ଆଜିର ଖାସ ଖବର
Thu. Apr 16th, 2026

ଓଟିଟି ଉପଭୋକ୍ତାଙ୍କ ଋଚି

By Dainikasha Jul12,2024

ପରିବର୍ତ୍ତିତ ପରିବେଶ ‘ନ୍ୟୂ-ନରମାଲ’ରେ ଗଣମାଧ୍ୟମ ମଞ୍ଚଗୁଡ଼ିକର ଉପଭୋକ୍ତାଙ୍କ ରୁଚ଼ିରେ ବ୍ୟାପକ ପରିବର୍ତ୍ତନ ପରିଲକ୍ଷିତ । ଏକପକ୍ଷରେ ସୂଚ଼ନା ପ୍ରଦ୍ୟୋଗୀକି କ୍ଷେତ୍ରରେ ପ୍ରଗତି ସାଙ୍ଗକୁ ବୃହତ ନିବେଶ ଓ ଉପଭୋକ୍ତାକେନ୍ଦ୍ରୀକ ମଞ୍ଚଗୁଡ଼ିକର ଏକତ୍ରୀକରଣ ‘କନସୋଲିଡ଼େସନ’ ପରିବର୍ତ୍ତନର ମଙ୍ଗ ଧରିଥାଏ । କ୍ରମଶଃ ଡ଼ିଜିଟାଲ ମଞ୍ଚ ଉପଭୋକ୍ତାମାନେ ଦୈନିକଭିତ୍ତିରେ ଅଧିକ ସମୟ ଅନଲାଇନରେ ଉପସ୍ଥିତ ରହୁଥିବା ତଥା ସୂଚ଼ନା ପ୍ରାଚୁର୍ଯ୍ୟରେ ଧନ୍ଦି ହୋଇଯାଉଥିବା ଅବସରରେ ପାଠକ, ଶ୍ରୋତା ଓ ଦର୍ଶକଙ୍କ ଋଚି ଦ୍ରୁତ ପରିବର୍ତ୍ତନଶୀଳ । ଅପରପକ୍ଷରେ, ସମସାମୟିକ ପରିଚାଳନା ପଦ୍ଧତି ଉପଭୋକ୍ତଙ୍କ ଋଚି ପରଖି କ୍ରମାଗତ ଭାବେ ବିଭିନ୍ନ ଡ଼ିଜିଟାଲ ମଞ୍ଚ ସମତୁଲ ଓଟିଟି ମଞ୍ଚଗୁଡ଼ିକୁ ଲୋକପ୍ରିୟ କରାଇବା ନିମନ୍ତେ ଉଦ୍ୟମରତ ।

ଭାରତରେ ୨୦୦୮ରେ ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଆନୁକୂଲ୍ୟରେ ‘ବିଗ ଫ୍ଳିକ୍ସ’ ପ୍ରଥମ ଓଟିଟି ମଞ୍ଚ । ପରବର୍ତ୍ତୀ ପର୍ଯ୍ୟାୟରେ ୨୦୧୦ରେ ‘ନେକ୍ସଟ ଜିଟିଭି’ ମୋବାଇଲ ଆପ ଯୋଗେ ଓଟିଟି ଷ୍ଟ୍ରୀମିଂ ବ୍ୟବସ୍ଥା କରିଥିଲା । ସ୍ମାର୍ଟଫୋନ ବ୍ୟବହାର ବୃଦ୍ଧି ଓ ଡ଼ାଟା ଦର ହ୍ରାସ ପରେ ୨୦୧୫ରେ ଇଣ୍ଡିଆନ ପ୍ରିମିୟର ଲିଗ୍ କ୍ରିକେଟ ପ୍ରତିଯୋଗିତା ଓଟିଟି ମଞ୍ଚରେ ସିଧା ପ୍ରସାରଣ ଏକ ନୂତନ ଯୁଗ ଆରମ୍ଭ କରିଥିଲା । ଦେଶରେ ୨୦୨୩ ସୁଦ୍ଧା ପ୍ରାୟ ୫୦ ସରିକି ଓଟିଟି ମଞ୍ଚ ସକ୍ରିୟ ଥିବା ଜଣାଯାଏ ।

