ଆଜିର ଖାସ ଖବର
Sun. Sep 13th, 2026

ଫେସବୁକରେ ପାଠକୀୟ ଅଭିମତ

By Dainikasha Jul11,2024

ଫେସବୁକ ପେଜରେ ପୋଷ୍ଟ କରୁଥିବା ଉପଭୋକ୍ତା ପ୍ରଥମ ପକ୍ଷ, ଫେସବୁକ ମଞ୍ଚ ଦ୍ୱିତୀୟ ପକ୍ଷ ରୂପେ ଚ଼ିହ୍ନିତ ହେଲେ ଫେସବୁକ ପେଜଗୁଡ଼ିକରେ ପ୍ରକାଶିତ ପାଠ୍ୟ ବା ଚ଼ିତ୍ର ସଂପର୍କରେ ମନ୍ତବ୍ୟ ବା ଅଭିମତ ‘କମେଣ୍ଟ’ ପୋଷ୍ଟକାରୀ ପାଠକ ବା ଦର୍ଶକଙ୍କୁ ତୃତୀୟ ପକ୍ଷ ବିବେଚ଼ନା କରାଯାଏ । ମୌଳିକଭାବେ ପାଠ୍ୟ ବା ଚ଼ିତ୍ର ପ୍ରଚାର ଉଦ୍ଦେଶ୍ୟରେ ଉପଭୋକ୍ତା ପ୍ରକାଶ କରୁଥିବା ସ୍ଥଳେ ଫେସବୁକ ମଞ୍ଚ ମୁଦ୍ରିତ ସମ୍ୱାଦପତ୍ର ଭଳି ପ୍ରସାରଣର ଦାୟିତ୍ୱ ନିର୍ବାହ କରିଥାଏ ।

ମାନହାନୀମୂଳକ ପାଠ୍ୟ ବା ଚ଼ିତ୍ର ପ୍ରକାଶନ ସୂତ୍ର ଭାବେ ପ୍ରଥମ ପକ୍ଷ ଓ ପ୍ରସାରଣ ମଞ୍ଚ ଭାବେ ଦ୍ୱିତୀୟ ପକ୍ଷକୁ ଦାୟୀ କରାଯାଏ । ତୃତୀୟ ପକ୍ଷ ପାଠକ ବା ଦର୍ଶକଙ୍କ କମେଣ୍ଟ ଉପରେ ପ୍ରଥମ ବା ଦ୍ୱିତୀୟ ପକ୍ଷର କର୍ତ୍ତୃତ୍ୱ ନଥାଏ । ତେବେ ପ୍ରଥମ ପକ୍ଷର ମୂଳ ରଚନା ସଂପର୍କରେ ତୃତୀୟ ପକ୍ଷ ପୋଷ୍ଟ କରୁଥିବା କମେଣ୍ଟ ହଟାଇଦେବାର ସୁଯୋଗ ଉଭୟ ପ୍ରଥମ ଓ ଦ୍ୱିତୀୟ ପକ୍ଷ ନିକଟରେ ଉପଲବ୍ଧ । ପ୍ରଶ୍ନ ଉଠେ, ତୃତୀୟ ପକ୍ଷ ମାନହାନୀମୂଳକ କମେଣ୍ଟ ପୋଷ୍ଟ ଅବସରରେ ମୂଳ ସୂତ୍ର ଅର୍ଥାତ ପ୍ରଥମ ପକ୍ଷକୁ ଦାୟୀ କରାଯାଇ ପାରିବ କି ?

ପାରମ୍ପରିକ ଗଣମାଧ୍ୟମ ମଞ୍ଚ ମୁଦ୍ରିତ ସମ୍ୱାଦପତ୍ର, ପତ୍ରିକା ଓ ଟେଲିଭିଜନ ଚ୍ୟାନେଲ ଇତ୍ୟାଦି ଜନସାଧାରଣଙ୍କ ସହ ଯୋଗସୂତ୍ର ସ୍ଥାପନ ଉଦ୍ଦେଶ୍ୟରେ ନିଜ ଫେସବୁକ ପେଜରେ ନିଜସ୍ୱ ମଞ୍ଚରେ ପ୍ରକାଶିତ ରଚନା ବା କାର୍ଯ୍ୟକ୍ରମର ଲିଙ୍କ ସ୍ଥାନିତ କରିଥାନ୍ତି । ଏହି ଉଦ୍ୟମ ପାଠକ ସଂପୃକ୍ତି ‘ରିଡର୍ସ ଏଙ୍ଗେଜମେଣ୍ଟ’ ପର୍ଯ୍ୟାୟଭୁକ୍ତ । ଏତଦ୍ୱାରା ସେମାନଙ୍କ ଗ୍ରାହକ ଭିନ୍ନ ସାଧାରଣ ପାଠକ ମଞ୍ଚରେ ପ୍ରକାଶିତ ବିଭିନ୍ନ ରଚନା ପ୍ରତି ଆକୃଷ୍ଟ ହୋଇଥାନ୍ତି । ସ୍ଥଳବିଶେଷରେ ସଂପୃକ୍ତ ରଚନା ସଂପର୍କରେ କମେଣ୍ଟ ମଧ୍ୟ ପୋଷ୍ଟ କରିଥାନ୍ତି । ତେବେ ପାଠକଙ୍କ ଦ୍ୱାରା ପୋଷ୍ଟ କରାଯାଉଥିବା କମେଣ୍ଟଗୁଡ଼ିକ ଯଦି ମାନହାନୀମୂଳକ ହୁଏ, ତେବେ ଫେସବୁକ ପେଜରେ ମୂଳ ରଚନା ପ୍ରକାଶନ କରିଥିବା ପ୍ରଥମ ପକ୍ଷ ଉତ୍ତରଦାୟୀ ହେବେ କି ?

ଫେସବୁକ ମଞ୍ଚରେ ଆଷ୍ଟ୍ରେଲିଆର ସମ୍ୱାଦପତ୍ରରେ ପ୍ରକାଶିତ କେତେକ ରଚନା ସଂପର୍କରେ ପାଠକଗଣ ଅପମାନମୂଳକ କମେଣ୍ଟ ପୋଷ୍ଟ କରିବାପରେ ମୂଳ ରଚନାରେ ବର୍ଣ୍ଣିତ ବ୍ୟକ୍ତି ପ୍ରଥମପକ୍ଷ ସମ୍ୱାଦପତ୍ର ବିରୁଦ୍ଧରେ ଅଦାଲତରେ ମାନହାନୀ ମକଦ୍ଦମା ଦାୟର କରିଥିଲେ । ଆଷ୍ଟ୍ରେଲିଆର ସର୍ବୋଚ୍ଚ ଅଦାଲତ ସେପ୍ଟେମ୍ୱର ୨୦୨୧ ପ୍ରଥମ ସପ୍ତାହରେ ଫେସବୁକ ପେଜରେ ପାଠକ ପୋଷ୍ଟ କରିଥିବା କମେଣ୍ଟ ପାଇଁ ରଚନାର ପ୍ରକାଶକ ପ୍ରଥମ ପକ୍ଷ ଦାୟୀ ବୋଲି ରାୟ ପ୍ରଦାନ କରିଥିଲେ । ଏହି ଘଟଣାଟି ଆନ୍ତର୍ଜାତିକସ୍ତରରେ ସୋସିଆଲ ମିଡ଼ିଆର ବ୍ୟବହାରକୁ ନେଇ ଆଲୋଚ଼ନାର ଅବକାଶ ସୃଷ୍ଟି କରିଛି ।

