ଅଷ୍ଟ୍ରେଲିଆରେ ଫେସବୁକ ୨୦୨୧ ଫେବୃୟାରୀ ଦ୍ୱିତୀୟାର୍ଦ୍ଧରେ ନିଜସ୍ୱ ମଞ୍ଚରେ ଉପଭୋକ୍ତାଙ୍କ ଦ୍ୱାରା କୌଣସି ସମ୍ୱାଦ ସଂସ୍ଥାର ସୂତ୍ର ‘ଲିଙ୍କ’ ନିଜ ନିଜ ଏକାଉଣ୍ଟରେ ବାରଣ କରିବା ବିଶ୍ୱ ସୋସିଆଲ ମିଡ଼ିଆ ପରିଧିରେ ଏକ ଉଲ୍ଲେଖନୀୟ ଘଟଣା । ‘ଆଷ୍ଟ୍ରେଲିଆ କମ୍ପିଟେସନ ଏଣ୍ଡ କନଜ୍ୟୁମର କମିଶନ’ଙ୍କ ପ୍ରସ୍ତାବିତ ‘ନିଉଜ ବାରଗେନିଂ କୋଡ଼’ ପାର୍ଲାମେଣ୍ଟର ନିମ୍ନ ସଦନରେ ଗୃହୀତ ହେବାପରେ ଉଚ୍ଚ ସଦନ ସିନେଟରେ ସମର୍ଥିତ ହୋଇ ଆଇନରେ ପରିଣତ ହେବା ପୂର୍ବରୁ ନିଜସ୍ୱ ବ୍ୟାବସାୟିକ ସ୍ୱାର୍ଥର ସୁରକ୍ଷା ପାଇଁ ଫେସବୁକ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରିଥିବା କୁହାଯାଇଥିଲା ।
ଡ଼ିଜିଟାଲ ମିଡ଼ିଆର କ୍ରମବିକାଶରେ ପାରମ୍ପରିକ ମୁଦ୍ରଣ ଓ ଟେଲିଭିଜନ ମଞ୍ଚଗୁଡ଼ିକ ବ୍ୟାପକ ବିଜ୍ଞାପନ ରାଜସ୍ୱ ହରାଇଛନ୍ତି । ଦିନକୁ ଦିନ ଏହି ସମସ୍ୟା ତୀବ୍ର ରୂପ ଧାରଣ କରୁଥିବାରୁ ମୂଳସ୍ରୋତର ଗଣମାଧ୍ୟମ ମଞ୍ଚଗୁଡ଼ିକର ବିଜ୍ଞାପନ ଆଶ୍ରିତ ବ୍ୟାବସାୟିକ ମଡ଼େଲ ଭୁଷୁଡ଼ିବାରେ ଲାଗିଛି । ଯୁକ୍ତରାଷ୍ଟ୍ର ଆମେରିକା ଭଳି ବିକଶିତ ରାଷ୍ଟ୍ରରେ ବିଗତ ଦୁଇ ଦଶନ୍ଧିରେ ପ୍ରାୟ ଅର୍ଦ୍ଧେକ ସମ୍ୱାଦ ସଂସ୍ଥା ବନ୍ଦ ହୋଇଯାଇଛି । ‘କୋଭିଡ଼-୧୯’ କାଳରେ ଅଷ୍ଟ୍ରେଲିଆରେ ଶହେରୁ ଉର୍ଦ୍ଧ୍ୱ ଅନୁରୂପ ଦଶା ଭୋଗିଛନ୍ତି ।
ପାରମ୍ପରିକ ବଦଳରେ ଡ଼ିଜିଟାଲ ମଞ୍ଚକୁ ଯେଉଁ ବିଜ୍ଞାପନ ରାଜସ୍ୱ ଆସୁଛି ତାହାର ସିଂହଭାଗ ଗୁଗୁଲ ଓ ଫେସବୁକ ହିସାବକୁ ଯାଉଛି । ଉଭୟମଞ୍ଚରେ ମୂଳସ୍ରୋତ ଗଣମାଧ୍ୟମରେ ପ୍ରକାଶିତ ସମ୍ୱାଦ ପ୍ରଦର୍ଶିତ ହୋଇଥାଏ । ସମ୍ୱାଦ ପ୍ରଦର୍ଶନ କାରଣରୁ ଗୁଗୁଲ ଓ ଫେସବୁକ ମଞ୍ଚରେ ଦର୍ଶକଙ୍କ ସଂଖ୍ୟା ବୃଦ୍ଧି ପାଇ ଅଧିକ ବିଜ୍ଞାପନ ରାଜସ୍ୱ ଆୟ ହେଉଥିଲେହେଁ ମୂଳ ସମ୍ୱାଦ ପ୍ରଯୋଜକମାନଙ୍କ ଆର୍ଥିକ ଉପାର୍ଜନ ହୋଇନଥାଏ । ଗଣମାଧ୍ୟମ ପରିବେଶରେ ଆଧୁନିକ ବୈଷୟିକ କୌଶଳ ପ୍ରୟୋଗରେ ସୃଷ୍ଟ ଏହି ସମସ୍ୟାର ସମାଧାନ ଲାଗି ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକ ସୋସିଆଲ ମିଡ଼ିଆଠାରୁ ସତ୍ତ୍ୱଧନ ‘ରୟାଲିଟି’ ଦାବୀ କରି ଆସୁଛନ୍ତି ।
ତେବେ ଗୁଗୁଲ ଓ ଫେସବୁକ ଏଥି ପ୍ରତି ଧ୍ୟାନ ଦେଇ ନଥାନ୍ତି । ଅପରପକ୍ଷେ ମୂଳତସ୍ରୋତର ଗଣମାଧ୍ୟମ ମଞ୍ଚଗୁଡ଼ିକର ଚାପରେ କେତେକ ରାଷ୍ଟ୍ର ସରକାରୀଭାବେ ନୀତିନିୟମ ପ୍ରଣୟନ କରୁଥିବା ସ୍ଥଳେ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକ ସେହି ଭୌଗଳିକ ସୀମାରେ ନିଜର ସେବା ବନ୍ଦ କରିବା ନିମନ୍ତେ ଧମକ ଦେଇଥାଆନ୍ତି । ସ୍ପେନରେ ୨୦୧୪ରେ ସୋସିଆଲ ମିଡ଼ିଆ ମଞ୍ଚରେ ସ୍ଥାନୀୟ ପ୍ରକାଶକଙ୍କ ଉପାଦାନ ‘କଣ୍ଟେଣ୍ଟ’ ପ୍ରଦର୍ଶନରେ ରୟାଲିଟି ବ୍ୟବସ୍ଥା ଲାଗୁପରେ ଗୁଗୁଲ ‘ନିଉଜ ସୋକେଶ’ରେ ସ୍ପେନ ସଂପର୍କୀତ ସମ୍ୱାଦ ପ୍ରକାଶନ ବନ୍ଦ କରିଦେଇଥିଲା । ବର୍ତ୍ତମାନ ଫେସବୁକ ଆଷ୍ଟ୍ରେଲିଆରେ ସେହି ନୀତି ଅନୁସରଣ କରିବା ଧମକ ଦେଇଥିଲା ।
ଆଷ୍ଟ୍ରେଲିଆରେ ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକର ଦୁର୍ଦ୍ଦଶା ଲାଘବ ନିମନ୍ତେ ସରକାରଙ୍କ ପକ୍ଷରୁ ଏପ୍ରିଲ ୨୦୨୦ରେ ‘ଆଷ୍ଟ୍ରେଲିଆନ କମ୍ପିଟେସନ ଏଣ୍ଡ କନଜ୍ୟୁମର କମିସନ’କୁ ବୃହତ ଡିଜିଟାଲ ମଞ୍ଚଗୁଡ଼ିକ ପକ୍ଷରୁ ଅର୍ଥ ପ୍ରଦାନ ନିମନ୍ତେ ନୀତିନିୟମ ପ୍ରସ୍ତୁତ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା । ତଦ୍ ଅନୁଯାୟୀ ମାତ୍ର ତିନିମାସ ମଧ୍ୟରେ କମିଶନ ପକ୍ଷରୁ ଜୁଲାଇ ୨୦୨୦ ଶେଷ ସୁଦ୍ଧା ଚିଠା ନୀତି ଉପସ୍ଥାପିତ କରାଗଲା । ପ୍ରଥମ ପର୍ଯ୍ୟାୟରେ ଦୁଇ ବୃହତ ଡ଼ିଜିଟାଲ ମଞ୍ଚ ଗୁଗୁଲ ଓ ଫେସବୁକ ସ୍ଥାନୀୟ ପ୍ରକାଶିତ ସମ୍ୱାଦର ସୂତ୍ର ନିଜ ମଞ୍ଚରେ ପ୍ରଦର୍ଶନ ପରିମାଣକୁ ଆଧାରକରି ରୟାଲିଟି ପ୍ରଦାନ ନିମନ୍ତେ ଚିଠା ନୀତିରେ ପ୍ରାବଧାନ ରହିଛି । ତେବେ ଉଭୟ ଗୁଗୁଲ ଓ ଫେସବୁକ ଏହାକୁ ବିରୋଧ କରିଆସୁଛନ୍ତି ।
ପାର୍ଲାମେଣ୍ଟରେ ଏହି ବିଧେୟକ ଗୃହୀତ ହେବାପରେ ‘ଆଷ୍ଟ୍ରେଲିଆନ କମ୍ପିଟେସନ ଏଣ୍ଡ କନଜ୍ୟୁମର କମିଶନ’ ଆଇନ କାର୍ଯ୍ୟକାରୀ କରିବେ । ସ୍ଥାନୀୟ କେଉଁ ସମ୍ୱାଦ ସଂସ୍ଥାଗୁଡ଼ିକ ସମ୍ମିଳିତଭାବେ ପ୍ରମୁଖ ଡିଜିଟାଲ ମଞ୍ଚଗୁଡ଼ିକ ସହ ବୁଝାମଣା କରିବେ ତାହା ‘ଆଷ୍ଟ୍ରେଲିଆନ କମ୍ୟୁନିକେସନ୍ସ ଏଣ୍ଡ ମିଡ଼ିଆ ଅଥାରିଟି’ ନିର୍ଦ୍ଧାରଣ କରିବ । କୌଣସି କାରଣରୁ ସ୍ଥାନୀୟ ସମ୍ୱାଦ ସଂସ୍ଥା ଓ ଡିଜିଟାଲ ମଞ୍ଚଗୁଡ଼ିକ ମଧ୍ୟରେ ବୁଝାମଣା ନ ହୋଇପାରିଲେ କମିଶନ ପକ୍ଷରୁ ନିଷ୍ପତ୍ତି ‘ଆର୍ବିଟେସନ’ ନୀତି ଗ୍ରହଣ କରାଯିବ ।
ଚିଠା ନୀତି ଅନୁଯାୟୀ ଆଷ୍ଟ୍ରେଲିଆରେ ଅନଲାଇନରେ ଉପଲବ୍ଧ ସମ୍ୱାଦଭିତ୍ତିକ ୱେବସାଇଟ, ସମ୍ୱାଦପତ୍ର ଓ ମୁଦ୍ରିତ ପ୍ରକାଶନ, ଟେଲିଭିଜନ ଓ ଅନ୍ୟାନ୍ୟ ଅଡ଼ିଓ ତଥା ଭିଡ଼ିଓ କାର୍ଯ୍ୟକ୍ରମଭିତ୍ତିକ ଡିଜିଟାଲ ମଞ୍ଚଗୁଡ଼ିକ ବୁଝାମଣା ପଦ୍ଧତିରେ ସାମିଲ ହେବା ନିମନ୍ତେ ଯୋଗ୍ୟ ବିବେଚିତ ହେବେ । ସେହିପରି ଅନଲାଇନରେ ପ୍ରକାଶିତ ମୌଳିକ ସମ୍ୱାଦର ଅର୍ଥାତ ଜନଜୀବନକୁ ପ୍ରଭାବିତ କରୁଥିବା ଘଟଣାବଳୀ, ବିତର୍କ, ଗଣତାନ୍ତ୍ରିକ ଶାସନ ସଂକ୍ରାନ୍ତୀୟ ଉପାଦାନ ଓ ସ୍ଥାନୀୟ ଖବରଅନ୍ତରକୁ ବୁଝାଇବ ।
ଆଷ୍ଟ୍ରେଲିଆରେ ଡ଼ିଜିଟାଲ ମଞ୍ଚ ମଧ୍ୟରେ ବିଜ୍ଞାପନ ଆୟରେ ଗୁଗୁଲ ସର୍ବାଗ୍ରେ ରହିଥିବା ସ୍ଥଳେ ଫେସବୁକ ଦ୍ୱିତୀୟ ସ୍ଥାନରେ ରହିଛି । ଅନ୍ୟ ସମସ୍ତ ଡିଜିଟାଲ ମଞ୍ଚ ନାମକୁ ମାତ୍ର ବିଜ୍ଞାପନ ଆୟ କରିଥାନ୍ତି ।