ଡିଜିଟାଲ ମଞ୍ଚ ଗବେଷଣା ପ୍ରତିଷ୍ଠାନ ‘କମସ୍କୋର’ ତଥ୍ୟ ଅନୁଯାୟୀ ଭାରତରେ ୪୮ରୁ ୫୦ କୋଟି ଦର୍ଶକ ଅନଲାଇନରେ ମନୋରଞ୍ଜନ କାର୍ଯ୍ୟକ୍ରମ ଉପଭୋଗ କରିଥାନ୍ତି । ଓଟିଟି ମଞ୍ଚ ମଧ୍ୟରୁ କେତେକ ମାଗଣାରେ ଉପଭୋଗ ଉପଲବ୍ଧ ଥିବା ସ୍ଥଳେ ଅନ୍ୟ କେତେକ ଦେୟଯୁକ୍ତ । ଭାରତରେ ଟେଲିଭିଜନ ଦର୍ଶକଙ୍କ ସଂଖ୍ୟା ୯୦ କୋଟି ହିସାବ କରାଯାଏ । ଏଥିରୁ ପ୍ରାୟ ୭୨ ହଜାର କୋଟି ଟଙ୍କା ରାଜସ୍ୱ ଆୟ ହୁଏ । ଉପଗ୍ରହଭିତ୍ତିକ ଟେଲିଭିଜନ ତୁଳନାରେ ଓଟିଟି ମଞ୍ଚରେ ଦର୍ଶକ ଓ ରାଜସ୍ୱ ନଗଣ୍ୟ । ମହାମାରୀ-ପର ଅବସ୍ଥାରେ ଚଳଚ଼ିତ୍ର ପ୍ରେକ୍ଷାଳୟରେ ପ୍ରଦର୍ଶନ ମାନ୍ଦାବସ୍ଥା ଦେଇ ଗତି କରୁଥିବା ଦେଖାଯାଏ । ଓଟିଟି ମଞ୍ଚର ବ୍ୟାପକ ପ୍ରସାର ଆଶା କରାଯାଇଥିବା ସ୍ଥଳେ ତାହା ସଂଭବ ହୋଇପାରି ନାହିଁ ।

ଓଡ଼ିଆରେ ତରଙ୍ଗ ପ୍ଳସ (୨୦୧୯), ଆଓ ନେକ୍ସଟ (୨୦୨୦) ଓ କଞ୍ଚାଲଙ୍କା (୨୦୧୦) ତିନିଗୋଟି ଓଟିଟି ମଞ୍ଚ କାର୍ଯ୍ୟକ୍ରମ ଷ୍ଟ୍ରୀମିଂ କରିଥାନ୍ତି । ଜିଓ ଟିଭି, ଜିଓ ସିନେମା, ଡିସନୀ ହଟଷ୍ଟାର, ଏମଏକ୍ସ ପ୍ଳେୟାର, ଭୂତ, ଜୀ ଏଣ୍ଟରଟାଇନମେଣ୍ଟ ଇତ୍ୟାଦି ଓଟିଟି ମଞ୍ଚରେ ଅନ୍ୟାନ୍ୟ ଭାଷା ସହ ଓଡ଼ିଆ ଭଷାରେ କାର୍ଯ୍ୟକ୍ରମ ପ୍ରସାରଣ ନିମନ୍ତେ ଅନୁମତି ପାଇଥିବା ଜଣାଯାଏ । ତେବେ ହିନ୍ଦି ସହ ତେଲୁଗୁ, ତାମିଲ, କନ୍ନଡ଼, ମାଳାୟଳମ, ମରାଠୀ ଓ ବଙ୍ଗାଳି ଓଟିଟି ମଞ୍ଚ ପ୍ରତିଷ୍ଠିତ ହୋଇସାରିଥିବା ସ୍ଥଳେ ଓଡ଼ିଆ ଓଟିଟି ମଞ୍ଚଗୁଡ଼ିକର ସାମଗ୍ରୀକ ସ୍ଥିତି ନୈରାଶ୍ୟଜନକ ।

