ସମ୍ୱାଦ ବିନ୍ୟାସ ‘ନିଉଜ ଡ଼ିସପ୍ଳେ’କୁ ବୁଝାଏ । ଶବ୍ଦକୋଷରେ ‘ବିନ୍ୟାସ’ର ଅର୍ଥ “ସୁଶୃଙ୍ଖଳରୂପେ ସ୍ଥାପନ ବା ରକ୍ଷଣ, ସୁନ୍ଦରଭାବେ ରଚନା ବା ସଜ୍ଜା” । ଗଣମାଧ୍ୟମରେ ବିଭିନ୍ନ ମଞ୍ଚର ସମ୍ୱାଦ ସଂସ୍କରଣଗୁଡ଼ିକ ମୌଳିକଭାବେ ସେଥିରେ ସନ୍ନିବଶିତ ସମ୍ୱାଦ ବିନ୍ୟାସ ଉପରେ ନିର୍ଭରଶୀଳ । ଅର୍ଥାତ, ମୁଦ୍ରିତ ସମ୍ୱାଦପତ୍ରରେ ସମ୍ୱାଦଗୁଡ଼ିକ କିପରି ପୃଷ୍ଠାସମୂହରେ ସ୍ଥାନିତ ହେଉଛି ବା ରେଡ଼ିଓ ଓ ଟେଲିଭିଜନ ବୁଲେଟିନରେ କେଉଁକ୍ରମରେ ସଜ୍ଜିତ ହେଉଛି, ତାହା ସମ୍ୱାଦ ସରବରାହ ତଥା ପାଠକ, ଶ୍ରୋତା ଓ ଦର୍ଶକଙ୍କୁ ଆକୃଷ୍ଟ କରିବାରେ ସହାୟକ ହୋଇଥାଏ ।
ବୃହତ ସମ୍ୱାଦ ପ୍ରକାଶନଗୁଡ଼ିକରେ ସମ୍ୱାଦ ସଜ୍ଜାପ୍ରତି ମଧ୍ୟମ ଓ କ୍ଷୁଦ୍ର ସମ୍ୱାଦ ପ୍ରକାଶନଗୁଡ଼ିକ ତୁଳନାରେ ଅପେକ୍ଷାକୃତ ଅଧିକ ଯତ୍ନ ନିଆଯାଇଥାଏ । ବିଭିନ୍ନ ସମ୍ୱାଦ ପ୍ରକାଶକ ନିଜ ସମ୍ୱାଦ ସଂସ୍କରଣଗୁଡିକରେ ସମ୍ୱାଦ ବିନ୍ୟାସ ନୀତି ନିର୍ଦ୍ଧାରଣ ନିମନ୍ତେ ସ୍ଥଳବିଶେଷରେ ବିଶାରଦମାନଙ୍କ ସହଯୋଗ ଲୋଡ଼ିଥାନ୍ତି । ଆନ୍ତର୍ଜାତିକସ୍ତରରେ ଗାର୍ସିଆ ମିଡ଼ିଆ ଏକ ଉଦାହରଣ । ସମ୍ୱାଦ ବିନ୍ୟାସ ସର୍ଜନାତ୍ମକ ଏବଂ ପ୍ରତିଟି ସଂସ୍କରଣରେ ନୂତନତ୍ୱ ପରିପ୍ରକାଶ ନିମନ୍ତେ କ୍ଷେତ୍ର ଉନ୍ମୁକ୍ତ । ଅପରପକ୍ଷେ ଲୋକପ୍ରିୟତା ଓ ପ୍ରସାର ଦୌଡ଼ରେ ପଛୁଆ ରହୁଥିବା ସମ୍ୱାଦ ପ୍ରକାଶନଗୁଡ଼ିକ ସମ୍ୱାଦ ବିନ୍ୟାସ ପ୍ରତି ଉଦାସୀନ । ଅଧିକାଂଶ କ୍ଷେତ୍ରରେ ଅନ୍ୟର ଅନୁସରଣରେ ଦାୟିତ୍ୱ ତୁଲାଇଥାନ୍ତି ।