ଘଟଣାକ୍ରମ ଅନୁଯାୟୀ ଆଷ୍ଟ୍ରେଲିଆ ବ୍ରଡ଼କାଷ୍ଟିଂ କରପୋରେସନ ପକ୍ଷରୁ ‘ଫୋର କର୍ଣ୍ଣର’ ନାମିତ ଅନୁସନ୍ଧାନଭିତ୍ତିକ ଧାରାବାହିକ ୨୦୧୬ରେ ପ୍ରସାରିତ ଏକ ଅଧ୍ୟାୟରେ ସେଠାକାର ଉତ୍ତରାଞ୍ଚଳ ପ୍ରଦେଶରେ ‘ଡ଼ନ ଡ଼େଲେ ୟୁଥ ଡିଟେନସନ ସେଣ୍ଟର’ ବାଳସୁଧାର କେନ୍ଦ୍ରରେ ନାବାଳକ ଅନ୍ତେବାସୀଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ପର୍ଦ୍ଦାଫାଶ କରାଯାଇଥିଲା । ‘ଆଷ୍ଟ୍ରେଲିଆସ ଶେମ’ ଶୀର୍ଷକ ଏହି ପ୍ରାମାଣିକ ଚ଼ିତ୍ରରେ ଡାଏଲନ ଭୋଲାର ନାମକ ଜଣେ ୧୭ ବର୍ଷ ବୟସ୍କଙ୍କ କାହାଣୀ ପ୍ରଦର୍ଶିତ ହେବାପରେ ଆଷ୍ଟ୍ରେଲିଆର ଆଗଧାଡ଼ିର ସମ୍ୱାଦପତ୍ରଗୁଡ଼ିକରେ ମଧ୍ୟ ଚର୍ଚ୍ଚିତ ହୋଇଥିଲା । ପ୍ରଚଳିତ ଧାରାରେ ସମ୍ୱାଦପତ୍ରରେ ଭୋଲାରଙ୍କ ସଂପର୍କୀତ ରଚନାଗୁଡ଼ିକର ଲିଙ୍କ ସଂପୃକ୍ତ ମଞ୍ଚର ଫେସବୁକ ପେଜଗୁଡ଼ିକରେ ପ୍ରକାଶନ କାଳରେ ସାଧାରଣ ପାଠକମାନେ କମେଣ୍ଟ ପୋଷ୍ଟ କରିଥିଲେ ।

ଡ଼ାଏଲନ ଭୋଲାର ଆଷ୍ଟ୍ରେଲିଆର ଜନଜାତି ସଂପ୍ରଦାୟ ବାସିନ୍ଦା । ଫେସବୁକରେ ସ୍ଥାନିତ ସମ୍ୱାଦପତ୍ର ରଚ଼ନାଗଡ଼ିକରେ ଡ଼ାଏଲନଙ୍କୁ ଆକ୍ଷେପ କଲାଭଳି ଉପାଦାନ ନଥିବା ସ୍ଥଳେ ପାଠକମାନଙ୍କ ପକ୍ଷରୁ ପୋଷ୍ଟ କରାଯାଇଥିବା କମେଣ୍ଟଗୁଡ଼ିକୁ ଅପମାନସୂଚ଼କ ବୋଧ କଲେ । ଡ଼ାଏଲନ ସିଡ଼ନୀ ମର୍ଣ୍ଣିଂ ହେରାଲ୍ଡ, ଆଷ୍ଟ୍ରେଲିଆନ, ସେଣ୍ଟ୍ରାଲିଆନ ଏଡ଼ଭୋକେଟ, ବୋଲ୍ଟ ରିପୋର୍ଟ ଓ ସ୍କାଇ ନିଉଜର ଫେସବୁକ ପେଜରେ ୨୦୧୬ ଓ ୨୦୧୭ରେ ପ୍ରକାଶିତ ୧୦ ଗୋଟି କମେଣ୍ଟ ଚ଼ିହ୍ନଟ କରି ଅଦାଲତରେ ମାନହାନୀ ମକଦ୍ଦମା ଦାୟର କରିଥିଲେ । ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ସେ କମେଣ୍ଟ ଲେଖିଥିବା ପାଠକ କିମ୍ୱା ଫେସବୁକ ମଞ୍ଚ ବିରୋଧରେ ଅଭିଯୋଗ ନଆଣି ଯେଉଁ ସମ୍ୱାଦପତ୍ରଗୁଡ଼ିକ ଫେସବୁକ ପେଜରେ ରଚନା ଓ କମେଣ୍ଟଗୁଡ଼ିକ ପ୍ରକାଶିତ ହୋଇଥିଲା ସେହିମାନଙ୍କ ବିରୋଧରେ ଅଭିଯୋଗ କରିଥିଲେ ।