ଆଷ୍ଟ୍ରେଲିଆ କମ୍ପିଟେସନ ଏଣ୍ଡ କନଜ୍ୟୁମର କମିଶନଙ୍କ ବିବରଣୀ ଅନୁଯାୟୀ ୨୦୧୮ରେ ଗୁଗୁଲ ୪୯ ପ୍ରତିଶତ ଡିଜିଟାଲ ମଞ୍ଚ ବିଜ୍ଞାପନ ଆୟ ଅକ୍ତିଆର କରିଥିବା ସ୍ଥଳେ ୨୦୧୯ରେ ୫୩ ପ୍ରତିଶତକୁ ବୃଦ୍ଧି ପାଇଥିଲା । ଫେସବୁକ ୨୦୧୮ରେ ୨୪ ପ୍ରତିଶତ ଆୟ କରିଥିବା ସ୍ଥଳେ ୨୦୧୯ରେ ୨୮ ପ୍ରତିଶତକୁ ବୃଦ୍ଧି ପାଇଥିଲା । ଅପରପକ୍ଷେ ଅନ୍ୟ ସମସ୍ତ ଡ଼ିଜିଟାଲ ମଞ୍ଚ ୨୦୧୮ରେ ୨୭ ପ୍ରତିଶତ ଆୟ ଭାଗବାଣ୍ଟିଥିବା ବେଳେ ୨୦୧୯ରେ ତାହା ୧୯ ପ୍ରତିଶତକୁ ଖସିଥିଲା । ଅର୍ଥାତ ବିଜ୍ଞାପନ ଆୟ ହିସାବରେ ପାରମ୍ପରିକ ଗଣମାଧ୍ୟମ ସହ ଗୁଗୁଲ ଓ ଫେସବୁକକୁ ଛାଡ଼ି ଅନ୍ୟ ସମସ୍ତ ଡିଜିଟାଲ ମଞ୍ଚ ମଧ୍ୟ ଆର୍ଥିକ ଦୂରାବସ୍ଥାର ଶୀକାର ହୋଇଛନ୍ତି ଏବଂ ଏହି ଧାରା ବର୍ଷକୁ ବର୍ଷ ତୀବ୍ର ଆକାର ଧାରଣ କରୁଛି ।
ପ୍ରସ୍ତାବିତ ଚିଠା ବୁଝାମଣା ନୀତିକୁ ଗୁଗୁଲ ଓ ଫେସବୁକ ଉଭୟ ବିରୋଧ କରୁଥିଲେ ହେଁ ଗୁଗୁଲ ନିଜସ୍ୱ ଆଭିମୁଖ୍ୟ ପରିବର୍ତ୍ତନ କରି ପ୍ରଥମେ ବୁଝାମଣା ପାଇଁ ଆଗେଇ ଆସିଥିଲା । ଆଷ୍ଟ୍ରେଲିଆର ଗଣମାଧ୍ୟମ ମୁଖ୍ୟତଃ ରୁପର୍ଟ ମୁଦ୍ରୋଚଙ୍କ ‘ନିଉଜ କର୍ପ’ ନିୟନ୍ତ୍ରଣାଧୀନଥିବା ସ୍ଥଳେ ଗୁଗୁଲ ୧୭ ଫେବୃୟାରୀ ୨୦୨୧ରେ ‘ନିଉଜ କର୍ପ’ ପ୍ରକାଶିତ ସମ୍ୱାଦ ନିଜସ୍ୱ ମଞ୍ଚରେ ପ୍ରଦର୍ଶନଲାଗି ଅର୍ଥ ପ୍ରଦାନ କରିବା ନିମନ୍ତେ ତିନିବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା । ଏତଦ୍ୱାରା ‘ନିଉଜ କର୍ପ’ ପକ୍ଷରୁ ପ୍ରଯୋଜିତ ଅଷ୍ଟ୍ରେଲିଆର ‘ଦି ଆଷ୍ଟ୍ରେଲିଆନ’, ‘ସ୍କାଇ ନିଉଜ’ ସହ ବ୍ରିଟେନର ‘ଦି ଟାଇମ୍ସ’, ‘ଦି ସନ’ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ‘ଦି ୱାଲ ଷ୍ଟ୍ରୀଟ ଜର୍ଣ୍ଣାଲ’, ‘ନିଉୟର୍କ ପୋଷ୍ଟ’ ଇତ୍ୟାଦିରେ ପ୍ରକାଶିତ ଉପାଦାନ ନିଜସ୍ୱ ମଞ୍ଚରେ ପ୍ରଦର୍ଶନ କରିପାରିବ ।