ଡ଼ିଜିଟାଲ କାରିଗରୀ କୌଶଳ ଉପଯୋଗରେ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକର ସମ୍ୱାଦ ସଜ୍ଜା ପୃଷ୍ଠା ବିନ୍ୟାସରେ ନୂତନ ଧାରା ସୃଷ୍ଟି କରିଥିଲା । ତେବେ ପ୍ରଥମ ପୃଷ୍ଠାରେ ସମ୍ୱାଦ ବିନ୍ୟାସ ସମ୍ପାଦନା ବିଭାଗର ଚାତୁର୍ଯ୍ୟ ପ୍ରମାଣିତ କରିଥାଏ । ସମ୍ୱାଦପତ୍ରର ପ୍ରଥମ ପୃଷ୍ଠାରେ ସମକାଳୀନ ଘଟଣା ପ୍ରବାହ ସମ୍ୱଳିତ ପ୍ରମୁଖ ସମ୍ୱାଦମାନ ସ୍ଥାନିତ ହୋଇଥାଏ । ସମ୍ୱାଦର ଶୀର୍ଷକ, ଅକ୍ଷର ସଜ୍ଜା ଓ ଅଳଂକରଣ ‘ଇଲାଷ୍ଟ୍ରେସନ’ ପ୍ରକାଶିତ ସମ୍ୱାଦର ପ୍ରମୁଖ ବିଭବ ।
ପାରମ୍ପରିକ ଭାବେ ମୁଦ୍ରିତ ସମ୍ୱାଦପତ୍ରର ପ୍ରଥମ ପୃଷ୍ଠାରେ ସଂଖ୍ୟାଧିକ ସମ୍ୱାଦ ସ୍ଥାନିତ କରିବା ନିମନ୍ତେ କେତେକ ସମ୍ୱାଦର ଅବଶିଷ୍ଟାଂଶ ମଧ୍ୟବର୍ତ୍ତୀ ପୃଷ୍ଠାକୁ ସ୍ଥାନାନ୍ତରିତ ହୋଇଥାଏ । ସମକାଳୀନ ଗଣମାଧ୍ୟମ ପରିବେଶରେ ଏହି ପଦ୍ଧତି ଦୋଷାବହ । ପ୍ରଥମତଃ, ଆଧୁନିକ ସମ୍ୱାଦପତ୍ର ପାଠକ କର୍ମବ୍ୟସ୍ତ । ଦୈନନ୍ଦିନଭିତ୍ତିରେ ସମ୍ୱାଦପତ୍ର ପାଠ କରିବା ନିମନ୍ତେ ସଂଖ୍ୟାଧିକ ଉପଭୋକ୍ତା ପନ୍ଦରରୁ ତିରିଶି ମିନଟ ବିନିଯୋଗ କରିପାରନ୍ତି । ସୀମିତ ସମୟ ସୀମାରେ ପ୍ରମୁଖ ସମ୍ୱାଦ ପାଠ କାଳରେ ପ୍ରଥମ ପୃଷ୍ଠାରୁ ଅବଶିଷ୍ଟାଂଶ ପାଠ କରିବା ନିମନ୍ତେ ମଧ୍ୟବର୍ତ୍ତୀ ପୃଷ୍ଠାକୁ ବାରମ୍ୱାର ଓଲଟାଇବା ଏବଂ ଖୋଜିବାହାର କରିବା ଧୈର୍ଯ୍ୟ ଓ ସମୟ ଆବଶ୍ୟକ କରେ । ଏହି କାରଣରୁ କେତେକ ଅନୁଧ୍ୟାନରେ ଏକ ତୃତୀୟାଂଶ ପାଠକ ପ୍ରଥମ ପୃଷ୍ଠାର ଅବଶିଷ୍ଟାଂଶ ପାଠ କରୁନଥିବା ପ୍ରମାଣିତ ।
