ଆଜିର ଖାସ ଖବର
Mon. Jul 27th, 2026

ଅଭିମତ ପୃଷ୍ଠାରେ ଅଣ-ପାରମ୍ପରିକ ରଚନା

By Dainikasha Jul11,2024

ମୁଦ୍ରିତ ସମ୍ୱାଦପତ୍ର ଅଭିମତ ପୃଷ୍ଠାରେ ଅଣପାରମ୍ପରିକ ରଚନାବଳୀ ପାଠକଙ୍କ ଦୃଷ୍ଟି ଆକର୍ଷଣ କରିବା ସ୍ୱାଭାବିକ । ଅଭିମତ ପୃଷ୍ଠା ‘ଓପ-ଏଡ଼ ବା ଓପଜିଟ ଏଡ଼ିଟୋରିଆଲ ପେଜ’ଗୁଡ଼ିକରେ ସାଧାରଣତଃ ସମସାମୟିକ ଘଟଣାକ୍ରମ, ରାଜନୀତିକ, ଅର୍ଥନୀତିକ ବା ସାମାଜିକ ସମସ୍ୟାବଳୀ ତଥା ସାର୍ବଜନୀନ ଅଭାବ ଅଭିଯୋଗ ସଂପର୍କରେ ଚର୍ଚ୍ଚା କରାଯାଇଥାଏ । ଅକସ୍ମାତ ମାନବୀୟ ଅନୁଭୂତି ‘ହ୍ୟୁମାନ ଇଣ୍ଟରେଷ୍ଟ’ ସମ୍ୱଳିତ ରଚନା ପ୍ରକାଶିତ ହେଲେ ସେଗୁଡ଼ିକ ସହଜରେ ବାରି ହୋଇଯାଏ ।

ବ୍ରିଟେନର ‘ଦି ଗାର୍ଡିଅନ’ ସମ୍ୱାଦପତ୍ରରେ ମହାମାରୀକାଳରେ ଇଲିଅଟ ଡ଼ାଲେନ ନାମକ ଜଣେ ୩୧ ବର୍ଷ ଯୁବକଙ୍କ କର୍କଟ ରୋଗ ଅନୁଭୂତି ବର୍ଣ୍ଣନାତ୍ମକ ଦୁଇଗୋଟି ରଚନା ପ୍ରକାଶିତ ହୋଇଥିଲା । ମହାମାରୀରେ ଭୂତାଣୁ ସଂକ୍ରମଣ, ଚିକିତ୍ସା ଓ ରୋଗ ପ୍ରତିରୋଧ ବ୍ୟବସ୍ଥା ସଂପର୍କରେ ଅନବରତ ସମ୍ୱାଦ ଚର୍ଚ୍ଚାର ପରିସରରେ ଜଣେ ସାଧାରଣ ନାଗରିକଙ୍କ ଦୁରାରୋଗରେ ପୀଡ଼ିତ ହେବାପରେ ମୃତ୍ୟୁପୂର୍ବ ଅଭିଜ୍ଞତା ପାଠକବର୍ଗଙ୍କୁ ବେଶ ପ୍ରଭାବିତ କରିଥିବା ପ୍ରକାଶ ।

ଏଲେନଙ୍କ ପ୍ରଥମ ରଚନାଟି ୨ ଏପ୍ରିଲ ୨୦୨୦ରେ ପ୍ରକାଶିତ ହୋଇଥିଲା । ସେ ମୂଳତଃ କାର୍ଡିଫ ନାମକ ଗ୍ରାମାଞ୍ଚଳର ବାସିନ୍ଦା ଏବଂ ଲଣ୍ଡନରେ ଶିକ୍ଷାର୍ଜନପରେ ଚାର୍ଟଡ଼ ଏକାଉଣ୍ଟେଣ୍ଟ ଭାବେ ନିଯୁକ୍ତ ଥିଲେ । ଜଣେ ସାଧାରଣ ବ୍ରିଟିଶ ଯୁବକ ଭାବେ ହସଖୁସୀରେ ଜୀବନ କଟୁଥିଲା । ଅକସ୍ମାତ ସେ କର୍କଟ ରୋଗାକ୍ରାନ୍ତ ବୋଲି ନିଦାନ ହେବା ପରେ କିମୋଥେରାପି ଚ଼ିକିତ୍ସା ଆରମ୍ଭ କରାଯାଇ ଥିଲା । କିଛି ଦିନ ସେ ବେଶ ସ୍ୱାଭାବିକଭାବେ ଜୀବନ ବିତାଇଥିଲେ । ତେବେ ୨୦୨୦ ମାର୍ଚ୍ଚରେ ‘କୋଭିଡ଼-୧୯’ ମହାମାରୀ ହେତୁ ଲକଡ଼ାଉନ ପୂର୍ବରୁ ଅଲଟ୍ରାସାଉଣ୍ଡ ପରୀକ୍ଷାରୁ ଜଣାଗଲା ଯେ କର୍କଟ ସଂକ୍ରମଣ ମୂତ୍ରାଶୟଠାରୁ ଫୁସଫସ ଯାଏଁ ବ୍ୟାପି ଯାଇଛି ।