ଡ଼ାଏଲନଙ୍କ ଯୁକ୍ତିରେ ସମ୍ୱାଦପତ୍ର ପ୍ରକାଶକମାନେ ନିଜ ମଞ୍ଚରେ ପ୍ରକାଶିତ ରଚନାଗୁଡ଼ିକ ସର୍ବସାଧାରଣରେ ବିଜ୍ଞପିତ କରିବା ଉଦ୍ଦେଶ୍ୟରେ ଫେସବୁକ ପେଜରେ ଲିଙ୍କ ପ୍ରକାଶିତ କରିଥିଲେ । ଏତଦ୍ୱାରା ଅଧିକରୁ ଅଧିକ ସଂଖ୍ୟକ ପାଠକ ସଂପୃକ୍ତ ରଚନାଗୁଡ଼ିକୁ ପାଠ କରିବା ପରିବେଶ ସୃଷ୍ଟି ହୋଇଥିଲା । ପ୍ରକାଶିତ ରଚନାଗୁଡ଼ିକ ସଂପର୍କରେ ସାଧାରଣ ପାଠକଙ୍କ ମାନହାନୀମୂଳକ କମେଣ୍ଟଗୁଡ଼ିକ ଅନେକାଂଶରେ ମିଥ୍ୟା, ମନଗଢ଼ା ଓ ଆକ୍ରୋଶମୂଳକ ହୋଇଥିବା ସ୍ଥଳେ ତାଙ୍କରି ମାନସମ୍ମାନ କ୍ଷୁର୍ଣ୍ଣ କରିଥିଲା । ଫେସବୁକ ଉପଭୋକ୍ତାମାନେ ଏହି ପୋଷ୍ଟଗୁଡ଼ିକୁ ସେୟାର କରିବା ଫଳରେ ଜ୍ୟାମିତିକ ଧାରାରେ ପ୍ରସାରିତ ହେବାରେ ଲାଗିଥିଲା ।

ଡ଼ାଏଲନଙ୍କ ଅଭିଯୋଗକୁ ବିଚାର କରି ‘ନିଉ ସାଉଥ ୱେଲସ ସୁପ୍ରିମ କୋର୍ଟ’ ୨୦୧୯ରେ ଅଭିଯୁକ୍ତ ସମ୍ୱାଦ ମଞ୍ଚଗୁଡ଼ିକୁ ଉତ୍ତରଦାୟୀକରି ଆବେଦନକାରୀଙ୍କୁ ନ୍ୟାୟିକ ଖର୍ଚ୍ଚ ଭରଣା କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଏହି ରାୟ ସୋସିଆଲ ମିଡ଼ିଆ ପରିଧିରେ ଗୁଞ୍ଜରଣ ସୃଷ୍ଟି କରିଥିଲା । ଦୋଷୀ ସାବ୍ୟସ୍ତ ସମ୍ୱାଦ ମଞ୍ଚଗୁଡ଼ିକ ‘ନିଉ ସାଉଥ ୱେଲସ କୋର୍ଟ ଅଫ ଅପିଲ’ରେ ପୁନଃବିଚାରଣା ନିମନ୍ତେ ଆବେଦନ କରିଥିଲେ । ସେଠାରେ ଜୁନ ୨୦୨୦ରେ ସୁପ୍ରିମ କୋର୍ଟର ଆଦେଶ ବଳବତ୍ତର ରହିବା ପରେ ପୁନର୍ବାର ‘ହାଇକୋର୍ଟ ଅଫ ଆଷ୍ଟ୍ରେଲିଆ’ର ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ଦେଶର ସର୍ବୋଚ୍ଚ ଅଦାଲତ ମଧ୍ୟ ସେପ୍ଟେମ୍ୱର ୨୦୨୧ରେ ତଳ ସୁପ୍ରିମ କୋର୍ଟ ଓ କୋର୍ଟ ଅଫ ଅପିଲର ନିଷ୍ପତ୍ତି କାୟମ ରଖିଥିଲେ ।