ବିଶ୍ଳେଷକମାନଙ୍କ ମତରେ ବୁଝାମଣା ନୀତି ପ୍ରଣୟନରେ ଆଷ୍ଟ୍ରେଲିଆର ନେତୃବର୍ଗ ଜିଦଖୋର ଥିବା, ଗୁଗୁଲ ସର୍ଚ୍ଚ ଇଞ୍ଜିନରେ ସମ୍ୱାଦ ପ୍ରକାଶନ ଗୁରୁତ୍ୱ ଦାବୀ କରୁଥିବା ତଥା ଗୁଗୁଲ ବଜାର ଛାଡିଲେ ଅନ୍ୟମାନେ ଅକ୍ତିଆର କରିନେବା ଭୟଥିବା ହେତୁ ନରମି ଯିବାପାଇଁ ବାଧ୍ୟ ହୋଇଥିଲା । ଅପରପକ୍ଷେ ଫେସବୁକ କହିଥିଲା ଯେ ସମ୍ୱାଦ ପ୍ରକାଶନ ସୋସିଆଲ ମିଡ଼ିଆରେ ସେତେଟା ଗୁରୁତ୍ୱ ବହନ କରେନା । ଫେସବୁକର ଉପଭୋକ୍ତାମାନେ ମାତ୍ର ଚାରି ପ୍ରତିଶତ ସମୟ ପ୍ରକାଶିତ ସମ୍ୱାଦ ଆହରଣ କରିଥାନ୍ତି । ଆଷ୍ଟ୍ରେଲିଆ ସମ୍ୱାଦ ସୂତ୍ର ପ୍ରଦର୍ଶନ ନିମନ୍ତେ ସ୍ଥାନୀୟ ପ୍ରକାଶନଗୁଡ଼ିକୁ ଅର୍ଥ ପ୍ରଦାନ କଲେ ବିଶ୍ୱବ୍ୟାପୀ ତାହାର ପ୍ରଭାବ ପଡ଼ିବ ଏବଂ ଫେସବୁକର ବ୍ୟାବସାୟିକ ମଡ଼େଲରେ ବିଘଟନ ଘଟିବ ।
ଆଷ୍ଟ୍ରେଲିଆରେ ଫେସବୁକ ନିଜ ମଞ୍ଚରେ ସ୍ଥାନୀୟ ସମ୍ୱାଦ ପ୍ରକାଶ ବାରଣ କରିବା ନିଷ୍ପତ୍ତିରେ ସେଠାକାର ଶାସକଦଳର ନେତୃବର୍ଗ ବିବ୍ରତ ହୋଇପଡ଼ିଥିଲେ । ମୁଖ୍ୟତଃ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଅସ୍ୱାଭାବିକଭାବେ ତତ୍ପରତା ପ୍ରକାଶ କରିଥିବା ଖବର ଦୃଷ୍ଟିକୁ ଆସିଥିଲା । ଆଷ୍ଟ୍ରେଲିଆର ଗଣମାଧ୍ୟମ ମଞ୍ଚଗୁଡ଼ିକ ମୋଟାମୋଟିଭାବେ ହାତଗଣତି ବ୍ୟବସାୟୀଙ୍କ କବଜାରେ ଥିବା ହେତୁ ସରକାର ସେମାନଙ୍କ ଚାପର ବଶବର୍ତ୍ତୀ ହୋଇଥିବା ସମାଲୋଚକମାନେ ଆରୋପ କରିଥିଲେ । ଆଷ୍ଟ୍ରେଲିଆର ଘଟଣାକ୍ରମରେ କାନାଡ଼ା, ୟୁରୋପୀୟ ରାଷ୍ଟ୍ରପୁଞ୍ଜ ଓ ଯୁକ୍ତରାଷ୍ଟ୍ର ଆମେରିକାର କେତେକ ରାଜନୀତିଜ୍ଞ ଉତ୍ସାହିତ ହୋଇ ନିଜ ନିଜ ରାଷ୍ଟ୍ରରେ ଅନୁରୂପ ନିୟମ ଲାଗୁ କରିଥିବା ସପକ୍ଷରେ ଯୁକ୍ତି ବାଢ଼ିଥିଲେ ।