ଏଲେନଙ୍କ ଚ଼ିକିତ୍ସକ ସ୍ପଷ୍ଟଭାବେ ଜଣାଇଦେଲେ ଯେ ତାଙ୍କରି ଶରୀରରେ କର୍କଟ ସଂକ୍ରମଣକୁ ପ୍ରଚଳିତ ଚ଼ିକିତ୍ସା ପଦ୍ଧତି କିମୋଥେରାପି ରୋକିପାରୁ ନାହିଁ ଏବଂ ଅଧିକ କିଛି ଚ଼ିକିତ୍ସା କରିବା ସଂଭବପର ନୁହଁ । ଅପରପକ୍ଷେ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଚ଼ିକିତ୍ସାଳୟଗୁଡ଼ିକରେ ରୋଗୀଙ୍କ ଭିଡ଼ ଲାଗିଥିବା ହେତୁ ତାଙ୍କରି କର୍କଟରୋଗ ଚ଼ିକିତ୍ସାଲାଗି ଅଧିକ ସମୟ ଦେବା ହୁଏତ ସଂଭବପର ହୋଇ ନପାରେ । ଲେଖକ କିମ୍ୱା ସାମ୍ୱାଦିକ ଭାବେ ଏଲେନଙ୍କ କୌଣସି ଅଭିଜ୍ଞତା ନଥିଲା । ତେବେ ତାଙ୍କରି ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ପରିବାର ଓ ବନ୍ଧୁବର୍ଗଙ୍କୁ ଅବଗତ କରିବା ଉଦ୍ଦେଶ୍ୟରେ ନିଜର ଅଭିଜ୍ଞତା ଲିପିବଦ୍ଧ କରିବା ଆରମ୍ଭ କରିଦେଇଥିଲେ । ପରବର୍ତ୍ତୀ ଅବସ୍ଥାରେ ସେଗୁଡ଼ିକ ସଜାଇ ଲଘୁ ନିବନ୍ଧ ‘ଫିଚର’ ଆକାରରେ ‘ଦି ଗାର୍ଡ଼ିଅନ’ ସମ୍ୱାଦପତ୍ରରେ ପ୍ରକାଶନ ନିମନ୍ତେ ପ୍ରେରଣ କରିଥିଲେ ।

ଏଲେନଙ୍କ କର୍କଟରୋଗାକ୍ରାନ୍ତ ଅଭିଜ୍ଞତା ସମ୍ୱାଦପତ୍ର ପୃଷ୍ଠାରେ ପ୍ରକାଶିତ ହେବାପରେ ପାଠକ ମହଲରେ ଉତ୍କଣ୍ଠା ସୃଷ୍ଟି ହୋଇଥିଲା । ବିଶେଷକରି ଅନଲାଇନ ସଂସ୍କରଣରେ ରଚନାଟି ସଂପର୍କରେ ବହୁ ପାଠକପାଠିକା ମନ୍ତବ୍ୟ ‘କମେଣ୍ଟ’ ପୋଷ୍ଟ କରିଥିଲେ । ଏଥିରେ ଉତ୍ସାହିତ ହୋଇ ପାଞ୍ଚମାସ ପରେ ଦ୍ୱିତୀୟ ରଚନା ପ୍ରସ୍ତୁତ କରି ସମ୍ୱାଦପତ୍ରଠାରେ ପହୁଞ୍ଚାଇଥିଲେ । ତେବେ ଦ୍ୱିତୀୟ ରଚ଼ନାଟି ୯ ସେପ୍ଟେମ୍ୱର ୨୦୨୦ରେ ପ୍ରକାଶିତ ହେବା ଦିନ ପ୍ରଭାତରେ ଏଲେନଙ୍କ ପରଲୋକ ଘଟିଥିଲା । ସମ୍ୱାଦପତ୍ର ଇତିହାସରେ ଏହା ଏକ ଦୁଃଖଦ ଘଟଣା ରୂପେ ଲିପିବଦ୍ଧ ହୋଇ ରହିବ ।

ଏଲେନ ପ୍ରଥମ ରଚନାଟିରେ ଉଲ୍ଲେଖ କରିଥିଲେ ଯେ ମହାମାରୀଜନିତ ଲକଡ଼ାଉନ ପୂର୍ବାବସ୍ଥାରେ ତାଙ୍କରି ଶରୀରରେ କର୍କଟ ରୋଗ ସଂକ୍ରମଣ ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଥିବା ହେତୁ ଲକଡ଼ାଉନ ପରବର୍ତ୍ତୀ ଅବସ୍ଥା ଦେଖିବା ସୌଭାଗ୍ୟ ତାଙ୍କରି ନାହିଁ । ଅର୍ଥାତ ଲକଡ଼ାଉନ ଅବଧିରେ ହିଁ ତାଙ୍କରି ମୃତ୍ୟୁ ଘଟିବ । ପ୍ରକୃତରେ ତାହାହିଁ ହେଲା । ସେ ଲେଖିଥିଲେ ଯେ ମୃତ୍ୟୁ ସୁନିଶ୍ଚିତ ଜାଣିବା ପରେ ପ୍ରତିଟି ପ୍ରଭାତରେ ସେହି ଦିନଟି କିପରି କଟିବ ତାହାର ଯୋଜନା କରୁଥିଲେ । ବନ୍ଧୁବର୍ଗଙ୍କ ମଧ୍ୟରେ କଥୋପକଥନରେ ଜୀବନର ବାକୀତକ ସମୟ ଅତିବାହିତ କରିବାକୁ ଚାହୁଁଥିଲେ । ସେ ଭାବୁଥିଲେ ତାଙ୍କରି ଛୋଟିଆ ଜୀବନର କୌଣସିଟି ଘଟଣା ଅକୁହା ନରହିଯାଉ ।

ଦ୍ୱିତୀୟ ରଚନାଟିରେ ସେ ଲେଖିଥିଲେ ଯେ ଜୀବନର କେତେଗୁଡିଏ ଘଟଣା ସଂପର୍କରେ ଗଭୀର ବିଚାର କରିବା ନିମନ୍ତେ ସୁଯୋଗ ସୃଷ୍ଟି ହୋଇଥିଲା । ତାଙ୍କରି ଉପଲବ୍ଧିଗୁଡ଼ିକ ସେ ସାର୍ବଜନୀନ କରିବାକୁ ଚାହିଁଥିଲେ । ହୁଏତ ଏହି ଅଭିଳାଷ ହେତୁ ନିଜ ମୃତ୍ୟୁପୂର୍ବ ଅନୁଭୂତି ବର୍ଣ୍ଣନା କରି ଦୁଇଗୋଟି ରଚ଼ନା ସମ୍ୱାଦପତ୍ରରେ ପ୍ରକାଶନ ନିମନ୍ତେ ପ୍ରେରଣ କରିଥିଲେ । ତେବେ ସାମ୍ୱାଦିକତା ଦୃଷ୍ଟିରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଏହି ଯେ ‘ଦି ଗାର୍ଡିଅନ’ର ସଂପାଦକମାନେ ସମ୍ୱାଦପତ୍ର କାର୍ଯ୍ୟାଳୟରେ ପହଞ୍ଚୁଥିବା ଅଣନିମନ୍ତ୍ରିତ ରଚ଼ନାଗୁଡ଼ିକ ମଧ୍ୟରୁ ଏହାକୁ ଠାବ କରିଥିଲେ ଏବଂ ସମ୍ପାଦନାକରି ପ୍ରକାଶନ ବ୍ୟବସ୍ଥା କରିଥିଲେ । ଫଳତଃ ଏକ ବିକଳ୍ପ ପାଠକୀୟ ଅନୁଭୂତି ସଂଭବ ହୋଇପାରିଥିଲା ।