ଦ୍ୱିତୀୟତଃ, ସମ୍ୱାଦପତ୍ରର ପ୍ରଥମ ପୃଷ୍ଠାରେ ସଂଖ୍ୟାଧିକ ସମ୍ୱାଦ ପ୍ରକାଶନ ଏବଂ ସେଗୁଡ଼ିକର ଅବଶିଷ୍ଟାଂଶ ମଧ୍ୟବର୍ତ୍ତୀ ପୃଷ୍ଠାକୁ ସ୍ଥାନାନ୍ତର ଅବସରରେ ସମ୍ୱାଦ ସଂପର୍କୀତ ଆଲୋକଚ଼ିତ୍ର, ରେଖାଚ଼ିତ୍ର ବା ନକ୍ସା କେଉଁ ପୃଷ୍ଠାରେ ସ୍ଥାନିତ କରାଯିବ ତାହା ସମସ୍ୟା ସୃଷ୍ଟିକରେ । ସ୍ଥାନାନ୍ତରିତ ସମ୍ୱାଦର ଦୀର୍ଘ ଅଂଶ ଅଭାବରେ ମଧ୍ୟବର୍ତ୍ତୀ ପୃଷ୍ଠାରେ ଏହିସବୁ ବିଭବ ସଂଯୋଜନା ସମ୍ଭବ ହୋଇପାରେ ନାହିଁ । ଫଳରେ ପ୍ରକାଶିତ ସମ୍ୱାଦର ଗୁରୁତ୍ୱ ହ୍ରାସ ପାଏ ।
ତୃତୀୟତଃ, ଯେକୌଣସି କାରଣରୁ ପାଠକ ରଚ଼ିତ ସମ୍ୱାଦର ପୂର୍ଣ୍ଣ ଅବୟବ ପାଠ କରିବା ସୁଯୋଗ ପାଇନପାରିଲେ ପାଠକୀୟ ସନ୍ତୁଷ୍ଟି ପ୍ରତିହତ ହୁଏ । ସମକାଳରେ ପ୍ରତିଯୋଗୀ ସମ୍ୱାଦ ମଞ୍ଚ ଟେଲିଭିଜନ, ରେଡ଼ିଓ ଓ ୱେବ ସାମ୍ୱାଦିକତାରେ ପ୍ରସ୍ତୁତ ସମ୍ୱାଦ ଦେଖିବା, ଶୁଣିବା ବା ପଢ଼ିବାରେ କୌଣସି ପ୍ରତିବନ୍ଧକ ନଥିବା ହେତୁ ମୁଦ୍ରିତ ସମ୍ୱାଦପତ୍ରର ପାରମ୍ପରିକ ଅଭ୍ୟାସ ରୁଚ଼ିକର ହୋଇନଥାଏ ।
ଚ଼ତୁର୍ଥତଃ, ପରିବର୍ତ୍ତିତ ଗଣମାଧ୍ୟମ ପରିବେଶରେ ପାଠକ ବହୁମୁଖୀ ସମ୍ୱାଦମଞ୍ଚ ଓ ସୋସିଆଲ ମିଡ଼ିଆରେ ଦୈନିକ ଚାରିରୁ ଛଅ ଘଣ୍ଟାଯାଏଁ ସଂଯୁକ୍ତ ରହୁଥିବା ହେତୁ ଘଟଣା ପ୍ରବାହ ସଂପର୍କରେ ବେଶ ଅବଗତ ବୋଲି ବିଚାର କରାଯାଏ । ତେଣୁ ସମ୍ୱାଦପତ୍ରର ପ୍ରଥମ ପୃଷ୍ଠାରେ କୌଣସି ସମ୍ୱାଦ ସ୍ଥାନିତ ହେଲେ ଯାଇ ଯେ ସମ୍ୱାଦଟି ଜାଣିବା ଓ ପଢ଼ିବା ପାଇଁ ଆଗ୍ରାହାନ୍ୱିତ ହେବ ବୋଲି ଭାବିବା ଭୂଲ । ଅପରପକ୍ଷେ ଘଟଣା ଘଟିବାର ଦୀର୍ଘକାଳ ଅନ୍ତେ ଯଦି ପାଠକ ମୁଦ୍ରିତ ସମ୍ୱାଦପତ୍ର ପୃଷ୍ଠାରେ ପହଞ୍ଚୁଛି, ତେବେ ସେ ଘଟଣା ସଂପର୍କରେ ଅନ୍ୟାନ୍ୟ ମଞ୍ଚରେ ପାଇପାରିନଥିବା ବିଷୟ ଜାଣିବା ନିମନ୍ତେ ଆଗ୍ରହୀ ବୋଲି ଧରିନେବାକୁ ହେବ ।
ପଞ୍ଚମତଃ, ମୁଦ୍ରିତ ସମ୍ୱାଦପତ୍ର ପ୍ରକାଶିତ ସମ୍ୱାଦରେ ଘଟଣାର ବିସ୍ତୃତ ବର୍ଣ୍ଣନା, ସମୀକ୍ଷା ଓ ଅଭିମତ ସମ୍ମିଳିତ ହେଲେ ସ୍ୱାଭାବିକଭାବେ ସମ୍ୱାଦର କଳେବର ବୃଦ୍ଧି ପାଇବ ଏବଂ ପ୍ରତ୍ୟେକ ସଂସ୍କରଣରେ ତଦ୍ ଅନୁଯାୟୀ ପ୍ରକାଶିତ ସମ୍ୱାଦ ସଂଖ୍ୟା ହ୍ରାସ ପାଇବ । ଅତଏବ ପ୍ରଥମ ପୃଷ୍ଠାରେ ମାତ୍ର ଦୁଇତିନିଗୋଟି ସମ୍ୱାଦ ପ୍ରକାଶନର ଯୁଗ ପହଞ୍ଚି ସାରିଛି ବୋଲି ବିଚାର କରିବାକୁ ହେବ ।
ମୁଦ୍ରିତ ସମ୍ୱାଦପତ୍ର ପ୍ରଥମ ପୃଷ୍ଠାରୁ ମଧ୍ୟବର୍ତ୍ତୀ ପୃଷ୍ଠାକୁ ଅବଶିଷ୍ଟାଂଶ ସ୍ଥାନାନ୍ତର ପ୍ରକ୍ରିୟାର ଅନ୍ତ ନିମନ୍ତେ କେତେକ ପଦକ୍ଷେପ ଗ୍ରହଣ କରାଯାଇପାରେ । ପ୍ରଥମ ପୃଷ୍ଠାରେ ପ୍ରଥମ ମୁଖ୍ୟ, ଦ୍ୱିତୀୟ ଓ ତୃତୀୟ ଇତ୍ୟାଦି ସମ୍ୱାଦ ପ୍ରକାଶନ ନିମନ୍ତେ ଆନୁମାନିକ ସ୍ୱତନ୍ତ୍ର ସ୍ଥାନ ‘ନିଉଜ ହୋଲ’ ସୃଷ୍ଟି କରି ସେଥିରେ ଖାପ ଖାଇଲା ଭଳି ଦୈଘ୍ୟର ସମ୍ୱାଦ ରଚନା ଓ ସମ୍ପାଦନା ସର୍ବାପେକ୍ଷା ଫଳପ୍ରଦ । ସମ୍ୱାଦ ସହ ଆଲୋକ ଚ଼ିତ୍ର, ରେଖା ଚିତ୍ର ବା ନକ୍ସା ଇତ୍ୟାଦିର ପ୍ରକାଶନ ଆୟତନକୁ ମଧ୍ୟ ଏଥି ସହ ଗଣିତ କରାଯିବା ବାଞ୍ଛନୀୟ । ଯଦି କୌଣସି ମୁଖ୍ୟ ସମ୍ୱାଦର ଅତିରିକ୍ତ ପ୍ରକାଶଯୋଗ୍ୟ ଉପାଦନ ରହିଯାଏ, ତେବେ ସେଗୁଡ଼ିକ ସ୍ୱତନ୍ତ୍ର ସମ୍ୱାଦ ଆକାରରେ ମଧ୍ୟବର୍ତ୍ତୀ ପୃଷ୍ଠାମାନଙ୍କରେ ସ୍ଥାନିତ କରାଯାଇପାରେ । ଏ ସଂପର୍କୀତ ସୂଚନା ମୁଖ୍ୟ ସମ୍ୱାଦର ଶେଷରେ ଉଲ୍ଲେଖ କଲେ ପାଠକ ଅବଗତ ହେବେ ।