ସ୍ଥୁଳଭାବେ ଓଡ଼ିଆ ଓଟିଟି ମଞ୍ଚଗୁଡ଼ିକରେ ସୃଜନ ‘କଣ୍ଟେଣ୍ଟ’ ଅଭାବ ଏହାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିନି । ଓଡ଼ିଆ ଗଣମାଧ୍ୟମରେ ବିଭିନ୍ନ ମଞ୍ଚରେ ଯେପରି ତୃଟିପୂର୍ଣ୍ଣ ସଂପାଦକୀୟ ନୀତି ଗୃହୀତ ହୋଇଥାଏ, ଓଡ଼ିଆ ଓଟିଟି ମଞ୍ଚରେ ମଧ୍ୟ ତାହାର ପୁନରାବୃତ୍ତି ଘଟିଛି । ଓଡ଼ିଆ ପ୍ରକାଶକ ବିଚାର କରେ ୭୦ ଭାଗ ଓଡ଼ିଆ ପରିବାର ସରକାରୀ ରାସନ ନିଅନ୍ତି ଓ ଅଧିକାଂଶ ଅଳ୍ପ-ପାଠୁଆ, ତେଣୁ ସମାଜର ତଳୁଆ ବର୍ଗଙ୍କ ରୁଚ଼ିକୁ ସୁହାଇଲାଭଳି ସୃଜନ ସୃଷ୍ଟି କଲେ ବହୁ ସଂଖ୍ୟକ ଜନସାଧାରଣଙ୍କ ପାଖେ ପହଞ୍ଚି ପାରିବେ । କିନ୍ତୁ ତାହା ଭୂଲ, କାରଣ ତଳୁଆ ବର୍ଗ ଗ୍ରାହକ ଚାନ୍ଦା ଦେଇ ସୃଜନ ଆହରଣ କରିନଥାନ୍ତି  କିମ୍ୱା କେବଳ ସେମାନଙ୍କୁ ନେଇ ବିଜ୍ଞାପନ ରାଜସ୍ୱ ଆଶା କରାଯାଇପାରେନା।

ଉଦାହରଣରେ ସମ୍ୱାଦପତ୍ର ଅର୍ଥନୀତି ଆଲୋଚ଼ନା କରାଯାଉ । ଆମ ରାଜ୍ୟରେ ମୁଦ୍ରିତ ସମ୍ୱାଦପତ୍ରର ଗ୍ରାହକ ପାଞ୍ଚ ଲକ୍ଷ ସରକାରୀ କର୍ମଚାରୀ, ୪ ଲକ୍ଷ ୫୦ ହଜାର ପେନସନଭୋଗୀ ଓ ପାଞ୍ଚ ଲକ୍ଷ ବୃତ୍ତିଧାରୀଙ୍କ ମଧ୍ୟରେ ସୀମିତ । ଏମାନଙ୍କ ମଧ୍ୟରୁ ସମସ୍ତେ ଇଂଲିଶ, ହିନ୍ଦି ଜାଣନ୍ତି ଏବଂ କେତେକ ଓଡ଼ିଆ ଭିନ୍ନ ଅନ୍ୟଭାଷାର ସମ୍ୱାଦପତ୍ର ମଧ୍ୟ ପଢନ୍ତି । ଓଡ଼ିଆ ସମ୍ୱାଦପତ୍ର ଦୁଇରୁ ତିନି ଲକ୍ଷ ପାଠକଙ୍କୁ ଗ୍ରାହକ ଶ୍ରେଣୀଭୁକ୍ତ କରିବା ଲକ୍ଷ୍ୟସିଦ୍ଧି ନିମନ୍ତେ ସେମାନଙ୍କ ନିମନ୍ତେ ଉଚ୍ଚମାନର ସାମ୍ୱାଦିକତା ପରିବେଷଣ କରିବା ଉଚ଼ିତ ନା ଥଟ୍ଟାତାମସା ପାଇଁ ଉଦ୍ଦିଷ୍ଟ ସମ୍ୱାଦ ପ୍ରକାଶକୁ ଅଗ୍ରାଧୀକାର ଦେବା ଉଚ଼ିତ ?

ଦ୍ୱିତୀୟତଃ, ଓଡ଼ିଆ ଗଣମାଧ୍ୟମର ସଂପାଦକୀୟ ନୀତି ନିର୍ଦ୍ଧାରଣ କଲାବେଳେ ଆମେ ପ୍ରତିବେଶୀ ଭାଷାର ସ୍ଥିତି ଅନୁକରଣ ଚ଼େଷ୍ଟା କରୁ । କିନ୍ତୁ ହିନ୍ଦି, ବଙ୍ଗଳା ଓ ତେଲୁଗୁ ଉପଭୋକ୍ତାଙ୍କ ସଂଖ୍ୟା ଅଧିକ ଓ ଅପେକ୍ଷାକୃତଭାବେ ଉନ୍ନତ ସାମାଜିକ ସ୍ଥିତିରେ ଉପନୀତ । ଓଟିଟି ମଞ୍ଚରେ ହିନ୍ଦି ବା ବଙ୍ଗଳାର କ୍ରାଇମ ଥ୍ରିଲର ଓଡ଼ିଆରେ ସଫଳତା ଆଶା କରିବା ବୃଥା ।

