ଆଜିର ଖାସ ଖବର
Sat. May 30th, 2026

ଏଆଇଟିୟୁସି ପ୍ରତିଷ୍ଠା ଦିବସ ରେ ୧୦ ଘଣ୍ଟା କାର୍ଯ୍ୟ ସମୟ କୁ ବିରୋଧ ।

By Admin_Dainkasha Oct31,2025

ଜୟପୁର

ଏଆଇଟିୟୁସି ର ୧୦୬ ତମ ପ୍ରତିଷ୍ଠା ଦିବସ ଅବସରରେ ସ୍ଥାନୀୟ ଶ୍ରମିକ କର୍ମଚାରୀ ଭବନ ଠାରେ ସଂଗଠନ ର ଲାଲ୍ ପତାକାକୁ ବରିଷ୍ଠ ଶ୍ରମିକ ନେତା ଶ୍ରୀ ଯୁଧିଷ୍ଠିର ରାଉଳ ଉତ୍ତୋଳନ କରିବା ପରେ ସମବେତ କର୍ମୀ ମାନେ ଏକ ପଟୁଆରରେ ସହର ପରିକ୍ରମା କରି ଯୁଗ୍ମ ଶ୍ରମ କମିଶନର ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ମୁଖ୍ୟତଃ ଗତ କିଛି ଦିନ ତଳେ ରାଜ୍ୟ ମୁଖ୍ୟମନ୍ତ୍ରୀ ପ୍ରେସ ବିଜ୍ଞପ୍ତି ରେ କହିଛନ୍ତି ଯେ ଦୈନିକ କାର୍ଯ୍ୟ ନିର୍ଘଣ୍ଟ ସମୟ ଧାର୍ଯ୍ୟ ଆଠ ଘଣ୍ଟା କୁ ବଢାଇ ୧୦ ଘଣ୍ଟା କରିବା ଏବଂ ମହିଳା ଶ୍ରମିକ କର୍ମଚାରୀ ମାନେ ବ୍ୟବସାୟ ପ୍ରତିଷ୍ଠାନ, ଅଫିସ୍ ଦପ୍ତର ରେ ରାତିରେ ମଧ୍ୟ କାମ କରିପାରିବେ। ଆନ୍ତର୍ଜାତିୟ ସ୍ତରରେ ରକ୍ତକ୍ଷୟୀ ସଂଗ୍ରାମ ପରେ ଆଠ ଘଣ୍ଟା କାର୍ଯ୍ୟ ସମୟ ଧାର୍ଯ୍ୟ ହୋଇଛି। ତାକୁ କର୍ପୋରେଟ ଜଗତର ସ୍ୱାର୍ଥରେ ଏବଂ ଚାପରେ ୧୦ ଘଣ୍ଟା କରିବା ପାଇଁ ଉଭୟ ମୋଦୀ ସରକାର ଓ ମୋହନ ମାଝୀ ସରକାର ଯୋଜନା କରୁଛନ୍ତି । ତଳଦିନେ ବଡ଼ ବଡ଼ କମ୍ପାନୀ ମାଲିକ ମାନେ କର୍ମଚାରୀ ମାନଙ୍କୁ ୧୨ ଘଣ୍ଟା କାମ କରିବା ପାଇଁ ଯୁକ୍ତି ମଧ୍ୟ ବାଢ଼ିଥିଲେ । ଏଆଇଟିୟୁସି ସମେତ ରାଜ୍ୟ ଓ ଦେଶର ଶ୍ରମିକ ସଂଗଠନ ମାନେ ଏହାର ଘୋର ବିରୋଧ କରିଛନ୍ତି। ଗୋଟିଏ ପଟେ ବେକାରୀ ସମସ୍ୟା ବୃଦ୍ଧି ପାଇଛି । ଆଉଟ୍ ସୋର୍ସିଙ୍ଗ୍,ଠିକାରେ କାମ ଚାଲିଛି। ଏଣୁ କାର୍ଯ୍ୟ ସମୟ ନବଢେଇ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ବରଂ କାର୍ଯ୍ୟ ନିର୍ଘଣ୍ଟ ସମୟ କମ୍ କରି ଦୈନିକ ଛ’ ଘଣ୍ଟା କରିବା ପାଇଁ ଦାବି ହେଉଛି। ରାଜ୍ୟ ରେ ମହିଳା ମାନେ ସୁରକ୍ଷିତ ନଥିବା ବେଳେ ଅଫିସ ଦପ୍ତର ବ୍ୟବସାୟ ପ୍ରତିଷ୍ଠାନ ରେ ରାତିରେ କାମ କରିବା ପାଇଁ ଆଇନ ଆଣିବା କଥା ମଧ୍ୟ ମୋହନ୍ ମାଝୀ ଙ୍କ ସରକାର ଘୋଷଣା କରିଛନ୍ତି। ତାକୁ ତୀବ୍ର ବିରୋଧ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ଉପ ଶ୍ମ ସଂସ୍ଥାପକ ଶ୍ରୀ ବୃନ୍ଦାବନ ସେଠୀ ଙ୍କ ଜରିଆରେ ପ୍ରଦାନ କରାଯାଇଛି। ଯଦି ରାଜ୍ୟ ସରକାର ଏହି ନିଷ୍ପତ୍ତି କୁ ପ୍ରତ୍ୟାହାର ନ କରନ୍ତି ତାହେଲେ ଡିସେମ୍ବର ୩,୪,୫ ତିନି ଦିନ ଧରି ରାଜଧାନୀ ଭୁବନେଶ୍ବର ରେ ସମୁହ ଧାରଣା ଦିଆଯିବ ବୋଲି ଏଆଇଟିୟୁସି ରାଜ୍ୟ କମିଟି ସଭ୍ୟ ଶ୍ରୀ ପ୍ରମୋଦ କୁମାର ପ୍ରକାଶ କରିଛନ୍ତି। ଡିଏଲସି ମହୋଦୟ ଙ୍କ ସହ କାଗଜ କଳ ଶ୍ରମିକ ମାନଙ୍କ ସମସ୍ୟା,ଲେବର କାର୍ଡ ସମସ୍ୟା ମଧ୍ୟ ଆଲୋଚନା କରାଯାଇଥିଲା।ଆଜିର ବିକ୍ଷୋଭ କୁ ସର୍ବଶ୍ରୀ ଉତ୍ତମ ମଲ୍ଲିକ, ରାମକୃଷ୍ଣ ଦାସ, ସୁଦର୍ଶନ ବିଷୋୟୀ,ବସନ୍ତ ବେହେରା,ଡମୁଣି ପାତ୍ର, ଶାନ୍ତିମଣି ଖରା, ପ୍ରମିଳା ଭୂମିଆ, ନନ୍ଦ କୁମାର ପ୍ରମୁଖ ନେତୃତ୍ବ ଦେଇ ଶୃଙ୍ଖଳାର ସହ ସମାପ୍ତ କରିଥିଲେ ।

Related Post