ମଧ୍ୟବର୍ତ୍ତୀ ପୃଷ୍ଠାମାନଙ୍କରେ ସ୍ଥାନିତ ସମ୍ୱାଦଗୁଡ଼ିକର ସଂକ୍ଷିପ୍ତ ସାର ପ୍ରଥମ ପୃଷ୍ଠାର ପ୍ରଥମ କଲମରେ କେତେକ ସମ୍ୱାଦପତ୍ର ପ୍ରକାଶ କରିଥାନ୍ତି । ଏହା ଏକ ଉତ୍ତମ ଅଭ୍ୟାସ । ସମ୍ୱାଦର ପ୍ରକାର ଭେଦରୁ ପାଠକ ନିଜ ରୁଚି ଅନୁଯାୟୀ ସମ୍ୱାଦ ନିର୍ବାଚିତ କରିଥାଏ । ପ୍ରଥମ ପୃଷ୍ଠାରେ ପ୍ରକାଶିତ ସମସ୍ତ ସମ୍ୱାଦ ପାଠକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ ବୋଲି ଭାବିବା ଭୂଲ । କେତକ ଅଧ୍ୟୟନରେ ବହୁ ସଂଖ୍ୟକ ପାଠକ ସମ୍ୱାଦପତ୍ରକୁ ଶେଷ ପୃଷ୍ଠାରେ କ୍ରୀଡ଼ା ସମ୍ୱାଦ କିମ୍ୱା ମଧ୍ୟବର୍ତ୍ତୀ ଆଞ୍ଚଳିକ ସମ୍ୱାଦ ପୃଷ୍ଠାରୁ ପଠନ ଆରମ୍ଭ କରୁଥିବା ଉଦାହରଣର ଅଭାବ ନଥାଏ ।
ସ୍ମାର୍ଟଫୋନ ପ୍ରଚଳନ ଓ ସୋସିଆଲ ମିଡ଼ିଆର ଲୋକପ୍ରିୟତା ବୃଦ୍ଧି ପରବର୍ତ୍ତୀ ପର୍ଯ୍ୟାୟରେ ପାରମ୍ପରିକ ମଞ୍ଚଗୁଡ଼ିକରେ ସମ୍ୱାଦ ଉପଭୋକ୍ତାମାନଙ୍କ ସମ୍ୱାଦ ନିର୍ବାଚନ ଅଭ୍ୟାସରେ ବ୍ୟାପକ ପରିବର୍ତ୍ତନ ପରିଲକ୍ଷିତ । କ୍ରମଶଃ ପ୍ରତ୍ୟେକ ସମ୍ୱାଦ ମଞ୍ଚ ଉପଭୋକ୍ତାଙ୍କ ସମ୍ୱାଦ ଆହରଣର ଋଚି ଚରିତାର୍ଥରେ ପରିପୂରକ ଦାୟିତ୍ୱ ନିର୍ବାହ କରୁଥିବା ସୁସ୍ପଷ୍ଟ । ସୋସିଆଲ ମିଡ଼ିଆରେ ପରିବାର, ବନ୍ଧୁବର୍ଗ ଓ ଗଭୀର ଆଞ୍ଚଳିକ ‘ହାଇପର ଲୋକାଲ’ ସଂପର୍କୀତ ସମ୍ୱାଦ ପାଇସାରିବା ପରେ ଉପଭୋକ୍ତା