ତୃତୀୟତଃ, ଓଟିଟି ମଞ୍ଚ ବିଶ୍ୱବ୍ୟାପୀ ଉପଲବ୍ଧ ଥିବା ହେତୁ ଓଡ଼ିଶା ବାହାରେ ଅବସ୍ଥାପିତ ଓଡ଼ିଆମାନେ କିପରି ଆକୃଷ୍ଟ ହେବେ, ସେଦିଗରେ ଉଦ୍ୟମ କରାଯିବା କଥା । ଓଡ଼ିଶା ବାହାରେ ବସବାସ କରୁଥିବା ଓଡ଼ିଆ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ଓ ଦେୟଯୁକ୍ତ ସେବା ଗ୍ରହଣରେ ଅଭ୍ୟସ୍ତ । ସେମାନଙ୍କ ଦର୍ଶକୀୟ ଋଚିକୁ ଗବେଷଣାକରି ତଦ୍ ଅନୁଯାୟୀ ସୃଜନ ପ୍ରସ୍ତୁତ ହୋଇପାରିଲେ ସେମାନଙ୍କ ସହ ଓଡ଼ିଶାର ଉଚ୍ଚବର୍ଗ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିପାରିବ ।

ଚ଼ତୁର୍ଥତଃ, ଓଡ଼ିଆ ସମ୍ୱାଦପତ୍ର, ଟେଲିଭିଜନ ଓ ଓଟିଟି ଉପଭୋକ୍ତା ସଂଖ୍ୟା ସୀମିତ । ତେଣୁ ଓଡ଼ିଆ ଗଣମାଧ୍ୟମରେ କୌଣସି ବ୍ୟୟବହୁଳ ଯୋଜନା ହାତକୁ ନେବା ଅନୁଚିତ । ଅଧିକ ନିବେଶ କଲେ ରାଜସ୍ୱ ନପାଇବା କାରଣରୁ ମଞ୍ଚଗୁଡ଼ିକ ଖୁବ କମ ସମୟରେ ରୁଗଣ ହୋଇଯିବା ସ୍ୱାଭାବିକ । ଛୋଟ ଗଣମାଧ୍ୟମ ସଂସ୍ଥାଗୁଡ଼ିକର ଆୟବ୍ୟୟ ସର୍ବସାଧାରଣରେ ପ୍ରକାଶିତ ହୁଏ ନାହିଁ । ଫଳରେ ମାଲିକ ଓ ପରିଚାଳନା ମଣ୍ଡଳୀର କ୍ଷୁଦ୍ର କୋଟରି ବ୍ୟତୀତ ସେହି ମଞ୍ଚରେ ନିଯୁକ୍ତ କର୍ମଚାରୀମାନେ ମଧ୍ୟ ବ୍ୟାବସାୟିକ ସ୍ଥିତି ପରଖିପାରନ୍ତି ନାହିଁ । ଏହି ପ୍ରହେଳିକାମୟ ଅର୍ଥନୀତି ଗଣମାଧ୍ୟମ ପ୍ରାୟୋଜକ ଓ କର୍ମଚାରୀ ଉଭୟଙ୍କୁ ଏକ ସମୟରେ ବିପଦଗ୍ରସ୍ତ କରିଥାଏ । ସର୍ବୋପରି ସ୍ୱଚ୍ଛତା ଅଭାବରୁ ଗଣମାଧ୍ୟମ ପରିବେଶ ପ୍ରଦୂଷିତ ହୁଏ ।

ପଞ୍ଚମତଃ, ସୃଜନ ଉପଭୋକ୍ତା ସ୍ୱୀକୃତି-ଆଶ୍ରିତ । ଓଡ଼ିଆ ଭାଷାରେ ଉପଭୋକ୍ତା ସଂଖ୍ୟା କମ, ସ୍ୱଚ୍ଛ ନିବେଶ ଅଭାବ ଓ ସଂକୁଚିତ ଆୟ ଯୋଗୁଁ ଉତ୍କର୍ଷ ସାଧନରେ ଅସମର୍ଥ ବିଚାର କରିବା କଳୁଷିତ ମାନସିକତା । ଉଦାହରଣରେ, ଚାରିପୃଷ୍ଠା ବ୍ରଡ଼ସିଟ ମୁଦ୍ରିତ ସମ୍ୱାଦପତ୍ର ପାଠକ ଖଣ୍ଡ ପିଛା ଦଶ ଟଙ୍କା ଦେଇ କିଣିବେ । ଯଦି ପ୍ରତ୍ୟେକ ଧାଡ଼ି ପାଠନଯୋଗ୍ୟ ହୋଇଥିବ । ଓଡ଼ିଆ ସାମ୍ୱାଦିକତାର ପ୍ରାକକାଳରେ ‘ଉତ୍କଳ ଦୀପିକା’ର ବ୍ୟାବସାୟିକ ସାଫଲ୍ୟ ଓ ପ୍ରଭାବ ଶହେରୁ ଦେଢ଼ ଶହ ବର୍ଷ ତଳେ ଏହାର ପ୍ରମାଣ ଦେଇଛି । ଗଣମାଧ୍ୟମର ବାହ୍ୟ ଆଡ଼ମ୍ୱର ବଦଳରେ ଅନ୍ତଃସତ୍ତା ବ୍ୟାବସାୟିକ ସଫଳତା ଲାଗି ଅଧିକ ଗୁରୁତ୍ୱପୂର୍ଣ୍ଣ ।