‘କୋର୍ଟ ଅଫ ଅପିଲ’ ନିଜ ରାୟରେ ଦୁଇଗୋଟି ଗୁରୁତ୍ୱପୂର୍ଣ୍ଣ ଦିଗ ଉଲ୍ଲେଖ କରିଥିଲେ । ପ୍ରଥମତଃ, ସମ୍ୱାଦପତ୍ର ପ୍ରକାଶକଗଣ ଫେସବୁକ ପେଜରେ ନିଜ ମଞ୍ଚରେ ପ୍ରକାଶିତ ରଚ଼ନାଗୁଡ଼ିକ ସ୍ଥାନିତ କରିବା ମୂଳରେ ସାଧାରଣ ପାଠକଙ୍କ ମନ୍ତବ୍ୟ ଓ ଅଭିମତ ‘କମେଣ୍ଟ’ ପୋଷ୍ଟକୁ ଉତ୍ସାହିତ କରିଥିବା ସୁସ୍ପଷ୍ଟ । ଦ୍ୱିତୀୟତଃ, ପାଠକଙ୍କ କମେଣ୍ଟ ପୋଷ୍ଟ କାଳରେ ମୂଳ ରଚ଼ନାର ପ୍ରକାଶକ ସେଗୁଡ଼ିକର ବିଷୟବସ୍ତୁ ସଂପର୍କରେ ଅଜ୍ଞଥିବା ଯୁକ୍ତି ଅମୂଳକ । କମେଣ୍ଟ ସ୍ଥାନିତ କରିବା ନିମନ୍ତେ ଉଦ୍ଦେଶ୍ୟମୂଳକ ଭାବେ ସୁଯୋଗ ସୃଷ୍ଟି କରିଥିବା ହେତୁ ମାନହାନୀମୂଳକ ରଚନା ପ୍ରକାଶନ ନିମନ୍ତେ ପ୍ରଥମ ପକ୍ଷ ଉତ୍ତରଦାୟୀ ରହିବେ ।

ଆଷ୍ଟ୍ରେଲିଆ ନ୍ୟାୟ ବ୍ୟବସ୍ଥାରେ ଫେସବୁକ ମଞ୍ଚରେ ସମ୍ୱାଦପତ୍ରଗୁଡ଼ିକ ପକ୍ଷରୁ ପ୍ରକାଶିତ ରଚ଼ନାଗୁଡ଼ିକ ସଂପର୍କରେ ଅଜଣା ଓ ଅଣ-ସମ୍ପାଦିତ କମେଣ୍ଟ ପ୍ରତି ଉତ୍ତରଦାୟୀ ରହିବା ନିଷ୍ପତ୍ତି ଆନ୍ତର୍ଜାତିକସ୍ତରରେ ପ୍ରଭାବ ପକାଇଥିଲା । ଏହି ନ୍ୟାୟିକ ଦୃଷ୍ଟିକୋଣ ହେତୁ ଫେସବୁକ ମଞ୍ଚରେ ଯେକୌଣସି ପ୍ରକାଶକ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହେଲା । ପ୍ରାଥମିକଭାବେ ଏହି ସମସ୍ୟା ସମାଧାନ ଆଶାରେ ଫେସବୁକ ମଞ୍ଚ ପକ୍ଷରୁ ମାର୍ଚ୍ଚ ୨୦୨୧ରୁ ପ୍ରକାଶିତ ପୋଷ୍ଟଗୁଡ଼ିକ ସଂପର୍କରେ ପାଠକଙ୍କ କମେଣ୍ଟ ପୋଷ୍ଟ କରିବା ବାରଣ କରିବା ପ୍ରାବଧାନ ସଂଯୋଗ କରାଯାଇଛି । ପୂର୍ବରୁ ପୋଷ୍ଟଗୁଡ଼ିକ ଗୋଟିଏ ଗୋଟିଏ କରି ଡିଲିଟ କରିବା ସୁବିଧା ଉପଲବ୍ଧ ଥିବା ସ୍ଥଳେ ବର୍ତ୍ତମାନ ସାମୂହିକ ଭାବେ ବାରଣ ସଂଭବ ।