କିନ୍ତୁ ଏକ ନାଟକୀୟ ଘଟଣାକ୍ରମରେ ସରକାର ଓ ଫେସବୁକ ମଧ୍ୟରେ ଆଲୋଚ଼ନାରେ ଫେବୃୟାରୀ ୨୩ ତାରିଖରେ ବୁଝାମଣାପରେ ଫେସବୁକ ନିଜ ମଞ୍ଚରେ ଆଷ୍ଟ୍ରେଲିଆର ଉପଭୋକ୍ତାଙ୍କ ପାଇଁ ପୂର୍ବବତ ସମ୍ୱାଦର ସୂତ୍ର ପ୍ରଦର୍ଶନ ନିମନ୍ତେ ରାଜି ହୋଇଥିବା ଘୋଷଣା କରିଥିଲା । ଆଷ୍ଟ୍ରେଲିଆ ସରକାର ଚିଠା ନିୟମରେ ଚାରିଗୋଟି ସଂଶୋଧନ ନିମନ୍ତେ ରାଜି ହୋଇଥିଲେ । ସେଥିମଧ୍ୟରେ ଫେସବୁକ ଯଦି ନିଜ ପକ୍ଷରୁ ସ୍ଥାନୀୟ ସମ୍ୱାଦ ସଂସ୍ଥାଗୁଡ଼ିକୁ ଅନୁଦାନ ପ୍ରଦାନ ବ୍ୟବସ୍ଥାକରେ ତେବେ ପ୍ରସ୍ତାବିତ ଆଇନର ପରିସରଭୁକ୍ତ ହେବ ନାହିଁ ।
ଫେସବୁକ ପକ୍ଷରୁ ଯୁକ୍ତରାଷ୍ଟ୍ର ଆମେରିକା ଓ ବ୍ରିଟେନରେ ନିଉଜ ‘ସୋକେଶ’ ନାମକ ବିଭବରେ ପ୍ରଦର୍ଶିତ ସମ୍ୱାଦ ପ୍ରକାଶକମାନଙ୍କୁ ଅର୍ଥ ପ୍ରଦାନ କରିଥାଏ । ଆପାତତଃ ସେହି ବ୍ୟବସ୍ଥା ଆଷ୍ଟ୍ରେଲିଆକୁ ସଂପ୍ରସାରିତ ହେବ । କେଉଁ ସମ୍ୱାଦ ସଂସ୍ଥା ସହ ଡ଼ିଜିଟାଲ ମଞ୍ଚଗୁଡ଼ିକ ଚୁକ୍ତି କରିବେ ତାହା ସେମାନଙ୍କ ଇଚ୍ଛାଧିନ ରହିବ । ସରକାରଙ୍କ ସହ ରାଜିନାମାପରେ ଫେସବୁକ ଆଷ୍ଟ୍ରେଲିଆର ‘ସେଭେନ ୱେଷ୍ଟ ମିଡ଼ିଆ’ ସହ ଫେବୃୟାରୀ ୨୩ ତାରିଖ ସଂଧ୍ୟାରେ ହିଁ ସମ୍ୱାଦ ପ୍ରଦର୍ଶନ ନିମନ୍ତେ ଚୁକ୍ତି କରିଥିବା ଜଣାଯାଇଛି । ଅପରପକ୍ଷେ ସରକାର ନିଜ ଚୁକ୍ତିରୁ ଓହରିଲେ ଫେସବୁକ ପକ୍ଷରୁ ପୁନର୍ବାର ସେଠାରେ ନିଜ ମଞ୍ଚରେ ସମ୍ୱାଦ ପ୍ରଦର୍ଶନ ବନ୍ଦ ରଖିବ ବୋଲି ସୂଚାଇ ଦେଇଛି ।
ଆଷ୍ଟ୍ରେଲିଆରେ ଫେସବୁକର ପଦକ୍ଷେପ ସ୍ଥାନୀୟ ଗଣମାଧ୍ୟମ ପରିବେଶକୁ ବିଭିନ୍ନ ଦିଗରୁ ପ୍ରଭାବିତ କରିଥାନ୍ତା । ଗଣମାଧ୍ୟମ ବିଶ୍ଳେଷକମାନଙ୍କ ମତରେ ପ୍ରଥମତଃ, ନାଗରିକଙ୍କ ସମ୍ୱାଦ ଆହରଣ ଅଭ୍ୟାସ ପ୍ରଭାବିତ ହୋଇଥାନ୍ତା । ‘ୟୁନିଭରସିଟି ଅଫ କାନବେରା’ ସ୍ଥିତ ‘ନିଉଜ ଏଣ୍ଡ ମିଡ଼ିଆ ରିସର୍ଚ୍ଚ ସେଣ୍ଟର’ ପକ୍ଷରୁ ନିକଟରେ ଆୟୋଜିତ ଏକ ସର୍ବେକ୍ଷଣରେ ୩୦ ହଜାରରୁ କମ ଜନସଂଖ୍ୟା ବିଶିଷ୍ଟ ଆଷ୍ଟ୍ରେଲିଆର ସହରଗୁଡ଼ିକରେ ୩୨ ପ୍ରତିଶତ ଯାଏଁ ନାଗରିକ ସୋସିଆଲ ମିଡ଼ିଆରୁ ସମ୍ୱାଦ ଆହରଣ କରୁଥିବା ଜଣାଯାଇଥିଲା । ଫେସବୁକ ପ୍ରମୁଖ ସୋସିଆଲ ମିଡ଼ିଆ ମଞ୍ଚରୂପେ ପ୍ରତିଷ୍ଠିତ ହୋଇଥିବା ହେତୁ ସମ୍ୱାଦ ବିତରଣ ପ୍ରକ୍ରିୟାରେ ଗୁରୁତର ବିଭ୍ରାଟ ଘଟିଥାନ୍ତା ।