ଟେଲିଭିଜନ ମୁହାଁ ହୋଇଥାଏ । ମୁଦ୍ରିତ ସମ୍ୱାଦପତ୍ର ବିଶ୍ୱସନୀୟ ପର୍ଯ୍ୟାୟଭୁକ୍ତ ହୋଇ ସଠିକ, ବିସ୍ତୃତ ଓ ଅଭିମତ ମଞ୍ଚର ମାନ୍ୟତା ପାଇଥାଏ । ପରିବର୍ତ୍ତିତ ଗଣମାଧ୍ୟମ ପରିବେଶରେ ସମ୍ୱାଦପତ୍ରରେ କାମଳ ସାମ୍ୱାଦିକତା ‘ୟେଲୋ ଜର୍ଣ୍ଣାଲିଜମ’ର ଯୁଗ ଶେଷ ହୋଇସାରିଛି ବୋଲି ବିଚାର କରିବାକୁ ହେବ । କାରଣ ଗୁଜବ ଓ ଚାଞ୍ଚଲ୍ୟ ପ୍ରସାରରେ ସୋସିଆଲ ମିଡ଼ିଆ ସମ୍ମୁଖରେ ମୁଦ୍ରିତ ସମ୍ୱାଦପତ୍ରର ସାମର୍ଥ୍ୟ ଅତ୍ୟନ୍ତ ଦୁର୍ବଳ ।
ମହାମାରୀ କାଳରେ ବିଜ୍ଞାପନ ଓ ଗ୍ରାହକ ଚାନ୍ଦା ଆୟ ହ୍ରାସ ସାଙ୍ଗକୁ ମୁଦ୍ରିତ ସମ୍ୱାଦପତ୍ର ପ୍ରସ୍ତୁତି କ୍ଷେତ୍ରରେ ବ୍ୟୟ ବୃଦ୍ଧି କାରଣରୁ ଦୈନିକ ସଂସ୍କରଣର ପୃଷ୍ଠା ସଂଖ୍ୟା ୨୫ ରୁ ୪୦ ପ୍ରତିଶତ ଯାଏଁ କାଟଛାଟ କରାଯାଉଥିବା ସ୍ଥଳେ ନୂତନ ଅବୟବକୁ ବିଚାରକୁ ନେଇ ସମ୍ୱାଦ ବିନ୍ୟାସର ନୀତି ପରିବର୍ତ୍ତିତ କରିବା ସମୟ ଉପନୀତ । କମ ପୃଷ୍ଠାରେ ଅଧିକ ସମ୍ୱାଦ ବଦଳରେ କମ ପୃଷ୍ଠାରେ ନିର୍ବାଚିତ ସମ୍ୱାଦର ବିସ୍ତୃତ ବର୍ଣ୍ଣନା ଗ୍ରହଣଯୋଗ୍ୟ ମନେହୁଏ । ଏଦିଗରେ ସମ୍ପାଦନା ବିଭାଗର ଦୃଷ୍ଟିକୋଣ ପରିବର୍ତ୍ତନ ସମୟର ଆହ୍ୱାନ । ମୁଦ୍ରିତ ସମ୍ୱାଦପତ୍ର ପୃଷ୍ଠାରୁ ମୁଖ୍ୟ ସମ୍ୱାଦଗୁଡ଼ିକ ପ୍ରଥମ ଥର ନିମନ୍ତେ ଜ୍ଞାତ ହେବା ସୁଯୋଗ ଟେଲିଭିଜନ ଓ ସୋସିଆଲ ମିଡ଼ିଆ ଅପହରଣ କରିନେଇଥିବା ହେତୁ ସମ୍ୱାଦପତ୍ରରେ ସମ୍ୱାଦର ମୁଖ୍ୟାଂଶ ପୁନଃଉଚ୍ଚାରଣ ବଦଳରେ ସମ୍ୱାଦର ଗଭୀରତମ ପ୍ରଦେଶରେ ବିଚରଣ କଲେଯାଇ ପାଠକୀୟ ସ୍ୱୀକୃତି ହାସଲ ସମ୍ଭବ ।