ଏଲେନଙ୍କ ରଚନାଦ୍ୱୟ ମର୍ମସ୍ପର୍ଶୀ । ସେ ଲେଖିଥିଲେ ଯେ ମହାମାରୀ ତଥା କର୍କଟରୋଗର ଶେଷ ପର୍ଯ୍ୟାୟ ସଂକ୍ରମଣ ନିଦାନ ପୂର୍ବରୁ ଦକ୍ଷିଣ ଆମେରିକାର କଲମ୍ୱିଆ ପର୍ଯ୍ୟଟନରେ ଯାଇଥିଲେ । ସେଠାରେ ବିଶ୍ୱର ବିଭିନ୍ନ ପ୍ରାନ୍ତର ପର୍ଯ୍ୟଟକଙ୍କ ସହ ସାକ୍ଷାତ ସୁଯୋଗ ସୃଷ୍ଟି ହୋଇଥିଲା । ଗ୍ରୀଷ୍ମ ଋତୁର କୋଳାହଳମୟ ପ୍ରାକୃତିକ ପରିବେଶରେ ନାଚ଼ଗୀତରେ ମସଗୁଲ ହୋଇ ସମୟ କଟିଥିଲା । ତେବେ କରୋନା ଭୂତାଣୁର କଳାମେଘ ଘୋଟି ଆସିବାର ପ୍ରାକ୍ ସୂଚନା ମିଳି ସାରିଥିଲା । ସେ ଘରେ ପହଞ୍ଚିବା ପରେ ଲକଡ଼ାଉନ ସାଙ୍ଗକୁ ବ୍ୟକ୍ତିଗତ ଜୀବନଯାତ୍ରାରେ ପୂର୍ଣ୍ଣଛେଦ ସମ୍ଭାବନା ମାନସିକସ୍ତରରେ ଭରାକ୍ରାନ୍ତ କରିପକାଇଥିଲା ।

ଲଣ୍ଡନରେ ନିଜ ଭଉଣୀଙ୍କ ସହ ଏଲେନ ଏକ ଫ୍ଲାଟରେ ରହୁଥିଲେ । ମହାମାରୀର ପ୍ରାକକାଳରେ ଭଉଣୀ ନ୍ୟାସନାଲ ହେଲଥ ସର୍ଭିସେସ ‘ଏନଏଚଏସ’ରେ ସ୍ୱେଚ୍ଛାସେବୀଭାବେ ଯୋଗଦେବା ଅବସରରେ ଭାଇକୁ ସଂକ୍ରମଣରୁ ଦୂରେଇ ରଖିବା ନିମନ୍ତେ ଅନ୍ୟତ୍ର ବାନ୍ଧବୀଙ୍କ ସହ ବସବାସ କରିବାକୁ ଲାଗିଲେ । ଅପରପକ୍ଷେ ମହାମାରୀ ହେତୁ ଅନ୍ୟ ବନ୍ଧୁବର୍ଗ ମଧ୍ୟ ଗୃହାବଦ୍ଧ ଜୀବନଯାପନ କରୁଥିବା ହେତୁ ଏଲେନ ଏକାକୀ ଭିଡ଼ିଓ କଲ, ଗୀତ ଶୁଣା ଓ ଚଳଚ଼ିତ୍ର ଦେଖାରେ ସମୟ ଅତିବାହିତ କରିବାକୁ ବାଧ୍ୟ ହେଉଥିଲେ ।

