍ୱାଦିକ ‘ଫ୍ରିଲାନ୍ସର’, ‘କଣ୍ଟ୍ରିବ୍ୟୁଟର’ ବର୍ଗର ସାମ୍ୱାଦିକଙ୍କୁ ବନ୍ଦୀ କରାଯାଇଥାଏ । ଏହାର ମୁଖ୍ୟ କାରଣ ଆଇନକାନୁନ ସଂପର୍କରେ କେତେକ ସାମ୍ୱାଦିକ ଅବଗତ ନଥିବା ହେତୁ ବା ଜାଣିଶୁଣି ଉଲଂଘନ କରୁଥିବା କାରଣରୁ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନର ଶୀକାର ହୋଇଥାନ୍ତି । ପ୍ରଚଳିତ ଆଇନକାନୁନ ତୃଟିପୂର୍ଣ୍ଣ ହୋଇପାରେ । କିନ୍ତୁ ତାହାର ବିଧିବଦ୍ଧ ପରିବର୍ତ୍ତନ ନହେବା ଯାଏଁ ସମସ୍ତ ନାଗରିକ ମାନିବାକୁ ବାଧ୍ୟ ।
ଦ୍ୱିତୀୟତଃ, ଏକ ସ୍ପର୍ଶକାତର ଘଟଣାକୁ ସମ୍ୱାଦ ଭାବେ ଉପସ୍ଥାପିତ କରିବା କିମ୍ୱା ଅଭିମତ ବାଢ଼ିବା ଅବସରରେ ଅନେକ କ୍ଷେତ୍ରରେ ଶୈଳୀଗତ ଓ ଭାଷାଗତ ଚ଼ାତୁର୍ଯ୍ୟ ସାମ୍ୱାଦିକଙ୍କୁ ଆଇନ ପଞ୍ଜାରୁ ମୁକୁଳାଇ ଦେଇପାରେ । ଏହା ତାଲିମ ଓ ଅଭ୍ୟାସ ଉପରେ ନିର୍ଭରଶୀଳ । ଅତିକମରେ ସମ୍ୱାଦଟିଏ ରଚନା ପରେ ବାରମ୍ୱାର ସଂଶୋଧନ, ସତୀର୍ଥ କିମ୍ୱା ସାଧାରଣ ପାଠକଙ୍କୁ ପଢ଼ାଇ ସେମାନଙ୍କ ପ୍ରତିକ୍ରିୟା ଗ୍ରହଣ ସମ୍ୱାଦର ବୈଷୟିକ ତୃଟିଗୁଡ଼ିକ ସଂଶୋଧନରେ ସାହାଯ୍ୟ କରିଥାଏ । ପୋଖତ ସାମ୍ୱାଦିକମାନେ ଏହି ସୂତ୍ରକୁ ନିଷ୍ଠା ସହକାରେ ପାଳନ କରିଥାନ୍ତି । କିନ୍ତୁ ଭାବାବେଗର ବଶବର୍ତ୍ତୀ ହୋଇ ତରବରିଆ ରଚ଼ନା ଅନେକ ସମୟରେ ଆଇନଗତ ଜଟିଳତାକୁ ଟାଣି ଆଣେ ।
ତୃତୀୟତଃ, କୋଭିଡ଼-୧୯ ମହାମାରୀ ପୂର୍ବାବସ୍ଥାରୁ ବିଭିନ୍ନ କାରଣରୁ ବିଶ୍ୱର କେତେକ ରାଷ୍ଟ୍ରରେ ଏକଛତ୍ରବାଦ ଶାସନ ବ୍ୟବସ୍ଥା ମୁଣ୍ଡ ଟେକିବା ପରେ ନୀତିବାନ ସାମ୍ୱାଦିକମାନେ ସାମ୍ୱାଦିକତା ବୃତ୍ତି ପରିତ୍ୟାଗ କରୁଛନ୍ତି, ଦେଶାନ୍ତର ଗମନ କରୁଛନ୍ତି କିମ୍ୱା ଆତ୍ମ-ନିର୍ବାସନକୁ ଉଚ଼ିତ ପନ୍ଥା ବିଚାର କରୁଛନ୍ତି । ସାମ୍ୱାଦିକତା ମୁଖ୍ୟତଃ ଏକ ସୃଜନ କଳା । ସାମ୍ୱାଦିକଟିଏ ତଥ୍ୟ ଓ ଭାଷାର ଖେଳରେ ନିମଜ୍ଜି ରହେ । ଆଇନ-ଅଦାଲତ, ବନ୍ଦୀ-ଜୀବନ ସୃଜନଶୀଳଙ୍କ ରୁଚ଼ି ବର୍ହିଭୂତ । ଏତଦ୍ୱାରା ସାମ୍ୱାଦିକତା ପ୍ରତିହତ ହେଉଛି, ଗଣତନ୍ତ୍ର ବିପନ୍ନ ଅବସ୍ଥାକୁ ଟାଣି ହୋଇଯାଉଛି । କିନ୍ତୁ ରାଜନୀତିକ ସମୀକରଣ ସାମ୍ୱାଦିକତା ବୃତ୍ତି ପର୍ଯ୍ୟାୟଭୁକ୍ତ ନୁହ, ଏକଥା ପ୍ରତ୍ୟେକ ସାମ୍ୱାଦିକ ବୁଝିବା ଆବଶ୍ୟକ ।
ବନ୍ଦୀ ସାମ୍ୱାଦିକଙ୍କ ସଂପର୍କୀତ ତଥ୍ୟାବଳୀ ଅଧ୍ୟୟନ କାର୍ଯ୍ୟରତ ସାମ୍ୱାଦିକଙ୍କୁ ସେମାନଙ୍କ ବୃତ୍ତିରେ ସଂଭାବ୍ୟ ବିପଦ ସଂପର୍କରେ ପରିଚ଼ିତ କରାଇଥାଏ । ବନ୍ଦୀ ସାମ୍ୱାଦିକଙ୍କ ଜୀବନ ବିବରଣୀ ‘କେସ ଷ୍ଟଡ଼ି’ ଆଇନର ଜାଲରୁ କିପରି ମୁକୁଳିବାକୁ ହେବ ତାହା ଶିଖାଇଥାଏ । ପ୍ରତିଷ୍ଠିତ ସମ୍ୱାଦ ସଂସ୍ଥାଗୁଡ଼ିକରେ ପ୍ରକାଶିତ ରଚନା ବହୁସ୍ତରରେ ସମ୍ପାଦନାର ସୁବିଧା ଥିବା ହେତୁ ପ୍ରାୟତଃ ଆଇନ ଇଲଂଘନରୁ ବଞ୍ଚାଇ ଦେଇଥାଏ । ପରିବର୍ତ୍ତିତ ପରିବେଶରେ ସାମ୍ୱାଦିକଟିଏ ପ୍ରଚଳିତ ଆଇନ ଉଲଂଘନ ନକରି କିପରି ସମ୍ୱାଦ ପରିବେଷଣ କରିପାରିବ ସେହି କଳାକୌଶଳ ଶିଖିବା ଆବଶ୍ୟକ । ସାମ୍ୱାଦିକତା ପାଠ୍ୟକ୍ରମର ଏହା ଅଂଶବିଶେଷ କରିବା ସଙ୍ଗେ ବୃତ୍ତିଧାରୀଙ୍କ ନିମନ୍ତେ ଅନଲାଇନ ମେନଟରସିପ ଆୟୋଜନ ଉଚ଼ିତ ପଦକ୍ଷେପ ବୋଲି ବିଶ୍ୱାସ କରାଯାଇପାରେ ।