ଫେସବୁକ ମଞ୍ଚରେ ପ୍ରକାଶିତ ରଚନାଗୁଡ଼ିକରେ ସ୍ଥାନିତ ପାଠକୀୟ କମେଣ୍ଟର ଉତ୍ତରଦାୟିତ୍ୱ ଆଷ୍ଟ୍ରେଲୀୟ ନ୍ୟାୟିକ ବ୍ୟବସ୍ଥା ଦ୍ୱାରା ମୂଳ ପ୍ରକାଶକଙ୍କ ଉପରେ ନ୍ୟସ୍ତ କରିବା ପରେ ଆନ୍ତର୍ଜାତିକସ୍ତରରେ ଏହାର ପ୍ରଭାବ ସଂପର୍କରେ ବିଚାରବିମର୍ଷ ଆରମ୍ଭ ହୋଇଛି । ଆଷ୍ଟ୍ରେଲିଆ ସହ ବ୍ରିଟେନ ଓ କାନାଡ଼ା ବ୍ରିଟିଶ କମନୱେଲଥ ପର୍ଯ୍ୟାୟଭୁକ୍ତ ଥିବା ଏବଂ ସମଧରଣର ନ୍ୟାୟିକ ବ୍ୟବସ୍ଥା ପ୍ରଚଳନ ଥିବା ହେତୁ ଅନୁରୂପ ଅଭିଯୋଗ ଆସିଲେ କିଭିଳି ଦୃଷ୍ଟିକୋଣ ଗ୍ରହଣ କରାଯିବ ତାହା ସମୟ କହିବ । ଯୁକ୍ତରାଷ୍ଟ୍ର ଆମେରିକାରେ ‘କମ୍ୟୁନିକେସନ ଡ଼ିସେନ୍ସି ଆକ୍ଟ’ର ଧାରା ୨୩୦ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକୁ ସୁରକ୍ଷା ଦେଇ ଆସିଛି । ଏତଦ୍ ବ୍ୟତୀତ ୨୦୦୨ରେ ଆଷ୍ଟ୍ରେଲିଆ ନାଗରିକଙ୍କୁ ମାର୍କିନ ଗଣମାଧ୍ୟମ ଦ୍ୱାରା ବିଦେଶ ପ୍ରକାଶିତ ରଚନା ସଂପର୍କରେ ମକଦ୍ଦମା କରିବାକୁ ପ୍ରଶ୍ରୟ ଦିଆଯିବାପରେ ଯୁକ୍ତରାଷ୍ଟ୍ର ଆମେରିକାରେ ବିଧେୟକ ପାରିତ କରାଯାଇ ଏତାଦୃଶ କାର୍ଯ୍ୟାନୁଷ୍ଠାନ ଅବୈଧ ଘୋଷଣା କରାଯାଇଥିଲା ।

ମହାମାରୀ-ପର ପରିବର୍ତ୍ତିତ ପରିବେଶ ‘ନ୍ୟୂ ନରମାଲ’ରେ ବିଶ୍ୱବ୍ୟାପୀ ସୋସିଆଲ ମିଡ଼ିଆର ବ୍ୟାପ୍ତି ଓ ଲୋକପ୍ରିୟତା ଏହି କ୍ରମବିକଶିତ ଗଣମାଧ୍ୟମର ବୈଷୟିକ ବିଭବଗୁଡ଼ିକର ସାମାଜିକ ପ୍ରଭାବ ନିୟନ୍ତ୍ରଣ କରିବା ନିମନ୍ତେ ଉଭୟ ନ୍ୟାୟପାଳିକା ଓ ବିଧାୟକ ବ୍ୟବସ୍ଥା ତତ୍ପରତା ପ୍ରକାଶ କରିଛନ୍ତି । ସାଧାରଣରେ ବିସ୍ମୟର କାରଣର ଏହି ଯେ ବୈଷୟିକ ପ୍ରଗତି ଅଭିବ୍ୟକ୍ତିର ଅଧିକାର ସାବ୍ୟସ୍ତ କରିବା ନିମନ୍ତେ ପ୍ରଶସ୍ତକ୍ଷେତ୍ର ଉନ୍ମୁକ୍ତ କରିଥିବା ସ୍ଥଳେ ସୋସିଆଲ ମିଡ଼ିଆ ଅସତ୍ୟ, ଗୁଜବ, ଅତିରଞ୍ଜିତ ଓ ଉଦ୍ଦେଶ୍ୟ ପ୍ରଣୋଦିତ ଯୋଗାଯୋଗରେ ଭରାକ୍ରାନ୍ତ ହୋଇପଡୁଛି । ବୈଷୟିକ ପ୍ରଗତି ସହ ସାମାଜିକ ବ୍ୟବସ୍ଥା ତାଳ ଦେଇ ନପାରୁଥିବା ତଥା ସଂଘର୍ଷମୟ ପରିସ୍ଥିତି ସୃଷ୍ଟି କରୁଥିବା ହେତୁ ଗଣମାଧ୍ୟମ ଅଧ୍ୟୟନ, ଗବେଷଣା ଓ ସାକ୍ଷରତା ପ୍ରସାର ଗୁରୁତ୍ୱ ବହନ କରେ । 

Related Post