ଆନ୍ତର୍ଜାତିକ ସୂଚ଼ନା ପ୍ରଦ୍ୟୋଗୀକି ପ୍ରତିଷ୍ଠାନ ‘ଏସେଞ୍ଚର’ ପକ୍ଷରୁ ଭାରତ, ଯୁକ୍ତରାଷ୍ଟ୍ର ଆମେରିକା ଓ ଆଷ୍ଟ୍ରେଲିଆ ସମେତ ଦଶ ଗୋଟି ରାଷ୍ଟ୍ରର ଛଅ ହଜାର ଅନଲାଇନ ମନୋରଞ୍ଜନ ଉପଭୋକ୍ତାଙ୍କ ରୁଚ଼ି ଅନୁଧ୍ୟାନ କରିବା ନିମନ୍ତେ ଏକ ସର୍ବେକ୍ଷଣ ଆୟୋଜନ କରାଯାଇଥିଲା । ଅକ୍ଟୋବର ଓ ନଭେମ୍ୱର ୨୦୨୨ ମଧ୍ୟରେ ସଂଗୃହୀତ ତଥ୍ୟରୁ ଜଣାଯାଇଥିଲା ଯେ ଭାରତର ୯୫ ପ୍ରତିଶତ ଓଟିଟି ଉପଭୋକ୍ତା ଗୋଟିଏ ମଞ୍ଚରେ ଷ୍ଟ୍ରୀମିଂ, ଇ-ସ୍ପୋର୍ଟ୍ସ, ସୋସିଆଲ ମିଡ଼ିଆ, ଇ-କମର୍ସ ସମସ୍ତ ବିଭବ ଚାହୁଁଛନ୍ତି । ଓଟିଟି ମଞ୍ଚରେ କୌଣସି କାର୍ଯ୍ୟକ୍ରମ ଖୋଜି ବାହାର କରିବା ନିମନ୍ତେ ଉପଭୋକ୍ତାଙ୍କୁ ହାରାହାରି ୧୦ ମିନଟ ଲାଗୁଛି ଏବଂ ୭୨ ପ୍ରତିଶତ ଅସୁବିଧା ସମ୍ମୁଖୀନ ହେଉଛନ୍ତି । ସର୍ବେକ୍ଷଣ ଆୟୋଜନର ବର୍ଷକ ପୂର୍ବରୁ ୩୫ ପ୍ରତିଶତ ଅନ୍ତତଃପକ୍ଷେ ଗୋଟିଏ ଓଟିଟି ମଞ୍ଚକୁ ଗ୍ରାହକ ଚାନ୍ଦା ଦେବାରୁ ବିରତ ରହିଥିବା ସ୍ଥଳେ ପରବର୍ତ୍ତୀ ବର୍ଷକ ମଧ୍ୟରେ ୨୬ ପ୍ରତିଶତ ବିଦାୟ ନେବା ସମ୍ଭାବନା ସ୍ୱୀକାର କରିଥିଲେ । ଏହା ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ଏବଂ ଓଡ଼ିଆ ଭାଷା ଭଳି କମ ଉପଭୋକ୍ତା ସଂପନ୍ନ ଓଟିଟି ମଞ୍ଚର ଅମୂଳଚୁଳ ସମ୍ପାଦକୀୟ ଓ ବ୍ୟାବସାୟିକ ମଡ଼େଲରେ ପରିବର୍ତ୍ତନ ଆବଶ୍ୟକ କରୁଥିବା କୁହାଯାଇପାରେ ।

Related Post