କର୍କଟ କବଳରୁ ମୁକ୍ତି ନଥିବା ଜାଣିବା ପରେ ଏଲେନ ଜୀବନର ଶେଷ କିଛି ଦିନ ପରିବାରବର୍ଗ ଓ ବନ୍ଧୁମହଲ ଗହଣରେ କାଟିବାକୁ ଚାହିଁଥିଲେ । ଲଣ୍ଡନର ପ୍ରିୟ ରେଷ୍ଟୁରାଣ୍ଟଗୁଡ଼ିକରେ ମନପସନ୍ଦ ବ୍ୟଞ୍ଜନ ଭୋଜନ ଓ ପାର୍କରେ ଅଳସ ମଧ୍ୟାହ୍ନ କାଟିବାର ଯୋଜନା କରିଥିଲେ । କିନ୍ତୁ ମହାମାରୀ ପରିବେଶରେ ଏଭଳି ସ୍ୱପ୍ନ ସବୁ ସ୍ୱପ୍ନରେ ହିଁ ରହିଗଲା । ସେ ଲେଖିଥିଲେ ମହାମାରୀର ଅନ୍ଧାର ସୁଡ଼ଙ୍ଗର ଶେଷରେ ସଭିଏଁ ଆଲୋକର ଅପେକ୍ଷାରେ ଅଛନ୍ତି, କିନ୍ତୁ ତାଙ୍କ ପାଇଁ ଅନ୍ଧାର ହିଁ ଅନ୍ଧାର ।

କୌଣସି ସମ୍ୱାଦପତ୍ରର ଇତିହାସରେ ଦୁଇଗୋଟି ଲଘୁ ନିବନ୍ଧ ପ୍ରକାଶନ ଗୁରୁତ୍ୱ ବହନ କରେନା । ତେବେ ଏହି କ୍ଷେତ୍ରରେ ପାଠକୀୟ ସ୍ୱୀକୃତି ସାଙ୍ଗକୁ ଉତ୍କର୍ଷ ସାମ୍ୱାଦିକତା ପରିପ୍ରକାଶରେ ‘ଦି ଗାର୍ଡିଅନ’ ସଂପାଦକୀୟ ବିଭାଗର ଯତ୍ନ ସାମ୍ୱାଦିକତା ପୃଷ୍ଠଭୂମିରେ ଉଚ୍ଚ ମୂଲ୍ୟବୋଧର ଉପଯୋଗର ଏକ ଉଦାହରଣ ସୃଷ୍ଟି କରିବାରେ ସମର୍ଥ ହୋଇପାରିଛି । ବିଭିନ୍ନ କାରଣରୁ ମହାମାରୀରେ ମୁଦ୍ରିତ ସମ୍ୱାଦପତ୍ରର ପାଠକୀୟ ଆଦର କମି ଆସୁଥିବା ସ୍ଥଳେ ସମ୍ପାଦକମାନଙ୍କ ପାରମ୍ପରିକ ସମ୍ପାଦନା ଶୈଳୀରେ ପରିବର୍ତ୍ତନ ଜରୁରୀ ହୋଇପଡ଼ିଛି । ସଦାସର୍ବଦା ପାଠକ ଗୋଷ୍ଠୀଙ୍କୁ ନୂତନତ୍ୱ ପ୍ରଦାନ ସମ୍ୱାଦମଞ୍ଚଗୁଡ଼ିକର ଧର୍ମ । ଏଥିରେ ବ୍ୟତିକ୍ରମ କିଛିକାଳ ସମ୍ଭବ, କିନ୍ତୁ ଦୀର୍ଘକାଳୀନ ଅଭ୍ୟାସ ଆତ୍ମଘାତୀ । ଇତିହାସ ପୃଷ୍ଠାରେ ପ୍ରକାଶନ ବନ୍ଦ ହୋଇଯାଇଥିବା ବହୁ ସମ୍ୱାଦପତ୍ରର ଉଦାହରଣ ସମ୍ପାଦକୀୟସ୍ତରରେ ପାରମ୍ପରିକ ଆଭିମୁଖ୍ୟକୁ ହିଁ କାରଣ ରୂପେ ସୂଚ଼ିତ କରାଇଥାଏ । ‘ଦି ଗାର୍ଡ଼ିଅନ’ ଯଦି ସମକାଳରେ ଆନ୍ତର୍ଜାତିକସ୍ତରରେ ଗ୍ରାହକଚାନ୍ଦା ଆଶ୍ରିତ ସମ୍ୱାଦପତ୍ର ରୂପେ ମୁଣ୍ଡଟେକିଛି, ତେବେ ସାଫଲ୍ୟର ଶ୍ରେୟ ସମ୍ପାଦକୀୟ ଉତ୍କର୍ଷତାକୁ ଯିବ । 

Related Post