ଦ୍ୱିତୀୟତଃ, ନିର୍ଭରଯୋଗ୍ୟ ସମ୍ୱାଦ ପରିବେଷିତ ନହୋଇପାରିଲେ ଗୁଜବ ‘ମିସ ଇନଫରମେସନ’ ଷଢ଼ଯନ୍ତ୍ରଧର୍ମୀ ‘କନ୍ସିପେରସି ଥିଓରି’ ଓ ଉଗ୍ରବାଦୀ ‘ରେଡ଼ିକୋଲଜିମ’ ସମ୍ୱାଦ ସୂତ୍ରଗୁଡ଼ିକ ଅସତ୍ୟ ‘ଫେକ-ନିଉଜ’ ପ୍ରସାର ନିମନ୍ତେ ତତ୍ପର ହୋଇ ଉଠିଥାନ୍ତେ । ଫଳରେ ସ୍ଥିତାବସ୍ଥା ସାମାଜିକ ବିଶୃଙ୍ଖଳା ସୃଷ୍ଟିର କାରଣ ସାବ୍ୟସ୍ତ ହୋଇଥାନ୍ତା ।
ତୃତୀୟତଃ, ଫେସବୁକରେ ଅନ୍ୟାନ୍ୟ ଡିଜିଟାଲ ମଞ୍ଚରେ ପ୍ରକାଶିତ ସମ୍ୱାଦର ଲିଙ୍କ ପ୍ରଦର୍ଶିତ ହେଲେ ତାହା ବିଜ୍ଞାପିତ ହୋଇ ପାଠକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ମୁଖ୍ୟତଃ, କ୍ଷୁଦ୍ର ପର୍ଯ୍ୟାୟଭୁକ୍ତ ସମ୍ୱାଦ ସଂସ୍ଥାଗୁଡ଼ିକ ଏହି ପ୍ରକ୍ରିୟାରେ ପାଠକ ସଂଖ୍ୟା ବୃଦ୍ଧି ଓ ତତ୍ ଜନିତ ବିଜ୍ଞାପନ ଆୟ ବୃଦ୍ଧିରେ ଉପକୃତ ହୋଇଥାନ୍ତି । ତେବେ ଫେସବୁକ ମଞ୍ଚ ପକ୍ଷରୁ ସମ୍ୱାଦର ସୂତ୍ର ପ୍ରକାଶନ ବାରଣ କରାଯିବା ଫଳରେ ସେମାନଙ୍କ ପାଠକ ସଂଖ୍ୟା କମିଯାଇଥାନ୍ତା । ଗୁଗୁଲ ପକ୍ଷରୁ ୨୦୧୪ରେ ସ୍ପେନରେ ଅନୁରୂପ କଟକଣାରେ କ୍ଷୁଦ୍ର ପ୍ରକାଶକମାନଙ୍କ ୨୦ ପ୍ରତିଶତ ଯାଏଁ ପାଠକ କମି ଯାଇଥିବା ହିସାବ କରାଯାଇଥିଲା ।
ସର୍ବୋପରି ଆଷ୍ଟ୍ରେଲିଆରେ ପ୍ରସ୍ତାବିତ ‘ନିଉଜ ମିଡ଼ିଆ ବାର୍ଗେନିଂ କୋଡ଼’ ବିରୋଧରେ ଫେସବୁକର ପଦକ୍ଷେପ ଆନ୍ତର୍ଜାତିକସ୍ତରରେ ଗଣମାଧ୍ୟମ ପରିଚାଳନାକୁ ପ୍ରଭାବିତ କରିବା ଆଶଙ୍କାରେ ନୀତିନିର୍ଦ୍ଧାରକମାନେ ପ୍ରତିଟି ପଦକ୍ଷେପ ପ୍ରତି ତୀକ୍ଷଣ ଦୃଷ୍ଟି ରଖିଥିଲେ । ସର୍ବତ୍ର ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକ ବିଜ୍ଞାପନ ଆୟ ହରାଇ ବସୁଥିବା ସ୍ଥଳେ ମହାମାରୀ କାଳରେ ସାମଗ୍ରିକ ବିଜ୍ଞାପନ ବ୍ୟୟ ମଧ୍ୟ କମିଗଲା । ତେବେ ଡିଜିଟାଲ ମଞ୍ଚ ସେଥିରୁ ବର୍ତ୍ତିଯିବା ଏବଂ ଗୁଗୁଲ, ଫେସବୁକ ଭଳି ସଂସ୍ଥାଙ୍କ ଆୟବୃଦ୍ଧି ଏକ ବିଚ଼ିତ୍ର ଗଣିତ ସୃଷ୍ଟି କରିଛି ।
ଏତାଦୃଶ ବ୍ୟାବସାୟିକ ସ୍ଥିତାବସ୍ଥାରେ ସରକାରୀ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ନୀତିଗତଭାବେ ବିଶେଷଜ୍ଞମାନେ ସମର୍ଥନ କରିପାରୁ ନାହାନ୍ତି । ଇଣ୍ଟରନେଟ ମୁକ୍ତ ଭାବବିନିମୟର ମାଧ୍ୟମ ରୂପେ ବିକଶିତ ହୋଇଛି । ଏଥିରେ ଅଙ୍କୁଶ ଗ୍ରହଣଯୋଗ୍ୟ ନୁହ । ବିଶ୍ୱବ୍ୟାପୀ ସୋସିଆଲ ମିଡ଼ିଆ ଗଣତାନ୍ତ୍ରିକ ଗଣମାଧ୍ୟମ ରୂପେ ମୁଣ୍ଡ ଟେକୁଥିବା ଅବସରରେ ଶାସକଦଳ ଓ ପ୍ରଶାସନ ପକ୍ଷରୁ ଏହାର ପକ୍ଷଛେଦନ ଉଦ୍ୟମ ବୁମେରାଂ ସାବ୍ୟସ୍ତ ହେବ । ପାରମ୍ପରିକ ଗଣମାଧ୍ୟମକୁ ଏହି ପରିପ୍ରେକ୍ଷୀରେ ମୋହରା ରଖାଯାଉଥିବା ଦୁଃଭାଗ୍ୟର ବିଷୟ ।
ଭାରତରେ ଗଣମାଧ୍ୟମ ସ୍ୱାଧୀନତାର ଉଚ୍ଚାଙ୍ଗ ପରମ୍ପରା ଅଧିକାରୀ । ସ୍ୱାଧୀନୋତ୍ତର ଅବସ୍ଥାରେ ପ୍ରଥମ ପ୍ରେସ କମିସନଙ୍କ ପ୍ରସ୍ତାବକ୍ରମେ ସରକାରଙ୍କ ପକ୍ଷରୁ ‘ପ୍ରାଇସ ଏଣ୍ଡ ପେଜ’ ଆଇନ ପ୍ରଣୀତ ହେଲା । କ୍ଷୁଦ୍ର ସମ୍ୱାଦପତ୍ରର ସୁରକ୍ଷାଲାଗି ପୃଷ୍ଠା ଅନୁପାତରେ ମୂଲ୍ୟ ନିର୍ଦ୍ଧାରଣ ପାଇଁ ସୁଯୋଗ ସୃଷ୍ଟି କରାଗଲା । କିନ୍ତୁ ଉଚ୍ଚ-ନ୍ୟାୟାଳୟଙ୍କ ଆଦେଶରେ ଆଇନ ଖାରଜ ହୋଇଗଲା । ତୃତୀୟପକ୍ଷ ଦ୍ୱାରା ମୁଦ୍ରିତ ସମ୍ୱାଦପତ୍ରର ମୂଲ୍ୟ ନିର୍ଦ୍ଧାରଣ ନାଗରିକଙ୍କ ଅଭିବ୍ୟକ୍ତିର ସ୍ୱାଧୀନତାରେ ହସ୍ତକ୍ଷେପ ବିଚାର କରାଗଲା । ଡିଜିଟାଲ ମଞ୍ଚଗୁଡ଼ିକର ବ୍ୟାପ୍ତି ଅବସରରେ ଭାରତୀୟ ଅନୁଭୂତିର ପ୍ରାସଙ୍ଗିକତା ପ୍ରଣିଧାନଯୋଗ୍ୟ ।
